ଗଣତନ୍ତ୍ରର ରକ୍ଷାକବଚ

ରବିନାରାୟଣ ସାମଲ

ପଞ୍ଚାୟତ ନିର୍ବାଚନ ହେଲା। ମାସାଧିକ କାଳ ଭୋଟ-ରାଜନୀତିକୁ ନେଇ ଗଁା ଗଣ୍ଡା ଉଠିଲା ପଡ଼ିଲା। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବୈରଭାବରେ ଆକ୍ରାନ୍ତ ହେଲା। ଠାଏ ଠାଏ ହିଂସାକାଣ୍ଡ ଘଟି ଧନଜୀବନ ବି ନଷ୍ଟ ହେଲା। ଗଁା ପରିବେଶ ଏକରକମ ଅଶାନ୍ତ ହୋଇ ପଡ଼ିଲା। ପ୍ରତିନିଧିମାନେ ନିର୍ବାଚିତ ହେଲେ। କିଏ ଭୋଟ ଦେଲା, କିଏ ନ ଦେଲା ତାକୁ ନେଇ ତର୍ଜମା ଚାଲିଲା। କଥା ଦେଇ ଯିଏ ଭୋଟ ନ ଦେଲା, ପରାଜିତ ପ୍ରାର୍ଥୀ ତା’ ଉପରେ ରାଗ ଶୁଝାଇଲେ। ପଞ୍ଚାୟତ ସମିତି ଚେୟାରମ୍ୟାନ ପଦ ପାଇଁ ସମିତି ସଭ୍ୟଙ୍କୁ ଅଜ୍ଞାତବାସରେ ରଖାଯାଇ ଘୋଡ଼ା ବେପାର ଚାଲିଲା।
ମତଦାନକୁ କେନ୍ଦ୍ର କରି ବାଲଟଚିରା, ବୁଥ୍‌ ଜବରଦଖଲ, ଭୋଟବାକ୍ସ ଲୁଟ୍‌, ସାମ୍ବାଦିକ, ପୋଲିସ, ପୋଲିଂ କର୍ମଚାରୀ ଏବଂ ଏପରିକି ନିର୍ବାଚନ ଅଧିକାରୀଙ୍କ ଉପରେ ଆକ୍ରମଣ ହେଲା। କେତେକ ସ୍ଥାନରେ ଗୋଷ୍ଠୀସଂଘର୍ଷ ହୋଇ ସାଧାରଣ ଲୋକେ ମୃତାହତ ହେଲେ। ଭୋଟରମାନଙ୍କୁ ଟଙ୍କାପଇସା ଓ ଶାଢ଼ି, ସାଲ୍‌ ବାଣ୍ଟିବା ସହିତ ମଦ-ମାଂସର ଭୋଜି ବି କରାଗଲା। ‘ସ୍ବଚ୍ଛ-ଅବାଧ-ନିରପେକ୍ଷ ନିର୍ବାଚନ’ ପୋଥି ବାଇଗଣ ହୋଇ ରହିଗଲା। ସେପଟେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଆଗଲା। ଉତ୍ତରପ୍ରଦେଶରେ ବାଳିକାମାନଙ୍କୁ ସ୍କୁଟି, ଛାତ୍ରୀଛାତ୍ରଙ୍କୁ ସ୍ମାର୍ଟ ଫୋନ୍‌ , ପ୍ରତି ପରିବାରକୁ ମାଗଣା ସିଲିଣ୍ଡର୍‌, କୃଷକମାନଙ୍କୁ ମାଗଣା ବିଜୁଳି ଦେବାକୁ ଭାଜପା ପ୍ରତିଶ୍ରୁତି ଦେଲା। ଅଟୋରିକ୍ସା ଚାଳକଙ୍କୁ ମାସିକ ୩ ଲିଟର ଓ ବାଇକ୍‌ ବ୍ୟବହାରକାରୀଙ୍କୁ ୧ ଲିଟର ପେଟ୍ରୋଲ, ଗରିବ ଲୋକଙ୍କୁ ୫ ବର୍ଷ ପାଇଁ ମାଗଣା ରାଶନ ଦେବାକୁ ସମାଜବାଦୀ ପାର୍ଟି ଘୋଷଣା କଲା। ଭୋଟରମାନଙ୍କୁ ବାଣ୍ଟିବାକୁ ଯାଉଥିବା ବେଳେ ବିପୁଳ ପରିମାଣରେ ମଦ ଓ କୋଟି କୋଟି ଟଙ୍କା ଜବତ ହେଲା।
ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କୁ ପ୍ରଲୋଭନ ଦେଖାଇବା ଯଦିଓ ଅଗ୍ରହଣୀୟ, ତଥାପି ଆମ ଦେଶରେ ଏହା ଏକ ପରମ୍ପରାରେ ପରିଣତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ଏସବୁ ପ୍ରଲୋଭନ ବି ସ୍ଥାନ ପାଉଛି। ଅତୀତରେ ‘ଗରିବି ହଟାଓ’ , ‘ବିଜୁଳି-ସଡ଼କ-ପାଣି’ ଓ ‘ବର୍ଷକୁ ଦୁଇ କୋଟି ବେକାରଙ୍କୁ ନିଯୁକ୍ତି’ ପରି ଆକର୍ଷଣୀୟ ସ୍ଲୋଗାନ ନିର୍ବାଚନ ବେଳେ ବି ଦିଆଯାଇଛି। ଟିଭି, ଲାପ୍‌ଟପ୍‌, ମଙ୍ଗଳସୂତ୍ର ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ତାମିଲନାଡ଼ୁ ବିଧାନସଭା ନିର୍ବାଚନ ବେଳେ ଜଣେ ପ୍ରାର୍ଥୀ ନିର୍ବାଚିତ ହେଲେ ଭୋଟରମାନଙ୍କୁ ଚନ୍ଦ୍ରପୃ୍‌ଷ୍ଠକୁ ମାଗଣା ବୁଲାଇ ନେବାକୁ ସ୍ପର୍ଦ୍ଧା ବି ଦେଖାଇଥିଲେ।
ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା ଏ ଦୁଇଟି ଏକା କଥା ନୁହେଁ। ପ୍ରତିବଦ୍ଧତା ନ ଥିଲେ ପ୍ରତିଶ୍ରୁତି ଖାଲି ପାଣିର ଗାର ପରି ମିଳେଇ ଯାଏ। ଦୀର୍ଘ ୭୫ ବର୍ଷ ଭିତରେ ଆମେ ଅନେକ ପ୍ରତିଶ୍ରୁତି ପାଇଛୁ। ଅଥଚ ପ୍ରତିବଦ୍ଧତା ଅଭାବରୁ ଜନଗଣଙ୍କ ମୌଳିକ ସମସ୍ୟା ଏ ଯାବତ୍‌ ସମାଧାନ ହୋଇପାରି ନାହିଁ। ତା’ ସତ୍ତ୍ୱେ ନିର୍ବାଚନ ଆସିଲେ ପୁଣି ପ୍ରତିଶ୍ରୁତିର ପେଡ଼ି ଧରି ରାଜନୈତିକ ଦଳମାନେ ଚାଲିଆସନ୍ତି। ନିର୍ବାଚନ ସରିଗଲେ କାଶିଆ କିଏ ନା କପିଳା କିଏ।
ଆମ ଭିତରୁ ଶତକଡ଼ା ପାଞ୍ଚ ଭାଗ ଲୋକ ରାଜନୈତିକ ଭାବେ ସଚେତନ ବୋଲି ପଶ୍ଚିମବଙ୍ଗର ଏକ ସଂସ୍ଥା ସର୍ବେକ୍ଷଣ କରି ତା’ର ରିପୋର୍ଟରେ ଦର୍ଶାଇଥିଲା। କିନ୍ତୁ ନିଜ ଚତୁଃପାର୍ଶ୍ୱରେ ଥରେ ଆଖି ବୁଲାଇ ଆଣିଲେ ଏହି ସଚେତନତା ହାର ଶହକେ ପାଞ୍ଚ ନ ହୋଇ ହଜାରରେ ପ୍ରାୟ ପାଞ୍ଚ ହେବ! ନଚେତ ରାଜନୈତିକ ଦଳମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟରମାନଙ୍କୁ କ’ଣ ଭୁଲାଇ ପାରନ୍ତେ?
ନିର୍ବାଚନ ବେଳେ ଭୋଟରମାନଙ୍କୁ ଦେଖାଯାଉଥିବା ପ୍ରଲୋଭନ ଲୋକପ୍ରତିନିଧି ଆଇନ-୧୯୫୧ର ଧାରା ୧୨୩(୧) (ଖ)ର ବିରୁଦ୍ଧାଚରଣ କରୁଛି ବୋଲି ଦର୍ଶାଇ ଏହା ବନ୍ଦ କରିବାକୁ ଇତିମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ କ’ଣ ରାୟ ଦେବେ ଏବଂ ତାହା କେତେ ଦୂର କାର୍ଯ୍ୟକାରୀ ହେବ ତାହା ପରର କଥା। କିନ୍ତୁ ଏହା ନିର୍ଦ୍ୱନ୍ଦ୍ୱରେ କୁହାଯାଇ ପାରିବ ଯେ ଜନସାଧାରଣଙ୍କର ରାଜନୈତିକ ଅସଚେତନତାର ସୁଯୋଗ ନେଇ ବିଭିନ୍ନ ରାଜନୈତିକ ଦଳ ମିଥ୍ୟା ପ୍ରଲୋଭନ ଦେଖାଉଛନ୍ତି ଏବଂ ଅଜ୍ଞତାବଶତଃ ବିଚରା ଭୋଟର ଭକୁଆ ହୋଇ ଭୋଟ ଖଣ୍ଡେ ବାଡ଼େଇ ଦେଉଛି। ପ୍ରତିଶ୍ରୁତି ପାଳନ ନ କଲେ କିମ୍ବା ପ୍ରକାଶିତ ନିର୍ବାଚନୀ ଇସ୍ତାହାର ଅନୁଯାୟୀ କାର୍ଯ୍ୟ ନ କଲେ ସେହି ଦଳ ବା ପ୍ରାର୍ଥୀ ପ୍ରତି ଶାସ୍ତି ବିଧାନର କୌଣସି ବ୍ୟବସ୍ଥା ଆମ ଲୋକପ୍ରତିନିଧି ଆଇନରେ ନାହିଁ। ଦାଗୀ ରାଜନେତାଙ୍କୁ ପ୍ରତିନିଧି ହେବାରୁ ବଞ୍ଚିତ କରିବାକୁ ଆଇନ ପ୍ରଣୟନ ନିମିତ୍ତ ପ୍ରସ୍ତାବ ଦୀର୍ଘଦିନ ହେଲା ସଂସଦରୁ ଅଦାଲତ ଏପଟ ସେପଟ ହେଉଛି। ସେହିପରି ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଦିଆଯାଉଥିବା ପ୍ରତିଶ୍ରୁତି ସମ୍ପର୍କିତ ମାମଲା ଯେ କିଛି ଚମତ୍କାରିତା ଦେଖାଇବ, ଏଥିରୁ ଜଣାପଡ଼ୁ ନାହିଁ। ଯେଉଁମାନେ ଆଇନ ପ୍ରଣୟନ କରିବେ ସେମାନେ ଯଦି ନ ଚାହିଁବେ ତେବେ ପ୍ରସ୍ତାବଟି ଆଲୋଚନା-ପର୍ଯ୍ୟାଲୋଚନା ଓ ସମାଲୋଚନା ଭିତରେ ହିଁ ରହିଯିବ।
ନିର୍ବାଚନ ହେଉଛି ଗଣତନ୍ତ୍ରର ଏକ ଅବିଚ୍ଛିନ୍ନ ଅଙ୍ଗ। ମୁକ୍ତ ଏବଂ ଅବାଧ ନିର୍ବାଚନ ଏହି ଅଙ୍ଗଟିକୁ କ୍ରିୟାଶୀଳ କରିଥାଏ। ଯେଉଁଠି ମୁକ୍ତ ଓ ଅବାଧ ନିର୍ବାଚନ ନାହିଁ, ସେଠି ଗଣତନ୍ତ୍ର ବିପନ୍ନ ବୋଲି ଧରିନେବାକୁ ହେବ। ପଞ୍ଚାୟତଠାରୁ ପାର୍ଲାମେଣ୍ଟ ଯାଏ ଯେଉଁ ଧରଣର ନିର୍ବାଚନ ହେଉଛି ଏବଂ ପ୍ରତିନିଧିମାନେ ବିଜୟ ମୁକୁଟ ପିନ୍ଧି ଦେଶର ରାଜକୋଷକୁ ହରିଲୁଟ କରୁଛନ୍ତି, ସେଥି ଲାଗି ଦୀର୍ଘ ସାତ ଦଶନ୍ଧି ପରେ ବି ଦେଶର ବିକାଶ ଆଶାନୁରୂପ ହୋଇପାରି ନାହିଁ। ସାଧାରଣ ଲୋକେ ରାଜନୈତିକ ଭାବେ ସଚେତନ ନ ହେଲେ, ସରକାରଙ୍କର ନୀତି-ଅନୀତିର ଠିକ୍‌ ବିଶ୍ଳେଷଣ କରି ନ ପାରିଲେ ନିର୍ବାଚନ ମୁକ୍ତ-ଅବାଧ ହୋଇ ପାରିବ ନାହିଁ। ଚିରାଚରିତ ପ୍ରଥାରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଆସୁଥିବ, ଆମ୍ଭେମାନେ କିଛି ନ ଜାଣି, ନ ଶୁଣି ଅନ୍ଧଙ୍କ ଭଳି ଭୋଟ ଦେଉଥିବା ଏବଂ ତଥାକଥିତ ‘ଗଣତନ୍ତ୍ରର ମହାପର୍ବ’ର ଜୟ-ଜୟକାରରେ ଗଗନ-ପବନ ପ୍ରକମ୍ପିତ କରୁଥିବା।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?