Posted inଫୁରସତ

ବିଶ୍ୱର ଅଜବ ବ୍ରିଜ୍‌: ଯାହା ଅନ୍ୟଠାରୁ ଭିନ୍ନ …

ବ୍ରିଜ୍‌ ବା ସେତୁ ହେଉଛି ନଦୀର ଗୋଟିଏ ପଟରୁ ଅନ୍ୟପଟକୁ ଯିବାକୁ ଏକ ମାଧ୍ୟମ। କିନ୍ତୁ ଏଠାରେ ଯେଉଁ ବ୍ରିଜ୍‌ କଥା କୁହାଯାଉଛି ସେଗୁଡିକର ନିର୍ମାଣ ଢଙ୍ଗ ବହୁତ ଭିନ୍ନ ଓ ଦେଖିବାକୁ ବହୁତ ଆଶ୍ଚର୍ଯ୍ୟଜନକ। ବିଶ୍ୱର ବିଭିନ୍ନ ସ୍ଥାନରେ ଏପରି କିଛି ଅଜବ ବ୍ରିଜ୍‌ ରହିଛି , ଯାହା ଅନ୍ୟ ବ୍ରିଜ୍‌ଠାରୁ ଭିନ୍ନ …

ରୋଲିଙ୍ଗ ବ୍ରିଜ୍‌: ଲଣ୍ଡନ୍‌ର ଗ୍ରାଣ୍ଡ ୟୁନିୟନ କେନାଲରେ ଚଲା ବାଟ ପାଇଁ ଏକ ବ୍ରିଜ୍‌ ରହିଛି। ଏହାକୁ ରୋଲିଙ୍ଗ ବ୍ରିଜ୍‌ ବୋଲି କୁହାଯାଏ। ୨୦୦୪ ମସିହାରେ ୩୯ଟି କାଠଗଣ୍ଡି ଓ ଷ୍ଟିଲ୍‌ରେ ହେଥରଓ୍ବିକ୍‌ ଷ୍ଟୁଡିଓ ତରଫରୁ ଏହି ପୋଲ ତିଆରି କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ଯେ, ଏହି ବ୍ରିଜ୍‌ଟି ସମ୍ପୂର୍ଣ୍ଣ ଭାବରେ ଗୋଲ ଆକାରରେ ଉଠିଆସିପାରେ ା କେନାଲ ବାଟେ ଡଙ୍ଗା ବା ଜାହାଜ ଯିବା ଆସିବାରେ ବ୍ରିଜ୍‌ ବାଧା ସୃଷ୍ଟି ନ କରିବା ପାଇଁ ଏହା ଏପରି ଭାବେ ତିଆରି କରାଯାଇଛି; ଯାହାଦ୍ୱାରା ଏହି ବ୍ରିଜ୍‌ଟି ଅଷ୍ଟଭୁଜ ଆକାରରେ ରୋଲ୍‌ ଅପ୍‌ ହୋଇଯାଇଥାଏ।

ହେଣ୍ଡରସନ୍‌ ଓ୍ବେଭସ୍‌ : ଏହି ବ୍ରିଜ୍‌ ଦେଖିବାକୁ ତରଙ୍ଗ ପରି ା ଏହା ସିଙ୍ଗାପୁରର ଉଚ୍ଚତମ ବ୍ରିଜ୍‌ ମଧ୍ୟରୁ ଅନ୍ୟତମ । ୧୧୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ବ୍ରିଜ୍‌ ମାଉଣ୍ଟ ଫାବର ପାର୍କଠାରୁ ତେଲକ୍‌ ବ୍ରାଙ୍ଗସ୍‌ ହିଲ ପାର୍କ ପର୍ଯ୍ୟନ୍ତ ଲମ୍ବିଛି। ଏହି ବ୍ରିଜ୍‌ ଅତି ଆକର୍ଷଣୀୟ ଭଙ୍ଗୀରେ ତିଆରି ଏବଂ ଏହାକୁ ଧରି ରଖିବା ପାଇଁ ବହୁତ ଓଜନର ତାର ଓ ମୋଟା ରଡ୍‌ ବ୍ୟବହାର କରାଯାଇଛି ।
ଏହାର ବାହାର ଅଂଶଟି ତରଙ୍ଗ ପରି ଦେଖାଯାଏ କିନ୍ତୁ ଭିତରେ ଶିଡି ରହିଛି; ଯାହାଦ୍ୱାରା ପର୍ଯ୍ୟଟକଙ୍କୁ ଯିବା ଆସିବାରେ ସୁବିଧା ହେବା ସହିତ ବ୍ରିଜ୍‌ ଉପରୁ ହିଁ ସିଙ୍ଗାପୁର ସହରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ା ଏହି ବ୍ରିଜ୍‌ ପ୍ରାୟ ୯୦୦ ଫୁଟ ଲମ୍ବ ବିଶିଷ୍ଟ। ଏହାର ଭିତର ପଟେ ଏଲଇଡି ଲାଇଟ୍‌ ଲାଗିଛି; ଯାହା ଜଳିଲେ ରାତିରେ ଦୂରରୁ ଦୁଇ ଆନ୍ତର୍ଜାତିକ ପାର୍କ ଭିତରେ ଏକ ବଡ ସାପ ଆକୃତି ଭଳି ଦେଖାଯାଏ ।

ସନ୍‌ଡାଏଲ ବ୍ରିଜ୍‌ : ଏହି ବ୍ରିଜ୍‌ଟି ଆଶ୍ଚର୍ଯ୍ୟମୟ ଭାବେ ଗୋଟିଏ କାନ୍ଥ ପରି ଉଚ୍ଚ ଟାଓ୍ବାରରୁ କାଣ୍ଟିଲିଭର୍‌ ସ୍ପାର କେବୁଲ ତାର ଦ୍ୱାରା ଝୁଲି ରହିଛି। ଏହାର ନିର୍ମାଣ ୨୦୦୪ ମସିହାରେ ଶେଷ ହୋଇଥିଲା । ସାଣ୍ଟିଏଗୋ କାଲାଟ୍ରାଭା ନାମକ ଖ୍ୟାତନାମା ସ୍ପେନିସ୍‌ ଆର୍କିଟେକ୍ଚରଙ୍କ ଦ୍ୱାରା ଏହି ଝୁଲା ପୋଲ ବା ବ୍ରିଜ୍‌ ନିର୍ମାଣ ହୋଇଛି । ଏହି ବ୍ରିଜ୍‌ଟି ଟ୍ରଟେଲ ବେଏ ଏକ୍ସପ୍ଲୋରେଶନ୍‌ ପାର୍କ ନିକଟରେ ଥିବା ସାକ୍ରାମେଣ୍ଟୋ ନଦୀ ଉପରେ ରହିଛି। ଏହା ୨୧୭ ଫୁଟ ଲମ୍ବ ଟାଓ୍ବାର ସାହାରାରେ ଝୁଲି ରହିଛି ା ଦୂରରୁ ଏହା ସୂର୍ଯ୍ୟ ଘଡି ପରି ପରିଲକ୍ଷିତ ହୋଇଥାଏ । ବ୍ରିଜ୍‌ଟି ନନ୍‌ସ୍କିଡ୍‌ ଗ୍ଲାସ୍‌ ପ୍ୟାନେଲରେ ପ୍ରସ୍ତୁତ; ଯାହାଦ୍ୱାରା ଏହି ବ୍ରିଜ୍‌ ଉପରେ ଚାଲିକରି ଯାଉଥିବା ବ୍ୟକ୍ତିମାନେ ନଦୀର ସୌନ୍ଦର୍ଯ୍ୟ ଦେଖିପାରିବେ ।

ଜୁସୋଲିନୋ କୁବିଶ୍ଚେକ୍‌ ବ୍ରିଜ୍‌ : ବ୍ରାଜିଲର ପାରାନୋଆ ହ୍ରଦ ଉପରେ ରହିଛି ଏହି ସେତୁ। ଏହା ୨୦୦୨ ମସିହାରେ ନିର୍ମିତ ହୋଇଥିଲା; ଯାହା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୁସୋଲିନୋ କୁବିଶ୍ଚେକ୍‌ଙ୍କ ନାମରେ ନାମିତ, ଯେକି ୧୯୫୦ ମସିହାରେ ବ୍ରାସିଲିଆରେ ବ୍ରାଜିଲ୍‌ର ରାଜଧାନୀ ସ୍ଥାପନ କରିଥିଲେ ା ଏହି ବ୍ରିଜ୍‌ ପ୍ରାୟ ୩୯୦୦ ଫୁଟ୍‌ ଲମ୍ବ ବିଶିଷ୍ଟ, ଯାହାକୁ ଧରି ରଖିଛି ତିନୋଟି ବିଶାଳ ଇସ୍ପାତ ତୋରଣ, ଯାହା ବ୍ରିଜ୍‌ର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଡେଇଁ ଡେଇଁ ଗଲା ପରି ଦେଖାଯାଏ। ଏହି ସେତୁର ନିର୍ମାତା ଆଲେକ୍‌ଜାଣ୍ଡି ଚାନ୍‌ କୁହନ୍ତି ଯେ, ସେ ବ୍ରାଜିଲିଆର ମନୋରମ ସୂର୍ଯ୍ୟାସ୍ତକୁ ଉପଭୋଗ କରିବା ପାଇଁ ଏହି ବ୍ରିଜ୍‌କୁ ସରଳରେଖା ପରିବର୍ତ୍ତେ ଅର୍ଦ୍ଧଚନ୍ଦ୍ରାକାର ତୋରଣ ଆକାରର ନିର୍ମାଣ କରିଥିଲେ।

ପୋଣ୍ଟ ଗୁସ୍ତଭ୍‌ ଫ୍ଲଉବଟ୍‌ : ଫ୍ରାନ୍ସର ପ୍ରମୁଖ ବାଣିଜି୍ୟକ ଜଳପଥ ସିନ୍‌ ନଦୀ ଉପରେ ରହିଛି। ଏହା ଭୂଲମ୍ବ ଆକୃତି ବା ଭର୍ଟିକାଲ୍‌ ଲିଫ୍ଟ ବ୍ରିଜ୍‌ । ୨୮୨ ଫୁଟ ଉଚ୍ଚତା ବିଶିଷ୍ଟ ଲୌହ ସ୍ତମ୍ଭରେ ନିର୍ମିତ ଏହି ବ୍ରିଜ୍‌ ହେଉଛି ସମଗ୍ର ୟୁରୋପର ଉଚ୍ଚତମ ଲିଫ୍ଟ ବ୍ରିଜ୍‌ ା ଏହାର ଡେକ୍‌ ପ୍ରଜାପତି ଆକୃତିର ଉତ୍ତୋଳନ ବ୍ୟବସ୍ଥା ଦ୍ୱାରା ଉପରକୁ ଉଠିଥାଏ। ଯାହାଦ୍ୱାରା ଜାହାଜ ଏହା ତଳ ଦେଇ ସହଜରେ ଯାତାୟାତ କରିପାରେ । ଏହି ବ୍ରିଜ୍‌ ସମ୍ପୂର୍ଣ୍ଣ ଉପରକୁ ଉଠିବା ପାଇଁ ୧୨ ମିନିଟ୍‌ ସମୟ ଲାଗେ ଏବଂ ଦିନକୁ ପ୍ରାୟ ୩୦ରୁ ୪୦ ଥର ଏହା ଉପରକୁ ଉଠିଥାଏ ।

ଲାଙ୍ଗ୍‌କାଓ୍ବି ସ୍କାଏ ବ୍ରିଜ୍‌ : ଏହି ବକ୍ରାକୃତି ପଦଚାରଣ ସେତୁ ସମୁଦ୍ର ପତନଠାରୁ ୨୦୦୦ ଫୁଟ୍‌ ଉଚ୍ଚରେ ନିର୍ମିତ। ଏହା ମାଲେସିଆର ମାଟ୍‌ ସିକାଙ୍ଗ ପର୍ବତ ମଧ୍ୟରେ ରହିଛି । ଏହି ବ୍ରିଜ୍‌ ଉପରେ ଚାଲିବା ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଥିପାଇଁ କେବୁଲ୍‌ କାର୍‌ ଯୋଗେ ଉପରକୁ ଆସିବାକୁ ପଡିଥାଏ । ଲାଙ୍ଗକାଓ୍ବି ସେତୁ ବିଶ୍ୱର ସର୍ବୋଚ୍ଚ ଝୁଲନ୍ତା ସେତୁ ମଧ୍ୟରୁ ଅନ୍ୟତମ ା ଏହାର ଡେକ୍‌ର ଓସାର ୯ଫୁଟ୍‌ରୁ ସାମାନ୍ୟ କମ୍‌ ଏବଂ ଏହା ବକ୍ରାକାର ଗତିପଥ ୯୯ଟି ଦ୍ୱୀପ ବିଶିଷ୍ଟ ଦ୍ୱୀପପୁଞ୍ଜର ସୁଦୀର୍ଘ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପ୍ରଦାନ କରିଥାଏ । ଏହାର ପ୍ରତି ବକ୍ର-ଶୀର୍ଷରେ ତ୍ରିଭୁଜାକାର ପର୍ଯ୍ୟବେକ୍ଷଣ ସ୍ଥଳୀ ରହିଛି ା

ଦା ଭିନ୍‌ସି ବ୍ରିଜ୍‌ : ୧୫୦୨ ଖ୍ରୀଷ୍ଟାବ୍ଦରେ କନ୍‌ଷ୍ଟାଣ୍ଟିନୋପଲ୍‌ର ସୁଲତାନ୍‌ ବଜାଜେତ୍‌ ଦ୍ୱିତୀୟଙ୍କ ପାଇଁ ଏହି ସେତୁର କଳ୍ପନା କରିଥିଲେ ପ୍ରଖ୍ୟାତ ଚିତ୍ରକର ଲିଓନାର୍ଡୋ ଦା ଭିନ୍‌ସି । କିନ୍ତୁ ଏହି ଯୋଜନା ଜୀବନ୍ତ ରୂପ ନେଲା ୫୦୦ ବର୍ଷ ପରେ ଯେତେବେଳେ ନରଓ୍ବେର ସ୍ଥପତି ଭିବିଓରନ ସାଣ୍ଡ୍‌ ଏହାର ନିର୍ମାଣ କଲେ । ଏହି ପଦଚାରୀ ସେତୁ ୨୦୦୧ରେ ଉଦ୍‌ଘାଟିତ ହୋଇଥିଲା। ବହୁବର୍ଷ ପର୍ଯ୍ୟନ୍ତ ଧାରଣା ଥିଲା ଯେ ଦା ଭିନ୍‌ସିଙ୍କ ଏହି କଳ୍ପନାର ସେତୁ ବାସ୍ତବ ରୂପ ଦେବା ଅସମ୍ଭବ ା ଏହାର ଧନୁ ଆକୃତି ସ୍ତମ୍ଭମାନ ଉପରକୁ ସରୁ ଏବଂ ତଳ ଆଡକୁ କ୍ରମଶଃ ମୋଟା । ଦା ଭିନ୍‌ସିଙ୍କ ପ୍ରାଥମିକ ଯୋଜନାରେ ଏହାର ଲମ୍ବ ଥିଲା ୭୫୦ ଫୁଟ୍‌ କିନ୍ତୁ ସାଣ୍ଡ୍‌ ଏବଂ ତାଙ୍କ ସହକର୍ମୀ ଗଣ ନର୍‌ଓ୍ବେର ପାଇନ୍‌ କାଠରେ ୩୦୦ଫୁଟ୍‌ ଲମ୍ବର ଏହି ବ୍ରିଜ୍‌ ନିର୍ମାଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?