ଅଗ୍ରଦୂତ ନବ ପ୍ରଭାତର

ଡ. ହୃଷୀକେଶ ମଲ୍ଲିକ

ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାର ରାଜନୀତି ଓ ସାହିତ୍ୟକୁ ସମୟର ଅକୃପଣ ବରଦାନ। ଏପରି ଏକ ସମୟରେ ସେ ଓଡ଼ିଶାର ମୁମୂର୍ଷୁପ୍ରାୟ ଜାତୀୟ ଜୀବନରେ ସଂଜୀବନୀ ସଦୃଶ ହୋଇ ଉଭା ହୋଇଥିଲେ, ଯେତେବେଳେ ତାଙ୍କ ନେତୃତ୍ୱର କାଂକ୍ଷିତ କୌଣସି ବିକଳ୍ପ ନ ଥିଲା। ରାଜତନ୍ତ୍ରର ଯଥେଚ୍ଛାଚାରିତାରେ ଓଡ଼ିଶାର ଦରିଦ୍ର ଜନଗଣ ଯେତେବେଳେ ମୂକପ୍ରାୟ ହୋଇ କେବଳ ଈଶ୍ୱରାଶ୍ରିତ ହୋଇ ବଞ୍ଚତ୍ବାରେ ଅନନ୍ୟୋପାୟ, ଠିକ୍‌ ସେତେବେଳେ ଭଗବତୀଙ୍କ ଆଶ୍ୱସ୍ତିଭରା ସ୍ବର ଓଡ଼ିଶାର ପ୍ରାଦେଶିକ ରାଜନୀତିରେ ନୂଆ ଭରସା ଆଣି ଦେଇଥିଲା। ସମାଜ ବ୍ୟବସ୍ଥାରେ ଯାହା ପଚମାନ, ଅମାନବୀୟ ଓ ଅବିଚାରିତା, ତା’ରି ବାଟ ରୋଧ କରି ସଦମ୍ଭରେ ଠିଆ ହୋଇଥିଲା ଯେଉଁ ଯୁବ ସତ୍ତାଟି ତା’ରି ନଁା ଥିଲା ଭଗବତୀ ଚରଣ। କେବଳ ସମାଜ ବା ଶାସନ ବ୍ୟବସ୍ଥା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟକୁ ଯେତେବେଳେ ଏକ ସ୍ଥିତାବସ୍ଥା ଜଡ଼ପ୍ରାୟ କରି ରଖିଥିଲା, ଠିକ୍‌ ସେହି ସମୟରେ ଆବିର୍ଭାବ ଘଟିଥିଲା ଓଡ଼ିଆ ବାଣୀ-ବିତାନରେ ଭଗବତୀଙ୍କର। ଓଡ଼ିଆ ସାହିତ୍ୟରେ ନାନା ଦିଗରୁ ସେ ହିଁ ଥିଲେ ନୂଆ ଇସ୍ତାହାର।
୧୯୦୮ ମସିହା ଫେବୃୟାରୀ ପହିଲାରେ ଅବିଭକ୍ତ ପୁରୀ ଜିଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁରରେ ଜନ୍ମଗ୍ରହଣ କରିଥିଲେ ଭଗବତୀ। ଦିବ୍ୟସିଂହ ଓ କାଳିନ୍ଦୀଚରଣଙ୍କର ସେ ଥିଲେ ସାନ ଭାଇ। ୧୯୨୬ରେ ପାଟନା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ୍‌ ପାଶ୍‌ ପରେ ସେ ରେଭେନ୍ସା କଲେଜରେ ଭର୍ତ୍ତି ହେଲେ। କଲେଜରେ ତାଙ୍କର ବିଷୟ ଥିଲା ବାଧ୍ୟତାମୂଳକ ଇଂଲିଶ୍‌ ସାଙ୍ଗକୁ ଓଡ଼ିଆ ଭାଷା-ସାହିତ୍ୟ, ଅର୍ଥନୀତି, ତର୍କଶାସ୍ତ୍ର ଓ ଇତିହାସ- ଯାହା ପରେ ତାଙ୍କୁ ସମାଜ ଓ ସାହିତ୍ୟ ଉଭୟରେ ଜଣେ ମୌଳିକ ଚିନ୍ତକ ଭାବେ ପ୍ରତିଷ୍ଠା ଦେଇଥିଲା। ଜେଲରେ ଥିବା ବେଳେ ସେ ଯେଉଁ ‘ବିଶ୍ୱ ଇତିହାସ’ ଲେଖିଥିଲେ ମେହନତୀ ମଣିଷର ଆଖିନେଇ, ତା’ର ଭିତ୍ତିପତ୍ତନ କରିଥିଲା ଭଗବତୀଙ୍କର ଏହି ମୁକ୍ତପାଠୀ ଛାତ୍ରଜୀବନ।
ବାଲ୍ୟ ଓ କୈଶୋରରେ ଯିଏ ଥିଲେ ଗୋଲାପ ପରି କୋମଳ, ସରଳ ଓ ସୌରଭମୟ, ସେଇ ଦିନେ କମାଣ ପରି ଟାଣ ହୋଇ ଉଠିଥିଲେ ତାଙ୍କ କ୍ରମପରିଣତ ଯୁବ-ଜୀବନରେ। ୧୭ ଜୁନ୍‌ ୧୯୨୮ରେ ଗୋପବନ୍ଧୁଙ୍କ ପ୍ରୟାଣ ପରେ ଯେଉଁ ଶୂନ୍ୟତା ଓଡ଼ିଶାର ସମାଜ, ରାଜନୀତି ଓ ସାମ୍ବାଦିକତାରେ ସୃଷ୍ଟି ହେଲା, ତା’ର ସମୁଚିତ ପରିପୂରଣ ଘଟିଲା ଭଗବତୀଙ୍କ ବିବର୍ତ୍ତିତ ଚିନ୍ତନ ଓ ମନନରେ। ମାର୍କ୍‌ସଙ୍କ ‘କମ୍ୟୁନିଷ୍ଟ୍‌ ମ୍ୟାନିଫେଷ୍ଟୋ’ ସମଗ୍ର ପୃଥିବୀରେ ଯେଉଁ ନୂଆ ଜାଗରଣ ଗଢ଼ିତୋଳିଲା, ସେଇ ଅନ୍ତର୍ଜାତୀୟ ସମାଜବାଦୀ ଚିନ୍ତନରେ ଭାରତବର୍ଷର ଯେଉଁ କେତେଜଣ ଅଗ୍ରଗାମୀ ଜନନେତା ପ୍ରଭାବିତ ହୋଇ ମାନବମୁକ୍ତିର ଆଗ୍ନେୟ ଅଧ୍ୟାୟ ରଚି ବସିଲେ, ତା’ର ପୁରୋଭାଗରେ ଶୋଭା ପାଇଲେ ଭଗବତୀ। ହେଉ ଛାତ୍ର ଆନ୍ଦୋଳନ, କୃଷକ ଆନ୍ଦୋଳନ ବା ଗଡ଼ଜାତ ପ୍ରଜା ଆନ୍ଦୋଳନ- ତା’ର ନିର୍ଭରଯୋଗ୍ୟ କର୍ଣ୍ଣଧାର ହୋଇ ଆପଣାଭିତରେ ବିଗୁଲ୍‌ ପରି ବାଜି ଉଠିଲେ ସେ।
୨୯ ନଭେମ୍ବର ୧୯୩୫ରେ ଆରମ୍ଭ ହୋଇ ଛ’ଦିନ ପାଇଁ କଟକ ଶ୍ରୀରାମଚନ୍ଦ୍ର ଭବନରେ ଭଗବତୀଙ୍କ ନେତୃତ୍ୱରେ ‘ନବ ଯୁଗ ସାହିତ୍ୟ ସଂସଦ’ର ଯେଉଁ ଅଧିବେଶନ ବସିଥିଲା, ତାହା ଓଡ଼ିଆ ଅସ୍ମିତାରେ ଥିଲା ଏକ ଦିଗବାରେଣୀ ଅଧ୍ୟାୟ। ଏହି ଅଧିବେଶନରେ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ନବୀନ ଯୁଗର ତରୁଣ ଜାଗରେ’ ଶୀର୍ଷକ କବିତାଟିକୁ ଗାନ କରିଥିଲେ ମାଳତୀ ଚୌଧୁରୀ, ଅଶୋକ ରାଓ ଓ ଖୋକନ ଜୋଆରଦାର। ସେଥିରେ ଦୁଇଟି ଧାଡ଼ିଥିଲା ଏହିପରି: ”ଲୁପ୍ତ ହେଉରେ ଜାତି ଉପଜାତି ଖଣ୍ଡିତ ଜାତିଦେଶ/ ମହାମାନବର ଶଙ୍ଖ ଶବଦେ ଶମୁରେ ଦୁଃଖଜ୍ୱାଳା/ଜାଗ ବନ୍ଧନହରା।“ ଅର୍ଥାତ୍‌ ଭଗବତୀଙ୍କ ରାଜନୈତିକ ଆଦର୍ଶ ଥିଲା ପ୍ରାଦେଶିକତାରୁ ମୁକ୍ତ ମହାଜାତୀୟତାର ଆଦର୍ଶ। ଏ ଆଦର୍ଶ କୌଣସି ଦେଶ ବା ଭାଷାରେ ଆବଦ୍ଧ ମାନବଗୋଷ୍ଠୀର ମୁକ୍ତିକାମନାରେ ସୀମିତ ନ ଥିଲା, ଥିଲା ମହାମାନବର ଶଙ୍ଖ ଧ୍ୱନି- ଯା’ର ପ୍ରମୁଖ ଶଙ୍ଖୁଆ ଥିଲେ ଭଗବତୀ। ଭାରତର ସମାଜ-ରାଜନୀତି ଓ ସାହିତ୍ୟର ପ୍ରେକ୍ଷାପଟରେ ଭଗବତୀ କର୍ତ୍ତୃକ ନୂଆ ଚେତନାଟିର ଉଦୟକୁ ପ୍ରଶଂସା କରି ‘ନବଭାରତ’ର ସଂପାଦକ ପଣ୍ଡିତ ନୀଳକଣ୍ଠ ଦାସ ମନ୍ତବ୍ୟ କରିଥିଲେ ”ନୂତନ ଭାବ ଓ ନୂତନ ଚିନ୍ତାର ସ୍ରୋତ ସମାଜ ଉପରେ ବୁହାଇ ଦେଇ ଜାତିର ଶ୍ରୀବୃଦ୍ଧି କାମନା କରିବା ଯଥାର୍ଥ ଯୁବପ୍ରାଣର ପରିଚୟ ଦେଉଅଛି। ଜଗତ ବିକାଶମୟ। ଏହି ନୂତନତା ବିନା ବିକାଶ ବିନାଶରେ ପରିଣତ ହୁଏ। ସମାଜର ଦୃଢ଼ ବଦ୍ଧମୂଳ ଧାରଣା ସବୁ ଭେଦ କରି ନୂତନ କରି ଗଢ଼ିବାର ଦିନ ପୁଣି ଭାରତରେ ଆସିଛି।“ (”ଯୁଗସ୍ରଷ୍ଟା ବିପ୍ଳବୀ ଭଗବତୀ ଚରଣ“: ଆଶିଷ ମହାପାତ୍ର, ପୃ:୯୮)
ବୟସରେ ତରୁଣ ହେଲେ ବି ନାନାକ୍ଷେତ୍ରରେ ବେଶ୍‌ ଚାରିଆଖିଆ ଥିଲେ ଭଗବତୀ। ହେଉ ବିବାହ ସମସ୍ୟା, ଅସ୍ପୃଶ୍ୟତା, ରାଜାରାଜୁଡ଼ାର ଅନ୍ଧାରି ଶାସନ ବା ସାହିତ୍ୟର ବିଚାରବିବେଚନ-ସବୁଥିରେ ସେ ନିଜ ସମୟର ବହୁ ଆଗରେ ଥିଲେ। ଥିଲେ ଓଡ଼ିଶାରେ କମ୍ୟୁନିଷ୍ଟ୍‌ ପାର୍ଟିର ପ୍ରତିଷ୍ଠାତା, ନବଯୁଗ ସାହିତ୍ୟ ସଂସଦର ଦୂରଦର୍ଶୀ ଉଦ୍‌ଗାତା, ‘ଆଧୁନିକ’ ପତ୍ରିକାର ଭବ୍ୟ ସଂପାଦକ। ଦେଶ ଓ ଦଶର ସେବା ପାଇଁ ସର୍ବସ୍ବ ସମର୍ପି ଦେବାକୁ ପ୍ରତିନିୟତ ଆକୁଳ ହୋଇ ଉଠୁଥିବା ଜନନେତା ପ୍ରାକ୍‌-ସ୍ବାଧୀନ ଭାରତରେ ତାଙ୍କ ପରି ଥିଲେ କ୍ୱଚିତ୍‌। ‘ସ୍ବରାଜ’ର ଭାଷା କହିଲେ ସେ ବୁଝୁଥିଲେ କୃଷକ ଜାଗରଣ। ଇଟାଲୀ ଓ ଜର୍ମାନୀର ସାମ୍ରାଜ୍ୟବାଦୀ କାୟାବିସ୍ତାର ଓ ଏକ ଦୁଃଖଦ ଘଟଣାକ୍ରମେ ଜର୍ମାନ୍‌ର ରୁଷ୍‌ ଆକ୍ରମଣ ସତ୍ତ୍ୱେ ଭଗବତୀ ସବାଶେଷ ଜିତାପଟ ଯେ ମଣିଷର-ଏହି ବିଶ୍ୱାସରେ ବଦ୍ଧମୂଳ ଥିଲେ। କହିବା ବାହୁଲ୍ୟ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମ୍ରାଜ୍ୟବାଦୀ ଶକ୍ତିର ଶୋଚନୀୟ ପରାଜୟ ଘଟି ମିତ୍ରଶକ୍ତିର ବିଜୟ ହୋଇଥିଲା ଓ ସମଗ୍ର ବିଶ୍ୱରେ ମାନବମୁକ୍ତିର ଆଶା ଉଜ୍ଜ୍ୱଳ ହୋଇ ଉଠିଥିଲା।
ଓଡ଼ିଆ ସାହିତ୍ୟର ଏକ ସନ୍ଧିକ୍ଷଣରେ ଭଗବତୀଙ୍କ ରଚିତ ସାହିତ୍ୟର ଯୁଗାନ୍ତକାରୀ ଚିନ୍ତା ତାଙ୍କୁ ଏକ ନୂଆ ଯୁଗର ଘଟକ ସାବ୍ୟସ୍ତ କରିଥିଲା। ଫକୀର ମୋହନଙ୍କ ”ଛ’ମାଣ ଆଠଗୁଣ୍ଠ“ରୁ ଯେଉଁ ଯୁଗଟିର ସିନ୍ଦୂରା ଫାଟିଥିଲା ଓଡ଼ିଆ ସାହିତ୍ୟରେ, ତା’ର ଶେଷ ଦୀପ୍ତି ପ୍ରଭାମୟ ହୋଇ ଉଠିଥିଲା କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ୧୯୩୧ରେ ରଚିତ କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ରେ। ତା’ପର ଯୁଗଟିର ଓଁକାର ଧ୍ୱନି ଥିଲେ ନିଃସନ୍ଦେହରେ ଭଗବତୀ ଚରଣ। ‘ସାହିତ୍ୟ ପାଇଁ ସାହିତ୍ୟ’ ଯୁଗଟିର ଅସ୍ତରାଗରୁ ଆଭା ନେଇ ଓଡ଼ିଆ ସାହିତ୍ୟରେ ‘ମଣିଷ ପାଇଁ ସାହିତ୍ୟ’ର ଯେଉଁ ଯୁଗଟି ଅଭିଷିକ୍ତ ହୋଇଥିଲା ତା’ରି ପୂନେଇଁ ଜହ୍ନ ଥିଲେ ଅବଧାରିତ ଭାବେ ଭଗବତୀ। ସେ ତାଙ୍କ ସଂକ୍ଷିପ୍ତ ଜୀବଦ୍ଦଶାରେ ମାତ୍ର ୧୨ଟି ଗଳ୍ପ ଲେଖିଥିଲେ, ଯହିଁର ଲଲାଟ ତିଳକ ଥିଲା ୧୯୩୫ରେ ରଚିତ ଲେଖକଙ୍କର ପ୍ରସିଦ୍ଧ ଦୁଇଟି ଗଳ୍ପ ‘ଶିକାର’ ଓ ‘ହାତୁଡ଼ି ଓ ଦାଆ’। ମଣିଷକୁ ମୁକ୍ତି ଦେବ ତା’ର ଆତ୍ମ ସାମର୍ଥ୍ୟ, ଧର୍ମ ନୁହେଁ- ଏହି ପ୍ରତ୍ୟୟରେ ସେ ଅଟଳ ଥିଲେ। ସାହିତ୍ୟ-ଇତିହାସକାର ଡକ୍ଟର ନଟବର ସାମନ୍ତରାୟ ଲେଖିଥିଲେ: ”ଦାସୋତ୍ତର (ଗୋପବନ୍ଧୁ ଦାସ) ଓଡ଼ିଶାରେ ଏକ ଅଗ୍ନି ସ୍ଫୁଲିଙ୍ଗ ସଦୃଶ ଦିନେ ଯେ ଓଡ଼ିଶାର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ବିପ୍ଳବର ଅଗ୍ନି ଜାଳି ଦେଇଥିଲେ, ସେ କେବଳ ଏ ଦେଶର ଯୁବ ଶକ୍ତିକୁ ନୂତନ ସାହିତ୍ୟ ସୃଷ୍ଟି ପାଇଁ ଉପଯୁକ୍ତ ଉତ୍ସାହ ଦେଇପାରନ୍ତି।“
୧୯୪୩ ଅକ୍ଟୋବର ୨୩ ତାରିଖରେ ରକ୍ତ ଆମାଶୟରେ ପୀଡିତ ହୋଇ ମାତ୍ର ୩୫ ବର୍ଷ ବୟସରେ ଆମ ଗହଣରୁ ବିଦାୟ ନେଇଗଲେ ଭଗବତୀ। ମାନସିଂହ ଲେଖିଲେ: ”ସେ ବାହାରକୁ ଥିଲେ ନିରୀହ, ନିରହଂକାର, ଆସ୍ଫାଳନହୀନ ତରୁଣ, ତାଙ୍କ ବାଣୀରେ ନ ଥିଲା କୌଣସି ପ୍ରକାରର ଛଦ୍ମତା। ତାଙ୍କର ଅକାଳ ମୃତ୍ୟୁ ଓଡ଼ିଆ ଜାତି ପ୍ରତି ହୋଇ ରହିଲା ଏକ ଅପୂରଣୀୟ ସାଂସ୍କୃତିକ କ୍ଷତି।“ ଭଗବତୀ ଯୁଗର ସବୁଠୁଁ ମହତ୍ତର କବି ସଚ୍ଚି ରାଉତରାୟ ତାଙ୍କ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ ଯେଉଁ କବିତାଟି ଲେଖିଥିଲେ, ତା’ର କିୟଦଂଶ ଥିଲା ଏହିପରି: ” ଯିବ ଯେବେ ଯାଅ ତେବେ, ଘେନି ଯାଅ ମୋ’ ରକ୍ତ ପ୍ରଣାମ/ ଉଷାର ଭୂମିକା ଯାଅ ଦେଖି/ ନୂତନ ପ୍ରଭାତ ଆସି ତବ ପଦେ ଆଗ ଯିବ ଲେଖି/ ଆପଣା ସ୍ବାକ୍ଷର/ ବିଦାୟ, ବିଦାୟ ସାଥୀ ଅଗ୍ରଦୂତ ନବ ପ୍ରଭାତର।“ (ମୁକ୍ତିଯୁଦ୍ଧ; ୨୭ ନଭେମ୍ବର ୧୯୪୭ ସଂଖ୍ୟା)। ପୀଡ଼ିତ ମଣିଷର ଭାଗ୍ୟରେ ନୂଆ ସୂର୍ଯ୍ୟ ଉଇଁବା ଆଗରୁ ଯେଉଁ ରଶ୍ମିଦୀପ୍ତ ନକ୍ଷତ୍ରଟି ଅକାଳରେ ଅସ୍ତମିତ ହୋଇଗଲା, ସେଇ ନକ୍ଷତ୍ରଙ୍କୁ ତାଙ୍କ ପୁଣ୍ୟ ଜନ୍ମତିଥିରେ ‘ଧରିତ୍ରୀ’ର ଶତକୋଟି ପ୍ରଣାମ!
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri