ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ ହେଉଛି ଏଠାରେ ୬ ଦଶନ୍ଧିରୁ ଅଧିକ ସମୟ ଧରି ପିଢ଼ି ପରେ ପିଢ଼ି ପିଲାମାନେ ଫୁଟବଲ ଖେଳିଆସୁଛନ୍ତି। ପ୍ରତ୍ୟେକ ପରିବାର ସେମାନଙ୍କ ପିଲାଙ୍କୁ ଫୁଟବଲ ଖେଳିବା ଲାଗି ଉତ୍ସାହିତ କରୁଛନ୍ତି। ଏବେ ଭାଲ୍ଲୁରନଗର ଫୁଟବଲ ପଡ଼ିଆରେ ପ୍ରତିଦିନ ଅପରାହ୍ନରେ ୯୦ ପୁଅ ଓ ୧୦ ଝିଅ ଖେଳୁଛନ୍ତି। ଏଠାରେ ପ୍ରଶିକ୍ଷକ ବିଡି ଏମାନୁଏଲ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସିକନ୍ଦରାବାଦର ବିଭିନ୍ନ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ଦେୟ ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଥିବାବେଳେ ଭାଲ୍ଲୁରନଗରରେ ଏଥିପାଇଁ ପିଲାଙ୍କୁ କୌଣସି ଦେୟ ଦେବାକୁ ପଡ଼େନାହିଁ। ପୂର୍ବତନ ଖେଳାଳି ଓ ସେଠାକାର ବରିଷ୍ଠ ନାଗରିକମାନେ ପିଲାଙ୍କ ପାଇଁ କରାଯାଉଥିବା ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି। ବଡ଼ କଥା ହେଉଛି, ୬ ଦଶନ୍ଧି ମଧ୍ୟରେ ପୁଅମାନେ ବିଭିନ୍ନ ଟୁର୍ନାମେଣ୍ଟରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଆସିଥିବାବେଳେ ଏବେ ଝିଅମାନେ ଏଥିପାଇଁ ପ୍ରସ୍ତୁତ ହୋଇଗଲେଣି।

