ଶକ୍ତିର ଆଗାମୀ ଉତ୍ସ ଉଦ୍‌ଜାନ

ଡ. ଜୟକୃଷ୍ଣ ପାଣିଗ୍ରାହୀ

ଉନବିଂଶ ଶତାବ୍ଦୀ ମଧ୍ୟଭାଗ ବେଳକୁ ଶିଳ୍ପ ବିପ୍ଳବ ପ୍ରଗତିର ପରିଣାମରେ କୋଇଲା ବ୍ୟବହାର ବୃଦ୍ଧି ହେବା ସହ ଶକ୍ତି ଉତ୍ସରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଲା। ପରେ ବିଂଶ ଶତାବ୍ଦୀ ପ୍ରାରମ୍ଭ ବେଳକୁ ମୁଖ୍ୟ ନିର୍ଭରଶୀଳତା କୋଇଲା ଉପରେ ଥିଲା ସତ, କିନ୍ତୁ ଏହା କ୍ରମଶଃ ତୈଳ ପରି ଉଚ୍ଚ ଶକ୍ତିସମ୍ପନ୍ନ ଉତ୍ସକୁ ଧୀରେ ଧୀରେ ପରିବର୍ତ୍ତିତ ହୋଇ ଚାଲିଲା। ବିଂଶ ଶତାବ୍ଦୀର ଶେଷ ଭାଗରେ, ଶକ୍ତିର ମୁଖ୍ୟ ଉତ୍ସ ଭାବରେ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକର ପ୍ରାଧାନ୍ୟ ବିସ୍ତାର ଏବଂ ଏହା ଉପରେ ବିଶ୍ୱ ଅର୍ଥନୀତିର ନିର୍ଭରଶୀଳତା ଏକ ଉଚ୍ଚ ସୋପାନରେ ଉପନୀତ ହେଲା। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସହିତ ପ୍ରାକୃତିକ ଗ୍ୟାସ୍‌ ପରି ଜୀବାଶ୍ମ ଇନ୍ଧନର ଅଧିକ ଦକ୍ଷ ଉତ୍ସଗୁଡ଼ିକ ବିଶେଷ ଆଦୃତ ହେଲା ଏବଂ ଶକ୍ତିର ସମ୍ପୂର୍ଣ୍ଣ ନୂତନ ରୂପ ରୂପେ ନାଭିକୀୟ ବିଭାଜନ (ନ୍ୟୁକ୍ଲିଅର୍‌ ଫିସନ) ଉପଲବ୍ଧ ହେଲା। ଏହି କ୍ରମରେ ଜଳ ବିଦ୍ୟୁତ୍‌, ପବନ ଏବଂ ସୌରଶକ୍ତି ପରି ନବୀକରଣଯୋଗ୍ୟ ଉତ୍ସ କ୍ରମଶଃ ବିକଳ୍ପ ଶକ୍ତିର ଉତ୍ସ ଭାବରେ ଉଭାହେଲା, ଯଦିଓ ଏସବୁ ଅକ୍ଷୟ ଶକ୍ତି ଏପର୍ଯ୍ୟନ୍ତ ଆଶାନୁଯାୟୀ ପ୍ରାଧାନ୍ୟ ହାସଲ କରିପାରି ନାହିଁ I
ସମ୍ପ୍ରତି ଏକବିଂଶ ଶତାବ୍ଦୀରେ କୋଇଲା, ତୈଳ ଏବଂ ପ୍ରାକୃତିକ ଗ୍ୟାସ (ତୁଳନାତ୍ମକ ଭାବେ କମ୍‌) ପରି ଜୀବାଶ୍ମ ଇନ୍ଧନ ଧୀରେ ଧୀରେ ଅନାଦୃତ ହେବା ସହିତ ଶକ୍ତି ଉତ୍ସରେ ପ୍ରମୁଖ ପରିବର୍ତ୍ତନର ସୂତ୍ରପାତ ଘଟୁଛି। ଏହାର ମୌଳିକ କାରଣ ହେଉଛି ଜୀବାଶ୍ମ ଇନ୍ଧନର ବିସ୍ତୃତ ବ୍ୟବହାରରେ ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ ଏବଂ ଅନ୍ୟାନ୍ୟ ବହୁ ପ୍ରଦୂଷକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହୋଇ ପ୍ରଦୂଷଣ, ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ପରି ବହୁ ଗମ୍ଭୀର ପରିବେଶୀୟ ସମସ୍ୟାର କାରଣ ପାଲଟିଛି I
ପରିଣାମରେ ବାତ୍ୟା, ବନ୍ୟା, ମରୁଡ଼ି, ଭୂସ୍ଖଳନ, ସମୁଦ୍ର ପତ୍ତନ ବୃଦ୍ଧି ପରି ବହୁ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ସହ ବିବିଧ ସ୍ବାସ୍ଥ୍ୟ ସମସ୍ୟାର ସୃଷ୍ଟି ଏବଂ ଜୈବ ବିବିଧତାର ଅବକ୍ଷୟ ହେଉଛି। ଏପରି ଦୃଶ୍ୟପଟରେ ନିର୍ଗତ ଅଙ୍ଗାରକକୁ ଅଧିକୃତ, ଗଚ୍ଛିତ ଏବଂ ବିନିଯୋଗ କରିବାର ପଦ୍ଧତି; ଶକ୍ତି ଉତ୍ପାଦନ ପ୍ରଣାଳୀରେ ଅଙ୍ଗାରକବିହୀନ ପ୍ରକ୍ରିୟା; ଶକ୍ତିଦକ୍ଷତା; ଶକ୍ତି ସଞ୍ଚୟ ଏବଂ ଶକ୍ତି ଅପଚୟ ରୋକିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଶକ୍ତି ଉତ୍ସଗୁଡ଼ିକର ପରିବେଶୀୟ ପ୍ରଭାବ ଏକ ପ୍ରମୁଖ ବିଚାର୍ଯ୍ୟ ପ୍ରସଙ୍ଗ ପାଲଟିଛି। ବିପରୀତ ଦିଗରେ, ବର୍ତ୍ତମାନ ସୌର, ପବନ, ସମୁଦ୍ର ଢେଉ ଏବଂ ଭୂଉତ୍ତାପ ଶକ୍ତି ପରି ସ୍ବଚ୍ଛ, ନବୀକରଣ-ଯୋଗ୍ୟ ଉତ୍ସ ଶକ୍ତି ଆବଶ୍ୟକତାର ପୂରଣ ନିମନ୍ତେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛନ୍ତି। ଏ ଦିଗରେ ବୈଜ୍ଞାନିକମାନଙ୍କର ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି। ଏହା ସହିତ ଜୈବପ୍ରଯୁକ୍ତିର ଅଗ୍ରଗତି ଜୈବିକ ଉତ୍ସରୁ ଉତ୍ପନ୍ନ ଜୈବ-ଇଥାନଲ୍‌ ଏବଂ ଜୈବ-ଡିଜେଲ ପରି ଇନ୍ଧନର ସମ୍ଭାବନାକୁ ଅଧିକ ଉଜ୍ଜ୍ୱଳ କରିଛି।
ଯଦି ନାଭିକୀୟ ମିଳନ (ନ୍ୟୁକ୍ଲିଅର୍‌ ଫ୍ୟୁଜନ) ବ୍ୟବସାୟିକ ଭାବରେ ସଫଳତା ଅର୍ଜନ କରେ, ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସର ଭୂମିକା ନିର୍ବାହ କରିପାରେ। ଏସବୁ ମଧ୍ୟରେ ଏକ ନୂତନ ସମ୍ଭାବନା ଓ ସାଫଲ୍ୟର ପଥ ଉନ୍ମୋଚିତ ହୋଇଛି, ଯାହା ହେଉଛି ଶକ୍ତିର ଉତ୍ସାହଜନକ ଉତ୍ସ ରୂପେ ଉଦ୍‌ଜାନର ବ୍ୟବହାର। ଏହା ପ୍ରାରମ୍ଭିକ ସ୍ତରରେ ମୁଖ୍ୟତଃ ଯାନବାହନ, ଛୋଟ ଶକ୍ତି ପ୍ରଦାନକାରୀ ଜେନେରେଟର୍‌ ଏବଂ ପୋର୍ଟେବଲ ଉପକରଣକୁ ଶକ୍ତି ଯୋଗାଉଥିବା ଇନ୍ଧନ କୋଷ (ଫୁଏଲ ସେଲ)ଗୁଡ଼ିକରେ ବ୍ୟବହୃତ ହେବା ଆରମ୍ଭ ହୋଇଛି।
