ପ୍ରେରଣାର ଉତ୍ସ ଭଗତ ସିଂହ

କିଶୋର ଜେନା

ଆଧୁନିକ ଐକ୍ୟବଦ୍ଧ ଭାରତ ଗଠନରେ ଭଗତ ସିଂହଙ୍କ ମୌଳିକ ଅବଦାନ ରହିଛି। ୧୯୨୦-୨୧ର ଅହିଂସା ଅସହଯୋଗ ଆନ୍ଦୋଳନ ଗାନ୍ଧିଜୀ ପ୍ରତ୍ୟାହାର କରିବା ପରେ ସାରା ଦେଶରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା ସେ ସମୟରେ। ଚୌରୀଚୌରାର ଘଟଣା ଗାନ୍ଧିଜୀଙ୍କ ପାଇଁ ଥିଲା ଅଶନି ସଙ୍କେତ। ସେ ମନେକରୁଥିଲେ, ଦେଶବାସୀଙ୍କ ବୈପ୍ଳବିକ ଅଭ୍ୟୁତ୍ଥାନରେ ଆଗ୍ରହ ଯଦି ଅନିୟନ୍ତ୍ରିତ ହୋଇଯାଏ, ତାହା ଦେଶ ପାଇଁ ବିପଜ୍ଜନକ ହେବ। ବୈପ୍ଳବିକ କର୍ମପ୍ରୟାସ ବ୍ରିଟିଶ ଶାସକଙ୍କ ସଙ୍ଗେ ସଙ୍ଗେ ଭାରତୀୟଙ୍କ ମଧ୍ୟରେ ଯେଉଁମାନେ ଶୋଷଣରେ ଲିପ୍ତ ସେମାନଙ୍କ ପାଇଁ ମଧ୍ୟ ବିପଦର କାରଣ ହେବ। ଏଣୁ ଚୌରୀଚୌରା ଘଟଣାକୁ ‘ହିମାଳୟ ପରି ବିପର୍ଯ୍ୟୟ’ ବୋଲି ଆଖ୍ୟା ଦେଇ ସେ ଆନ୍ଦୋଳନ ପ୍ରତ୍ୟାହାର କରିନେଲେ। ସେ ସମୟରେ ଗାନ୍ଧିଜୀଙ୍କ ଏହି ସିଦ୍ଧାନ୍ତ ନେଇ କେବଳ ବିପ୍ଳବୀମାନେ ନୁହନ୍ତି, କଂଗ୍ରେସର ପ୍ରତିଷ୍ଠିତ ନେତୃତ୍ୱ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରେକ୍ଷାପଟରେ ଭଗତ ସିଂହ ଏବଂ ତାଙ୍କ ସହକର୍ମୀଙ୍କ କର୍ମପ୍ରୟାସ ସେ ସମୟରେ ବିଶେଷ ଭାବେ ପ୍ରାସଙ୍ଗିକ ହୋଇଉଠିଥିଲା। ଆଜି ମଧ୍ୟ ସ୍ବାଧୀନ ଭାରତରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୂତ ହେଉଛି।
ଭଗତ ସିଂହଙ୍କୁ ଯେତେବେଳେ ଫାଶୀ ହୋଇଥିଲା, ସେତେବେଳେ ତାଙ୍କ ବୟସ ୨୪ବର୍ଷ। କିନ୍ତୁ ଏହି ସ୍ବଳ୍ପ ସମୟର ଜୀବନ ମଧ୍ୟରେ ତାଙ୍କ ଅଦମ୍ୟ ସାହସିକତାର ଦୃଷ୍ଟାନ୍ତଗୁଡ଼ିକ ବିସ୍ମୟକର ଓ ବିରଳ। ହିନ୍ଦୁସ୍ଥାନ ରିପବ୍ଲିକ ଆସୋସିଏଶନକୁ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକ ଆସୋସିଏଶନ(ଏଚ୍‌ଏସ୍‌ଆର୍‌ଏ)କୁ ରୂପାନ୍ତରିତ କରିବାର ପ୍ରଥମ ବୈଠକରେ ଭଗତ ସିଂହ ସମସ୍ତ ପ୍ରକାରର ଧର୍ମୀୟ ସାମ୍ପ୍ରଦାୟିକତା ଓ ଆଚାର ଆଚରଣର ବିରୋଧ କରିଥିଲେ। ଏଚ୍‌ଏସ୍‌ଆର୍‌ଏର ଇସ୍ତାହାର ମଧ୍ୟରେ ସେ ମାନସିକ ପ୍ରତିରୋଧ ଓ କୁସଂସ୍କାରର ବିଧି ନିର୍ଦ୍ଦେଶକୁ ଭାଙ୍ଗିବାକୁ ଚାହିଁଥିଲେ। ଜେଲ ମଧ୍ୟରୁ ସେ ପଠାଇଥିବା ବାର୍ତ୍ତାରେ ଲେଖିଥିଲେ କୃଷକମାନଙ୍କୁ କେବଳ ମାତ୍ର ବିଦେଶୀ ଶାସନରୁ ମୁକ୍ତ କଲେ ହେବ ନାହିଁ, ସେମାନଙ୍କୁ ଦେଶୀ ଜମିଦାର ଓ ପୁଞ୍ଜିପତିଙ୍କ ହାତରୁ ମଧ୍ୟ ରକ୍ଷା କରିବାକୁ ହେବ।
ଦିଲ୍ଲୀ ପ୍ରାଦେଶିକ ଆଇନ ସଭାରେ ବୋମା ବିସ୍ଫୋରଣ ମାମଲାର ଶୁଣାଣି ସମୟରେ ପ୍ରତିଦିନ ଭଗତ ସିଂହ ଓ ବଟୁକେଶ୍ୱର ଦତ୍ତ ଅଦାଲତରେ ପ୍ରବେଶ କରୁଥିଲେ ‘ଇନ୍‌କିଲାବ- ଜିନ୍ଦାବାଦ’ ସ୍ଲୋଗାନ ଦେଇ। ଫାଶୀ ସମୟରେ ଏହି ସ୍ଲୋଗାନ ଥିଲା ତାଙ୍କ କଣ୍ଠରେ। ବିଚାରପତି ଏ ସମ୍ପର୍କରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେବାରୁ ସେମାନେ ଲିଖିତ ବିବୃତି ଦେଇଥିଲେ। ଏହାର ୭ ଓ ୮ ନମ୍ବର ଅନୁଚ୍ଛେଦ ପ୍ରଦତ୍ତ ହେଲା। ଏହି ଅଂଶ ପଠନ କଲେ ବୁଝାଯାଏ ଯେ, ସ୍ବାଧୀନତାର ସଂଗ୍ରାମ ଓ ସମାଜବାଦ ପ୍ରତିଷ୍ଠା ମଧ୍ୟରେ ସମ୍ପର୍କ ନେଇ ସେମାନଙ୍କର ଦୃଷ୍ଟିଭଙ୍ଗୀ କେତେ ସ୍ପଷ୍ଟ ଥିଲା। ଆଉ ଆଧୁନିକ ଭାରତ ସମ୍ପର୍କରେ ଭଗତ ସିଂହ ଏବଂ ତାଙ୍କ ସହଯୋଗୀଙ୍କ ଚିନ୍ତାଧାରା କିପରି ଥିଲା? ୧୯୨୯ ଜୁନ ୯ରେ ଦୌରା ଜିଲା ଅଦାଲତର ବିଚାରପତି ଏହି ଜବାବକୁ ନଥିରୁ ବାଦ୍‌ ଦେଇଥିଲେ। ଭଗତ ସିଂହଙ୍କ ବଳିଦାନର ୫୦ ବର୍ଷ ପରେ ୧୯୮୧ ମାର୍ଚ୍ଚ ମାସରେ ଜାତୀୟ ଅଭିଲେଖାଗାର ଏହାକୁ ପ୍ରକାଶ କରିଥିଲା। ଏହା ହେଲା; ‘ମୁଁ ଭଗତ ସିଂହ। ନିମ୍ନ ଅଦାଲତରେ ଆମକୁ ପ୍ରଶ୍ନ କରାଯାଇଥିଲା, ବିପ୍ଳବ କ’ଣ? ଏହି ପ୍ରଶ୍ନର ଉତ୍ତରରେ ମୁଁ କହିବାକୁ ଚାହେଁ, ବିପ୍ଳବ କୌଣସି ରକ୍ତାକ୍ତ ସଂଘର୍ଷ ନୁହେଁ, ନା କୌଣସି ବ୍ୟକ୍ତିଗତ ପ୍ରତିହିଂସାର ବହିଃପ୍ରକାଶ। ବିପ୍ଳବ ବୋଇଲେ ଆମେ ବୁଝୁ, ବତ୍ତର୍ର୍ମାନ ଯେଉଁ ଅବିଚାର ଚାଲିଛି, ଏହାର ପରିବର୍ତ୍ତନ। ଶ୍ରମିକ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ମଧ୍ୟ ପ୍ରତିନିୟତ ଶ୍ରମର ସୁଫଳରୁ ବଞ୍ଚତ୍ତ ହେଉଛି, ସର୍ବନିମ୍ନ ଅଧିକାର ପାଏନା। ଅନ୍ୟଦିଗରେ ଚାଷୀ ଚାରି ଫସଲ ଫଳାଇ ମଧ୍ୟ ନିଜେ ଅନାହାରରେ। ବୁଣାକାର ନିଜ ପାଇଁ ଓ ନିଜ ପରିବାର ଲାଗି ଆବଶ୍ୟକ ବସ୍ତ୍ର ଯୋଗାଇ ପାରେନା। ରାଜମିସ୍ତ୍ରି, କମାର କିମ୍ବା ବଢ଼େଇ ପ୍ରାସାଦ ତିଆରି କରନ୍ତି, କିନ୍ତୁ ନିଜେ ଝୁମ୍ପୁଡ଼ିରେ ରହନ୍ତି। ଆଉ ଅନ୍ୟ ଦିଗରେ ପୁଞ୍ଜିର ମାଲିକମାନେ ପରଜୀବୀ ପରି ଏମାନଙ୍କ ଶ୍ରମର ସୁଫଳକୁ ଭୋଗକରନ୍ତି। ଏହି ଭୟଙ୍କର ଧରଣର ଅସାମ୍ୟ ଏବଂ ଦମନ ପୀଡ଼ନ ଏକ ଅରାଜକତାକୁ ଜନ୍ମ ଦେଇଛି। ଏହି ଅବସ୍ଥା ଦୀର୍ଘସ୍ଥାୟୀ ହୋଇପାରେନା। ଏହା ସ୍ପଷ୍ଟ ଯେ, ଏକ ଆଗ୍ନେୟଗିରି ମୁହଁରେ ସମାଜ। ଆଉ ଶୋଷିତ ଓ ଶୋଷକର ନିରପରାଧ ପରବର୍ତ୍ତୀ ପ୍ରଜନ୍ମ ଏକ ଭୟଙ୍କର ପରିଣତିର ପ୍ରତୀକ୍ଷା କରିଛି। ଯଦି ସମୟାନୁସାରେ ସଭ୍ୟତାର ପରିବର୍ତ୍ତନ କରା ନ ଯାଏ, ତା’ହେଲେ ଏହା ଭାଙ୍ଗିପଡ଼ିବ। ସେଇଟା ହିଁ ସମ୍ପୂର୍ଣ୍ଣ ପରିବର୍ତ୍ତନ। ଏହି ଆବଶ୍ୟକତାକୁ ବୁଝି ସମାଜତାନ୍ତ୍ରିକ ଭାବଧାରାରେ ଯିବାକୁ ହେବ। ସାମ୍ରାଜ୍ୟବାଦର ମୁଖାର ଆଢୁଆଳରେ ବ୍ୟକ୍ତି ବ୍ୟକ୍ତିକୁ, ଦେଶ ଦେଶକୁ ଶୋଷଣ କରୁଛି। ଦେଶରେ ମୁଖାର ଆଢ଼ୁଆଳରେ ଭାଣ୍ଡାମି ଚାଲିଛି। ବିପ୍ଳବ ବୋଇଲେ ଆମେ ବୁଝୁ ଏହି ଚଳନ୍ତି ଅବସ୍ଥାର ଅବସାନ ଘଟାଇ ନୂତନ ସମାଜ ବ୍ୟବସ୍ଥାର କାଏମ କରିବା। ଯେଉଁଠି ସର୍ବହରାର ସାର୍ବଭୌମତ୍ୱ ସ୍ବୀକୃତି ପାଇବ। ବିଶ୍ୱସାରା ପୁଞ୍ଜିବାଦର ଶୃଙ୍ଖଳମୁକ୍ତ, ସାମ୍ରାଜ୍ୟବାଦୀ ଆକ୍ରମଣମୁକ୍ତ ନୂତନ ପୃଥିବୀ ଗଢ଼ିଉଠିବ।
ଏହି ଆମର ଆଦର୍ଶ, ଏହି ଚିନ୍ତାଧାରା ଆମକୁ ପ୍ରେରଣା ଯୋଗାଏ। ଆମେ ସ୍ବଇଚ୍ଛାରେ ସମସ୍ତଙ୍କୁ ସତର୍କ କରୁଛୁ, ସରକାର ବର୍ତ୍ତମାନର ବ୍ୟବସ୍ଥା କାଏମ ରଖିବାକୁ ଚାହାନ୍ତି ଏବଂ ବର୍ତ୍ତମାନର ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି, ତେବେ ସବୁ ପ୍ରତିବନ୍ଧକକୁ ଚୂରମାର କରିଦେଇ ଭୟଙ୍କର ସଂଗ୍ରାମ ପାଇଁ ପ୍ରସ୍ତୁତ ହୁଅନ୍ତୁ।
ବିପ୍ଳବ ମାନବ ଜାତିର ଅବିଚ୍ଛିନ୍ନ ଅଧିକାର। ଜନତାର ସାର୍ବଭୌମତ୍ୱ ଶ୍ରମିକ ଶ୍ରେଣୀର ଚିର ଆକାଙ୍‌କ୍ଷିତ ଅନ୍ତିମ ଲକ୍ଷ୍ୟ। ଏହି ଆଦର୍ଶ ଓ ବିଶ୍ୱାସକୁ ବାସ୍ତବାୟିତ କରିବା ପାଇଁ ଆମକୁ ଯେତେ କଷ୍ଟ ହେଉ ପଛେ ତାହା ସହ୍ୟ କରିବୁ। ଆମେ ବିପ୍ଳବର ଯୂପକାଠରେ ବଳିପ୍ରଦ ଯୁବକ। ଆମର ଉଦ୍ଦେଶ୍ୟ, ଆମର ଆତ୍ମବଳିଦାନଠାରୁ ବଡ଼। ଆମେ ଆଶାବାଦୀ, ବିପ୍ଳବ ଆସିବ।
ବିପ୍ଳବ ଦୀର୍ଘଜୀବୀ ହେଉ। ବର୍ତ୍ତମାନ ନାଗରିକ ଓ ଗଣତାନ୍ତ୍ରିକ ଅଧିକାର ଉପରେ ପ୍ରଚଣ୍ଡ ଆକ୍ରମଣ ଫଳରେ ସମ୍ବିଧାନ ବିପନ୍ନ। ଜାତୀୟ କ୍ଷେତ୍ର ଓ ଆର୍ଥିକ ବ୍ୟବସ୍ଥା ଭୀଷଣ ଭାବେ ଆକ୍ରାନ୍ତ। ଲାଭ ଉଠାଉଛନ୍ତି ଦେଶୀ ଓ ବିଦେଶୀ କର୍ପୋରେଟ୍‌ ସଂସ୍ଥା। ଏହା ସାଙ୍ଗକୁ ଶ୍ରମ ସଂସ୍କାର ନାମରେ ବହୁ ସଂଗ୍ରାମଲବ୍ଧ ଶ୍ରମ ଆଇନର ପରିବର୍ତ୍ତନ କରି ଶ୍ରମିକକୁ ଦାସରେ ପରିଣତ କରିବାର ପ୍ରୟାସ ଚାଲିଛି। କୃଷକମାନଙ୍କ ଉପରେ ଚାଲିଛି ଭୟଙ୍କର ଆକ୍ରମଣ। ସରକାରୀ ନୀତି ଯୋଗୁ ବିଚରା ଅନ୍ନଦାତା ଆଜି ବିପନ୍ନ। ଗଣତାନ୍ତ୍ରିକ ଆନ୍ଦୋଳନ ଖର୍ବ କରାଯାଉଛି। ପ୍ରତିବାଦର ଭାଷା ଓ ନାଗରିକଙ୍କ ଅଧିକାର ପ୍ରକାଶକୁ ଦେଶଦ୍ରୋହ ଆଖ୍ୟା ଦେଇ ଦମନ ଚାଲିଛି। ଚୂଡ଼ାନ୍ତ ଭାବେ ଯୁକ୍ତି ଓ ବିଚାର ଆଜି ଆକ୍ରାନ୍ତ। ନାଗରିକ ଅଧିକାର ପାଇଁ ସମ୍ବିଧାନକୁ ରକ୍ଷା କରିବାକୁ ହେବ। ବର୍ତ୍ତମାନର ଆକ୍ରମଣର ମୁକାବିଲା ପାଇଁ କେବଳ ଗଣଆନ୍ଦୋଳନ ମାଧ୍ୟମରେ କରାଯାଇପାରିବ। ଅର୍ଥନୈତିକ ଓ ରାଜନୈତିକ ସ୍ବାଧୀନତା ସହ ବହୁତ୍ୱବାଦର ଭିତ୍ତିକୁ ଶକ୍ତିଶାଳୀ କରି ଭ୍ରାତୃତ୍ୱବୋଧ ଏବଂ ଏକାତ୍ମବୋଧର ବନ୍ଦରକୁ ଦୃଢ଼ କରିବାକୁ ହେବ। ଏହି ସଂଗ୍ରାମରେ ଭଗତ ସିଂହଙ୍କ ଆତ୍ମବଳିଦାନର ୯୦ ବର୍ଷ ପରେ ମଧ୍ୟ ତାଙ୍କ ଜୀବନ ଓ କର୍ମ ଜନଗଣଙ୍କର ଧ୍ୟେୟ ହେଉ।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର, ଚାଉଳିଆଗଞ୍ଜ, କଟକ, ମୋ-୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri