ଉପବାସର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମୂଳ ପ୍ରସଙ୍ଗ ସହ ସମ୍ପର୍କିତ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ୱାରା ପରିବେଷିତ ଏକ କାହାଣୀରୁ ପ୍ରବନ୍ଧଟିକୁ ଆରମ୍ଭ କରୁଛି। କଳାହାଣ୍ଡିଆ ମେଘ ଉଠାଇଥାଏ। ଗୋଟିଏ ନଦୀ କୂଳରେ ଅପେକ୍ଷା କରିଥାନ୍ତି କିଛି ବ୍ରତଚାରୀ। ସେମାନେ ଦିନସାରା ଉପବାସ କରିଥାନ୍ତି। ବ୍ରତ ଉଦ୍‌ଯାପନ କରିସାରିବା ପରେ ଖାଦ୍ୟ ଗ୍ରହଣ କରିବେ। ବ୍ରତ ଉଦ୍‌ଯାପିତ ହେବାର ଥାଏ ନଈର ଆର କୂଳରେ। ଡଙ୍ଗାରେ ନଈ ଆରକୂଳକୁ ଯିବା ପୂର୍ବରୁ ସେମାନେ ସେଇ କୂଳରେ ଅବସ୍ଥାନ କରୁଥିବା ଜଣେ ସନ୍ନ୍ୟାସୀଙ୍କ ଦର୍ଶନ କରୁଥାନ୍ତି। ସେମାନଙ୍କ ଦ୍ୱାରା ପ୍ରଦତ୍ତ ଫଳମୂଳ ସନ୍ନ୍ୟାସୀ ଗ୍ରହଣ କରି ଆନନ୍ଦରେ ଖାଉଥାନ୍ତି। କିଛି ସମୟ ପରେ ଆସିଲା ନାଉରି। ମାତ୍ର ସେ ସମୟରେ ଝଡ଼ ଉଠୁଥିବାରୁ ସେ ନୌକା ବାହିବା ପାଇଁ ମନା କରିଦେଲା। ବ୍ରତଚାରୀମାନେ ଚିନ୍ତିତ ହୋଇପଡ଼ିଲେ। କାରଣ ନଈ ଆରପାରିକୁ ଯାଇ ବ୍ରତ ଉଦ୍‌ଯାପନ ନ କଲେ ସେମାନଙ୍କ ଉପବାସ ବ୍ୟର୍ଥ ହେବ। ନାଉରି କହିଲା, ଅବଶ୍ୟ ସତରେ ଉପବାସ କରିଥିବା ଲୋକ ମୋ ଡଙ୍ଗାରେ ବସିଲେ ଏହି ଝଡ଼ ସ୍ବତଃ ଅପସରିଯିବ। ମାତ୍ର ତୁମେମାନେ ସତରେ ଉପବାସ କରିଥିବା ମୋର ବିଶ୍ୱାସ ହେଉନାହିଁ। ମୋ ଜାଣିବାରେ ନଈକୂଳରେ ଅବସ୍ଥାନ କରୁଥିବା ସନ୍ନ୍ୟାସୀ ହିଁ ପ୍ରକୃତ ଉପବାସୀ। ସେ ଯଦି ତୁମ ସହିତ ଡଙ୍ଗାରେ ବସିବେ ମୁଁ ନୌକା ବାହି ତୁମମାନଙ୍କୁ ଆର କୂଳରେ ପହଞ୍ଚାଇ ଦେବି। ସେମାନେ ପ୍ରକୃତରେ ଉପବାସ କରିଛନ୍ତି ବୋଲି ବ୍ରତଚାରୀ ଯେତେ ବୁଝାଇଲେ ମଧ୍ୟ ନାଉରି ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ। ଶେଷରେ ସେମାନଙ୍କ ଅନୁରୋଧ ରକ୍ଷା କରି ସନ୍ନ୍ୟାସୀ ଆସି ନୌକାରେ ବସିଲେ। ନାଉରି ନୌକା ବାହିଲା। ସତକୁ ସତ ଝଡ଼ ଆପେ ଆପେ ଅପସରିଗଲା। ବ୍ରତଚାରୀମାନେ ଆରକୂଳରେ ବ୍ରତ ଉଦ୍‌ଯାପନ କରି ଫେରିଆସିଲେ। ଫେରିବା ସମୟରେ ସମସ୍ତେ ଆଶ୍ୱସ୍ତି ଅନୁଭବ କରୁଥିଲେ। ଘରେ ଅପେକ୍ଷା କରିଥିଲା କେତେ ସୁମିଷ୍ଟ ଅନ୍ନ ଓ ବ୍ୟଞ୍ଜନ। ସେଗୁଡ଼ିକୁ ସ୍ମରଣ କରି ସେମାନେ ଖୁସି ବ୍ୟକ୍ତ କରୁଥିଲେ ଓ ଯଥାଶୀଘ୍ର ବ୍ରତ ଉଦ୍‌ଯାପିତ ହୋଇଥିବାରୁ ନାଉରିକୁ ଧନ୍ୟବାଦ ଦେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିସ୍ମୟ ପ୍ରକାଶ କଲେ ଯେ ନାଉରି ଭାଷାରେ ସନ୍ନ୍ୟାସୀ ଉପବାସୀ ହେଲେ କେମିତି, ଯେହେତୁ ସେମାନଙ୍କ ହାତରୁ ଫଳମୂଳ ନେଇ ସେ ଖାଇଥିବା ଘଟଣାର ସେମାନେ ସାକ୍ଷୀ। ଏ ସମ୍ପର୍କରେ ନାଉରି ସେମାନଙ୍କୁ ଯାହା କହିଲା ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଲା, ”ଦେଖ, ତୁମ କଥାବାର୍ତ୍ତାରୁ ଜଣାପଡ଼ିଲା ତୁମେମାନେ କେହି ଉପବାସ କରି ନ ଥିଲ, କେବଳ ସୁମିଷ୍ଟ ଖାଦ୍ୟ ଖାଇବା ପାଇଁ ଉପବାସର ସମାପ୍ତି କରିବା ଲାଗି ବ୍ୟାକୁଳ ହେଉଥିଲ। ତୁମର ମନ ଥିଲା ଖାଦ୍ୟରେ, ବ୍ରତରେ ନୁହେଁ। ମାତ୍ର ସନ୍ନ୍ୟାସୀ ତୁମ ଭଳି ଛଳନା କରୁ ନ ଥିଲେ। ସେ ଖାଉଥିଲେ, ମାତ୍ର ଖାଦ୍ୟ ପ୍ରତି ତାଙ୍କର ଆସକ୍ତି ନ ଥିଲା। ସେ ଇନ୍ଦ୍ରିୟ ତୃପ୍ତି ପାଇଁ ଖାଉ ନ ଥିଲେ। ଈଶ୍ୱର ଚିନ୍ତନ କରିବା ନିମନ୍ତେ ବଞ୍ଚିରହିବା ପାଇଁ ଖାଦ୍ୟ ଗ୍ରହଣ କରୁଥିଲେ। ଖାଇବା ଥିଲା ତାଙ୍କର ଏକ ନିରାସକ୍ତ ସ୍ବାଭାବିକ କ୍ରିୟା। ଏଣୁ ସେ ଖାଉଥିଲେ ମଧ୍ୟ ପ୍ରକୃତ ଉପବାସୀ।“ ଖାଦ୍ୟ ଖାଇବା ସହ ଏହି ଶବ୍ଦର କୌଣସି ସମ୍ପର୍କ ନାହିଁ। ମନ ମଧ୍ୟରେ ଈଶ୍ୱରଙ୍କ ସାମିପ୍ୟ ଲାଭ କରିବା ହେଉଛି ଉପବାସର ମର୍ମ (ଉପ+ବସ୍‌+ଅ)।
ଗୀତାରେ ଅଛି, କଇଁଛ ନିଜର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ସବୁଆଡୁ ସଙ୍କୁଚିତ କଲାଭଳି ମଣିଷ ଯେତେବେଳେ ନିଜର ଇନ୍ଦ୍ରିୟଗୁଡ଼ିକୁ ବିଷୟଗୁଡ଼ିକରୁ ନିବୃତ୍ତ କରେ ସେ ହୁଏ ସ୍ଥିତପ୍ରଜ୍ଞ- ”ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେହିନଃ, ରସବର୍ଜଂ ରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ବା ନିବର୍ତ୍ତତେ।