ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା, ମନ୍ଦିର ଯାଇ ଶିବଲିଙ୍ଗରେ କ୍ଷୀର ଢାଳିବା କିମ୍ବା ଠାକୁରଙ୍କ ଆଗରେ ଦୀପ ଜାଳିବା ଆଜି ଏକପ୍ରକାର ବାହ୍ୟ ପ୍ରଦର୍ଶନ ବା ‘ଟ୍ରେଣ୍ଡ’ ପାଲଟିଯାଇଛି। କିନ୍ତୁ ଏହି ବାହ୍ୟ ଭକ୍ତି ପଛରେ ଲୁଚି ରହିଥିବା ମାନସିକତା ଅତ୍ୟନ୍ତ ଚିନ୍ତାଜନକ।
ଯେଉଁ ସମାଜରେ ଭଗବାନଙ୍କୁ ସର୍ବଶକ୍ତିମାନ ବୋଲି କୁହାଯାଏ, ସେହି ସମାଜରେ ଠାକୁରଙ୍କ ସମ୍ପତ୍ତି, ଗହଣା ଏବଂ ସ୍ବୟଂ ମୂର୍ତ୍ତି ଚୋରି ହେବା ଆମର ଧାର୍ମିକ ଓ ନୈତିକ ସ୍ଖଳନକୁ ସ୍ପଷ୍ଟ କରୁଛି ।
ଆମେ ନିଜକୁ ‘ଭକ୍ତ’ ବୋଲି ପରିଚୟ ଦେବାକୁ ଭଲପାଉ, କିନ୍ତୁ ଆମ କର୍ମରେ ସେହି ଭକ୍ତିର କୌଣସି ପ୍ରଭାବ ନଥାଏ । ଉଦାହରଣ ସ୍ବରୂପ – କିଛିଦିନ ତଳେ ଭୁବନେଶ୍ୱରର ଏକ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେବା, ଅଯୋଧ୍ୟାର ରାମମନ୍ଦିର କିମ୍ବା ଶ୍ରୀକୃଷ୍ଣ ଜନ୍ମସ୍ଥଳୀର ଦାନବାକ୍ସରୁ ଅର୍ଥ ଲୁଟ୍‌ ହେବା ଦର୍ଶାଏ ଯେ ମଣିଷ ମନରୁ ପାପବୋଧ ଓ ସଦ୍‌ବୁଦ୍ଧି ଲୋପ ପାଇଗଲାଣି।
ଯେଉଁ ମହାଶକ୍ତିକୁ ଆମେ ସୃଷ୍ଟିକର୍ତ୍ତା ବୋଲି ମାନୁ, ତାଙ୍କରି ମନ୍ଦିରରେ ଲୁଟ୍‌ କରୁଛୁ। ମଣିଷ ନିଜେ ପଥର କିମ୍ବା ଧାତୁରେ ମୂର୍ତ୍ତି ଗଢ଼ୁଛି, ତାଙ୍କୁ ସୁନା-ଗହଣାରେ ସଜାଉଛି ଏବଂ ନିଜର ଅହଙ୍କାର ପ୍ରଦର୍ଶନ କରୁଛି। ଧର୍ମ ନାମରେ ସାଧାରଣ ଲୋକଙ୍କଠାରୁ ବିପୁଳ ପରିମାଣର ଦାନ ଆଦାୟ କରାଯାଉଛି, ଯାହା ଶେଷରେ ଚୋର ଏବଂ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ପାଲଟୁଛି।
ଆଜି ମନ୍ଦିରଗୁଡ଼ିକ ଆଧ୍ୟାତ୍ମିକ ଚେତନାର କେନ୍ଦ୍ର ହେବା ଅପେକ୍ଷା ଆର୍ଥିକ କାରବାରର ପେଣ୍ଠସ୍ଥଳ ପାଲଟିଯାଇଛନ୍ତି।
ସମୟ ଆସିଛି, ଆମର ଆଧ୍ୟାତ୍ମିକ ଦୃଷ୍ଟିକୋଣ ବଦଳାଇବାକୁ ପଡ଼ିବ। ଭଗବାନଙ୍କୁ ମନ୍ଦିରର ସୁନାଗହଣା କିମ୍ବା ଦାନବାକ୍ସର ଅର୍ଥରେ ସୀମିତ ନ ରଖି, ନିଜର ଚରିତ୍ର ଏବଂ କର୍ମରେ ସ୍ଥାନ ଦେବାକୁ ହେବ। ମନ୍ଦିରର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇବା ଏକ ବାହ୍ୟ ବ୍ୟବସ୍ଥା ହୋଇପାରେ, କିନ୍ତୁ ସବୁଠାରୁ ବଡ଼ ସୁରକ୍ଷା ହେଉଛି ମଣିଷର ‘ବିବେକ’। ଯେ ପର୍ଯ୍ୟନ୍ତ ମଣିଷ ନିଜ ଭିତରର ଲୋଭ ଓ କପଟତାକୁ ଚୋରି ନ କରିଛି, ସେ ପର୍ଯ୍ୟନ୍ତ ସେ ଭକ୍ତିର ମୁଖା ପିନ୍ଧିଥିବା ଏକ ଅପରାଧୀ ମାତ୍ର।
ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଭାରତୀୟ ସଂସ୍କୃତିର ଏକ ମହାନ୍‌ ପ୍ରତୀକ ଭାବେ ପରିଗଣିତ।
ଏପରି ଏକ ତୀର୍ଥକ୍ଷେତ୍ରରେ ଭକ୍ତମାନଙ୍କ ଦାନ ଅର୍ଥ ଚୋରି ହେବାର ଅଭିଯୋଗ କେବଳ ଏକ ଆର୍ଥିକ ଅନିୟମିତତା ନୁହେଁ, ଏହା ଭକ୍ତି, ବିଶ୍ୱାସ ଓ ନୈତିକତା ଉପରେ ଏକ ନିର୍ଲଜ୍ଜ ଆଘାତ।
ଭକ୍ତ ଯେତେବେଳେ ମନ୍ଦିରର ଦାନପାତ୍ରରେ ଅର୍ଥ ଅର୍ପଣ କରେ, ସେ କେବଳ ଟଙ୍କା ଦିଏ ନାହିଁ, ସେ ନିଜର ଶ୍ରଦ୍ଧା, ଆଶା ଓ ଅନ୍ତରର ବିଶ୍ୱାସକୁ ସମର୍ପଣ କରେ । ସେହି ଦାନ ଅର୍ଥ ଯଦି ମନ୍ଦିରର ଦାୟିତ୍ୱପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଚୋରି ହୁଏ, ତେବେ ଏହା ସାଧାରଣ ଚୋରିଠାରୁ ଅଧିକ ଗୁରୁତର ଅପରାଧ। କାରଣ ଏଠାରେ କେବଳ ଧନ ହରଣ ହୋଇନାହିଁ, ହରଣ ହୋଇଛି ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସ।
ବାସ୍ତବରେ ଧାର୍ମିକ ସଂସ୍ଥାଗୁଡ଼ିକ ସମାଜର ନୈତିକ ଶିକ୍ଷାର କେନ୍ଦ୍ରସ୍ଥଳ। ଲୋକମାନେ ଆଶାକରନ୍ତି ଯେ, ଏଠାରେ ସତ୍ୟ, ସତ୍ୟନିଷ୍ଠା ଓ ପବିତ୍ରତାର ସର୍ବୋଚ୍ଚ ମାନଦଣ୍ଡ ପାଳନ କରାଯିବ । କିନ୍ତୁ ଯେତେବେଳେ ମନ୍ଦିର ପରିସର ଭିତରେ ହିଁ ଲୋଭ, ଅସାଧୁତା ଓ ଦୁର୍ନୀତି ପ୍ରବେଶ କରେ, ସେତେବେଳେ ସାଧାରଣ ଲୋକଙ୍କ ମନରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ – ଯଦି ଈଶ୍ୱରଙ୍କ ଘରେ ମଧ୍ୟ ସତ୍ୟନିଷ୍ଠା ସୁରକ୍ଷିତ ନୁହେଁ, ତେବେ ସମାଜର ଅନ୍ୟ କ୍ଷେତ୍ରରୁ ଆମେ କ’ଣ ଆଶା କରିବା?
ଏହି ଘଟଣାର ସବୁଠାରୁ ଦୁଃଖଦ ଦିଗ ହେଉଛି, ଏହା ଅନେକ ଭକ୍ତଙ୍କ ମନରେ ଆସ୍ଥାର ସଙ୍କଟ ସୃଷ୍ଟି କରିଛି। କେତେକ ଲୋକ ଧର୍ମ ଓ ଧାର୍ମିକ ଅନୁଷ୍ଠାନ ପ୍ରତି ନିରାଶ ହୋଇପଡିବା ସ୍ବାଭାବିକ। ମନ୍ଦିର ଯେତେ ପବିତ୍ର ହେଉ ନା କାହିଁକି, ତାହାର ପରିଚାଳନା ମନୁଷ୍ୟଙ୍କ ହାତରେ ଥାଏ। ଆଉ ମନୁଷ୍ୟ ଯେତେବେଳେ ନୈତିକତା ହରାଏ, ସେତେବେଳେ ପବିତ୍ରତମ ସ୍ଥାନ ଅପବିତ୍ର ହୋଇଯାଏ।

ପ୍ରଶାନ୍ତ ବେଉରିଆ

ମୋ: ୯୪୩୭୦୪୬୮୪୯

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri