ହ୍ବାଟ୍ସଆପ୍‌ ଗ୍ରୁପ୍‌ର ବିଷାକ୍ତ ଚିତ୍ର

ସକାଳୁ ସକାଳୁ ମୁଁ ରହିଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଗୋଟିଏ ମେସେଜ ଆସିଲା, ଯାହାର ଆରମ୍ଭରେ ଲେଖାଥିଲା- ”ଦୟାକରି ଏହି ବାର୍ତ୍ତାଟି ପଢ଼ନ୍ତୁ ଏବଂ ଏହାକୁ ଆପଣଙ୍କ ବନ୍ଧୁ, ଗୋଷ୍ଠୀ, ପରିଚିତ ଏବଂ ସମ୍ପର୍କୀୟଙ୍କୁ ପଠାନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଏହାକୁ ଅତିକମ୍‌ରେ ଏକ ହଜାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିବା ଉଚିତ। ଆପଣଙ୍କ ପ୍ରୟାସର ପ୍ରଭାବ ଏହି ବାର୍ତ୍ତାକୁ ଗୋଟିଏ ସପ୍ତାହରେ ଏକଶହ ନିୟୁତ ଲୋକଙ୍କ ପାଖରେ ଏବଂ ଗୋଟିଏ ମାସରେ ଏକ ବିଲିୟନ ଲୋକଙ୍କ ପାଖରେ ପହଞ୍ଚତ୍ପାରିବ। ବାର୍ତ୍ତାଟି ଏକ ରାଜନୈତିକ ଦଳର ଥିଲା ଓ ସେଥିରେ ମିଥ୍ୟା, ମନଗଢ଼ା ଏବଂ ସେହି ଦଳକୁ ସୁହାଇଲା ଭଳି ଓ ଲୋକଙ୍କ ସମର୍ଥନ ହାସଲ ଲାଗି ତଥ୍ୟ ଭରପୂର ଥିଲା। ବାର୍ତ୍ତାଟିକୁ ପଢ଼ି ହସିବା ବ୍ୟତୀତ ମୋର ଅନ୍ୟ କିଛି କରିବାର ନଥିଲା। ଏହିଭଳି ଅନେକ ବାର୍ତ୍ତା ସୋସିଆଲ ମିଡିଆରେ ସକ୍ରିୟ ଥିବା ପ୍ରତ୍ୟେକ ମଣିଷ ଦେଖୁଥିବେ ଓ ସେମାନଙ୍କ ବୁଦ୍ଧି ବଳରେ ପରବର୍ତ୍ତୀ ପଦକ୍ଷେପ ନେଉଥିବେ। ଆଧୁନିକ ଯୋଗାଯୋଗ ବିପ୍ଳବରେ ହ୍ବାଟ୍ସଆପ୍‌ ଏକ ଅପରିହାର୍ଯ୍ୟ ମାଧ୍ୟମ ଭାବେ ଉଭା ହୋଇଛି। ପୃଥିବୀର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଗୋଟିଏ ସେକେଣ୍ଡ ମଧ୍ୟରେ ବାର୍ତ୍ତା, ଫଟୋ, ଏବଂ ଭିଡିଓ ପଠାଇବାରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ମାତ୍ର ଏବେ ଏହି ଲୋକପ୍ରିୟ ଆପ୍ଲିକେଶନ୍‌ର ଏକ କଳା ଦିଗ ସାମ୍ନାକୁ ଆସିଛି, ଯାହା ସାମାଜିକ ସ୍ଥିରତା ପ୍ରତି ବଡ଼ ବିପଦ। ଏଥିରେ ବ୍ୟାପକ ମିଥ୍ୟା, କପୋଳକଳ୍ପିତ ତଥ୍ୟକୁ ସତ୍ୟଭାବେ ଉପସ୍ଥାପନ କରାଯାଉଛି। ବିଶେଷକରି ହ୍ବାଟ୍ସଆପ୍‌ ଗ୍ରୁପ୍‌ଗୁଡ଼ିକରେ ଏଭଳି ତଥ୍ୟ ବହୁଳ ଅପବ୍ୟବହାର ଯୋଗୁ ଏହାକୁ ଆଜିକାଲି ଅନେକେ ବ୍ୟଙ୍ଗରେ ‘ହ୍ବାଟ୍ସଆପ୍‌ ୟୁନିଭରସିଟି’ ବା ‘ଫେକ୍‌ ନ୍ୟୁଜ୍‌ ଫ୍ୟାକ୍ଟ୍ରି’ ବୋଲି କହିବାକୁ ଆରମ୍ଭ କଲେଣି। ସାଧାରଣ ଲୋକଙ୍କ ସରଳ ମନକୁ କଳୁଷିତ କରିବା, ସାମାଜିକ ବିଦ୍ୱେଷ ସୃଷ୍ଟି କରିବା ଏବଂ ମିଥ୍ୟା ତଥ୍ୟ ପ୍ରସାର କରିବାରେ ଏହି ମାଧ୍ୟମଟି ଏକ ପ୍ରମୁଖ ଅସ୍ତ୍ର ପାଲଟିଛି।
ହ୍ବାଟ୍ସଆପ୍‌ର ଜନ୍ମ କୌଣସି ରାଜନୈତିକ କିମ୍ବା ସାମାଜିକ ବିଭାଜନ ପାଇଁ ହୋଇନଥିଲା। ଏହାର ପ୍ରତିଷ୍ଠାତା ଆମେରିକାର ଜାନ୍‌ କୁମ୍‌ ଏବଂ ବ୍ରାଏନ୍‌ ଆକ୍ଟନ୍‌। ୨୦୦୯ରେ ସେମାନେ ଏହି ଆପ୍ଲିକେଶନ୍‌ ପ୍ରସ୍ତୁତ କରିଥିଲେ। ୨୦୧୪ରେ ସେମାନେ ହ୍ବାଟ୍ସଆପ୍‌କୁ ଫେସବୁକ୍‌ (ଏବେକାର ମେଟା) କମ୍ପାନୀକୁ ବିକ୍ରି କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ କମ୍ପାନୀରୁ ଓହରି ଯାଇଥିଲେ। ହ୍ବାଟ୍ସଆପ୍‌ର ମୂଳ ଅଭିପ୍ରାୟ ଓ ଲକ୍ଷ୍ୟ ଥିଲା ସହଜ ଓ ବ୍ୟକ୍ତିଗତ ଯୋଗାଯୋଗ। ଜାନ୍‌ କୁମ୍‌ ଏବଂ ବ୍ରାଏନ୍‌ ଆକ୍ଟନ୍‌ ଚାହୁଁଥିଲେ ଯେ ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଲୋକେ ଯେପରି ବିନା କୌଣସି ବାଧାରେ, ସ୍ବଳ୍ପ ଖର୍ଚ୍ଚରେ ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ନିଜ ପ୍ରିୟଜନଙ୍କ ସହ ଯୋଗାଯୋଗ କରିପାରିବେ। ସେମାନେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ପରବର୍ତ୍ତୀ ସମୟରେ ଏଥିରେ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପସନ୍‌ ବ୍ୟବସ୍ଥା ଲାଗୁ କରାଗଲା, ଯଦ୍ଦ୍ବାରା ପଠାଯାଉଥିବା ବାର୍ତ୍ତା କେବଳ ପ୍ରେରକ ଏବଂ ଗ୍ରହୀତା ହିଁ ପଢ଼ିପାରିବେ, ଅନ୍ୟ କେହି ନୁହେଁ। କିନ୍ତୁ ସେମାନଙ୍କର ଏହି ମହତ ଉଦ୍ଦେଶ୍ୟ ଏବଂ ଗୋପନୀୟତାର ସୁରକ୍ଷା କବଚ ଆଜି ଅପରାଧୀ ଓ ଗୁଜବ ସୃଷ୍ଟିକାରୀଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ପାଲଟିଯାଇଛି।
ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଏକ ସଙ୍ଗେ ଶତାଧିକ ଲୋକଙ୍କୁ ଯୋଡ଼ାଯାଇପାରୁଥିବାରୁ ଏହା ଏକ ଶକ୍ତିଶାଳୀ ଗଣମାଧ୍ୟମ ପରି କାମ କରୁଛି। ମାତ୍ର ଏହାର ଅପବ୍ୟବହାର ସମାଜକୁ ଧ୍ୱଂସମୁଖକୁ ନେଇଯାଉଛି। ଲୋକେ ବିନା କୌଣସି ସତ୍ୟାସତ୍ୟ ଯାଞ୍ଚ କରି କେବଳ ଗୋଟିଏ କ୍ଲିକ୍‌ ମାଧ୍ୟମରେ ଭ୍ରାମକ ଏବଂ କପୋଳକଳ୍ପିତ ଖବରକୁ ହଜାର ହଜାର ଲୋକଙ୍କ ପାଖକୁ ଫରୱାର୍ଡ କରିଦେଉଛନ୍ତି। ଅନ୍ୟ ସୋସିଆଲ ମିଡିଆରେ ଯାହା କିଛି ପୋଷ୍ଟ ହୁଏ, ସାରା ବିଶ୍ବ ତାକୁ ଦେଖିଥାଏ। ମାତ୍ର ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ପୋଷ୍ଟ ହେଉଥିବା ବାର୍ତ୍ତାକୁ କେବେଳ ସେହି ଗ୍ରୁପରେ ଥିବା ସଭ୍ୟମାନେ ଦେଖିପାରନ୍ତି ଓ ସେହି ବାର୍ତ୍ତାଟି ଅନ୍ୟ ଗ୍ରୁପ ବା ବ୍ୟକ୍ତିଙ୍କୁ ନ ପଠାଇବା ପର୍ଯ୍ୟନ୍ତ ସେଥିରେ ସୀମିତ ରୁହେ। ଅନ୍ୟ କେହି ଦେଖିପାରନ୍ତି ନାହିଁ। ଏପରିକି ଗୁଗୁଲ ସର୍ଚ୍ଚରେ ତାହା ଆସିନଥାଏ। ତେଣୁ ସମାଜରେ ବିଷ ପରଷିବା ପାଇଁ ଏହି ହ୍ବାଟ୍ସଆପ୍‌ ଗ୍ରୁପ୍‌ ବିଶେଷ ସହାୟକ ହେଉଛି। ମିଥ୍ୟା ଓ କପୋଳକଳ୍ପିତ ତଥ୍ୟକୁ ପଢ଼ିବା ପରେ ଜଣେ ମଣିଷର ଅନ୍ତର୍ଜଗତ ବିଷମୟ ହୋଇଯାଏ। ଏହିପରି ଗୋଟିଏ ମଣିଷରୁ ଆଉ ଗୋଟିଏ ମଣିଷକୁ ଏହି ବିଷ ଚରିଯାଏ। ମିଥ୍ୟା ଖବରକୁ ବାରମ୍ବାର ବିଭିନ୍ନ ଲୋକଙ୍କଠାରୁ ଏହି ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ପାଇବା ପରେ ମିଥ୍ୟା ତଥ୍ୟକୁ ସତ ଭାବେ ମାନିନିଏ ସେହି ଲୋକଟି। ଧର୍ମ ଓ ରାଜନୀତିକୁ ସର୍ବାଧିକ ବ୍ୟବହାର କରାଯାଇ ସମାଜରେ ଅସ୍ଥିରତା ସୃଷ୍ଟି ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌କୁ ମାଧ୍ୟମ କରାଯାଉଛି। ଭାରତ ପରି ବିବିଧତାପୂର୍ଣ୍ଣ ଦେଶରେ ହ୍ବାଟ୍ସଆପ୍‌ ଗୁଜବ ଯୋଗୁ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା, ଗଣପ୍ରହାର ଏବଂ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଶିକ୍ଷିତ, ଅଶିକ୍ଷିତ ଓ ସବୁ ବର୍ଗର ମଣିଷ ହ୍ବାଟ୍ସଆପ୍‌ର ମାୟା ଓ ବିଷାକ୍ତ ଜାଲରେ ଫସିଯାଉଥିବା ଦେଖାଯାଉଛି। ସତ୍ୟ ଓ ମିଥ୍ୟାର ପ୍ରଭେଦ ଜାଣିପାରୁନାହାନ୍ତି।
ସାଧାରଣତଃ ଭୟ, କ୍ରୋଧ କିମ୍ବା ଅତ୍ୟଧିକ ଆବେଗ ସୃଷ୍ଟି କରୁଥିବା ମିଥ୍ୟା ମେସେଜ୍‌ଗୁଡ଼ିକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଖୁବ୍‌ଶୀଘ୍ର ଭାଇରାଲ୍‌ ହୋଇଥାଏ। ଯେଉଁ ଲୋକମାନେ ଡିଜିଟାଲ୍‌ ସାକ୍ଷର ନୁହନ୍ତି କିମ୍ବା ଇଣ୍ଟରନେଟ୍‌ରେ ତଥ୍ୟ ଯାଞ୍ଚ କରିବା ଜାଣିନାହାନ୍ତି, ସେମାନେ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଆସୁଥିବା ଖବରକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଧରିନିଅନ୍ତି। ପୁରୁଣା କିମ୍ବା ଅନ୍ୟ କୌଣସି ଘଟଣାର ଭିଡିଓକୁ ଏଡିଟ୍‌ କରି, ନୂଆ ଶିରୋନାମ ଦେଇ ଗ୍ରୁପ୍‌ଗୁଡ଼ିକରେ ଛଡ଼ାଯାଏ, ଯାହା ସମାଜରେ ଉତ୍ତେଜନା ସୃଷ୍ଟି କରିବାକୁ ପର୍ଯ୍ୟାପ୍ତ ହୋଇଥାଏ। ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସବୁଠାରୁ ବଡ଼ ଏବଂ ସଂଗଠିତ ଅପବ୍ୟବହାର ରାଜନୈତିକ ଦଳଗୁଡ଼ିକ ଦ୍ୱାରା ହେଉଛି। ପ୍ରତ୍ୟେକ ପ୍ରମୁଖ ରାଜନୈତିକ ଦଳ ବର୍ତ୍ତମାନ ନିଜର ସ୍ବତନ୍ତ୍ର ସୋସିଆଲ ମିଡିଆ ୱିଙ୍ଗ୍‌ କିମ୍ବା ଆଇଟି ସେଲ୍‌ ଗଠନ କରିଛନ୍ତି। ଏହି ଆଇଟି ସେଲ୍‌ଗୁଡ଼ିକ ଅନେକ ହଜାର କର୍ମଚାରୀ କିମ୍ବା ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଏକ ସଙ୍ଗେ ଲକ୍ଷ ଲକ୍ଷ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ନିର୍ଦ୍ଦିଷ୍ଟ ପ୍ରୋପାଗଣ୍ଡାକୁ ବିଛାଇ ଦିଅନ୍ତି। ଏହା ସାଧାରଣ ଜନତାଙ୍କ ମନକୁ ବ୍ରେନୱାଶ୍‌ କରିବାରେ ବିଶେଷ ସହାୟକ ହୁଏ। ନିର୍ବାଚନ ଜିତିବା ଏବଂ ଜନମତକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌କୁ ବ୍ୟବହାର କରାଯାଉଛି। ଭୋଟ୍‌ ବ୍ୟାଙ୍କ ଧ୍ରୁବୀକରଣ, ବିରୋଧୀଙ୍କ ଚରିତ୍ର ସଂହାର ବର୍ତ୍ତମାନ ରାଜନୈତିକ ହ୍ବାଟ୍ସଆପ୍‌ ରଣନୀତି ପାଲଟି ଯାଇଛି।
ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଏହି ଭୟଙ୍କର ଅପବ୍ୟବହାରକୁ ରୋକିବା କେବଳ ସରକାର କିମ୍ବା କମ୍ପାନୀ ପାଇଁ ସମ୍ଭବ ନୁହେଁ, ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ଜରୁରୀ। ଗ୍ରୁପ୍‌ରେ ଆସୁଥିବା କୌଣସି ସମ୍ବେଦନଶୀଳ ମେସେଜ୍‌କୁ ଅନ୍ୟ କାହାକୁ ପଠାଇବା ପୂର୍ବରୁ ଗୁଗଲ୍‌ କିମ୍ବା ବିଶ୍ୱସନୀୟ ଗଣମାଧ୍ୟମ ଜରିଆରେ ତା’ର ସତ୍ୟତା ପରଖିବା ଉଚିତ। ପ୍ରତ୍ୟେକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଆଡମିନ୍‌ ନିଜ ଗ୍ରୁପ୍‌ ଉପରେ ନଜର ରଖିବା ଉଚିତ ଏବଂ କୌଣସି ପ୍ରକାରର ଧାର୍ମିକ ବା ରାଜନୈତିକ ଉତ୍ତେଜନାମୂଳକ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଗ୍ରୁପ୍‌ରୁ ବାହାର କରିବା ସହ ଆବଶ୍ୟକ ସ୍ଥଳେ ସାଇବର ପୋଲିସର ସହାୟତା ନେବା ଉଚିତ। ପ୍ରଯୁକ୍ତିବିଦ୍ୟା ନିଜେ କେବେ ଭଲ କିମ୍ବା ଖରାପ ହୋଇନଥାଏ। ଏହାର ବ୍ୟବହାର ହିଁ ତା’ର ସ୍ବରୂପ ନିର୍ଦ୍ଧାରଣ କରେ। ଜାନ୍‌ କୁମ୍‌ ଏବଂ ବ୍ରାଏନ୍‌ ଆକ୍ଟନ୍‌ ଯେଉଁ ମହତ ଲକ୍ଷ୍ୟ ନେଇ ହ୍ବାଟ୍ସଆପ୍‌ ଗଠନ କରିଥିଲେ, ତାହାକୁ ଆମେ ନିଜର ସ୍ବାର୍ଥ, ରାଜନୈତିକ ଫାଇଦା ଏବଂ ଧାର୍ମିକ ଅନ୍ଧତ୍ୱ ପାଇଁ କଳୁଷିତ କରିବା ଉଚିତ ନୁହେଁ। ସାଧାରଣ ଜନତାଙ୍କ ମନକୁ ବିଷାକ୍ତ ହେବାରୁ ରକ୍ଷା କରିବାକୁ ହେଲେ ଆମକୁ ହ୍ବାଟ୍ସଆପ୍‌ ଗ୍ରୁପ୍‌ଗୁଡ଼ିକୁ ଗୁଜବର ଆଖଡ଼ା ନୁହେଁ, ବରଂ ଜ୍ଞାନ ଏବଂ ସଦ୍ଭାବନାର ମାଧ୍ୟମ ଭାବେ ଗଢ଼ିତୋଳିବାକୁ ହେବ। ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ଡିଜିଟାଲ୍‌ ସଚେତନତା ହିଁ ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା।

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ. ଖେଲ୍‌. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଚିନ୍ତାରୁ ପୂରା ମୁକ୍ତ…

ଶିକ୍ଷା ବିନା ବିକାଶ ଅସମ୍ଭବ

ଶିକ୍ଷା ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ସେଥିପାଇଁ ଯେଉଁ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ରାଷ୍ଟ୍ର ସେତେ ବିକଶିତ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ…

ସିଜିମାଳିରୁ ସିଆଙ୍ଗ

ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍‌ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ଓ ଭାରତୀୟ…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

ଗ୍ରାମସଭାର ଅଧିକାର ଉପରେ ଆକ୍ରମଣ

ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୂଳ ଆତ୍ମା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାଜର ଶେଷଧାଡ଼ିର ମଣିଷକୁ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାଗୀଦାର କରାଇବା। ବିଶେଷକରି ଦେଶର…

ପୁନର୍ବାର ଲୁଲା

ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୮୦ ବର୍ଷୀୟ ଲୁଲା ବାମପନ୍ଥୀ ଟାଣୁଆ ନେତା ଭାବେ ଜଣାଶୁଣା।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?