ସମ୍ପ୍ରତି ଉଦ୍‌ଜାନ ଶକ୍ତିକୁ ନେଇ ବିତର୍କ ଅଧିକତର ଧ୍ୟାନ ଆକର୍ଷଣ କରିବାରେ ଲାଗିଛି। ଉଦ୍‌ଜାନ ଏକ ରଙ୍ଗହୀନ, ଗନ୍ଧହୀନ, ସ୍ବାଦହୀନ, ଅଣ-ବିଷାକ୍ତ ଏବଂ ଅତ୍ୟଧିକ ଦହନଶୀଳ ଗ୍ୟାସୀୟ ପଦାର୍ଥ I ଭାରୀ ଶିଳ୍ପ କ୍ଷେତ୍ରକୁ ଉତ୍ତମ ସେବା ପ୍ରଦାନ କରୁଥିବା ଉଦ୍‌ଜାନ ଏବେ ପରିବହନ ଏବଂ ଜାହାଜ ଜଗତକୁ ଅଙ୍ଗାରକ-ଶୂନ୍ୟ କରିବା ଦିଗରେ ସର୍ବାଗ୍ରେ ରହିଛି I ନିଟ୍‌-ଶୂନ୍ୟ ଅଙ୍ଗାରକ ଲକ୍ଷ୍ୟ ହାସଲ ନିମନ୍ତେ ଏବଂ ଶୂନ-ନିର୍ଗମନ ଇନ୍ଧନ ସୃଷ୍ଟି ଲକ୍ଷ୍ୟରେ ଅଭିନବ ପ୍ରକଳ୍ପଗୁଡ଼ିକରେ ଶହ ଶହ କୋଟି ଡଲାର ଅର୍ଥ ବିନିଯୋଗ ହେଉଛି I ତେବେ ଉଦ୍‌ଜାନ ନିର୍ଗତ ଶକ୍ତି ଏବେ ତିନୋଟି ରୂପରେ ଉପଲବ୍ଧ ହେଉଛି- ଧୂସର, ନୀଳ ଏବଂ ସବୁଜ I ଧୂସର ରୂପ ହେଉଛି ଉଦ୍‌ଜାନ ସବୁଠାରୁ ସାଧାରଣ ରୂପ, ଯାହା ଜୀବାଶ୍ମ ଇନ୍ଧନ ବ୍ୟବହାରରେ ସୃଷ୍ଟ ଏବଂ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ନିର୍ଗମନ ହୋଇ ବାୟୁମଣ୍ଡଳକୁ ମୁକ୍ତ ହୋଇଥାଏ। ନୀଳ ଉଦ୍‌ଜାନ ମୁଖ୍ୟତଃ ପ୍ରାକୃତିକ ବାଷ୍ପରୁ ଉତ୍ପାଦିତ ହୁଏ, ଯେଉଁଥିରେ ଅପେକ୍ଷାକୃତ କମ୍‌ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୁଏ। କିନ୍ତୁ ସବୁଜ ଉଦ୍‌ଜାନ ପ୍ରସ୍ତୁତି ନିମନ୍ତେ ସୂର୍ଯ୍ୟାଲୋକ ପରି ସ୍ବଚ୍ଛ ଉତ୍ସର ଶକ୍ତି ବ୍ୟବହୃତ ହୋଇ ଜଳ ଅଣୁକୁ ଇଲେକ୍ଟ୍ରୋଲାଇସିସ ପ୍ରକ୍ରିୟାରେ ଭଙ୍ଗାଯାଏ, ଯେଉଁଥିରେ ଜଳର ଦୁଇ ମୌଳିକ ଉପାଦାନ ଉଦ୍‌ଜାନ ଓ ଅମ୍ଳଜାନ ସୃଷ୍ଟି ହୁଏ, ଏବଂ ଅଙ୍ଗାରକାମ୍ଳ ପରି କୌଣସି ଉତ୍ତାପ ବୃଦ୍ଧିକାରୀ ସବୁଜଗୃହ ବାଷ୍ପ ନିର୍ଗତ ହୁଏ ନାହିଁ I ତେବେ ଉତ୍ପାଦନ ପ୍ରକ୍ରିୟାରେ ଥିବା କେତେକ ଜଟିଳ ବାଧକର ସମାଧାନର ପନ୍ଥା ହିଁ ଆଗାମୀ ଦିନରେ ଉଦ୍‌ଜାନକୁ ଶକ୍ତିର ଶ୍ରେଷ୍ଠ ଉତ୍ସ ରୂପେ ପ୍ରତିଷ୍ଠିତ କରିବ I ନିକଟରେ ଏକ ବୈଜ୍ଞାନିକ ଗୋଷ୍ଠୀ ସୌରଚାଳିତ କୃତ୍ରିମ ପତ୍ର ଦ୍ୱାରା ବାୟୁରୁ ଜଳ ଅମଳ କରି ସେଥିରୁ ବୃକ୍ଷର ଆଲୋକଶ୍ଳେଷଣ ପ୍ରକ୍ରିୟା ଭଳି ପଦ୍ଧତିରେ ଉଦ୍‌ଜାନ ଗ୍ୟାସ ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି I
ପୃଥିବୀରେ ଜଳର ପ୍ରାଚୁର୍ଯ୍ୟ ଭରି ରହିଥିବାରୁ ଆଗାମୀ ଦିନରେ ପ୍ରଯୁକ୍ତିର ଅଧିକତର ଅଗ୍ରଗତି ଏହି ଉତ୍ସରୁ ଲାଭପ୍ରଦ ଉପାୟରେ ଉଦ୍‌ଜାନ ଶକ୍ତି ଉପଲବ୍ଧ କରାଇବାରେ ସଫଳ ହେବ, ଯାହା ଜୀବାଶ୍ମ ଇନ୍ଧନକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାରେ ସହାୟକ ହେବ।
ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଏବଂ ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୧୫ ଅଗଷ୍ଟ ୨୦୨୧ରେ ଜାତୀୟ ଉଦ୍‌ଜାନ ମିଶନ ଆରମ୍ଭ ହୋଇଥିଲା I ନିକଟରେ ଜାନୁୟାରୀ ୪ରେ ଭାରତ ସରକାର ଜାତୀୟ ସବୁଜ ଉଦ୍‌ଜାନ ମିଶନ ଶୁଭାରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ଭାରତକୁ ସବୁଜ ଉଦ୍‌ଜାନ ଉତ୍ପାଦନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବା I ଏହି ମିଶନ ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ଅତିକମ୍‌ରେ ୫ ନିୟୁତ ମେଟ୍ରିକ ଟନ୍‌ ସବୁଜ ଉଦ୍‌ଜାନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହ ଏହା ସହିତ ଜଡ଼ିତ ପ୍ରାୟ ୧୨୫ ଗିଗା ୱାଟ୍‌ ଅକ୍ଷୟ ଶକ୍ତି କ୍ଷମତାର ବିକାଶକୁ ଶକ୍ତିଶାଳୀ କରିବ। ଏହି ମିଶନ ନିମନ୍ତେ ମୋଟ ୧୯,୭୪୪ କୋଟି ଟଙ୍କାର ବଜେଟ ପ୍ରାବଧାନ ହୋଇଥିବା ବେଳେ ଏହା ୨୦୩୦ ସୁଦ୍ଧା ୬ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖେ। ଅଏଲ ଇଣ୍ଡିଆ କମ୍ପାନୀ ପୂର୍ବ ଆସାମର ଜୋରହାଟ୍‌ରେ ଭାରତର ପ୍ରଥମ ୯୯.୯୯% ଶୁଦ୍ଧ ସବୁଜ ଉଦ୍‌ଜାନ ପ୍ଲାଣ୍ଟକୁ ଏବେ କାର୍ଯ୍ୟକ୍ଷମ କରିଛି। ବିଶ୍ୱସ୍ତରୀୟ ଅଭିଯାନ ସହ ତାଳ ଦେଇ ଭାରତ ମଧ୍ୟ ନିଟ୍‌-ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ କେତେକ ବିକଶିତ ରାଷ୍ଟ୍ରଙ୍କର ଆର୍ଥିକ ଏବଂ ବୈଷୟିକ ସହଭାଗିତାରେ ‘ଗ୍ରୀନ୍‌ ହାଇଡ୍ରୋଜେନ ମିଶନ’ର ସଫଳତା ଦିଗରେ ଅଗ୍ରସର ହେଉଛି। ଶକ୍ତିର ଅଭିନବ ଉତ୍ସର ଉଦ୍ଭାବନ ମାନବସମାଜ ପାଇଁ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ଉପଲବ୍ଧ ଶକ୍ତିର ବିଜ୍ଞ ବ୍ୟବହାର ଏବଂ ସଂରକ୍ଷଣ ନିମନ୍ତେ ସଚେତନତା ଜାଗରଣ ଓ ସଂଯମତା ଅବଲମ୍ବନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ I
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?