ଶାସ୍ତ୍ର ଦୃଷ୍ଟିରେ ନେତା ଓ ଜନତା

ଡ. ଭାରତ ଭୂଷଣ ରଥ

 

ଆସିଛି ନିର୍ବାଚନ। ଆମେ ଯେମିତି ନେତା ଚୟନ କରିବା, ସେମିତି ଆମର ଶାସନ ବ୍ୟବସ୍ଥା ପରିଚାଳିତ ହେବ। କେହିକେହି କୁହନ୍ତି, କଳେବଳେ କୌଶଳେ ନେତାମାନେ ଭୋଟ ପାଇ ଶାସନ କରିବେ। ଏହା ମଧ୍ୟ ଦୃଷ୍ଟିଗୋଚର ହୁଏ, ରାଜନୀତିକୁ ଉତ୍ତମ ବ୍ୟକ୍ତି ବିଶେଷ ଭାବରେ ଆସୁନାହାନ୍ତି। ନୀତିଜ୍ଞ ବ୍ୟକ୍ତି ଅଭାବରୁ ଅନେକ ଜନତା ଭୋଟଦାନରୁ ବିରତ ରୁହନ୍ତି। କହିବାକୁ ଗଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜନୀତି ଏକପ୍ରକାର ବ୍ୟବସାୟ ହୋଇଯାଇଛି। ଏହି ବ୍ୟବସାୟରେ ଅସାଧୁତା ବୃଦ୍ଧି ପାଇଛି। ତଥାପି ଅନେକ ଉଚ୍ଚମନା ବ୍ୟକ୍ତି ଆଜି ରାଜନୀତିରେ ଅଛନ୍ତି। ଅନେକ ପୁରୁଣା ରାଜନେତା ଜନସେବାମୂଳକ ଭାବଧାରାରେ ଅକ୍ଷୁଣ୍ଣ ଅଛନ୍ତି। ଯୁବବର୍ଗ ସମାଜସେବା ଉଦ୍ଦେଶ୍ୟରେ ରାଜନୀତି କରୁଛନ୍ତି। ଉଚ୍ଚ ଶିକ୍ଷିତ ତଥା ପ୍ରଭାବଶାଳୀ ଅଧିକାରୀ ନିଜର ଅନୁଭବକୁ ପାଥେୟ କରି ଦେଶର ଉନ୍ନତି କରିବା ଉଦ୍ଦେଶ୍ୟରେ ରାଜନୀତି କରୁଛନ୍ତି। ଏ କ୍ଷେତ୍ରରେ ଜନତା ସଚେତନ ରହି ନିଜର ଜନପ୍ରତିନିଧି ଚୟନ କରିବା ଆବଶ୍ୟକ।
ଭାରତ ଗାଣତାନ୍ତ୍ରିକ ପଦ୍ଧତିରେ ପରିଚାଳିତ ହୁଏ। ଏକ ଗାଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଆମେ ଯଦି ଭଲ ରାଜନେତାଙ୍କୁ ଲୋକପ୍ରତିନିଧି ଭାବରେ ନିର୍ବାଚିତ କରିବା, ତେବେ ନିଶ୍ଚୟ ଦେଶର ବିକାଶ ସମ୍ଭବ ହୋଇପାରିବ। ତେବେ ଜନତାଙ୍କ ଅପେକ୍ଷା ରାଜନେତା ବିଶେଷ ଭାବରେ ସଚେତନ ହେବାର ବେଳ ଆସିଛି। ଶାସ୍ତ୍ର କହେ, ପଦପଦବୀ ମାୟାରେ ମାନବର ଅହଂକାର ବୃଦ୍ଧି ହୁଏ ଏବଂ ସେ ଭ୍ରଷ୍ଟାଚାରରେ ଲିପ୍ତ ହୋଇଯାଏ। ଯଦ୍ଦ୍ବାରା ଦେଶର ବିକାଶରେ ବାଧା ସୃଷ୍ଟି ହୁଏ ଏବଂ ଅନ୍ୟାୟୀ ରାଜନେତା ଭବିଷ୍ୟତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଏ। ନିଜର ପ୍ରଭାବ ବଳରେ ସରକାରୀ କଳରୁ ସେ ଖସିଯାଇପାରନ୍ତି, କିନ୍ତୁ ନ୍ୟାୟିକ ଦୃଷ୍ଟିରୁ ଖସିବା ଅସମ୍ଭବ। ତେଣୁ ଲୋକ ପ୍ରତିନିଧି ସମୁଚିତ ସ୍ବଭାବ ପ୍ରଦର୍ଶନ କରି ଦେଶପ୍ରେମର ଭାବନାକୁ ଉଦ୍ରେକ କରିବା ଏକାନ୍ତ ଆବଶ୍ୟକ। ଲୋକପ୍ରତିନିଧିଙ୍କର ଲକ୍ଷଣ ଏବଂ ଜୀବନଶୈଳୀକୁ ଉପସ୍ଥାପନ କରି ଶାସ୍ତ୍ରଗୁଡ଼ିକ ସମାଜକୁ ସୁନ୍ଦର ଉପଦେଶ ଦେଇଛନ୍ତି।
ନେତାଙ୍କ ପାଖରେ ଯଦି ନିମ୍ନୋକ୍ତ ଦଶଗୋଟି ଗୁଣ ରହିଥିବ, ସେ ଜଣେ ଉଚ୍ଚକୋଟୀର ଲୋକପ୍ରତିନିଧି ପଦମର୍ଯ୍ୟାଦାକୁ ମଣ୍ଡନ କରିପାରିବେ। ସେଗୁଡ଼ିକ ହେଲା: ବିନୟୀ, ପ୍ରିୟଦର୍ଶୀ, ତ୍ୟାଗୀ, ଦକ୍ଷ, ପ୍ରିୟଭାଷୀ, ଲୋକପ୍ରିୟ, ପବିତ୍ର, ବାଗ୍ମୀ, ପ୍ରସିଦ୍ଧ ବଂଶୋଦ୍ଭବ ଏବଂ ସ୍ଥିର । ରାମାୟଣ, ମହାଭାରତ, ମନୁସ୍ମୃତି ତଥା ଅନେକ ଶାସ୍ତ୍ରୀୟ ଗ୍ରନ୍ଥରେ ଦେଶ ଶାସନ ପ୍ରକ୍ରିୟା ତଥା ଶାସକଙ୍କର ସ୍ବଭାବ ବିଷୟରେ ଉପଦେଶ ଦିଆଯାଇଛି। ଦଶରୂପକ ଗ୍ରନ୍ଥକାର ଧନଞ୍ଜୟ କହିଛନ୍ତି, ନେତା ବିନୀତୋ ମଧୁରସ୍ତ୍ୟାଗୀ ଦକ୍ଷଃ ପ୍ରିୟବଂଦଃ। ରକ୍ତଲୋକଃ ଶୁର୍ଚିବାଗ୍ମୀ ରୂଢବଂଶଃ ସ୍ଥିରୋ ଯୁବା॥ ବୁଦ୍ଧ୍ୟୁତ୍ସାହସ୍ମୃତିପ୍ରଜ୍ଞାକଳାମାନସମନୱିତଃ। ଶୂରୋ ଦୃଢ଼ଶ୍ଚ ତେଜସ୍ବୀ ଶାସ୍ତ୍ରଚକ୍ଷୁଶ୍ଚ ଧାର୍ମିକଃ॥ ଏହି ଅମୃତ ତତ୍ତ୍ୱଗୁଡ଼ିକୁ ଯେଉଁ ରାଜନୈତିକ ବ୍ୟକ୍ତି ଏବଂ ଦଳ ନିଜର ଲକ୍ଷ୍ୟ ରୂପରେ ଗ୍ରହଣ କରିବେ, ସେମାନେ ସଫଳତାର ଶିଖର ସ୍ପର୍ଶ କରିବେ। ଜଣେ ନେତା ବିନୟୀଗୁଣ ସମ୍ପନ୍ନ ହେବା ଆବଶ୍ୟକ। ଯେଉଁ ଜନସାଧାରଣଙ୍କର ପରମ କୃପା ଭିକ୍ଷା ପାଇ ଜଣେ ବ୍ୟକ୍ତି ରାଜନୈତିକ ପଦ ମଣ୍ଡନ କରନ୍ତି, ସେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଖରେ ବିନୟୀ ରହିବା ଆବଶ୍ୟକ। ମଧୁର ଅର୍ଥାତ୍‌ ପ୍ରିୟଦର୍ଶନ ସ୍ବଭାବଯୁକ୍ତ ନେତା ନିଜର ବୁଦ୍ଧି ବଳରେ ସମାଜର ଉତ୍ତମ ସାଧନ କରୁଥିବା ବିଷୟକୁ ହିଁ ଚିନ୍ତା କରିବା ଆବଶ୍ୟକ। ନେତାଙ୍କ ମନରେ ଯେଉଁଦିନଠାରୁ ସମାଜ ଅହିତକର ତତ୍ତ୍ୱ ବସାବାନ୍ଧିବ, ସେହିଦିନଠାରୁ ରାଜନେତା ପତନୋନ୍ମୁଖୀ ହେବେ। ତ୍ୟାଗ ରୂପକ ସଦ୍‌ ଗୁଣଟି ନେତାଙ୍କୁ ଜୀବିତ କାଳରେ ଯେତିକି ସମ୍ମାନ ଦିଏ, ମୃତ୍ୟୁ ପରେ ବି ସେତିକି ସମ୍ମାନ ଦିଏ। ଜଣେ ପ୍ରକୃତ ନେତା ସିଏ, ଯିଏ ସମାଜ ମଙ୍ଗଳ ପାଇଁ ରାଜନୀତି କରନ୍ତି। ଦେଶ ଏବଂ ରାଜ୍ୟକୁ ଶାସନ କରିବା ପାଇଁ ନେତା ଖୁବ୍‌ ଦକ୍ଷତାସମ୍ପନ୍ନ ହେବା ଆବଶ୍ୟକ। ଦେଶର ଜନସାଧାରଣଙ୍କର ଦୈନନ୍ଦିନ ସମସ୍ୟା, ଅର୍ଥନୀତି, ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବହୁବିଧ ଜାତୀୟ ତଥା ଅନ୍ତର୍ଜାତୀୟ ତଥ୍ୟକୁ ବିଚକ୍ଷଣ ବୁଦ୍ଧି ପ୍ରୟୋଗ ପୂର୍ବକ ସମାଧାନ କରିବା ଦକ୍ଷ ନେତାଙ୍କର କର୍ତ୍ତବ୍ୟ।
ପ୍ରିୟଭାଷୀ ନେତାଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗୁଣ। ନେତା ତାଙ୍କର ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସମାଜ ବିରୋଧୀ ବ୍ୟକ୍ତିମାନଙ୍କୁ ନେତାଙ୍କ ଜୀବନରେ ସମ୍ମୁଖୀନ ହେବାକୁ ପଡ଼େ। ତେବେ ଏ ସମୟରେ ପ୍ରତ୍ୟେକ ନେତା ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ପରିସ୍ଥିତିରେ ନେତା ନିଜର ବାଣୀର ଦୁରୁପଯୋଗ ନ କରିବା ଦରକାର। ନେତାଙ୍କ ପାଖରେ ଲୋକପ୍ରିୟ ଗୁଣ ରହିବା ଉଚିତ। ଲୋକପ୍ରିୟ ନେତା ହିଁ ବାରମ୍ବାର ରାଜଗାଦିରେ ଅଭିଷିକ୍ତ ହୁଅନ୍ତି। ତେବେ ଲୋକପ୍ରିୟ ହେବା ପାଇଁ ନେତା ଯଦି ତାଙ୍କର ନୈତିକତାକୁ ଜଳାଞ୍ଜଳି ଦିଅନ୍ତି, ତେବେ ସେ ହାସ୍ୟାସ୍ପଦ ଏବଂ ନିନ୍ଦିତ ହୁଅନ୍ତି। ପବିତ୍ର ଶବ୍ଦଟିରେ ଅନେକ ଗୂଢ଼ ଅର୍ଥ ନିହିତ ଅଛି। ଏହା ମନ ଏବଂ ହୃଦୟର ନିର୍ମଳତାକୁ ପ୍ରତିପାଦନ କରେ। ନେତାଙ୍କର ମନ ସର୍ବଦା କାମନା ଏବଂ ବାସନାଠାରୁ ଦୂରେଇ ରହିବା ଦରକାର। ତେଣୁ ବିଶିଷ୍ଟ ଅର୍ଥଶାସ୍ତ୍ରକାର କୌଟିଲ୍ୟ କହିଛନ୍ତି, ଅର୍ଥ ସୂଚୀ ହିଁ ସମସ୍ତ ପବିତ୍ରତାର ଶ୍ରେଷ୍ଠ। ଠିକ ସେହିପରି ସମାଜରେ ଦେଖାଯାଉଥିବା ଅସାମାଜିକ ତତ୍ତ୍ୱଠାରୁ ନେତା ନିଜକୁ ଦୂରେଇ ରଖିବା ଆବଶ୍ୟକ।
ବାଗ୍ମୀତା ପ୍ରତ୍ୟେକ ନେତାଙ୍କର ଏକ ବିଶିଷ୍ଟ ଗୁଣ ହେବା ଆବଶ୍ୟକ। ବାଗ୍ମୀର ଅର୍ଥ ହେଲା ବୁଦ୍ଧି ଏବଂ ଭାଷଣରେ ନିପୁଣତା। ଜଣେ ବ୍ୟକ୍ତି ସେତେବେଳେ ଭାଷଣ ଦେବାରେ ନିପୁଣ ହୋଇପାରିବ, ଯେତେବେଳେ ସେ ଅନେକ କିଛି ଅଧ୍ୟୟନ କରିବେ। ବିଦ୍ୟା, ବୁଦ୍ଧି ଏବଂ ଅନୁଭବକୁ ପାଥେୟ କରି ଜଣେ ବ୍ୟକ୍ତି ବାଗ୍ମୀ ହୋଇପାରିବେ। ବିଶେଷକରି ଯେଉଁ ନେତା ମନ୍ତ୍ରୀ ଆସନରେ ଅଭିଷିକ୍ତ ହୁଅନ୍ତି ସେମାନଙ୍କ ଅଧୀନରେ ଅନେକ ଉଚ୍ଚପଦସ୍ଥ ଶିକ୍ଷିତ ଅଧିକାରୀ କାର୍ଯ୍ୟରତ ଥା’ନ୍ତି। ତେଣୁ ସେଭଳି କ୍ଷେତ୍ରରେ ନେତା ଯଦି ସ୍ବୟଂ ଜ୍ଞାନୀ ନ ହୋଇଥା’ନ୍ତି, ତେବେ ଶାସନ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଦୃଷ୍ଟିଗୋଚର ହୁଏ। ଯେଉଁ ରାଜ୍ୟର ଏବଂ ଦେଶର ନେତା ଯେତେ ବାଗ୍ମୀ ସେ ଦେଶ ବିଶ୍ୱରେ ସେତେ ପ୍ରଭାବଶାଳୀ।
ନିଜର ମତକୁ ପ୍ରଭାବୀ ଭାବରେ ଉପସ୍ଥାପନା କରିବାର କଳା ପ୍ରତ୍ୟେକଟି ରାଜନେତାଙ୍କ ପାଖରେ ରହିବା ଆବଶ୍ୟକ। ପ୍ରସିଦ୍ଧ ବଂଶର ନେତା ଯଦି ରାଜନୀତିରେ ପ୍ରବେଶ କରନ୍ତି, ଜନସାଧାରଣ ଖୁବ୍‌ଶୀଘ୍ର ତାଙ୍କୁ ଗ୍ରହଣ କରିନିଅନ୍ତି। ତେବେ ପ୍ରସିଦ୍ଧ ବଂଶର ବ୍ୟକ୍ତି ଜଣକ ରାଜନୀତିରେ ପ୍ରବେଶ କରି ନିଜର ବଂଶ ମର୍ଯ୍ୟାଦାକୁ ଦ୍ୱିଗୁଣିତ କରିବା ଆବଶ୍ୟକ। ବଂଶ ମର୍ଯ୍ୟାଦାକୁ ବିକାଶ କରିବା ସ୍ଥାନରେ ଯଦି ତାକୁ ନିମ୍ନଗାମୀ କରନ୍ତି, ତେବେ ରାଜନେତା ଜଣକ ବିଚାର କରିବା ଆବଶ୍ୟକ ଯେ, ପିତୃପୁରୁଷମାନେ ଅନେକ ସାଧନା କରି ସଞ୍ଚୟ କରିଥିବା କୀର୍ତ୍ତିପତାକାକୁ ତାଙ୍କର ଦାୟାଦ ଅତି ଅଳ୍ପ ସମୟରେ ନଷ୍ଟଭ୍ରଷ୍ଟ କରିଦେବା କେତେଦୂର ଯଥାର୍ଥ୍ୟ। ସ୍ଥିରତା ପ୍ରତ୍ୟେକଟି ରାଜନୈତିକ ବ୍ୟକ୍ତିବିଶେଷଙ୍କର ଏକ ବିଶିଷ୍ଟ ଗୁଣ। ସ୍ଥିର ଗୁଣସମ୍ପନ୍ନ ବ୍ୟକ୍ତି ହିଁ ଦେଶରେ ସ୍ଥିର ଶାସନ ଦେବାରେ ସମର୍ଥ ହୁଅନ୍ତି। ନିଜର ବାଣୀ, ମନ ଏବଂ କାର୍ଯ୍ୟକଳାପରେ ସଚ୍ଚୋଟତା ପ୍ରତ୍ୟେକଟି ରାଜନୈତିକ ବ୍ୟକ୍ତିଙ୍କର ଆୟୁଧ ହେବା ଆବଶ୍ୟକ।
ଉପନିର୍ଦ୍ଦେଶକ, ଦୂରସ୍ଥ ଶିକ୍ଷା ବିଭାଗ
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?