କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ ପ୍ରାର୍ଥୀ ନିର୍ବାଚିତ ହୋଇପାରନ୍ତି ନାହିଁ। ଯେଉଁମାନେ ବିଜୟ ଲାଭ କରନ୍ତି ସେମାନେ ଉଲ୍ଲସିତ ହୋଇ ଉତ୍ସବ ଆୟୋଜନ କରନ୍ତି। ସେମାନେ ଭୁଲିଯାନ୍ତି କାଠହଣା ଛଢେଇର ଉପାଖ୍ୟାନ। ଏକ ସ୍ତ୍ରୀ କାଠହଣା ଚଢ଼େଇ ତା’ର ସ୍ବାମୀକୁ କହିଲା, ‘ଦୂରରେ ଏକ ଅରଣ୍ୟ ଅଛି। ସେଠି ଅଛି ଅନେକ ସୁଆଦିଆ କାଠ। ତୁମେ ସେଠାକୁ ଯାଇ ସୁଆଦିଆ କାଠ ସଂଗ୍ରହ କରିଆଣ।’ ସେହି କାଠଗୁଡ଼ାକ ଖୁବ୍‌ ଟାଣ ଥିଲା ଓ ସେଗୁଡ଼ାକ ଖୁମ୍ପିବା ସହଜ ନ ଥିଲା। ତଥାପି ସ୍ତ୍ରୀର ପ୍ରେରଣାରେ ସେ ସେହି ଅରଣ୍ୟକୁ ଗଲା ଓ ଏକ ପ୍ରକାଣ୍ଡ ଗଛ ଉପରେ ବସିପଡ଼ି ତାର ଥଣ୍ଟରେ ଗଛ ଉପରେ ପ୍ରଥମ ଆଘାତ ବସାଇଲା। ଠିକ୍‌ ଏହି ସମୟରେ ଏକ ଭୀଷଣ ବଜ୍ରପାତ ହେଲା। ଗଛଟି ଥିଲା ପୁରୁଣା ଓ ଦୁର୍ବଳ। ଏଣୁ ବଜ୍ରପାତରେ ଗଛଟି ଟଳି ପଡି଼ଲା। ଗଛରେ ବସିଥିବା ଚଢ଼େଇଟି ତଳେ ପଡି ମୂର୍ଚ୍ଛା ହେଲା। ମୂର୍ଚ୍ଛା ଅବସ୍ଥା କଟିଗଲା ପରେ ଆମତ୍ସନ୍ତୋଷରେ ଚଢ଼େଇଟି କହିଲା, ମୁଁ ଏତେ ଶକ୍ତିଶାଳୀ ବୋଲି ପୂର୍ବରୁ ଜାଣି ନ ଥିଲି। ଚଞ୍ଚୁର ଗୋଟିଏ ଆଘାତରେ ଏତେ ପ୍ରକାଣ୍ଡ ଗଛକୁ ଧରାଶାୟୀ କରିଦେଲି। ଏହିଭଳି ଅନେକ ନବନିର୍ବାଚିତ ସାଂସଦ ଓ ବିଧାୟକ କାଠହଣା ନ୍ୟାୟରେ ନିଜର ବିଜୟକୁ ନିଜ କୃତିତ୍ୱ ବୋଲି ଭାବନ୍ତି। ମାତ୍ର ସେମାନଙ୍କର ବିଜୟ ପଛରେ ବହୁ ଦୃଶ୍ୟ ଓ ଅଦୃଶ୍ୟ ଶକ୍ତି (ଦୀର୍ଘ ଶାସନ ଯୋଗୁ ପରିବର୍ତ୍ତନ ଇଚ୍ଛା, ପ୍ରଲୋଭିତ କରିବା ଭଳି ଯୋଜନା ଘୋଷଣା, ଅର୍ଥବଣ୍ଟନ ଆଦି) ଯେ କାମ କରିଥାଏ ସେ ବିଷୟରେ ସେମାନେ ଅଜ୍ଞ ଥାନ୍ତି। ସେହିଭଳି ମିଥ୍ୟା ଅହଂ କବଳିତ ହୋଇ ପରବର୍ତ୍ତୀ ସମୟରେ ଶାସନଗାଦିରେ ବସି କ୍ଷମତାର ଦୁରୁପଯୋଗ କରନ୍ତି।
ନିର୍ବାଚିତ ହେବାର ଆଭିମୁଖ୍ୟ ହେଉଛି ପ୍ରତ୍ୟକ୍ଷ ଭାବରେ ଦେଶସେବାର ଦାୟିତ୍ୱ ମୁଣ୍ଡାଇବା, ଅନ୍ୟ ପ୍ରାର୍ଥୀଙ୍କୁ ପରାଜିତ କରିବା ନୁହେଁ। କ୍ଷମତା ସହ ଅହଂକୁ ଏକୀଭୂତ କରି ପ୍ରତିପକ୍ଷକୁ ପରାସ୍ତ କରିବାର ଗର୍ବରେ ଉତ୍‌ଫୁଲ୍ଲିତ ନ ହୋଇ ନିଜ ବିଜୟକୁ ଏକ ଗୁରୁଦାୟିତ୍ୱ ଭାବରେ ଗ୍ରହଣ କଲେ ଗଣତନ୍ତ୍ର ସଫଳ ହୁଏ। ବେଳେବେଳେ ପରାଜୟ ମଧ୍ୟରେ ବିଜୟ ଓ ବିଜୟ ମଧ୍ୟରେ ପରାଜୟ ଲୁକ୍କାୟିତ ଥାଏ। ୧୯୮୦ ମସିହାରେ ଭାରତର ସପ୍ତମ ନିର୍ବାଚନର ଘୋଷଣା ପରେ ବିଶିଷ୍ଟ ଲେଖକ ମନୋଜ ଦାସ ଏହି ପ୍ରସଙ୍ଗରେ ଯେଉଁ ଶର୍ମିଷ୍ଠା-ଦେବଯାନୀ ଉପାଖ୍ୟାନଟି ଲେଖିଥିଲେ, ତାହା ଆଜି ମଧ୍ୟ ପ୍ରାସଙ୍ଗିକ ମନେହୁଏ। ଦାନବ ଗୁରୁ ଶୁକ୍ରାଚାର୍ଯ୍ୟ ଦାନବରାଜ ବୃଷପର୍ବାଙ୍କ ଉଆସରେ ରହୁଥାନ୍ତି। ଗୁରୁକନ୍ୟା ଦେବଯାନୀଙ୍କ ସହ ରାଜକନ୍ୟା ଶର୍ମିଷ୍ଠାଙ୍କ ଥାଏ ନିବିଡ ବନ୍ଧୁତା। ଥରେ ଉଭୟେ ପରିଚାରିକାମାନଙ୍କ ସହ ଏକ ସରୋବରକୁ ସ୍ନାନ କରିବାକୁ ଯାଇଥାନ୍ତି। ସରୋବର କୂଳରେ ପରିହିତ ବସ୍ତ୍ର ରଖି ସେମାନେ ସ୍ନାନ କଲେ। ଆସିଲା ଝଡ଼। ବସ୍ତ୍ରଗୁଡିକ ଇତଃସ୍ତତଃ ହୋଇଗଲା। ସ୍ନାନାନ୍ତେ ଶର୍ମିଷ୍ଠା ଭ୍ରମବଶତଃ ଦେବଯାନୀଙ୍କ ବସ୍ତ୍ର ପରିଧାନ କରିପକାଇଲା। ଏହା ଦେଖି ଦେବଯାନୀ ଶର୍ମିଷ୍ଠାଙ୍କୁ କହିଲେ ”ତୁମେ ଶିଷ୍ୟକନ୍ୟା ହୋଇ ଗୁରୁପୁତ୍ରୀଙ୍କ ବସ୍ତ୍ର ପରିଧାନ କରିବାକୁ ସାହସ କଲ କିପରି? ତୁମ ପିତା ମୋ ପିତାଙ୍କ ଦାନ ଓ ଦକ୍ଷିଣା ଗ୍ରହଣ କରି ଜୀବନ ଧାରଣ କରନ୍ତି। ତୁମେ ଜଣେ ଭିକ୍ଷୁକ କନ୍ୟା। ମାତ୍ର ମଁୁ ରାଜକନ୍ୟା।“ ଏହିଭଳି ଯୁକ୍ତିତର୍କ ଭୟଙ୍କର ରୂପ ନେଲା ଓ ଶେଷରେ ଶର୍ମିଷ୍ଠା କ୍ରୋଧରେ ଦେବଯାନୀଙ୍କୁ ଏକ ଶୁଷ୍କକୂପରେ ନିକ୍ଷେପ କରି ଚାଲିଗଲେ।
ପରବର୍ତ୍ତୀ ସମୟରେ କୂଅ ଭିତରୁ ଆର୍ତ୍ତନାଦ ଶୁଣି ଶିକାର ଉଦ୍ଦେଶ୍ୟରେ ଭ୍ରମଣ କରୁଥିବା ରାଜା ଯଯାତି ସେହି କୂଅରୁ ତାଙ୍କୁ ଉଦ୍ଧାର କଲେ। ଗୁରୁ ଶୁକ୍ରାଚାର୍ଯ୍ୟ କନ୍ୟା ଅପମାନର ପ୍ରତିଶୋଧ ନେବା ପାଇଁ ରାଜା ବୃଷପର୍ବାଙ୍କ ଉଆସ ପରିତ୍ୟାଗ କରିବାକୁ ଉଦ୍ୟତ ହୁଅନ୍ତେ, ବୃଷପର୍ବା ତାଙ୍କୁ ଉଆସ ନ ଛାଡିବାକୁ ବିନମ୍ର ଅନୁରୋଧ କଲେ। ଶୁକ୍ରାଚାର୍ଯ୍ୟ ସମ୍ମତ ହେଲେ ନିଜ କନ୍ୟା ଦେବଯାନୀର ଏକ ସର୍ତ୍ତରେ। ସର୍ତ୍ତଟି ଥିଲା ଶର୍ମିଷ୍ଠା ଦେବଯାନୀଙ୍କ ଦାସୀ ହେବେ। ସର୍ତ୍ତ ପାଳନ ହେଲା। ଦେବଯାନୀ ବିଜୟୀ ହେଲେ। ରାଜା ଯଯାତିଙ୍କ ସହ ତାଙ୍କର ବିବାହ ହେଲା ଓ ଶର୍ମିଷ୍ଠା ଦାସୀ ଭାବରେ ଆସିଲେ ରାଜା ଯଯାତିଙ୍କ ନଅରକୁ। କାଳକ୍ରମେ ରାଜା ଶର୍ମିଷ୍ଠାଙ୍କ ପ୍ରତି ପ୍ରଣୟାସକ୍ତ ହେଲେ ଓ ତାଙ୍କୁ ବିବାହ କଲେ। ସେଦିନ ଦେବଯାନୀ ବୁଝିଲେ, ଶର୍ମିଷ୍ଠାଙ୍କ ଉପରେ ତାଙ୍କର ସେ ଦିନର ବିଜୟ ଭିତରେ ନିହିତ ଥିଲା ତାଙ୍କ ଭବିଷ୍ୟତ ପରାଜୟ। ଏଣୁ ଯେଉଁମାନେ ନିର୍ବାଚନରେ ଜିତନ୍ତି ସେମାନେ ହୃଦୟଙ୍ଗମ କରିବା ଉଚିତ, ସେମାନଙ୍କ ବିଜୟ ଅନନ୍ତ ନୁହେଁ, ହୁଏତ ତା’ ଭିତରେ ଲୁଚି ଥାଇପାରେ ଆଗାମୀ ପରାଜୟ। ଏହି ଦୃଷ୍ଟିଭଙ୍ଗୀ ପୋଷଣ କଲେ ମଣିଷ କ୍ଷମତାନ୍ଧ ହେବ ନାହଁି।
ଆମର ଏକ ସାଧାରଣ ଧାରଣା ଯେ, କ୍ଷମତା ମଣିଷକୁ ଅନ୍ଧ କରିଦିଏ। କ୍ଷମତାନ୍ଧ ମଣିଷ କ୍ଷମତାର ଦୁରୁପଯୋଗ କରି ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି କରେ। ଲର୍ଡ ଏକ୍‌ଟନ୍‌ କହିଥିଲେ ‘କ୍ଷମତା ଦୁର୍ନୀତିପରାୟଣ କରାଏ। ସୀମାହୀନ କ୍ଷମତା ସୀମାହୀନ ମାତ୍ରାରେ ଦୁର୍ନୀତିପରାୟଣ କରେ।’ ଏହା ସତ୍ୟ, ମାତ୍ର ଆଂଶିକ ସତ୍ୟ। କ୍ଷମତା ଉପଭୋଗ କଲା ପରେ ମଣିଷ କ୍ଷମତା ପ୍ରତି ଆସକ୍ତ ହୋଇଯାଏ। କ୍ଷମତା ଛାଡିବାକୁ ଆଉ ତାର ଇଚ୍ଛା ହୁଏନାହିଁ। ଏଣୁ କାଳେ କ୍ଷମତା ଚାଲିଯିବ ଏହି ଭୟ ତାକୁ ଗ୍ରାସ କରେ। ଏଣୁ ସେ କଳେବଳେ କୌଶଳେ କ୍ଷମତା ବଜାୟ ରଖିବା ପାଇଁ ନାନାଦି ଅସତ ଉପାୟ ଅବଲମ୍ବନ କରେ ଓ ଦୁର୍ନୀତିଗ୍ରସ୍ତ ହୁଏ। ଏଣୁ ଜନ ଷ୍ଟେଇନ୍‌ବେକ୍‌ କହିଥିଲେ ‘କ୍ଷମତା ଦୁର୍ନୀତିପରାୟଣ କରେନାହିଁ ସମ୍ଭବତଃ କ୍ଷମତା ଚାଲିଯିବାର ଭୟ ତାକୁ ଦୁର୍ନୀତିପରାୟଣ କରେ।’ ମାତ୍ର ସବୁ କ୍ଷମତାଶାଳୀ ବ୍ୟକ୍ତି ଯେ ଦୁର୍ନୀତିଗ୍ରସ୍ତ, ଅନ୍ୟାୟୀ ଓ ଅତ୍ୟାଚାରୀ, ସେ କଥା ଠିକ୍‌ ନୁହେଁ। ରାମଚନ୍ଦ୍ର ବନବାସ ଗମନ ପରେ ଭରତ ରାଜ୍ୟଭାର ଗ୍ରହଣ କଲେ। ମାତ୍ର କ୍ଷମତା ତାଙ୍କୁ ଅନ୍ଧ କରି ନ ଥିଲା। ସେ ରାଜ୍ୟ ଶାସନ କଲେ ରାମଚନ୍ଦ୍ରଙ୍କ ପ୍ରତିନିଧି ଭାବରେ। ସ୍ବଭାବରେ ବିନମ୍ରତା ବଜାୟ ରଖିଲେ, ଅଯୋଧ୍ୟାବାସୀଙ୍କୁ ସେ ସୁଶାସନ ଦେଲେ। ବିଶିଷ୍ଟ ଲେଖକ ଜର୍ଜ ବର୍ଣ୍ଣାଡ ଶ କହିଥିଲେ ‘କ୍ଷମତା ବ୍ୟକ୍ତିକୁ ଦୁର୍ନୀତି ପରାୟଣ କରେ ନାହିଁ। ନିର୍ବୋଧମାନେ ଯଦି କ୍ଷମତାସୀନ ହୁଅନ୍ତି, ସେମାନେ ହିଁ କ୍ଷମତାକୁ ଦୁର୍ନୀତିମୟ କରିପକାନ୍ତି।’ ମୋଟ ଉପରେ କହିବାକୁ ଗଲେ ଗର୍ବ ବା ଅହଂବୋଧ କ୍ଷମତାରେ ନ ଥାଏ, ଏହା ଥାଏ ଆମ ଚେତନାରେ। କ୍ଷମତା ତାର ପରିପ୍ରକାଶ ଦିଗରେ ସୁଯୋଗ ଦିଏ। କ୍ଷମତା ଅହଂର ହେତୁ ନୁହେଁ କି ସ୍ରଷ୍ଟା ନୁହେଁ। ଯେଉଁମାନେ ନିଜ ଜୀବନର ଆଭିମୁଖ୍ୟ ସମ୍ପର୍କରେ ସଚେତନ, ସେମାନେ କ୍ଷମତାର ବ୍ୟବହାରଠୁ ନିଜ ଅହଂକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ରଖିବାର ଉଦ୍ୟମ କରିଥାନ୍ତି। ସେହି ଉଦ୍ୟମରେ ସଫଳ ହେଲେ ଲର୍ଡ ଏକ୍‌ଟନ୍‌ଙ୍କ ଉକ୍ତି ‘କ୍ଷମତା ମଣିଷକୁ ଦୁର୍ନୀତିପରାୟଣ କରେ’ ଭୁଲ ପ୍ରମାଣିତ ହୁଏ। ଯେଉଁଦିନ ମଣିଷ ବିଶିଷ୍ଟ ଚିନ୍ତାନାୟକ ଇମରସନ୍‌ଙ୍କ କଥାକୁ ଶୁଣିବ ସେଦିନ କ୍ଷମତା ମଣିଷକୁ ଦୁର୍ନୀତିପରାୟଣ କରିବ ନାହିଁ। ଉକ୍ତିଟି ହେଲା ‘ମଣିଷକୁ ତା’ ନିଜ ସମ୍ମାନ ଜଗିବା ଦରକାର ନ ପଡୁ, ତା’ ସମ୍ମାନବୋଧ ତାକୁ ଜଗିରହୁ (Let not a man guard his dignity but let his dignity guard him) ମଣିଷ ଭିତରେ ସ୍ବତଃସ୍ଫୂର୍ତ୍ତ ସମ୍ମାନବୋଧ ଥିଲେ ସେ ବହୁ ଅନୁଚିତ ଆଚରଣରୁ ବିରତ ରହିବ। ଦେଢଶହରୁ ଊର୍ଦ୍ଧ୍ୱ ବର୍ଷରୁ ଅଧିକ କାଳ ତଳେ ଉଚ୍ଚାରିତ କଥାଟି ଆଜିର କ୍ଷମତାଧାରୀ ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ।
ମୋ: ୯୪୩୭୩୨୯୨୬୩

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?