ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଚାଇନା ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ମୁକାବିଲା ସ୍ଥିତି ଜାରି ରହିଛି। ଚାଇନା ସହ ଭାରତର ସମ୍ପର୍କ ଉତ୍ତମ ହେଉଛି ବୋଲି କେନ୍ଦ୍ର ସରକାର ଯେଉଁ ଦାବି କରିଆସୁଥିଲେ, କପୁରଙ୍କ ସ୍ବୀକାରୋକ୍ତି ତାହାକୁ ଓଲଟାଇ ଦେଲା। ଏଥିରୁ ବୁଝାପଡ଼ିଯାଇଛି ଯେ, ଭାରତ ସୀମାନ୍ତରେ ସ୍ଥିତି ଅଶାନ୍ତ ଅଛି। ଏଭଳି ସମୟରେ ଅରୁଣାଚଳ ପ୍ରଦେଶରେ ଆଉ ଏକ ବଡ଼ଧରଣର ସମସ୍ୟା ମୁଣ୍ଡ ଟେକିଛି। ତାହା ହେଲା ପ୍ରସ୍ତାବିତ ୧୧,୨୦୦ ମେଗାଓ୍ବାଟ୍ ସିଆଙ୍ଗ ଅପର ବହୁମୁଖୀ ପ୍ରକଳ୍ପ। ଏହା ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଏବଂ ଇଷ୍ଟ୍ ସିଆଙ୍ଗ ଜିଲାରେ ସିଆଙ୍ଗ ନଦୀ ଉପରେ ଅବସ୍ଥିତ ଏକ ପ୍ରସ୍ତାବିତ ମେଗା-ଜଳବିଦ୍ୟୁତ୍ ଓ ଜଳ ସଂରକ୍ଷଣ ପ୍ରକଳ୍ପ। ଜାତୀୟ ଜଳବିଦ୍ୟୁତ୍ ନିଗମ (ଏନ୍ଏଚ୍ପିସି) ଲିମିଟେଡ୍ ଦ୍ୱାରା ବିକଶିତ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଏହା ଭାରତର ସବୁଠାରୁ ବଡ଼ ଜଳବିଦ୍ୟୁତ୍ ପ୍ରକଳ୍ପ ହେବ ବୋଲି କୁହାଯାଉଛି। ହେଲେ ଜମି, ଜୀବିକା, ସାଂସ୍କୃତିକ ପରିଚୟ ହରାଇବା ସହ ପରିବେଶ ଉପରେ ବଡ଼ ଧରଣର କୁପ୍ରଭାବ ପଡ଼ିବାର ଆଶଙ୍କା କରି ସ୍ଥାନୀୟ ‘ଆଦି’ ସମ୍ପ୍ରଦାୟ, ଯୁବ ବର୍ଗ ଏବଂ ନଦୀକୂଳିଆ ଲୋକ ଉକ୍ତ ପ୍ରୋଜେକ୍ଟକୁ ବିରୋଧ କରୁଛନ୍ତି। ସରକାରୀ ନିଷ୍ପତ୍ତିକୁ ବିରୋଧ କରି ସେମାନେ ଅକ୍ଟୋବର ୨୩ରେ ୧୨-ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ। ସୁରକ୍ଷାକର୍ମୀଙ୍କ ସହ ପ୍ରତିବାଦକାରୀଙ୍କ ସଂଘର୍ଷ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏନ୍ଏଚ୍ପିସି କାର୍ଯ୍ୟାଳୟ ସହ ରାଜ୍ୟ ଭାଜପା ମୁଖ୍ୟଙ୍କ ଘର ଭଙ୍ଗାରୁଜା କରିଥିଲେ। ସଦ୍ୟ ଖବର ଅନୁଯାୟୀ ପାଶିଘାଟରେ ହୋଇଥିବା ଗଣ୍ଡଗୋଳ ଅଭିଯୋଗରେ ୬୯ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଅଟକ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ବିପଦରେ ପକାଇବା ସହ ସେମାନଙ୍କ ପୂର୍ବପୁରୁଷଙ୍କ ଭୂମି ସହିତ ଜଡ଼ିତ ଭାବଗତ ତଥା ସାଂସ୍କୃତିକ ଐତିହ୍ୟକୁ କ୍ଷତି ପହଞ୍ଚାଇବାକୁ ଯାଉଛି। ସରକାର ଏହାର ସର୍ଭେ କାର୍ଯ୍ୟ ଜାରି ରଖିଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ଆହୁରି ବଢ଼ିବାରେ ଲାଗିଛି। ଏଠାରେ ମନେପଡ଼େ, ଓଡ଼ିଶାର ନିୟମଗିରି ଓ ସିଜିମାଳିରେ ସ୍ଥାନୀୟ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇ ଖଣି ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରପ୍ରାଧାନ୍ୟ ଦିଆଯିବା ବେଳେ ହେଉଥିବା ପ୍ରତିବାଦ ଓ ବିକ୍ଷୋଭ ସହ ପୋଲିସ ପ୍ରଶାସନର