ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ ଆଜି ମଣିଷର ହାତମୁଠାରେ। କିନ୍ତୁ ଏହାର ଛାୟାତଳେ ମଣିଷ ଧୀରେ ଧୀରେ ନିଜ ସମାଜ, ପଡ଼ୋଶୀ ଓ ସମ୍ପର୍କୀୟମାନଙ୍କଠାରୁ ଦୂରେଇ ଯାଉଛି, ମାନବିକ ମୂଲ୍ୟବୋଧ କ୍ରମଶଃ ଅନ୍ଧକାରରେ ହଜିଯାଉଛି। ହାତରେ ମୋବାଇଲ, ମନରେ ସ୍ୱାର୍ଥପରତା, ଆଉ ଆଖିରେ ଅନ୍ୟର ଦୁଃଖ ପାଇଁ ଅନ୍ଧପୁଟୁଳି ଆଜିର ସମୟର କଠୋର ସତ୍ୟ। ମଣିଷ ନିଜ ସ୍ୱାର୍ଥ, ସୁବିଧା ଓ ନିଜ ଦୁନିଆକୁ ନେଇ ଏତେ ବ୍ୟସ୍ତ ଯେ ନିଜ ବ୍ୟତୀତ ଅନ୍ୟର ଦୁଃଖ, ସମସ୍ୟା କିମ୍ୱା ସଙ୍କଟକୁ ଦେଖିବାକୁ ଶୁଣିବାକୁ ତା’ର ଧୈର୍ଯ୍ୟ କି ସମୟ ନାହିଁ, ନାହିଁ ମଧ୍ୟ ସମସ୍ୟା ସମାଧାନରେ ହାତ ବଢ଼ାଇବାର ମନୋବୃତ୍ତି। ବିଜ୍ଞାନ, ପ୍ରଯୁକ୍ତି ଓ ସୁବିଧାର ଅତ୍ୟଧିକ ବିକାଶ ସତ୍ତ୍ୱେ, ମଣିଷ ନିର୍ଲିପ୍ତ, ସମ୍ପର୍କହୀନ, ସମ୍ୱେଦନହୀନ ଓ ସ୍ୱାର୍ଥକେନ୍ଦ୍ରିକ ହୋଇପଡ଼ିଛି। ମଣିଷ ଏବେ ଭିଡ଼ରେ ଅଛି, କିନ୍ତୁ ମନରେ ଏକାକୀତ୍ୱ ଭାବ । ଡ. ଆମ୍ୱେଡକର କହିଥିଲେ ସମାଜ ତାହାର ଶକ୍ତିରେ ନୁହେଁ, ତାହାର ସମ୍ୱେଦନାରେ ପରିଚିତ ହୁଏ। ଆଜି ଏହି ସମ୍ୱେଦନା ହିଁ ସମାଜରୁ ହଜିଯାଇଛି। ଆମେ ଆଗକୁ ବଢ଼ିଛୁ କିନ୍ତୁ ଏକାକୀ ହୋଇ।
ଏହି ସ୍ୱାର୍ଥକେନ୍ଦ୍ରିକ ମନୋଭାବ କେବଳ ସହରୀ ଜୀବନରେ ସୀମିତ ନୁହେଁ; ଏହା ଗ୍ରାମ ଜୀବନକୁ ଆବର୍ତ୍ତିତ କରି ଗ୍ରାମୀଣ ସମାଜ, ଯାହାକୁ ଏକ ସମୟରେ ସାମୂହିକତା, ସହଯୋଗ ଓ ଭାଇଚାରାର ପ୍ରତୀକ ବୋଲି ଗଣାଯାଉଥିଲା, ତାହାର ମୂଳ ଭିତ୍ତିକୁ ମଧ୍ୟ ଧ୍ୱଂସ କରିଦେଇଛି। ସମୟ ଥିଲା, ଯେତେବେଳେ ଗ୍ରାମର ‘ଚଉପାଢ଼ି’ ହେଉଥିଲା ସମସ୍ତଙ୍କ ମନର ମଞ୍ଚ, ସମାଜର ହୃଦୟ। ଏହା ଥିଲା ଗ୍ରାମର ସଂସଦ, ନ୍ୟାୟାଳୟ ଓ ସମ୍ପର୍କର କେନ୍ଦ୍ର। ଗ୍ରାମ ଚଉପାଢ଼ି ସମସ୍ୟା ସମାଧାନ (ଲୋକ ନ୍ୟାୟ), ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ, ସୂଚନା ଓ ଜ୍ଞାନ ଆଦାନପ୍ରଦାନ, ବୃଦ୍ଧ ଓ ଯୁବମାନଙ୍କ ମିଳନ ସ୍ଥଳ, ବିଶ୍ରାମ ଓ ସାମାଜିକ ମିଳନ ସ୍ଥଳ ଓ ଭାବ ବିନିମୟର ଏକ ନିର୍ୱିବାଦୀୟ କେନ୍ଦ୍ର ଭାବରେ ପରିଚିତ ଥିଲା। ଘରୋଇ ବିବାଦ, ଜମି ସମସ୍ୟା ହେଉ କି ପାରିବାରିକ କଳହ, ଅନ୍ୟାୟ କିମ୍ୱା ଦୁର୍ଦ୍ଦିନ ଲୋକେ ଚଉପାଢ଼ରେ ବସି ସମୂହ ଭାବେ ଆଲୋଚନା କରୁଥିଲେ। ସେଠାରେ ଲୋକେ ମନ ଖୋଲି କଥା ହେଉଥିଲେ, ଦୁଃଖ ବାଣ୍ଟୁଥିଲେ। ବୟସ୍କ, ଯୁବକ, ଗ୍ରାମର ଗଣ୍ୟମାନ୍ୟ ବ୍ୟକ୍ତିମାନେ ମିଶି ଆଲୋଚନା କରୁଥିଲେ ଓ ସମାଧାନ ଖୋଜୁଥିଲେ ଓ ପ୍ରତ୍ୟେକ ସମସ୍ୟାର ନ୍ୟାୟସଙ୍ଗତ ସମାଧାନ ହେଉଥିଲା।
ଛୋଟ ସମସ୍ୟା ପାଇଁ କୋର୍ଟ କଚେରି ଯିବା ଆବଶ୍ୟକ ପଡୁ ନ ଥିଲା। ସେଠାରେ ଭରସା ଥିଲା, ସହଯୋଗ ଥିଲା ଓ ସାମାଜିକ ନ୍ୟାୟର ଏକ ସାମୂହିକ ଆଧାର ଥିଲା। ଏହା ଗ୍ରାମବାସୀଙ୍କୁ ଏକତା, ସହଯୋଗ ଓ ସାମାଜିକ ସମତାରେ ବାନ୍ଧି ରଖୁଥିଲା। କୁହାଯାଏ ‘ଚଉପାଢ଼ିରେ ବସିଲେ ଦୁଃଖ ଅଧା ହୋଇଯାଉଥିଲା’। ଏହି କଥାରେ ଲୁଚିଥିଲା ସମୂହ ଭରସାର ଶକ୍ତି।
କିନ୍ତୁ ଏବେ ଲୋକେ ନିଜ ସମସ୍ୟାକୁ ସାର୍ୱଜନିକ ମଞ୍ଚରେ ଆଣିବାକୁ ଚାହୁଁ ନାହାନ୍ତି। ଏହାର ପ୍ରଥମ କାରଣ ହେଉଛି ଭୟ। କହିଲେ କ’ଣ ଲାଭ?, ‘କେହି ସାହାଯ୍ୟ କରିବେ କି?’ ନିଜେ ଆଉ ଅସୁବିଧାରେ ପଡ଼ିବିନି ତ? ଏଭଳି ପ୍ରଶ୍ନ ମଣିଷକୁ ନୀରବ କରିଦେଇଛି। ଦ୍ୱିତୀୟ କାରଣ ହେଉଛି ଅନ୍ୟମାନଙ୍କର ଅନାସକ୍ତି। ଆଜି ଲୋକେ ଖୋଲାଖୋଲି କହିଦେଉଛନ୍ତି, ‘ଏହା ମୋର କଥା ନୁହେଁ’। ଏହି ପରିବର୍ତ୍ତନକୁ ଆମେ ଦୈନନ୍ଦିନ ଜୀବନରେ ସହଜରେ ଦେଖିପାରୁ। ଜମି ବିବାଦରେ ପଡ଼ିଥିବା ଗ୍ରାମର ଜଣେ ଗରିବ ଚାଷୀର ସମସ୍ୟା ପୂର୍ୱରୁ ଚଉପାଢ଼ିରେ ଆଲୋଚିତ ହୋଇ ସମାଧାନ ହୋଇଯାଉଥିଲା, ଗ୍ରାମ ସମାଜ ତା’ ପାଖରେ ଠିଆ ହେଉଥିଲା । ଏବେ ସେଇ ଚାଷୀ ଏକା, ନା ଗ୍ରାମ ସହଯୋଗ ନା ସମର୍ଥନ କରୁଛି ନା କେହି ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଇଛନ୍ତି ।
