ମାନସିକ ସ୍ବାସ୍ଥ୍ୟରେ ଗୋଷ୍ଠୀର ଭୂମିକା

ରାଜୀବ କର୍ମି

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିବରଣୀ ଅନୁଯାୟୀ ପୃଥିବୀରେ ୨ ଭାଗ ଲୋକ ଗୁରୁତର ମାନସିକ ରୋଗ ଏବଂ ୧୫ ଭାଗ ଲୋକ ସାଧାରଣ ମାନସିକ ରୋଗ ସହିତ ବଞ୍ଚୁଛନ୍ତି ଏବଂ ଜାତୀୟ ମାନସିକ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ଭାରତରେ ୨ ରୁ ୩ କୋଟି ଗୁରୁତର ଏବଂ ୨୦ ରୁ ୨୨ କୋଟି ଲୋକ ସାଧାରଣ ମାନସିକ ଅସୁସ୍ଥତା ଭୋଗ କରୁଛନ୍ତି। ତଦନୁଯାୟୀ ଓଡ଼ିଶାରେ ପାଖାପାଖି ୮ ଲକ୍ଷ ଲୋକ ଗୁରୁତର ଏବଂ ୬୦ ରୁ ୭୦ ଲକ୍ଷ ଲୋକ ସାଧାରଣ ମାନସିକ ରୋଗର ଶିକାର ହେଉଛନ୍ତି।
କିନ୍ତୁ ସରକାରୀ ହିସାବରେ ଏହି ସଂଖ୍ୟା ଅନେକ ଗୁଣରେ କମ୍‌। ତେବେ ସେମାନେ ଚିହ୍ନଟ ହେଉ ନାହାନ୍ତି କାହିଁକି? ଚିହ୍ନଟ ନ ହେଲେ ଚିକିତ୍ସା ସେବା ପାଇବେ କେମିତି? ଚିକିତ୍ସା ନ ହେଲେ ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିବେ କେମିତି?
ମାନସିକ ଅସୁସ୍ଥମାନେ ଚିହ୍ନଟ ଏବଂ ଚିକିତ୍ସାକୁ ନ ଆସିବାର ସବୁଠୁ ବଡ଼ କାରଣ ହେଉଛି ସଚେତନତାର ଅଭାବ, ଯାହାଫଳରେ ୯୦ ଭାଗ ସାଧାରଣ ଏବଂ ୫୦ ଭାଗ ଗୁରୁତର ମାନସିକ ରୋଗୀ ଚିକିତ୍ସା ସେବାକୁ ଆସନ୍ତି ନାହିଁ। ପରିବାର ଲୋକ ମାନସିକ ରୋଗର ଲକ୍ଷଣ ସମୂହକୁ ଠିକ୍‌ ଭାବରେ ବୁଝି ନ ପାରିବା ଏବଂ ଲକ୍ଷଣ ଗୁଡ଼ିକ ବିଭିନ୍ନ ଧରଣର ହୋଇଥିବାରୁ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ଦ୍ୱାରା ନାନା ମୁନିଙ୍କ ନାନା ମତ ପ୍ରକାଶ ପାଏ। ତେଣୁ ମାନସିକ ଅସୁସ୍ଥ ବ୍ୟକ୍ତିକୁ ମାଡ଼ ମାରିବା, ଶିକୁଳିରେ ବାନ୍ଧି ରଖିବା ଏବଂ ଘରୁ ତଡ଼ିଦେବା ଇତ୍ୟାଦି ଦେଖାଯାଏ। ଶାରୀରିକ ରୋଗ ପରି ଘରେ ପଡ଼ି ନ ରହିବା, କୌଣସି ଶାରୀରିକ ଲକ୍ଷଣ ଦେଖା ନ ଦେବା ଏବଂ ବ୍ୟକ୍ତିର ଅଦ୍ଭୁତ ପ୍ରକାର ବ୍ୟବହାର ଯୋଗୁ ପରିବାର ଲୋକ ଏହାକୁ ଏକ ରୋଗ ବୋଲି ଭାବନ୍ତି ନାହିଁ। ତେଣୁ ଔପଚାରିକ ଚିକିତ୍ସା କରନ୍ତି ନାହିଁ। ଅନେକ ସମୟରେ ମାନସିକ ରୋଗୀକୁ ବିନା ଚିକିତ୍ସାରେ ଛାଡ଼ି ଦେବା ଅଥବା ବିଭିନ୍ନ ପାରମ୍ପରିକ ଚିକିତ୍ସା ସେବା ଯେପରିକି ଗୁଣିଗାରେଡ଼ି, ଯାଦୁଟୋନା, ଚେରମୂଳି, ମନ୍ଦିରକୁ ନେଇ ଅଧିଆ ପଡ଼ିବା, ପୂଜକ ପାଖରେ ବିଭିନ୍ନ ପୂଜା କରିବା ଇତ୍ୟାଦି ମାଧ୍ୟମ ଅବଲମ୍ବନ କରନ୍ତି। ଅନେକ ଚେଷ୍ଟା କରିବା ପରେ ମଧ୍ୟ ଭଲ ନ ହେଲେ ତାକୁ ସେଭଳି ଛାଡ଼ି ଦିଅନ୍ତି କିମ୍ବା ଶେଷରେ ଡାକ୍ତରଖାନାକୁ ନିଅନ୍ତି। ଚିକିତ୍ସାରେ ବିଳମ୍ବ ଯୋଗୁ ରୋଗର ପ୍ରକୋପ ବଢ଼ି ଯାଇଥାଏ। ଫଳରେ ଲମ୍ବା ସମୟ ଧରି ଚିକିତ୍ସା କରିବାକୁ ହୁଏ। ଦୁଇ ଚାରି ମାସ ଔଷଧ ଦେଲାପରେ ପରିବାର ଲୋକ ହତାଶ ହୋଇ ଆଉ ଚିକିତ୍ସା କରନ୍ତି ନାହିଁ। ଏହି ରୋଗରେ ଲମ୍ବା ସମୟ ଧରି ଚିକିତ୍ସା ଏବଂ ନିୟମିତ ଓଷଧ ସେବନର ଦରକାର ପଡ଼ୁଥିବାରୁ ଅନେକ ପରିବାରର ଧୈର୍ଯ୍ୟ ଭାଙ୍ଗିଯାଏ।
ବିଶେଷଜ୍ଞଙ୍କ ମତରେ ମାନସିକ ରୋଗ ଓଷଧ ଦ୍ୱାରା ୨୦ ଭାଗ ଠିକ୍‌ ହେଉଥିବା ବେଳେ ୮୦ ଭାଗ ପରିବାର ଏବଂ ଗୋଷ୍ଠୀ ସହଯୋଗରେ ଭଲ ହୋଇଥାଏ। ସଚେତନତା ଅଭାବରୁ ପରିବାର ଲୋକେ କେବଳ ଔଷଧ ଉପରେ ନିର୍ଭର କରି ପାରିବାରିକ ଏବଂ ସାମାଜିକ ସହାୟତାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଅନେକ ସମୟରେ ରୋଗୀ ନିୟମିତ ଔଷଧ ଖାଇ ଖାଇ ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ। ଏଥିରେ ପରିବାର ଲୋକ ଡରିଯାଇ ଓଷଧକୁ ଅଧାରୁ ବନ୍ଦ କରି ଦିଅନ୍ତି। ଆଉ କିଛି ପରିବାର, ରୋଗୀ ଟିକିଏ ସୁସ୍ଥ ହେଲେ ମଧ୍ୟ କୌଣସି କାମ କରିବାକୁ ଦିଅନ୍ତି ନାହିଁ । ଫଳରେ ଅସୁସ୍ଥ ବ୍ୟକ୍ତିଟି ଆହୁରି ଅଳସୁଆ ହୋଇଯାଏ। କିଛି ଦିନ ଔଷଧ ଖାଇଲା ପରେ ଯେତେବେଳେ କିଛି ଲକ୍ଷଣ କମିବାରେ ଲାଗେ ପରିବାର ଲୋକ ରୋଗ ଭଲ ହୋଇଗଲା ଭାବି ଔଷଧ ବନ୍ଦ କରି ଦିଅନ୍ତି। ମାନସିକ ରୋଗୀ ସୁସ୍ଥ ହେବାରେ ନିଜେ ଅସୁସ୍ଥ ବ୍ୟକ୍ତି, ତା’ର ପରିବାର, ପାଖ ପଡୋଶୀ, ଗାଁ ଲୋକ, ସମ୍ପର୍କୀୟ, ସମାଜ ଏବଂ ସରକାରଙ୍କ ଭୂମିକା ରହିଛି। ଅନେକ ସମୟରେ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ସଚେତନତାର ଅଭାବ ଥାଏ। ପାଖ ପଡ଼ୋଶୀ ଏହାକୁ ସକାରାତ୍ମକ ଭାବରେ ଗ୍ରହଣ କରୁ ନ ଥିବାରୁ ତିକ୍ତତା ବଢ଼େ। ଅସୁସ୍ଥ ବ୍ୟକ୍ତିର ହିଂସ୍ର, ଚିଡିଚିଡା, ରାଗିବା, ଗାଳି କରିବା ଇତ୍ୟାଦି ଲକ୍ଷଣ ଆଖ ପାଖର ଲୋକ ଏବଂ ଗାଁ ଲୋକଙ୍କ ପାଇଁ ଏକ ଅପ୍ରୀତିକର ପରିବେଶ ସୃଷ୍ଟି କରିଥାଏ। ଏଥିପାଇଁ ଗାଁ ଲୋକଙ୍କ ସହିତ ମଧ୍ୟ ଝଗଡ଼ା ସୃଷ୍ଟି ହୁଏ। ଫଳରେ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଆହୁରି ମାନସିକ ଚାପରେ ରୁହନ୍ତି। ମାନସିକ ଅସୁସ୍ଥତାକୁ ସମାଜରେ ସକାରାତ୍ମକ ଭାବରେ ଗ୍ରହଣ ନ କରିବା, ଅସୁସ୍ଥ ବ୍ୟକ୍ତିକୁ ଟାହିଟାପରା କରିବା, ଟେକା ଫୋପାଡ଼ିବା, ଚିଡ଼େଇବା, ଗାଳି କରିବା ଏବଂ ତାକୁ ଗ୍ରହଣ ନ କରିବା ହେତୁ ଅସୁସ୍ଥତା ଆହୁରି ବଢ଼େ। କୌଣସି ସାମାଜିକ ଏବଂ ସାଂସ୍କୃତିକ କାମରେ ସାମିଲ ନ କରିବା ଏବଂ ସମାଜର ଏକ ଅଙ୍ଗ ଭାବରେ ନ ଭାବିବା ମନୋଭାବ ତାକୁ ସୁସ୍ଥ ହେବା ପାଇଁ ବାଧା ସୃଷ୍ଟି କରେ।
ଘରେ ମାନସିକ ଅସୁସ୍ଥ ବ୍ୟକ୍ତି ଥିଲେ ସେହି ପରିବାର ଅନେକ ବିଭେଦତାର ଶିକାର ହୋଇଥାନ୍ତି। ତାଙ୍କ ଘରକୁ ସାଇ ପଡ଼ିଶା, ବନ୍ଧୁବାନ୍ଧବ ମାନେ ଯିବା ଆସିବା ବନ୍ଦ କରିଦିଅନ୍ତି। ଗାଁର ବିଭିନ୍ନ ସାମୂହିକ ପର୍ବପର୍ବାଣି, ସାମାଜିକ କାର୍ଯ୍ୟକ୍ରମ ଏବଂ ବୈଠକ ଆଦିରେ ସେହି ପରବାରକୁ ସାମିଲ କରାଯାଏ ନାହିଁ। ସମାଜରେ ଏହାକୁ କୌଣସି ପୂର୍ବଜନ୍ମର ପାପର ଫଳ କିମ୍ବା କୃତକର୍ମର ଅଭିଶାପ ବୋଲି ଭାବନ୍ତି। ସେହି