ଦମନ। ଲୋକଙ୍କ ମତାମତ ନ ନେଇ ଭିଟାମାଟିରୁ ସେମାନଙ୍କୁ ବିସ୍ଥାପିତ କରିବାର ଅଧିକାର ପ୍ରଶାସନିକ ବ୍ୟବସ୍ଥାକୁ ଦିଆଯାଇ ନ ଥିଲେ ମଧ୍ୟ ଏକ ସରକାରୀ ଚାପରେ ଦେଶବ୍ୟାପୀ ‘ଜୁଲମ’ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ଭାଜପା ସରକାର ଶାସନରେ ଥିବା ବେଳେ ଏହାର ନେତାମାନେ ଲୋକଙ୍କ ଉପରେ ଅତ୍ୟାଚାର କରିବା ସହ ସେମାନଙ୍କ ଜୀବନ ଓ ଜୀବିକାକୁ ନଷ୍ଟ କରିବା ପୂର୍ବରୁ ସାମାନ୍ୟ ଟିକେ ଭାବୁନାହାନ୍ତି।
ମନୁଷ୍ୟକୃତ କାର୍ଯ୍ୟ ଯୋଗୁ ୨୬ ଅଗଷ୍ଟ ୨୦୨୬ରେ ସୃଷ୍ଟି ହୋଇଯାଇଥିବା ନେପାଳ ବିଭୀଷିକାର ପ୍ରଭାବ ଅରୁଣାଚଳ ପ୍ରଦେଶ ସରକାରଙ୍କ ଉପରେ ନ ପଡ଼ିବା ପରିତାପର ବିଷୟ। ନେପାଳରେ ଅସଂଖ୍ୟା ଜଳବିଦ୍ୟୁତ୍ ପ୍ରକଳ୍ପ ସେଠାରେ ଘୋର ବିପଦକୁ ଡାକିଆଣିଥିଲା। ସମଗ୍ର ବିଶ୍ୱ ଅନୁଭବ କଲା ଭଙ୍ଗୁର ଅବସ୍ଥାରେ ଥିବା ପ୍ରକୃତିକୁ ବିଦାରି ଦେଲେ ତାହାର ପରିଣତି କେତେ ଭୟଙ୍କର ହୋଇଥାଏ।
ତିବ୍ବତରେ ଚାଇନା ୟୁାରଲୁଙ୍ଗ୍ ସାଙ୍ଗପୋ ନଦୀ ଉପରେ ବିଶ୍ୱର ସର୍ବବୃହତ୍ ମେଡଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ତିବ୍ବତରେ ପ୍ରବାହିତ ୟୁାରଲୁଙ୍ଗ୍ ସାଙ୍ଗପୋ ଭାରତରେ ବ୍ରହ୍ମପୁତ୍ର ଭାବେ ଜଣାଶୁଣା। ସେହି ଚାଇନାର ଚାଇନିଜ୍ ଏକାଡେମିକ୍ ସାଇନ୍ସେସ୍ ଓ ୟୁନାନ୍ ବିଶ୍ୱବିଦ୍ୟାଳୟର ଗବେଷଣା ଟିମ୍ କହିଲାଣି ଯେ, ସମ୍ପୃକ୍ତ ବୃହତ୍ ଡ୍ୟାମ୍ ଭାରତ ପାଇଁ ବିପଦ ହେବ। ଏହି ଶତାବ୍ଦୀରେ ଭାରତ ଓ ବାଂଲାଦେଶ ଭଳି ନିମ୍ନସ୍ରୋତ ଅଞ୍ଚଳରେ ବ୍ରହ୍ମପୁତ୍ର ନଦୀର ଜଳପ୍ରବାହ ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ଅଧିକ ରହିଛି ବୋଲି ଚାଇନା ଗବେଷକମାନେ ଦେଉଥିବା ଚେତାବନୀକୁ ଗମ୍ଭୀର ଭାବେ ଚିନ୍ତା କରାଯିବା ଦରକାର। ଏପରିକି ତିବ୍ବତୀୟ ମାଳଭୂମି ବିଶ୍ୱର ହାରାହାରି ତାପମାତ୍ରା ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ ବେଗରେ ଗରମ ହେଉଛି। ଫଳରେ ଏହାର ବରଫ ଆସ୍ତରଣ ଏବଂ ଜଳଚକ୍ରକୁ ଏହା ଘୋର ପ୍ରଭାବିତ କରିଚାଲିଛି। ଏସବୁ ତଥ୍ୟ ଜଣାପଡ଼ିବା ସତ୍ତ୍ୱେ ଅରୁଣାଚଳ ପ୍ରଦେଶରେ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ତତ୍ପରତା ପ୍ରକାଶ ପାଇବା କେବଳ ସେହି ପ୍ରଦେଶ ନୁହେଁ, ଉତ୍ତରପୂର୍ବାଞ୍ଚଳ ସହ ଭାରତର ଉତ୍ତରରେ ଅବସ୍ଥିତ ରାଜ୍ୟ ସକାଶେ ଭୟାନକ ସ୍ଥିତି ଆଣିଦେବ। ଏଭଳି ପରିପ୍ରେକ୍ଷୀରେ ଭାରତ ସିଆଙ୍ଗ ଅପର ବହୁମୁଖୀ ପ୍ରକଳ୍ପ ବିଷୟରେ ଗଭୀର ଭାବେ ଚିନ୍ତା କରିବା ଉଚିତ। ଆଦିବାସୀ ବା ପ୍ରକୃତି କୋଳରେ ବାସ କରୁଥିବା ବ୍ୟକ୍ତିମାନେ କେଉଁଟା କରାଯିବା ଠିକ୍ ବୁଝିପାରୁ ଥିବା ବେଳେ ରାଜନୈତିକ ଆଭିମୁଖ୍ୟ ଓ ସେଥିରୁ ଜନ୍ମିତ ସରକାରୀ ନୀତି ତା’ର ବିପରୀତ କାର୍ଯ୍ୟ କରୁଛି, ଯାହା ଦେଶକୁ କ୍ଷତି ପହଞ୍ଚାଉଛି।

