ମୁମ୍ବାଇ,୨୪।୧୨: ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ଐତିହାସିକ କୋଲକାତା ଟେଷ୍ଟରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳି ଦୂରେଇ ଯାଇଛନ୍ତି କ୍ରିକେଟରୁ। ୨୦୦୧ରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଫଲୋଅନ୍ ପାଇବା ସତ୍ତ୍ୱେ ଭାରତ ମ୍ୟାଚ୍କୁ ନେଇଥିଲା।
ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୪୫ ରନ୍ କରିଥିଲା। ସେହି ଇନିଂସରେ ଭାରତ ପାଇଁ ହ୍ୟାଟ୍ରିକ ସହିତ ୭ ଉଇକେଟ ନେଇଥିଲେ ଭଜି। ସେ ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ସଫଳତା ହାସଲ କରିଥିଲେ। ଜବାବରେ ୧୭୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ଭାରତ। ଫଲୋଅନ୍ ଭୋଗିଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୭ ଉଇକେଟ ହରାଇ ୬୫୭ ରନ୍ କରିଥିଲା। ଏହି ଇନିଂସରେ ୩୭୬ ରନ୍ର ମାରାଥନ ଭାଗୀଦାରି ଖେଳିଥିଲେ ରାହୁଲ ଡ୍ରାଭିଡ୍ (୨୮୧) ଓ ଭିଭିଏସ୍ ଲକ୍ଷ୍ମଣ(୧୮୦)। ୩୮୯ ରନ୍ର ଟାର୍ଗେଟ ନେଇ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଅନ୍ତିମ ପାଳିରେ ୨୧୨ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଭାରତ ପାଇଁ ସବୁଠୁ ସଫଳତମ ବୋଲର ସାବ୍ୟସ୍ତ ହୋଇଥିଲେ ଭଜି (୬ ଉଇକେଟ)। ଏହି ଐତିହାସିକ ଟେଷ୍ଟରେ ଭାରତ ପାଇଁ ଖେଳିଥିବା ସମସ୍ତ ଖେଳାଳି ବହୁ ପୂର୍ବରୁ ଅବସର ନେଇସାରିଛନ୍ତି।