ପରିବାରକୁ ମାନସିକ ରୋଗର ପରିବାର ବୋଲି ଆଖ୍ୟା ଦିଅନ୍ତି। ତେଣୁ ସେହି ପରିବାରରେ ବିବାହ କରିବାକୁ କେହି ରାଜି ହୁଅନ୍ତି ନାହିଁ। ଏପରିକି ପରିବାରର ପିଲାଙ୍କୁ ମଧ୍ୟ ଗାଁରେ ଏବଂ ବିଦ୍ୟାଳୟରେ ବିଭେଦତାର ଶିକାର ହେବାକୁ ପଡ଼େ। ଅନେକ ସମୟରେ ଆମକୁ ସେବା ଯୋଗାଉଥିବା ବିଭିନ୍ନ ବ୍ୟକ୍ତିବିଶେଷ ଅଜ୍ଞାନତା ହେତୁ ମାନସିକ ଅସୁସ୍ଥମାନଙ୍କୁ ଭଲ ବ୍ୟବହାର ଦେଖାନ୍ତି ନାହିଁ। ତେଣୁ ଏହି ଅସୁସ୍ଥ ବ୍ୟକ୍ତିଙ୍କର ବିକାଶର ବାଟ ଅନେକ ସମୟରେ ସ୍ବତଃ ବନ୍ଦ ହୋଇଯାଏ।
ମାନସିକ ଅସୁସ୍ଥର ଚିହ୍ନଟ, ଚିକିତ୍ସା, ସମାଜର ମୁଖ୍ୟ ଧାରାରେ ସାମିଲ ଇତ୍ୟାଦିରେ କେବଳ ଗୋଷ୍ଠୀ ସଚେତନତା ଏବଂ ଭାଗୀଦାରିତା ଦ୍ୱାରା ହିଁ ସମ୍ଭବ। ପ୍ରଥମତଃ ପରିବାର ଏବଂ ଗୋଷ୍ଠୀର ମାନସିକ ଅସୁସ୍ଥତା ବିଷୟରେ ଜ୍ଞାନର ବିକାଶ ଏବଂ ସଚେତନତା ବୃଦ୍ଧି ହେବା ଜରୁରୀ। ଅସୁସ୍ଥତାର ଛୋଟଛୋଟ ଲକ୍ଷଣଗୁଡ଼ିକୁ ଜାଣିବା ଦ୍ୱାରା ରୋଗ ଶୀଘ୍ର ନିରୂପଣ ହୋଇ ଔପଚାରିକ ଚିକିତ୍ସା ସେବା ଆରମ୍ଭ କରାଯାଇପାରିବ। ଗାଁ ଲୋକ ସଚେତନ ହେଲେ ଗୁରୁତର ମାନସିକ ରୋଗୀକୁ ଡାକ୍ତରଖାନା ନେବା, ଦରକାର ହେଲେ ଆର୍ଥିକ ସାହାଯ୍ୟ କରିବା ଇତ୍ୟାଦି ସମ୍ଭବ ହୋଇପାରିବ। ଆରୋଗ୍ୟତା ରୋଗର ସଅଳ ନିରୂପଣ ଏବଂ ସଅଳ ଚିକିତ୍ସା ଉପରେ ନିର୍ଭର କରେ। ମାନସିକ ରୋଗ ଯେହେତୁ ଅନ୍ୟାନ୍ୟ ରୋଗ ଭଳି ଏକ ରୋଗ, ତେଣୁ ଗୁଣି ଗାରେଡ଼ିରେ ସମୟ ଅପଚୟ ନ କରି ଶୀଘ୍ର ଡାକ୍ତରଖାନା ନେବା ଜରୁରୀ। ତେଣୁ ଏହା ଉପରେ ଥିବା ଅନ୍ଧ ବିଶ୍ୱାସକୁ ପରିବାର ଏବଂ ସମାଜରୁ ଦୂର କରିବା ଜରୁରୀ। ଦ୍ୱୀତିୟତଃ ମାନସିକ ଅସୁସ୍ଥ ବ୍ୟକ୍ତିକୁ ଧର୍ଯ୍ୟ ଧରି ଚିକିତ୍ସା ଏବଂ ନିୟମିତ ଔଷଧ ଦେବା ଜରୁରୀ। ଔଷଧର ଗୋଟିଏ ପାନ ମିସ୍‌ ହେଲେ ରୋଗ ବଢ଼ିଯିବାର ସମ୍ଭାବନା ଥାଏ। ଏହା ସହିତ ଓଷଧର ପାର୍ଶ୍ୱ ପ୍ରତିକ୍ରିୟାକୁ ବୁଝିବା ମଧ୍ୟ ଜରୁରୀ। ତୃତୀୟତଃ ରୋଗର ଲକ୍ଷଣ ଧୀରେଧୀରେ କମି କମି ଆସିଲେ ଅସୁସ୍ଥ ବ୍ୟକ୍ତିକୁ ବ୍ୟକ୍ତିଗତ ପରିଚ୍ଛନ୍ନତା, ପରିବାରରେ ଅନ୍ୟମାନଙ୍କ ସହିତ ମିଳାମିଶା, ଏକାଠି ବସି ଖାଇବା, ବାହାର ଲୋକ ଆସିଲେ ତାକୁ ଚିହ୍ନେଇବା, ଗାଁରେ ବିଭିନ୍ନ କାର୍ଯ୍ୟକ୍ରମକୁ ସାଙ୍ଗରେ ନେଇଯିବା ଇତ୍ୟାଦି ମାଧ୍ୟମରେ ତାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରିବ। ଚତୁର୍ଥତଃ ପରିବାରର ଛୋଟମୋଟ କାମ ଯଥା-ଝାଡ଼ୁ କରିବା, ପରିବା କାଟିବା, ପାଣି ଆଣିବା ଇତ୍ୟାଦି କାମରେ ସାମିଲ ସହିତ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଆୟ ବୃଦ୍ଧିକାରୀ କାମରେ ସାମିଲ କରାଯାଇପାରିବ। ପରିବାର, ଗାଁଲୋକ ଏବଂ ବିଭିନ୍ନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଅଗ୍ରାଧିକାର ଦେଇ ଅସୁସ୍ଥ ବ୍ୟକ୍ତିଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ଦରକାର। ପଞ୍ଚମତଃ ମାନସିକ ଅସୁସ୍ଥ ଥିବା ପରିବାରମାନଙ୍କ ମଧ୍ୟରେ ସାହାଯ୍ୟ ସହଯୋଗ ପାଇଁ ପରିବାର ସହାୟତା ଗୋଷ୍ଠୀ ଗଠନ ଏକ ଅଭିନବ ଉପାୟ। ଏହା ମାଧ୍ୟମରେ ପରିବାର ପରିବାର ମଧ୍ୟରେ ଅସୁବିଧା ସମୟରେ ସାହାଯ୍ୟ, ପରିବାରର ମନୋବଳ ବୃଦ୍ଧି, ଔଷଧ ଆଣିବାରେ ସହାୟତା, ଯତ୍ନକାରୀ ନ ଥିବା ସମୟରେ ସାହାଯ୍ୟ, ଯତ୍ନ ନେବାର ବିଭିନ୍ନ ଉପାୟର ଆଦାନ ପ୍ରଦାନ, ଅଧିକାର ପାଇଁ ଦଳଗତ ଭାବରେ ଦାବି ଉପସ୍ଥାପନ କରାଯାଇପାରିବ। ଉକ୍ତ ଗୋଷ୍ଠୀ ମାନସିକ ଅସୁସ୍ଥତା ପ୍ରତି ଥିବା ଅନ୍ଧବିଶ୍ୱାସ ଏବଂ କୁ-ସଂସ୍କାର ବିଷୟରେ ସମାଜରେ ସଚେତନତା ସୃଷ୍ଟି କରିପାରିବେ। ଫଳତଃ ଅସୁସ୍ଥ ବ୍ୟକ୍ତିଟି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ।
ଶଗଡ଼ା, ବୌଦ୍ଧ
ମୋ-୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?