“ (୨/୫୯) ଏଠାରେ ବ୍ୟବହୃତ ନିରାହାର ଶବ୍ଦଟି ଉପବାସବାଚୀ ଅଟେ। ଯେଉଁମାନେ ଇନ୍ଦ୍ରିୟସମୂହକୁ ବିଷୟଗୁଡ଼ିକରୁ ନିବୃତ୍ତ କରିଥାନ୍ତି ସେମାନଙ୍କୁ ଏଠାରେ ନିରାହାର କୁହାଯାଇଛି। ଶ୍ଲୋକଟିର ଅର୍ଥ ହେଲା ନିରାହାର ମନୁଷ୍ୟର ବିଷୟ ନିବୃତ୍ତି ହୋଇଥାଏ ସତ, କିନ୍ତୁ ରସନିବୃତ୍ତି ହୋଇ ନ ଥାଏ। ମାତ୍ର ପରମାତ୍ମା ତତ୍ତ୍ୱ ଅନୁଭବ କଲେ ସ୍ଥିତପ୍ରଜ୍ଞ ମଣିଷର ରସ ମଧ୍ୟ ନିବୃତ୍ତ ହୋଇଯାଏ। ମଣିଷର ଅନ୍ତଃକରଣରେ ଭୋଗ ପ୍ରତି ଏକ ସୂକ୍ଷ୍ମ ଆକର୍ଷଣ ଓ ମଧୁର ଭାବ ଥାଏ। ତାକୁ କୁହାଯାଏ ରସ। ଜଣେ ରୋଗୀ ଯେତେବେଳେ ନିରାହାର ଥାଏ ସେ ଭାବୁଥାଏ ସେ ଶୀଘ୍ର ସୁସ୍ଥ ହୋଇଗଲେ ଓ ଶରୀରର ପୂର୍ବ ଶକ୍ତି ଫେରି ପାଇଲେ ପୁଣି ସୁମିଷ୍ଟ ଖାଦ୍ୟ ଖାଇପାରିବ। ଏହି ସୂକ୍ଷ୍ମ ଆକର୍ଷଣ ହେଉଛି ରସବୁଦ୍ଧି। ଅନେକ ସମୟରେ ବିଷୟରୁ ନିବୃତ୍ତ ହେଲେ ମଧ୍ୟ ସାଧକ ମନରୁ ଏହି ରସବୁଦ୍ଧି ନିବୃତ୍ତ ହୁଏ ନାହିଁ। ଏହି ରସବୁଦ୍ଧି ଥିବା ପର୍ଯ୍ୟନ୍ତ ପ୍ରକୃତି ଓ ତା’ର କାର୍ଯ୍ୟ ନିକଟରେ ପରାଧୀନତା ସ୍ବୀକାର କରିବାକୁ ପଡ଼େ। ଏଣୁ ଅନେକ ସମୟରେ ଲକ୍ଷ୍ୟ କରାଯାଏ କେହି କେହି ଆମିଷ ଭକ୍ଷଣ ତ୍ୟାଗ କରିଥିଲେ ମଧ୍ୟ ହଠାତ୍‌ ପୁଣି ଆମିଷ ପ୍ରତି ଆକର୍ଷିତ ହୋଇପଡ଼ନ୍ତି। କାରଣ ସେମାନେ ସେହି ରସବୁଦ୍ଧିରୁ ମୁକ୍ତ ହୋଇ ନ ଥାନ୍ତି।
ଭଗବାନ କହିଛନ୍ତି ଯେପରି ସମସ୍ତ ନଦୀର ଜଳ ଚତୁର୍ଦ୍ଦିଗରୁ ଜଳପରିପୂର୍ଣ୍ଣ ସମୁଦ୍ରରେ ମିଶେ, କିନ୍ତୁ ସମୁଦ୍ର ନିଜ ମର୍ଯ୍ୟାଦାରେ ଅଚଳ ରହେ। ସେହିପରି ସମସ୍ତ ଭୋଗ୍ୟ ପଦାର୍ଥ ମିଳି ମଧ୍ୟ ସଂଯମୀ ମନୁଷ୍ୟଠାରେ ତାହା କୌଣସି ବିକାର ସୃଷ୍ଟି କରିପାରନ୍ତି ନାହିଁ ଓ ସେ ମନୁଷ୍ୟ ହିଁ ପରମଶକ୍ତି ଲାଭ କରେ, ଭୋଗକାମୀ ନୁହେଁ। (୨/୭୦) ସୁତରାଂ ଉପବାସ କରିବା ବା ନିରାହାର ରହିବା ଅର୍ଥ ନିଜର ଇନ୍ଦ୍ରିୟଗୁଡ଼ିକୁ ବିଷୟରୁ ନିବୃତ୍ତ କରି ପରମାତ୍ମା ସମର୍ପିତ ହୋଇ ରସବୁଦ୍ଧିମୁକ୍ତ ହେବା। ଏହି ମର୍ମରେ ଏକ ପୌରାଣିକ ଉପାଖ୍ୟାନ ପ୍ରାସଙ୍ଗିକ ମନେହୁଏ। ଦିନେ ମହର୍ଷି ଦୁର୍ବାସାଙ୍କ ନିକଟକୁ ଭୋଜନ ପ୍ରସାଦ ନେଇ ଅରୁନ୍ଧତୀଙ୍କ ଯିବାର ଥିଲା। ଅରୁନ୍ଧତୀ ମହର୍ଷି ବଶିଷ୍ଠଙ୍କୁ ପଚାରିଲେ, ”ନଦୀ ପ୍ରବଳ ବେଗରେ କୂଳ ଲଂଘନ କରୁଛି। ଯିବି କିପରି? ବଶିଷ୍ଠ ଉତ୍ତର ଦେଲେ, ନଦୀ ପାଖକୁ ଯାଇ କୁହ ଯଦି ବଶିଷ୍ଠ ବ୍ରହ୍ମଚାରୀ ହୋଇଥିବେ ମୋତେ ରାସ୍ତା ଦିଅ। ଅରୁନ୍ଧତୀ ଦ୍ୱନ୍ଦ୍ୱରେ ପଡ଼ିଲେ କାରଣ ବଶିଷ୍ଠ ତ ବିବାହିତ, ସେ ବ୍ରହ୍ମଚାରୀ ହେଲେ କିପରି? ତଥାପି ସ୍ବାମୀଙ୍କ ଆଜ୍ଞା ପାଳନ କରି ସେପରି କହନ୍ତେ ନଦୀ ତାଙ୍କୁ ପଥ ଦେଲା। ଆଶ୍ଚର୍ଯ୍ୟ ହେଲେ ଅରୁନ୍ଧତୀ। ଦୁର୍ବାସା ଖାଇସାରିବା ପରେ ସେ ଯେତେବେଳେ ନିଜ ଆଶ୍ରମକୁ ଫେରିବା ପାଇଁ ଚାହିଁଲେ ଦେଖିଲେ ନଦୀ ପୁଣି ପ୍ରବଳ ବେଗରେ ବହୁଛି। ଦୁର୍ବାସା କହିଲେ, ”ତୁମେ ନଦୀକୁ କୁହ ଦୁର୍ବାସା ଯଦି ନିରାହାର ହୋଇଥିବେ ମୋତେ ରାସ୍ତା ଦିଅ। ପୁଣି ଦ୍ୱନ୍ଦ୍ୱରେ ପଡ଼ିଲେ ଅରୁନ୍ଧତୀ। କାରଣ ଦୁର୍ବାସା ଖାଦ୍ୟ ଗ୍ରହଣ କରିଥିବା ସେ ନିଜେ ଦେଖିଛନ୍ତି। ତଥାପି ଦୁର୍ବାସାଙ୍କ ଆଜ୍ଞା ପାଳନ କରନ୍ତେ ନଦୀ ତାଙ୍କୁ ପଥ ଦେଲା ଓ ସେ ଆଶ୍ରମକୁ ଫେରିଲେ। ତା’ପରେ ବଶିଷ୍ଠ ଅରୁନ୍ଧତୀଙ୍କ ସନ୍ଦେହ ମୋଚନ କରିବାକୁ ଯାଇ କହିଲେ, ଯାହାର ଚିତ୍ତ ବ୍ରହ୍ମଭାବରେ ସ୍ଥିତ ସେ ହିଁ ବ୍ରହ୍ମଚାରୀ ଓ ଯିଏ ଇନ୍ଦ୍ରିୟ ତୃପ୍ତି ପାଇଁ ଖାଦ୍ୟ ଗ୍ରହଣ ନ କରି ଈଶ୍ୱର ଚିନ୍ତନ ଲକ୍ଷ୍ୟରେ ବଞ୍ଚତ୍ରହିବା ପାଇଁ ଖାଦ୍ୟ ଗ୍ରହଣ କରେ ସେ ହିଁ ନିରାହାର ମଧ୍ୟରେ ଗଣ୍ୟ। ଏହା ହିଁ ହେଉଛି ଉପବାସର ମର୍ମ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼,
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?