ପାଠ୍ୟକ୍ରମରେ ପରିବର୍ତ୍ତନର ନିହିତାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ

କରୋନା ମହାମାରୀଜନିତ ସଙ୍କଟ ଯୋଗୁ ଆମ ଦେଶରେ ଚଳିତ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କ ସ୍ବାଭାବିକ ପାଠପଢ଼ା ଏଯାଏ ଆରମ୍ଭ ହୋଇପାରି ନାହିଁ। ଏଭଳି ଅନିଶ୍ଚିତତାକୁ ଦେଖି କେହି କେହି ଚଳିତ ବର୍ଷର ସମଗ୍ର ଶିକ୍ଷାବର୍ଷକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ମତ ଦେଇଥିବା ବେଳେ କେହି କେହି ପାଠ୍ୟକ୍ରମକୁ କିଛି ପରିମାଣରେ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଚଳିତବର୍ଷର ପାଠ୍ୟକ୍ରମରେ ୩୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି। ତେବେ ଯେଉଁଭଳି ତରବରିଆ ଭାବେ ବିଷୟଗୁଡ଼ିକୁ ବାଦ ଦିଆଯାଇଛି, ତା’ ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ତ ଦେଖାଯାଉନି ବରଂ ସରକାରୀ ଦଳର ରାଜନୈତିକ ବିଚାର ଅନୁଯାୟୀ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ୁଛି।
କରୋନା ସଙ୍କଟ ବାହାନାରେ ସିବିଏସ୍‌ଇ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ତା’ର ୨୦୨୦-୨୧ ବର୍ଷର ପାଠ୍ୟକ୍ରମରୁ ଯେଉଁ ବିଷୟଗୁଡ଼ିକୁ ହଟାଇ ଦେଇଛି ସେଥି ମଧ୍ୟରେ ଧର୍ମନିରପେକ୍ଷତା, ଜାତୀୟତାବାଦ, ଗଣତାନ୍ତ୍ରିକ ଆନ୍ଦୋଳନ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି। ଏହାର ଅର୍ଥ ହେଲା ଉପରୋକ୍ତ ବିଷୟଗୁଡ଼ିକୁ ଚଳିତବର୍ଷର ପାଠ୍ୟକ୍ରମରେ ପିଲାମାନେ ଆଉ ପଢ଼ିବେ ନାହିଁ। ଆସନ୍ତା ବର୍ଷେ ଦୁଇ ବର୍ଷ ମଧ୍ୟରେ ସାବାଳକ ହୋଇ ଦେଶର ଗଣତାନ୍ତ୍ରିକ ପ୍ର୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଯାଉଥିବା ପିଲାମାନଙ୍କୁ ଏସବୁ ପ୍ରସଙ୍ଗ ପଢ଼ିବାରୁ ବଞ୍ଚିତ କରିବା କୌଣସି ଆକସ୍ମିକ ଘଟଣା ନୁହେଁ ବରଂ ଏକ ଆଦର୍ଶଗତ ଉଦ୍ୟମର ଅଂଶବିଶେଷ ବୋଲି ସ୍ପଷ୍ଟ ମନେହୁଏ।
ନବମ ଶ୍ରେଣୀର ପାଠ୍ୟକ୍ରମର ସାମାଜିକ ବିଜ୍ଞାନ ପୁସ୍ତକରୁ ହଟାଇ ଦିଆଯାଇଥିବା ପାଞ୍ଚଟି ବିଷୟ ମଧ୍ୟରୁ ‘ଗଣତାନ୍ତ୍ରିକ ଅଧିକାର’ ଅନ୍ୟତମ ଥିବାବେଳେ ଏକାଦଶ ଶ୍ରେଣୀର ପାଠ୍ୟକ୍ରମରେ ରହିଥିବା ସଂଘୀୟ ଢାଞ୍ଚା, ନାଗରିକତା, ରାଜ୍ୟ ସରକାର, ରାଷ୍ଟ୍ରବାଦ ଆଦି ବିଷୟ ଆଉ ପିଲାମାନେ ପଢ଼ିବେ ନାହିଁ। ଏହା ବ୍ୟତୀତ କିଷାନ, ଜମିଦାର ଓ ରାଜ୍ୟ, ବିଭାଜନ, ବିଦ୍ରୋହ, ଖାଦ୍ୟ ସୁରକ୍ଷା ଆଦି ବିଷୟକୁ ମଧ୍ୟ ପାଠ୍ୟକ୍ରମରୁ ହଟେଇ ଦିଆଯାଇଛି। ଅର୍ଥନୀତି ବିଷୟରୁ ଭାରତର ଅର୍ଥବ୍ୟବସ୍ଥାର ପରିବର୍ତ୍ତିତ ସ୍ବରୂପ, ନୀତି ଆୟୋଗ, ଜିଏସ୍‌ଟି ଆଦି ବିଷୟକୁ ମଧ୍ୟ ବାଦ ଦିଆଯାଇଛି।
ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ପାଠ୍ୟକ୍ରମକୁ ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନର ବରିଷ୍ଠ ଶିକ୍ଷାବିଦ୍‌ଙ୍କୁ ନେଇ ଗଠିତ ବିଶେଷଜ୍ଞ କମିଟି ତିଆରି କରିଥିଲେ। ପିଲାମାନଙ୍କ ବୌଦ୍ଧିକ ବିକାଶ ତଥା ସମୟର ଆବଶ୍ୟକତାକୁ ଲକ୍ଷ୍ୟରେ ରଖି ବିଷୟଗୁଡ଼ିକୁ ଚୟନ କରାଯାଇଥିଲା। କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ବିଷୟଗୁଡ଼ିକୁ ପାଠ୍ୟକ୍ରମରୁ ବାଦ୍‌ ଦେଲାବେଳେ ନା ସେଭଳି କୌଣସି ବିଶେଷଜ୍ଞ କମିଟିର ପରାମର୍ଶ ନେଇଛନ୍ତି ନା ଏଥିପାଇଁ କୌଣସି ଯୁକ୍ତିସଙ୍ଗତ ମାପକାଠି ସ୍ଥିର କରିଛନ୍ତି? ବରଂ ଏକଚାଟିଆ ଭାବେ କ୍ଷମତାସୀନ ଦଳର ବିଚାରର ପରିପନ୍ଥୀ ରୂପେ ପରିଚିତ ବିଷୟଗୁଡ଼ିକୁ ହଟାଇ ଦେଇଛନ୍ତି। ସେହି କାରଣରୁ ବୋର୍ଡର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର କ୍ରିଷ୍ଣ କୁମାରଙ୍କ ସମେତ ଦେଶର ଅନେକ ପ୍ରମୁଖ ଶିକ୍ଷାବିତ୍‌ ବୋର୍ଡ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିର ତୀବ୍ର ବିରୋଧ କରିଛନ୍ତି।
ବୋର୍ଡ ପକ୍ଷରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅର୍ଥନୀତି ଓ ରାଜନୀତି ବିଜ୍ଞାନର ବିଷୟଗୁଡ଼ିକରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ସଂଘବାଦ, ନାଗରିକତା, ରାଷ୍ଟ୍ରବାଦ ଓ ଧର୍ମନିରପେକ୍ଷତା ଆଦି ବିଷୟଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ହଟେଇ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ (Local Government) ଅଧ୍ୟାୟରୁ ‘ଆମେ କାହିଁକି ସ୍ଥାନୀୟ ପ୍ରଶାସନ ଆବଶ୍ୟକ କରୁ?’ (Why do we need Local Governments?) ଏବଂ ‘ଭାରତରେ ସ୍ଥାନୀୟ ପ୍ରଶାସନର ବିକାଶ’ (Growth of Local Government in India) ପରି ଦୁଇଟି ୟୁନିଟ୍‌କୁ ହଟାଇ ଦିଆଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ‘ସମସାମୟିକ ବିଶ୍ୱରେ ନିରାପତ୍ତା’ (Security in the Contemporary World), ପରିବେଶ ଓ ପ୍ରାକୃତିକ ସମ୍ପଦ (Environment and Natural Resources), ‘ଭାରତରେ ସାମାଜିକ, ନୂଆ ସାମାଜିକ ଆନ୍ଦୋଳନ’ (Social, New Social Movements in India), ‘ଆଞ୍ଚଳିତ ଆକାଂକ୍ଷା’ (Regional Aspirations) ଆଦି ବିଷୟ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଥିବା ବେଳେ ‘ଯୋଜନାବଦ୍ଧ ବିକାଶ’ (Planned Development)ରୁ ‘ଭାରତର ଅର୍ଥନୈତିକ ବିକାଶର ପରିବର୍ତ୍ତିତ ରୂପ’ (changing nature of India’s economic development) ଏବଂ ‘ଯୋଜନା କମିଶନ ଏବଂ ପଞ୍ଚବାର୍ଷିକ ଯୋଜନା’ (Planning Commission and Five Year Plans) ୟୁନିଟ୍‌କୁ ହଟାଇ ଦିଆଯାଇଛି।
ସେହିପରି ଭାରତର ପଡ଼ୋଶୀ ଦେଶ ଅର୍ଥାତ୍‌ ପାକିସ୍ତାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଓ ମ୍ୟାନ୍‌ମାର୍‌ ଆଦି ଦେଶ ସହ ସମ୍ପର୍କ ଉପରେ ଥିବା ବିଷୟଗୁଡ଼ିକୁ ହଟେଇ ଦିଆଯାଇଛି। ନବମ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗଣତାନ୍ତ୍ରିକ ଅଧିକାର (Democratic Rights) ଏବଂ ଭାରତର ସମ୍ବିଧାନର ଢାଞ୍ଚା (Structure of the Indian Constitution) ପରି ଅଧ୍ୟାୟଗୁଡ଼ିକୁ ହଟେଇ ଦିଆଯାଇଥିବା ବେଳେ ସେହି ଶ୍ରେଣୀର ଅର୍ଥନୀତି ପାଠ୍ୟକ୍ରମରୁ ଖାଦ୍ୟ ନିରାପତ୍ତା (Food Security in India) ବିଷୟକୁ ବି ହଟାଇ ଦିଆଯାଇଛି। ସେହିଭଳି ଦଶମ ଶ୍ରେଣୀର ପାଠ୍ୟକ୍ରମରୁ ‘ଗଣତନ୍ତ୍ର ଏବଂ ବିବିଧତା’ (Democracy and Diversity), ‘ଜାତି, ଧର୍ମ ଏବଂ ଲିଙ୍ଗ’ (Caste, Religion and Gender) ଏବଂ ‘ଗଣତନ୍ତ୍ର ପାଇଁ ଆହ୍ବାନ’ (Challenges to Democracy) ଆଦି ଅଧ୍ୟାୟ ବାଦ ପଡ଼ିଯାଇଛି।
ତେବେ ପାଠ୍ୟକ୍ରମରୁ ଉପରୋକ୍ତ ଅଧ୍ୟାୟଗୁଡ଼ିକୁ ହଟେଇ ଦେଇ ବୋର୍ଡ଼ କର୍ତ୍ତୃପକ୍ଷ ପିଲାମାନଙ୍କୁ ସେସବୁ ବିଷୟରେ ପଢ଼ିବାର ଓ ବୁଝିବାର ଅଧିକାରକୁ ଛଡ଼େଇ ନେଇଛନ୍ତି ବୋଲି କୁହାଯାଇପାରେ। ଏହାବାଦ ଯେଉଁସବୁ ଅଧ୍ୟାୟଗୁଡ଼ିକୁ ହଟେଇବାର ଉଦ୍ୟମ କରିଛନ୍ତି ସେଥିରେ ଅନ୍ତଃବିରୋଧ ରହିଛି। ସଂଘୀୟବାଦ ଅଧ୍ୟାୟକୁ ବାଦ ଦେଇ ପିଲାଙ୍କୁ ସମ୍ବିଧାନ ପଢ଼ାଇବା କିପରି ସମ୍ଭବ? ସେହିପରି ସାମାଜିକ ସଂସ୍କାର ଆନ୍ଦୋଳନକୁ ହଟେଇ ଇତିହାସ କିପରି ପଢ଼ାହେବ? କାରଣ, ସାମାଜିକ ଆନ୍ଦୋଳନରୁ ହିଁ ତ ଇତିହାସର ସୃଷ୍ଟି। ଏଭଳି କରିବା ଦ୍ୱାରା ପିଲାମାନେ ସମ୍ପୂର୍ଣ୍ଣ ବିଷୟଟିକୁ ପଢ଼ିବାରେ ତଥା ବୁଝିବାରେ ସମସ୍ୟା ହେବ ଏବଂ ପିଲାଙ୍କ ମଧ୍ୟରେ ଯାନ୍ତ୍ରିକ ଭାବେ ପଢ଼ିବା ଓ ଘୋଷିବାର ପ୍ରବୃତ୍ତି ହିଁ ଦେଖାଯିବ। ସରକାରଙ୍କ ଆଭିମୁଖ୍ୟରୁ ଗୋଟିଏ କଥା ଜଣାପଡ଼ୁଛି ଯେ ଆମେ ପିଲାଙ୍କ ବୌଦ୍ଧିକ ବିକାଶ ନୁହେଁ ବରଂ ପରୀକ୍ଷା କୈନ୍ଦ୍ରିକ ପାଠ୍ୟକ୍ରମ ଲାଗୁ କରିବାକୁ ଚାହୁଁଛେ।
ଆଉ ଗୋଟିଏ କଥା ହେଲା, ଯେକୌଣସି ପାଠ୍ୟକୁ ପଢ଼ାଇବା ପଛରେ ଗୋଟିଏ ଯୁକ୍ତି ଥାଏ। ତେଣୁ କୌଣସି ବିଷୟରେ ସାମଗ୍ରିକ ପରିବର୍ତ୍ତେ ଖଣ୍ଡିତ ବା ଆଂଶିକ ଶିକ୍ଷାଦାନ ଅତ୍ୟନ୍ତ ଅଯୌକ୍ତିକ ମନେହୁଏ। ସମାଜରେ ରହିଥିବା ବିବିଧତାର ବିଚାର ଉପରେ ଆଧାରିତ କେତେକ ଅଧ୍ୟାୟକୁ ହଟେଇ ଦିଆଯାଇଛି। ଯେପରି କି ଜାତି, ଧର୍ମ, ଲିଙ୍ଗ ଆଦି ବିବିଧତା ଉପରେ ଥିବା ବିଷୟକୁ ହଟେଇ ଦିଆଗଲା। ବର୍ତ୍ତମାନ ସମୟରେ ଏସବୁ ପ୍ରସଙ୍ଗକୁ ପିଲାମାନେ ପଢ଼ିବା ଓ ଜାଣିବା ନିହାତି ଦରକାର। କାରଣ ଏହା ଆମ ଗଣତନ୍ତ୍ରର ଅନ୍ତଃସାର ଏବଂ ଏସବୁ ଉପରେ ଉଚିତ ଜ୍ଞାନ ବା ଧାରଣାର ଅଭାବ ହିଁ ସମାଜରେ ଅନେକ ହିଂସାର କାରଣ ହୋଇଥାଏ। ସମାଜରେ ମହିଳାଙ୍କ ବିରୋଧରେ ହିଂସା ବଢ଼ୁଥିବା ବେଳେ ଲିଙ୍ଗ ସମାନତା ସମ୍ପର୍କରେ ପଢ଼ିବାରୁ ପିଲାଙ୍କୁ ବଞ୍ଚିତ କରିବା ହାସ୍ୟାସ୍ପଦ ମନେହୁଏ। ବରଂ ବିବିଧତା ଉପରେ ରହିଥିବା ପ୍ରସଙ୍ଗଗୁଡ଼ିକୁ ହଟାଇଦେଇ ସରକାର ଏସବୁ ପ୍ରସଙ୍ଗରେ ସମାଜରେ ଥିବା ଭୁଲ ଧାରଣାକୁ ବଳବତ୍ତର ରଖିବା ସହ ସମ୍ବିଧାନର ଧାରଣାକୁ ବିକୃତ କରି ପିଲାଙ୍କ ଆଗରେ ଉପସ୍ଥାପିତ କରିବାକୁ ଚାହୁଁଛନ୍ତି।
ସରକାର ପିଲାଙ୍କ ଉପରେ ପାଠ୍ୟକ୍ରମର ବୋଝକୁ କମ୍‌ କରିବା ପାଇଁ ଏପରି କରିଛନ୍ତି ବୋଲି ଯୁକ୍ତି ଦର୍ଶାଇଛନ୍ତି। ପାଠ୍ୟକ୍ରମର ବୋଝକୁ କମେଇବାର ଆହୁରି ଅନେକ ତରିକା ରହିଥିଲା। ଗୋଟିଏ ପୁସ୍ତକକୁ ପାଠ୍ୟକ୍ରମରେ ରଖି ପଢ଼ାଯାଇପାରେ ଏବଂ ଅନ୍ୟକୁ ପିଲାମାନେ ଇଚ୍ଛାଧୀନ ଭାବେ ପଢ଼ିପାରିବେ ବୋଲି ବି କୁହାଯାଇପାରେ। କିନ୍ତୁ ତାକୁ ସମ୍ପୂର୍ଣ୍ଣ ରୂପେ ପାଠ୍ୟକ୍ରମରୁ ହଟେଇ ପିଲାଙ୍କୁ ବଞ୍ଚିତ କରିବା ପଛରେ କିଛି ଉଦ୍ଦେଶ୍ୟ ଥିବା ଭଳି ମନେହୁଏ।
ମୋ- ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri