ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର ଇରାନ)କୁ ବିସ୍ତାର ହୋଇଥିଲା। ଅଷ୍ଟମ ଶତାବ୍ଦୀ ସୁଦ୍ଧା ଏହା ସ୍ପେନ୍‌ରୁ ଆରମ୍ଭ କରି ସିନ୍ଧ୍‌ ଅଞ୍ଚଳକୁ ମଧ୍ୟ ବ୍ୟାପିଥିଲା। ପ୍ରଶ୍ନ ହେଉଛି ଏହା ଭାରତରେ କେମିତି ପହଞ୍ଚିଥିଲା। ରାଜନୈତିକ ଦୃଷ୍ଟିକୋଣରୁ ହିଂସା ଓ ଲୁଣ୍ଠନକୁ ଆଧାର କରି ଇସ୍‌ଲାମ ଭାରତକୁ ଆସିଥିଲା ବୋଲି କୁହାଯାଏ ।
କିନ୍ତୁ ବୁଦ୍ଧିଜୀବୀମାନେ କହନ୍ତି, କେବଳ ଏହି ମାଧ୍ୟମରେ ନୁହେଁ ବରଂ ବାଣିଜ୍ୟ, ଯୁଦ୍ଧ, ପ୍ରଚାର, କୃଷି ଓ ପ୍ରବାସନ ମାଧ୍ୟମରେ ଭାରତରେ ଇସ୍‌ଲାମ ଧର୍ମ ପ୍ରବେଶ କରିଥିଲା।
ଭାରତରେ ସପ୍ତମ ଶତାବ୍ଦୀରେ ନିର୍ମିତ ଅନେକ ମସ୍‌ଜିଦ ଦେଖାଯାଏ। ସେଗୁଡ଼ିକ ମଧ୍ୟରେ ରହିଛି ଚେରାମାନ ଜୁମା ମସ୍‌ଜିଦ (କେରଳ), ତାମିଲନାଡୁର ପାଲାୟା ଜୁମା ପାଲି, ଗୁଜରାଟର ଘୋଘା ସ୍ଥିତ ବରଓ୍ବାଡ ମସ୍‌ଜିଦ। ସ୍ଥାନୀୟ ହିନ୍ଦୁ ରାଜା ଏଗୁଡ଼ିକୁ ନିର୍ମାଣ କରିଥିଲେ ଏବଂ ଆରବର ନାବିକ ଓ ବଣିକମାନେ ଏଥିରେ ସହାୟତା ଯୋଗାଇ ଦେଇଥିଲେ। ବାସ୍ତବରେ ଏହି ନାବିକ ଓ ବଣିକମାନେ ପ୍ରଥମେ ଭାରତୀୟ ଉପକୂଳ ଅଞ୍ଚଳକୁ ଇସ୍‌ଲାମ ସଂସ୍କୃତି ଆଣିଥିଲେ। ତ୍ରୟୋଦଶ ଶତାବ୍ଦୀର ଏକ ପର୍ସିଆନ (ଇରାନୀୟ) ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ଯେ, ସପ୍ତମ ଶତାବ୍ଦୀରେ ସିନ୍ଧ୍‌କୁ ଆରବୀୟ ଲୁଣ୍ଠନ କରିଥିଲେ। ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଆରବୀୟମାନେ ସିନ୍ଧ୍‌ (ପାକିସ୍ତାନର ଦକ୍ଷିଣପୂର୍ବ ଅଞ୍ଚଳ)କୁ ଆକ୍ରମଣ କରିଥିଲେ ଏବଂ ମୁମ୍ବାଇ ନିକଟସ୍ଥ ଥାଣେ ଅଞ୍ଚଳକୁ ଦଖଲ କରିବା ଏହାର ଉଦ୍ଦେଶ୍ୟ ଥିଲା । କିନ୍ତୁ ସେତେବେଳେ ସେଠାକାର ପ୍ରତିହାର ରାଜାମାନେ ଆରବୀୟଙ୍କୁ ତଡ଼ି ଦେଇଥିଲେ। ଏହା ସ୍ପଷ୍ଟ ଯେ, ଆରମ୍ଭରୁ ଇସ୍‌ଲାମ ଧର୍ମ ବାଣିଜ୍ୟ ପଥ ଦେଇ ପ୍ରସାର ଲାଭ କରିଥିଲା । ଏହାସହ ସପ୍ତମ ଶତାବ୍ଦୀରେ ଉପମହାଦେଶରେ ସେନା ଅଭିଯାନ ମାଧ୍ୟମରେ ସେମାନେ ପହଞ୍ଚତ୍ ସିନ୍ଧ୍‌ ଅଞ୍ଚଳକୁ ଯାଇଥିଲେ। ପ୍ରାୟ ଦଶମ ଶତାବ୍ଦୀରେ କେନ୍ଦ୍ର ଏସିଆରୁ ମହମ୍ମଦ ଗଜ୍‌ନୀଙ୍କ ଭଳି ଆକ୍ରମଣକାରୀମାନେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରି ଆସି ଉତ୍ତର ଭାରତର ମନ୍ଦିରଗୁଡ଼ିକୁ ଲୁଣ୍ଠନ କରିଥିଲେ। ଦ୍ୱାଦଶ ଶତାବ୍ଦୀ ପରଠାରୁ ସେମାନେ ଭାରତରେ ରହିବା ଆରମ୍ଭ କଲେ ଏବଂ ବିଶାଳ କୃଷି ସମ୍ପଦର ମାଲିକାନାକୁ ହାତକୁ ନେଇଗଲେ। ଏହି ଲୁଣ୍ଠନକାରୀମାନେ ଆରବର ନ ଥିଲେ ବରଂ ସେମାନେ କେନ୍ଦ୍ର ଏସିଆର ତୁର୍କ (ତୁର୍କୀର ବାସିନ୍ଦା) ଥିଲେ। ପଞ୍ଚଦଶ ଶତାବ୍ଦୀରୁ ତୁର୍କ ଓ ଆଫଗାନଙ୍କ ପ୍ରଭାବ ମୋଗଲଙ୍କ ଦ୍ୱାରା ହ୍ରାସ ପାଇଚାଳିଲା।
ଭାରତରେ ସୁଲତାନମାନେ ଏକ ନୂଆ ପର୍ସିଆନ ଦରବାର ସଂସ୍କୃତି ମୂଳଦୁଆ ପକାଇ ପୁରୁଣା ସଂସ୍କୃତ ଭାଷା ତଥା ସଂସ୍କୃତି ପରମ୍ପରାକୁ ବଦଳେଇଦେଲେ। ସେମାନେ ସାଙ୍ଗରେ ଆଣିଥିବା ଲଢ଼ୁଆ ଘୋଡ଼ାଗୁଡ଼ିକ ନେଇ ସୈନ୍ୟବାହିନୀକୁ ଅଧିକ ଶକ୍ତିଶାଳୀ କରିଥିଲେ। ସେଥିପାଇଁ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଘୋଡ଼ା ଉପରେ ବସିଥିବା ଦେବତା (ପୀର କିମ୍ବା ବୀର କୁହାଯାଏ)ଙ୍କୁ ଉଭୟ ହିନ୍ଦୁ ଓ ମୁସଲମାନମାନେ ପୂଜା କରିଥାନ୍ତି। ଦକ୍ଷିଣ ଭାରତର ମନ୍ଦିରଗୁଡ଼ିକରେ ଭାବର ଓ ରଭୁତାନ ଭଳି ମୁସଲମାନ ଅଶ୍ୱାରୋହୀ ଯୋଦ୍ଧାମାନେ ହିନ୍ଦୁ ଦେବଦେବୀଙ୍କୁ ଜଗିଥିବା ଚିତ୍ର ଦେଖିବାକୁ ମିଳିଥାଏ। ଉତ୍ତର କିମ୍ବା ଦକ୍ଷିଣ ଭାରତରେ ଏହିସବୁ ଛବି ବା ପ୍ରତୀକ ସଦ୍‌ଭାବନାର ବାର୍ତ୍ତା ଦେଇଥାଏ। ଦକ୍ଷିଣ ଭାରତର ଶ୍ରୀରଙ୍ଗମ୍‌ ବିଷ୍ଣୁ ମନ୍ଦିର ମୁସଲମାନ ରାଜକୁମାରୀ ତଥା ଭକ୍ତ ବିବି ନାଛିୟାରଙ୍କ କହାଣୀକୁ ସୂଚିତ କରେ, ଯିଏ ଦେବତାଙ୍କ ଧର୍ମପତ୍ନୀ ମାନ୍ୟତା ପାଇପାରିଥିଲେ। ଏହି କାହାଣୀ ଉଭୟ ସଂସ୍କୃତିର ନିବିଡ଼ ସମ୍ପର୍କକୁ ଦର୍ଶାଏ। ଦ୍ୱାଦଶ ଶତାବ୍ଦୀ ପରଠାରୁ ସୁଫିମାନଙ୍କର ଭାରତ ପ୍ରବେଶ ଆରମ୍ଭ ହୋଇଥିଲା। ସେମାନେ କେନ୍ଦ୍ର ଏସିଆର ଇସ୍‌ଲାମୀୟ ସୁଫିବାଦୀ ଥିଲେ। ପୁରୁଣା ଆରବ ସାମ୍ରାଜ୍ୟ ଉପରେ ମଙ୍ଗୋଲୀୟମାନେ ଆକ୍ରମଣ କରି ତାହା ପତନ ଘଟାଇବା ପରେ ସୁଫିମାନେ ଲୋକପ୍ରିୟତା ଲାଭ କରିଥିଲେ। ଅଧ୍ୟାତ୍ମବାଦୀ ସୁଫିମାନେ ବାଣିଜ୍ୟ ପଥ ଦେଇ ଭାରତର ସବୁ ଅଞ୍ଚଳରେ ପହଞ୍ଚିପାରିିଥିଲେ। ସେମାନଙ୍କ ମଧ୍ୟରୁ କେତେକେ ସୈନ୍ୟ କିମ୍ବା ଘାଜି ଥିଲେ। ବାକିସବୁ ଥିଲେ ଧର୍ମ ପ୍ରଚାରକ; ଯେଉଁମାନେ ଭାବନାତ୍ମକ ଶାନ୍ତି, ନ୍ୟାୟିକ ସେବା, ଔଷଧ ଓ କୃଷିଗତ ଜ୍ଞାନ ବିତରଣ କରୁଥିଲେ। ଏହିସବୁ ଜ୍ଞାନର ଅଧିକାରୀ ହୋଇଥିବାରୁ ଲୋକେ ସେମାନଙ୍କୁ ଭଲ ପାଉଥିଲେ। ସେମାନେ ବିଭିନ୍ନ ସ୍ଥାନରେ ରହୁଥିଲେ ଏବଂ ସେମାନଙ୍କ ମୃତ୍ୟୁ ଘଟିଲା ପରେ ସେମାନଙ୍କ ଦରଘା କିମ୍ବା ସମାଧି ବା କବରସ୍ଥଳୀ ଏକ ଆଧ୍ୟାତ୍ମିକ କେନ୍ଦ୍ର ପାଲଟିଯାଇଥିଲା। ଲୋକେ ଆଶୀର୍ବାଦ ନେବା ପାଇଁ ସେଠାକୁ ଆସୁଥିଲେ।
କୃଷିଭିତ୍ତିକ ନୂତନତ୍ୱ ଜ୍ଞାନ ମାଧ୍ୟମରେ ପ୍ରସାର ଲାଭ କରିଥିବା ଇସ୍‌ଲାମ ଧର୍ମକୁ ଅନେକ ସମୟରେ ଅଣଦେଖା କରାଯାଇଛି। ଦଶମ ଶତାବ୍ଦୀରୁ ଭାରତକୁ ଆସିଥିବା ସୁଫିମାନେ କୃଷିର ନୂଆ ଜ୍ଞାନକୌଶଳ ଆରମ୍ଭ କରିଥିଲେ। ସେମାନେ ସ୍ପେନ୍‌ ଓ ପର୍ସିଆରେ ଜଳ ଚକ, ଭୂତଳ କେନାଲ ନିର୍ମାଣ କରିଥିଲେ। ଫଳରେ ଜଳାଭାବ ହେଉଥିବା ଅଞ୍ଚଳରେ କୃଷି ସମ୍ଭବ ହୋଇପାରିଥିଲା। ସେମାନେ ପ୍ରୟୋଗ କରୁଥିବା କୃଷିଭିତ୍ତିକ ଜ୍ଞାନକୌଶଳ ସିନ୍ଧ୍‌ ଓ ପଞ୍ଜାବକୁ ଆସିବା ପରେ ସେଠାରେ କୃଷିରେ ଉନ୍ନତି ହୋଇଥିଲା। ଫଳରେ ଏହି ଦୁଇ ଅଞ୍ଚଳରେ ଚାଷଜମି ନ ଥିବା ଜାଠମାନେ ଜମି ମାଲିକ ହୋଇଗଲେ ଏବଂ ଆର୍ଥିକ ଲାଭ ପାଇଲେ। ଦେଖିବାକୁ ଗଲେ ଏହିସବୁ ଅଞ୍ଚଳରେ ମୁସଲମାନ ସଂଖ୍ୟା ସବୁଠୁ ଅଧିକ ଥିଲା ଏବଂ ସମୟକ୍ରମେ ସେମାନେ ପାକିସ୍ତାନ ଚାଲିଯାଇଥିଲେ। ତେବେ ପୂବ-ଭାରତରେ ମୋଗଲ ଶାସନ ସମୟରେ ଗଙ୍ଗା ନଦୀ ଅବବାହିକାରେ କୃଷିର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଥିଲା। ମୁଖ୍ୟତଃ ରାଜସ୍ବ ଭିତ୍ତିଭୂମି ବୃଦ୍ଧି ପାଇଁ ସେମାନେ ଏହା କରିଥିଲେ। ପରେ ସୀମାନ୍ତ ଅଞ୍ଚଳର ଲୋକମାନେ ସୁଫି ବିଦ୍ୱାନ୍‌ଙ୍କ ସହଯୋଗରେ ନୂଆ ବସତି ସ୍ଥାପନ କରିଥିଲେ ଯାହା ପରେ ବାଂଲାଦେଶ ହୋଇଛି। ଏଠାରେ ପଞ୍ଚପୀରଙ୍କ ପୂଜା ପରମ୍ପରା ରହିଛି , ଯାହାଙ୍କୁ ପଞ୍ଚପାଣ୍ଡବ ବୋଲି ସୂଚିତ କରାଯଏ। କୃଷି ସହ ଜଡ଼ିତ ସ୍ଥାନୀୟ ଦେବୀ ବନ୍‌ ବିବି ସୁନ୍ଦରବନରେ ପୂଜା ପାଉଛନ୍ତି। ପଶ୍ଚିମବଙ୍ଗର କୁଟୀରଗୁଡ଼ିକ ଭଳି ଟେରାକୋଟା ମସ୍‌ଜିଦଗୁଡ଼ିକ ଦେଖିବାକୁ ମିଳେ, ଯାହା ଆରବ ଓ ପର୍ସିିଆନ ମସ୍‌ଜିଦଠାରୁ ଅଲଗା।
ତ୍ରୟୋଦଶ ଶତାବ୍ଦୀର ମଙ୍ଗୋଲ ଆକ୍ରମଣ ପରେ କେନ୍ଦ୍ର ଏସିଆ ଏବଂ ପାରସ୍ୟରୁ ଅନେକ ପ୍ରବାସୀ ମୁସଲମାନ ଦିଲ୍ଲୀ ଓ ବାହାମନି ସାମ୍ରାଜ୍ୟକୁ ଆସିଥିଲେ। ଅନେକେ ବିବାହ ପରେ ଆସିଥିଲେ ଏବଂ କେତେକେ ଭାରତକୁ ଆସି ସ୍ଥାନୀୟ ମହିଳାଙ୍କୁ ବାହା ହୋଇଥିଲେ। ସେମାନେ ଥିଲେ ଇସ୍‌ଲାମ ଧର୍ମାବଲମ୍ବୀ, ପାର୍ସିଭାଷାଭାଷୀ ଓ ରାଜ ଦରବାରର ପ୍ରତିଷ୍ଠିତ ବ୍ୟକ୍ତି ଏବଂ ପର୍ସିଆନ ଶୈଳୀରେ ମସ୍‌ଜିଦ ନିର୍ମାଣ କରିଥିଲେ। ହେଲେ ସ୍ଥାନୀୟ ସମ୍ଭ୍ରାନ୍ତୀୟ ଭାରତୀୟ ମୁସଲମାନମାନେ ପ୍ରବାସୀ ମୁସଲମାନଙ୍କୁ ବିରୋଧ କରିଥିଲେ। ପ୍ରତିଷ୍ଠିତ ମୁସଲମାନ ବର୍ଗ ନୀଚ ଜାତିରୁ ଧର୍ମାନ୍ତରୀକରଣ ହୋଇଥିବା ମୁସଲମାନଙ୍କୁ ଘୃଣା କରୁଥିଲେ। ଏଣୁ ଭାରତର ଜାତିପ୍ରଥାକୁ ଭାରତରେ ଇସ୍‌ଲାମ ଧର୍ମର ଲୋକେ ଅନୁକରଣ କରିଥିଲେ। ଇସ୍‌ଲାମ ପ୍ରୋଫେଟ ନିଜକୁ ଉଚ୍ଚବର୍ଗର ବୋଲି ଗଣୁଥିବାବେଳେ ସାମାଜିକ ସ୍ତରରେ ଅନଗ୍ରସର ଗୋଷ୍ଠୀର ମୁସଲମାନଙ୍କୁ ନୀଚ ଜାତି ଭାବେ ଦେଖାଯାଉଥିଲା। ଏହି ଦୁଇ ବର୍ଗ ମଧ୍ୟରେ ଯେଉଁମାନେ ରହିଲେ, ସେମାନେ ଆରବର ବଣିକ ଏବଂ ପାରସ୍ୟର ଉଚ୍ଚବର୍ଗର ଉତ୍ତରାଧିକାରୀ ଭାବେ ଦାବି କଲେ। ଏହି ପରି ଭାବେ ଭାରତରେ ଇସ୍‌ଲାମ ଧର୍ମର ପ୍ରବେଶକୁ ନେଇ ସାତ ଶତାବ୍ଦୀର କାହାଣୀ ରହିଛି, ଯେଉଁଥିରେ ବାଣିଜ୍ୟ, ଯୁଦ୍ଧ ରହିଛି ଏବଂ ପ୍ରଚାରକ, କୃଷିବିତ୍‌ ଓ ପ୍ରବାସୀ କଥାକୁ ଜଡ଼ିତ କରାଯାଇଛି।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri