ଧଳାହାତୀର ଦେଶ

ନିରଞ୍ଜନ ସାହୁ

ପିଲାବେଳେ ପଢ଼ିଥିଲୁ ଥାଇଲାଣ୍ଡକୁ କୁହାଯାଏ ଧଳାହାତୀର ଦେଶ। ତେଣୁ ଥାଇଲାଣ୍ଡ ଭ୍ରମଣ ବେଳେ ମୋର ଜଣେ ବନ୍ଧୁ ଆଶା କରିଥିଲେ ସେଇ ଧଳାହାତୀମାନଙ୍କୁ ଦେଖିବାକୁ; ମାତ୍ର ଭ୍ରମଣ ସମୟରେ ପର୍ଯ୍ୟଟକମାନଙ୍କ ପାଇଁ ଧଳାହାତୀ ଦେଖିବା ଭଳି କୌଣସି ବ୍ୟବସ୍ଥା ନ ଥିଲା। ଏପରିକି ସେମାନଙ୍କ ପ୍ରମୁଖ ବନ୍ୟଜନ୍ତୁ ପରିଦର୍ଶନ ସ୍ଥଳରେ ମଧ୍ୟ ଧଳାହାତୀଙ୍କ ଅନୁପସ୍ଥିତି ବନ୍ଧୁଙ୍କ ମନରେ ଘୋର ନିରାଶା ସୃଷ୍ଟି କରିଥିଲା, ପିଲାଦିନର ସ୍ମୃତିକୁ ଉଖାଡ଼ିଲେ ମନେ ପଡ଼ିଯାଉଛି ଥାଇଲାଣ୍ଡର ପୂର୍ବ ନଁା ଥିଲା ଶ୍ୟାମ ଦେଶ। ତେଣୁ କେହି କେବେ କହି ନ ଥିଲେ ବି ମନ ଭିତରେ ଧାରଣାଟିଏ ଜମାଟ ବାନ୍ଧି ଯାଇଥିଲା, ଥାଇଲାଣ୍ଡ ଭାଷାରେ ’ଶ୍ୟାମ’ ବୋଧହୁଏ ଧଳାହାତୀକୁ ବୁଝାଉଥିବ। ତା ନ ହେଲେ ଶ୍ୟାମ ଦେଶ କହିଲେ ଧଳାହାତୀର ଦେଶ କୁହାଯାଉଛି ବା କାହିଁକି! ଏଇ ବିଭ୍ରାନ୍ତି ଦୂରହେଲା ବହୁ ଅନୁସନ୍ଧାନ ପରେ। ଶ୍ୟାମ ସହ ଧଳାହାତୀର ସମ୍ପର୍କ ନାହିଁ, ବରଂ ଶ୍ୟାମ ହେଉଛି ମୂଳ ସଂସ୍କୃତିରୁ ଅଣାଯାଇଥିବା ଶବ୍ଦ, ଯାହାର ଅର୍ଥ ସବୁଜ ଅଥବା ଶ୍ୟାମଳ – ଅର୍ଥାତ୍‌ ଦେଶର ସବୁଜିମାଭରା ପରିବେଶ ପାଇଁ ଦେଶଟିଏ ଏମିତି ନଁା ବାଛି ନେଇଥିଲା ବହୁ ଶତାବ୍ଦୀ ତଳେ। ଅର୍ଥାତ୍‌, ଶ୍ୟାମ ଦେଶ ଓ ଧଳାହାତୀର ଦେଶ କହିଲେ ଯଦିଓ ଥାଇଲାଣ୍ଡକୁ ବୁଝାଏ; ମାତ୍ର ଶ୍ୟାମ ଅର୍ଥ ଧଳାହାତୀ ନୁହେଁ।
ବେଶ୍‌ କିଛିବର୍ଷ ହେଲା ଭାରତ ସମେତ ତୃତୀୟ ବିଶ୍ୱର ବହୁ ଦେଶରେ ପ୍ରଶାସନିକ କଳ ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କୁ ଧଳାହାତୀ ବୋଲି କୁହାଯାଉଛି। ହାତୀକୁ ପୋଷିବା ଭାରି ବ୍ୟୟବହୁଳ ବ୍ୟାପାର। ତା’ଛଡ଼ା ଏଇ ଦେଶମାନଙ୍କରେ ପ୍ରଶାସନିକ ବ୍ୟବସ୍ଥା ଏତେ ବଡ଼ ଯେ ତାହାକୁ ହାତୀ ଭଳି ବିଶାଳକାୟ ପ୍ରାଣୀ ସହ ତୁଳନା କରିବା କିଛି ମନ୍ଦ ନୁହେଁ। ମାତ୍ର ସେମାନଙ୍କଠାରୁ ଯାହା ଆଶା କରାଯାଏ ତାହା ମିଳେନାହିଁ, ସେମାନଙ୍କୁ ହାତୀ କୁହାଗଲେ ଚଳିଥାନ୍ତା, ମାତ୍ର ଧଳାହାତୀ କହିବାର ତାତ୍ପର୍ଯ୍ୟ କ’ଣ ହୋଇପାରେ! ସେମାନେ ଧୋବଧବଳିଆ, ସମାଜର ଉଚ୍ଚବର୍ଗ ବୋଲି ପ୍ରତୀୟମାନ ହୁଅନ୍ତି। ଧଳାହାତୀ ସେଇମାନେ, ଯାହାଙ୍କ ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡ଼େ; ମାତ୍ର ସେମାନଙ୍କ କାମ ଆଖିଦୃଷ୍ଟିଆ ନୁହେଁ, ଯାହାକୁ କହନ୍ତି – ନାମ୍‌ ବଡ଼ା ଦର୍ଶନ ଥୋଡ଼ା!
ଭାରତୀୟ ହିନ୍ଦୁ ପୁରାଣ ଅନୁସାରେ ଦେବରାଜଙ୍କ ବାହନ ହେଲେ ଗୌର ବର୍ଣ୍ଣର ହସ୍ତୀ, ଯାହାର ନଁା ଐରାବତ। ଏହା ହସ୍ତୀ ହୋଇଥିଲେ ବି ପକ୍ଷୀ ପରି ଉଡ୍ଡୟନ କ୍ଷମତାବିଶିଷ୍ଟ। ଅବଶ୍ୟ କେହି ଧଳାହାତୀ ଉପରେ ଚର୍ଚ୍ଚା କଲାବେଳେ ଐରାବତଙ୍କୁ ସ୍ମରଣ କରନ୍ତିନାହିଁ। ଶ୍ରୀମଦ୍‌ ଭଗବତ୍‌ ଗୀତାର ଦଶମ ଅଧ୍ୟାୟରେ ଭଗବାନ୍‌ ଶ୍ରୀକୃଷ୍ଣ ବିଭିନ୍ନ ବର୍ଗରେ ଶ୍ରେଷ୍ଠମାନଙ୍କର ଉଦାହରଣ ଦେଲାବେଳେ ହସ୍ତୀମାନଙ୍କ ଭିତରେ ଐରାବତ ଶ୍ରେଷ୍ଠ ବୋଲି କହିଛନ୍ତି। ଅର୍ଥାତ୍‌ ଧଳାହାତୀମାନେ ଐରାବତଙ୍କ ବଂଶଜ ବୋଲି ଅନୁମାନ କରିବା ବି ନିହାତି ଅସଂଗତ ଓ ହାସ୍ୟାସ୍ପଦ।
ହାତୀ ଗୋଟିଏ ତୃଣଭୋଜୀ ପ୍ରାଣୀ। ଯଦିଓ ବିଶାଳକାୟ, ସେ କାହା ଉପରେ ନିଜଆଡ଼ୁ ଔଦ୍ଧତ୍ୟ ଦେଖାଏ ନାହିଁ; ମାତ୍ର କେହି ଆକ୍ରମଣ କଲେ ସେ ପ୍ରତିଶୋଧ ନେବାକୁ ଭୁଲେନାହିଁ। ମାତ୍ର ଆଲୋଚିତ ପ୍ରସଙ୍ଗର ଧଳାହାତୀମାନେ କେବଳ ତୃଣଭୋଜୀ କିମ୍ବା ମାଂସାହାରୀ ନୁହନ୍ତି। ସେମାନେ ସର୍ବଭକ୍ଷ ଆଉ ପ୍ରୋଟୋକଲ ପରିବେଷ୍ଟିତ ଧଳାହାତୀମାନେ ସେମାନଙ୍କ ବେଭାରରେ ସାମାନ୍ୟ ବିଚ୍ୟୁତିକୁ କ୍ଷମା ଦିଅନ୍ତି ନାହିଁ।
ଥାଇଲାଣ୍ଡ ଆଗରୁ ଏକକ ନରପତିଙ୍କ ଅଧୀନରେ ଥିଲା। ଯଦିଓ ଆଜି ଦିନରେ ଏହା ଏକ ଗଣତନ୍ତ୍ର ମାତ୍ର ସେମାନଙ୍କର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଜା। ପ୍ରାଚୀନ ଯୁଗରେ ଥାଇଲାଣ୍ଡର ଶାସକମାନେ ଯେଉଁ ସଂଭ୍ରାନ୍ତମାନଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖୁଥିଲେ ସେମାନଙ୍କୁ ସଂଭ୍ରାନ୍ତ ବେଭାର ଭାବରେ ଶ୍ୱେତହସ୍ତୀ ଦାନ କରୁଥିଲେ। ଏକପକ୍ଷରେ କୁହାଯାଉଥିଲା ଯେ ତାହା ଥିଲା ସମ୍ଭ୍ରାନ୍ତର ପ୍ରତୀକ; ମାତ୍ର ପ୍ରକାରାନ୍ତରେ ସେଇ ବିଶାଳ ହସ୍ତୀ ପାଇଁ ଖାଦ୍ୟ ଯୋଗାଡ଼ କରି କରି ପ୍ରାପକ ଦିନକୁ ଦିନ ହୀନିମାନ ହେଉଥିଲେ। କୌଶଳରେ ପ୍ରତିପକ୍ଷଙ୍କୁ ଧନହୀନ କରିବାର ଏହା ଥିଲା ଏକ ସୁଚିନ୍ତିତ ପ୍ରକ୍ରିୟା, ଥାଇଲାଣ୍ଡରେ ଆଜି ଦିନରେ ବଞ୍ଚତ୍ଥିବା ଧଳାହାତୀଙ୍କ ସଂଖ୍ୟା ଖୁବ୍‌ କମ୍‌। ଗୋଟିଏ ଆକଳନ ଅନୁସାରେ, ତାହା ତିରିଶ ଭିତରେ ସୀମିତ; ମାତ୍ର ଆଲୋଚିତ ଧଳାହାତୀମାନେ କେତେସଂଖ୍ୟାରେ ଦିନକୁ ଦିନ ବଢ଼ୁଛନ୍ତି ତାହା ଆପଣମାନେ ଲକ୍ଷ୍ୟ କରିପାରୁଥିବେ।
ଧଳାହାତୀ କହିଲେ କ’ଣ ଖାଲି ପଦବୀରେ ଥାଇ ମୁନିବକୁ ଖର୍ଚ୍ଚାନ୍ତ କରାଉଥିବା ଅଧିକାରୀ? ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ଖୋଜନ୍ତି ସେହିପରି ଅଧିକାରୀ, ଯେଉଁମାନେ କମ୍ପାନୀକୁ ଅଧିକରୁ ଅଧିକ ଲାଭ ଆଣିଦେଇପାରିବେ। ଅର୍ଥାତ୍‌ ସଂପୃକ୍ତ ଅଧିକାରୀ ଯଦି କମ୍ପାନୀ ପାଇଁ ଲାଭଦାୟକ ନ ହୋଇ ପ୍ରକାରାନ୍ତରେ କ୍ଷତି ପହଞ୍ଚାନ୍ତି ବା କମ୍ପାନୀର ଲାଭ ପରିମାଣ ହ୍ରାସର କାରଣ ପାଲଟନ୍ତି ତାଙ୍କୁ ତଡ଼ିବା ପାଇଁ ମଶାମାଛିକୁ ନିଜ ଶରୀରଠାରୁ ତଡ଼ିବାକୁ ଯେତିକି ସମୟ ଦରକାର ସେତିକି ସମୟ ବି ଲାଗେନାହିଁ ମୁନିବମାନଙ୍କୁ। ସେହି କାରଣରୁ ପ୍ରାଇଭେଟ୍‌ ଚାକିରି କରିଥିବା ବ୍ୟକ୍ତିଟି ଧଳାହାତୀ ପାଲଟିବା ସମ୍ଭବ ହୁଏନାହିଁ। ତା’ର କାମର ମୂଲ୍ୟାୟନ ପ୍ରତିଦିନ ହେଉଥାଏ, ଦକ୍ଷତାର ପରିଚୟ ପ୍ରତିପାଦନ କରିବାକୁ ପଡ଼ିଥାଏ ପ୍ରତିନିୟତ।
ସରକାରୀ ଚାକିରିରେ ଥରେ ପଶିଗଲେ ସେଠାରୁ ଜଣକୁ ତୁରନ୍ତ ବାହାର କରିବା ଏତେ ସହଜ ନୁହେଁ। କେବଳ ଉପରିସ୍ଥ ହାକିମଙ୍କୁ ହାତରେ ରଖିପାରିଲେ ଜଣେ ସହଜରେ ଚାକିରିକାଳ କଟେଇ ଦେଇପାରେ। କାର୍ଯ୍ୟଦକ୍ଷତା ତୁଳନାରେ ଚାଟୁକାରିତାର ଆଦର ଅଧିକ ଥିବାରୁ ପ୍ରତିଦିନ ନୂଆ ନୂଆ ଧଳାହାତୀମାନେ ଜନ୍ମ ନିଅନ୍ତି।
ବାବୁତନ୍ତ୍ରକୁ ଅଧିକ ସମନ୍ବିତ କରିବା ପାଇଁ ଆମ ଦେଶରେ ଅନେକ ପ୍ରଶାସନିକ ସଂସ୍କାର କମିଶନ ବସିଛି; ମାତ୍ର ସେଗୁଡ଼ିକରୁ ଆଶାନୁରୂପ ଫଳ ନ ମିଳିବାର ପ୍ରମୁଖ କାରଣ ହେଲା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ରାଜନୈତିକ ନେତୃତ୍ୱ ଅନେକ ସମୟରେ ବାବୁମାନଙ୍କ ଆୟରେ। ବାବୁ ସଂସ୍କୃତିରେ ଏତେ ଅଧିକାରୀଙ୍କ ବାଟ ଦେଇ ନିଷ୍ପତ୍ତି ନିଆଯାଏ ଯେ, ସେଥିରେ ଜଣକୁ ଦାୟୀ କରିବା ସମ୍ଭବ ହୁଏନାହିଁ ଏବଂ ଏଇ ବ୍ୟବସ୍ଥାରେ ଖସିଯାଆନ୍ତି ଗୋଳମାଳ କରୁଥିବା ବାବୁମାନେ।
ସବୁ ବାବୁ ଧଳାହାତୀ ନୁହନ୍ତି ତାହା ହିଁ ଆଶ୍ୱାସନାର ବିଷୟ। ଦେଶର ଅଗ୍ରଗତିରେ ଆମ ଦେଶର ଅମଲାମାନଙ୍କର ଯୋଗଦାନକୁ ନୂ୍ୟନ କରିବା ଉଚିତ ନୁହେଁ, ଦେଶର ଅତ୍ୟନ୍ତ ମେଧାବୀ ପିଲାମାନେ ପ୍ରଶାସନିକ ସେବାରେ ଯୋଗଦିଅନ୍ତି। ତେବେ ଦେଶରେ ଗୋଳମାଳ କରୁଥିବା ଧଳାହାତୀଙ୍କ ସଂଖ୍ୟା ଯେତେ କମିବ, ସେତେ ମଙ୍ଗଳ ସାଧାରଣ ଜନତାଙ୍କ ପାଇଁ।
ମୋ:୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?