ଶେଷରେ ସେ ଆଇନ ଅଦାଲତ, ଦଲାଲ ଓ ଶୋଷଣର ଶିକାର ହେଉଛି। ସବୁଠାରୁ ଭୟଙ୍କର କଥା ହେଉଛି ଏହି ସମସ୍ତ ଦୃଶ୍ୟ ଦେଖି ମଧ୍ୟ ଆମେ ନୀରବ। ମାର୍ଟିନ ଲୁଥର କିଙ୍ଗ ଜୁନିୟରଙ୍କ କଥା ଏଠାରେ ସ୍ମରଣୀୟ- ଖରାପ ଲୋକଙ୍କ ନିଚକର୍ମ ଅପେକ୍ଷା ଭଲ ଲୋକଙ୍କର ନୀରବତା ଆମ ସମାଜକୁ ସବୁଠାରୁ ଅଧିକ ନଷ୍ଟ କରେ।
ଏହି ପ୍ରସଙ୍ଗରେ ରବୀନ୍ଦ୍ରନାଥ ଟାଗୋର କହିଥିଲେ ‘ଯେଉଁ ସମାଜରେ ମଣିଷ ଏକା ହୋଇଯାଏ, ସେଇ ସମାଜ ଆଗକୁ ବଢ଼ିପାରେ ନାହିଁ’। ଆଜି ମଣିଷର ଏହି ଏକାକୀପଣ କେବଳ ସାମାଜିକ ନୁହେଁ, ମାନସିକ ସଙ୍କଟର ମଧ୍ୟ କାରଣ ହେଉଛି। ଅବସାଦ, ହିଂସା, ଆତ୍ମହତ୍ୟା ପରି ସମସ୍ୟା ବଢ଼ୁଥିବା ପଛରେ ଏହି ସମୂହ ସହଯୋଗର ଅଭାବ ଗୋଟିଏ ବଡ଼ କାରଣ। ମଣିଷ ଯେତେବେଳେ ନିଜ ଦୁଃଖ କହିବାକୁ କାହାକୁ ପାଉନାହିଁ, ସେତେବେଳେ ସେ ଭିତରୁ ଭାଙ୍ଗିପଡୁଛି ।
ଏହି ସ୍ୱାର୍ଥପରତା କେବଳ ବ୍ୟକ୍ତିଗତ ସ୍ତରରେ ସୀମିତ ନୁହେଁ; ଏହା ସମଗ୍ର ସାମାଜିକ ଗଠନକୁ ପ୍ରଭାବିତ କରିଛି। ଫଳସ୍ୱରୂପ, ଗ୍ରାମୀଣ ସମାଜର ଏକ ସମୟର ଜୀବନ୍ତ ସଂସ୍ଥା, ଗ୍ରାମର ସାମାଜିକ ଜୀବନର ମୂଳ କେନ୍ଦ୍ର ‘ଚଉପାଢ଼ି’ ଆଜି ନୀରବ ଓ ପରିତ୍ୟକ୍ତ। ଗଛ ଅଛି, ଚଉତରା ବା ପିଣ୍ଡି ଅଛି, କିନ୍ତୁ ଲୋକ ନାହାନ୍ତି। ସମସ୍ୟା ଅଛି, କିନ୍ତୁ କହିବାକୁ କେହି ନାହିଁ, ସାହାଯ୍ୟ ପାଇଁ ଡାକିବାକୁ କେହି ନାହିଁ, ଶୁଣିବାକୁ କେହି ନାହିଁ। କାହାର ଉପରେ ଅନ୍ୟାୟ ହେଲେ ମଧ୍ୟ, ଲୋକେ ମୁହଁ ଫେରାଇ ନେଉଛନ୍ତି। ଲୋକଙ୍କ ପାଖରେ ସମୟ ନାହିଁ, ଇଚ୍ଛା ନାହିଁ, ଆଉ ସାହସ ମଧ୍ୟ ନାହିଁ।
ଏବେ ସମସ୍ୟାରେ ପଡ଼ିଥିବା ଲୋକ ଏକା, ଆଉ ସମାଜ କେବଳ ଦର୍ଶକ। ଫଳରେ ମନରେ ଯନ୍ତ୍ରଣା, ସମାଜରେ ଅସନ୍ତୋଷ ଆଉ ସମ୍ପର୍କରେ ଶୂନ୍ୟତା ବଢ଼ିଚାଲିଛି। ସମୂହତାର ଅଭାବ ସମାଜରେ ଆସ୍ଥା କମାଇଦେଉଛି, ସମ୍ପର୍କ ଦୁର୍ୱଳ ହେଉଛି, ସମାଜକୁ ଭିତରୁ ଦୁର୍ୱଳ କରିଦେଉଛି। ସମୂହତାର ସ୍ଥାନରେ ବ୍ୟକ୍ତିଗତତା, ସହଯୋଗର ସ୍ଥାନରେ ଅବହେଳା ଏହା ହିଁ ଆଜିର ସମୟର କଠୋର ସତ୍ୟ।
ଯଦି ଆମେ ଏଭଳି ନୀରବ ରହୁ, ତେବେ ସମାଜ କିପରି ବଞ୍ଚିବ? ଚଉପାଢ଼ିର ନୀରବତା କ’ଣ ଆମ ଅନ୍ତଃକରଣର ମୃତ୍ୟୁର ସଙ୍କେତ ନୁହେଁ? ଏହା ଭାବିବାର ସମୟ ଆସିଛି। ନ ହେଲେ ଆମେ ସମସ୍ତେ ନିଜ ନିଜ ସ୍ୱାର୍ଥରେ ବନ୍ଦୀ ହୋଇ ଏକ ନିଷ୍ଠୁର, ସହଯୋଗହୀନ, ସମ୍ୱେଦନହୀନ, ସମ୍ପର୍କହୀନ ସମାଜ ଗଢ଼ି ତୋଳିବାକୁ ବାଧ୍ୟ ହେବା। ଏହି ପରିପ୍ରେକ୍ଷୀରେ ଗ୍ରାମର ଚଉପାଢ଼ି ଓ ସମୂହ ଆଲୋଚନା, ସହଯୋଗ ଓ ପଡ଼ୋଶୀପଣର ମୂଲ୍ୟକୁ ପୁନଃ ଅନୁଭବ କରିବା ବର୍ତ୍ତମାନ ସମୟର ଏକ ପ୍ରମୁଖ ଆବଶ୍ୟକତା। ଯଦି ଆମେ ନିଜ ସ୍ୱାର୍ଥର ଦେହଳୀରୁ ବାହାରି ଅନ୍ୟର ଦୁଃଖକୁ ନିଜର ବୋଲି ଭାବିପାରିବା, ତେବେ ଏକବିଂଶତମ ଶତାବ୍ଦୀ ସତରେ ମାନବିକ ଉନ୍ନତିର ଶତାବ୍ଦୀ ହୋଇପାରିବ।
ଗ୍ରାମ ଚଉପାଢ଼ିର ପରମ୍ପରା କେବଳ ଗତକାଲିର ସ୍ମୃତି ନୁହେଁ; ଏହା ଆମ ଭବିଷ୍ୟତର ଦିଗ୍ଦର୍ଶନ। ଯଦି ଗ୍ରାମର ସମୂହ ଆତ୍ମା ମରିଯାଏ, ତେବେ ସମାଜର ମୂଳ ମଧ୍ୟ ଦୁର୍ୱଳ ହୋଇଯିବ। ଚଉପାଢ଼ର ପୁନରୁଦ୍ଧାର ଅର୍ଥ ସମୂହ ଚିନ୍ତା, ସମ୍ୱେଦନା ଓ ଦାୟିତ୍ୱବୋଧକୁ ପୁନଃଜୀବନ ଦେବା। ସମସ୍ୟାକୁ ଏଡ଼ାଇବା ନୁହେଁ, ସମାଧାନ ପାଇଁ ଆଗେଇ ଆସିବା ଏହା ହିଁ ସୁସ୍ଥ ସମାଜର ପରିଚୟ।
ଏମ୍ସ, ଭୁବନେଶ୍ୱର
ମୋ:୯୪୩୮୧୩୩୬୧୨
ଏଇ ଭାରତରେ
ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍ ସରକାରୀସ୍ତରରେ…
ଚାଲ ଭୋଟର ତିଆରି କରିବା
ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…
କଳାଧନ ଓ କାଳମନ
କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…
ଇଏ କି ଭକ୍ତ-୨
ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍ର ତାଜା…
ଏଇ ଭାରତରେ
ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…
ରକ୍ତତୀର୍ଥ ଇରମ
ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…
ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ
ଖୁବ୍ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…
ଘୃଣିତ ଜ୍ଞାନେଶ
ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

