ଦେଶର ଊର୍ଦ୍ଧ୍ୱରେ ପାର୍ଟି

ସହଦେବ ସାହୁ

ସର୍ଭିସ୍‌ ଏବଭ୍‌ ସେଲ୍ଫ୍‌’ କେବଳ ଏକ ନୀତିବାକ୍ୟ ନୁହେଁ, ପୃଥିବୀର ଚାରିଆଡ଼େ ଏ ଏକ ଆଚରଣ ବିଧି ରୂପେ ଗଣାଯାଉଛି।ସେବାରେ ବ୍ୟକ୍ତି ନିଜକୁ ଉତ୍ସର୍ଗ କରିବା କଥା।ମୁଁ ଏକ ବ୍ୟକ୍ତି, ସେବା ଯୋଗାଇବାରେ ମୁଁ ନିଜକୁ ଭୁଲିଯିବା କଥା।ସମସ୍ତେ କହୁଛନ୍ତି ରାଜନୀତିରେ ପଶିଲେ ସେବା କରିବାର ସୁଯୋଗ ମିଳେ। ପ୍ରକୃତରେ ରାଜନୈତିକ ନେତା ସେବା ଯୋଗାଇବାରେ ନିଜକୁ ଉତ୍ସର୍ଗ କରୁଛନ୍ତି କି, ସେମାନେ ନିଜର ବିବେକ ଲଗାଉଛନ୍ତି କି? କାର୍ଯ୍ୟକ୍ଷେତ୍ରରେ ସେମାନେ ଯେଉଁ ନୀତି ଗ୍ରହଣ କରୁଛନ୍ତି, ତାହା ‘ସେଲ୍ଫ୍‌ ଏବଭ୍‌ ସର୍ଭିସ୍‌’, ମୁଁ ଆଗ, ସେବା ପଛ: କେବଳ ସେତିକି ନୁହେଁ, ବର୍ତ୍ତମାନର ନୀତିବାକ୍ୟ ୩ଟି ସ୍ତରରେ ହେଉଛି- (୧) ସେଲ୍ଫ୍‌ ଏବଭ୍‌ ସର୍ଭିସ୍‌, (୨) ପାର୍ଟି ଏବଭ୍‌ ସେଲ୍ଫ୍‌ ଓ (୩) ପାର୍ଟି ଏବଭ୍‌ କଣ୍ଟ୍ରି। ତେଣୁ ପାର୍ଟିର ମୁଖ୍ୟ ସରକାରଙ୍କୁ ନିୟନ୍ତ୍ରଣ କରିବେ।ଯାହା ପାର୍ଟିର ମୁଖ୍ୟ କହିବେ ବା ଇଙ୍ଗିତ ଦେବେ, ତାହା ଦେଶ (ଏବଂ ରାଜ୍ୟ) ପାଇଁ ନୀତି ଓ ନୈତିକତା।ଏମ୍‌ଏଲ୍‌ଏ ଓ ଏମ୍‌ପିମାନେ ତ ଦଳ-ପ୍ରତିନିଧି, ଲୋକେ ତ ସେମାନଙ୍କୁ ବାଛୁନାହାନ୍ତି, ଦଳ ବାଛିଥିବା ଲୋକ ପାଖରେ ଦଳର ସଂକେତ ଉପରେ (ପ୍ରାର୍ଥୀର ନଁା ଉପରେ ନୁହେଁ) ଭୋଟର ରବର ଷ୍ଟାମ୍ପ ମାରୁଛି।ତେଣୁ ଗୋଟିଏ କାଠଗଡ଼ ବି ଦଳ(ଲୋକ) ପ୍ରତିନିଧି ହୋଇପାରେ।ସେ ପୁଣି ଆଇନ କି ଜିନିଷ ବୁଝିବ କି? ଦଳର ଛାଟ (ହୁଇପ୍‌) ଅନୁଯାୟୀ ଭୋଟ ନ ଦେଲେ ତାକୁ ମୁଖିଆ ବାଚସ୍ପତିଙ୍କୁ ଅନୁରୋଧ କରି ଦଳରୁ ବାହାର କରିଦେବେ। ସେତେବେଳେ ସେ ଆଉ ଗୃହର ସଦସ୍ୟ ରହିପାରିବ ନାହିଁ, ତେଣୁ ଲୋକପ୍ରତିନିଧି ବି ରହିବ ନାହିଁ।ସେ ଭଳି ଲୋକେ ଯେଉଁ ଆଇନ ପାସ୍‌ କରିବେ, ସେସବୁରେ ପାର୍ଟିର ଛାପ ରହିବ, ଦେଶର ଆବଶ୍ୟକତା ଗୌଣ ହେବ।ତେଣୁ ରାଜକୋଷ ଦଳକୋଷ ହୋଇଯାଏ।
ଏବେ କେରଳର ରାଜ୍ୟପାଳ ଏକ ପ୍ରଶ୍ନ ଉଠାଇଛନ୍ତି, ଯାହା ଏହା ହିଁ ସୂଚାଉଛି।କେରଳ ସରକାର (ଅର୍ଥାତ୍‌ ଶାସକ ଦଳ, ଦିନେ ବିରୋଧୀ ଦଳ ବି ତ ଶାସକ ଦଳ ହୁଅନ୍ତି) ଆଇନ କରିଛନ୍ତି ଯେ, ପାର୍ଟି କ୍ୟାଡରର ଲୋକେ ମନ୍ତ୍ରୀଙ୍କ ପର୍ସନାଲ ଷ୍ଟାଫ୍‌ ଭାବେ ସରକାରୀ ଚାକିରିଆ ଭାବେ ଗଣାହେବେ; ଏକାଦିକ୍ରମେ ୩ ବର୍ଷ ଚାକିରି କରିଥିଲେ ଅବସରକାଳୀନ ଭତ୍ତା (ପେନ୍‌ସନ୍‌) ପାଇବେ, ସେମାନଙ୍କ ମୃତ୍ୟୁ ପରେ ପରିବାର ବି ପେନ୍‌ସନ ପାଇବ। ଦଳର ଲୋକଙ୍କୁ ଷ୍ଟାଚୁଟରି ପେନ୍‌ସନ ଦେବା ମାନେ ରାଜକୋଷ ବା ପବ୍ଲିକ୍‌ ମନି ବ୍ୟବହାର କରିବା, ଦଳର ପାଣ୍ଠିରୁ ନୁହେଁ।ପାର୍ଟି କ୍ୟାଡର୍‌କୁ ପୁରସ୍କାର ଦେବ ବୋଲି କ’ଣ ଜନସାଧାରଣଙ୍କ ପଇସାରେ ଅବସରକାଳୀନ ଭତ୍ତା ଦେବ? କେରଳରେ ଏମିତି ବହୁ ବର୍ଷ ହେଲାଣି ତ ଅନ୍ୟ ରାଜ୍ୟରେ ଓ କେନ୍ଦ୍ରରେ କାହିଁକି ଦିନେ ନ ହେବ? ଏମ୍‌ଏଲ୍‌ଏ ବା ଏମ୍‌ପି ମାସେ ଦି’ ମାସ ପରେ ଉଭାନ୍‌ ହେଉଥିବା ବିଧାନସଭା ବା ସଂସଦରେ ସଭ୍ୟ ହୋଇଥିବେ ତ ପେନ୍‌ସନ୍‌ ପାଇବେ।ବିଧାୟକ ବା ସାଂସଦ ହେଉଛନ୍ତି ଲେଜିସ୍‌ଲେଚର୍‌, ଦେଶର ଶାସନ ପାଇଁ ଆଇନ ତିଆରି କରିବେ, ତା’ ମାନେ ନୁହେଁ ଯେ ନିଜ ଦଳ ଓ ନିଜ ପାଇଁ ସବୁ ସୁବିଧା ମିଳିବାର ଆଇନ କରିନେବେ? ସେମାନେ ନିଜକୁ ସୁପରସିଟିଜେନ୍‌, ଅନ୍ୟ ସମସ୍ତେ ପାରିହା (ଲାତ ଖାଇବା ଲୋକ) ବୋଲି ଭାବିନେଲେଣି।ଥରେ ୫ ବର୍ଷ ପାଇଁ ଏମ୍‌ପି ବା ଏମ୍‌ଏଲ୍‌ଏ ହୋଇଗଲେ ପେନ୍‌ସନ୍‌ ଓ ଫାମିଲି ପେନ୍‌ସନ୍‌ ପାଇବେ, ମାତ୍ର ୫ ବର୍ଷ! ଏବେ କେରଳରେ ସେମାନେ ଆଇନ କରିନେଇଛନ୍ତି ଯେ ମନ୍ତ୍ରୀ, ସ୍ପିକର୍‌, ଚିଫ୍‌ ହୁଇପ୍‌ ନିଜର ଷ୍ଟାଫ୍‌କୁ ସରକାରୀ କର୍ମଚାରୀ କରାଇପାରିବେ।ତା’ ମାନେ ପାର୍ଟି-କାମ କରୁଥିବା ଲୋକଙ୍କୁ ରାଜକୋଷରୁ ପୁରସ୍କାର ଦିଆଯିବ। କେରଳ ଗଭର୍ନର ଅରିଫ୍‌ ମହମ୍ମଦ ଖାଁ ପ୍ରଶ୍ନ ଉଠାଇଛନ୍ତି: ଜନସାଧାରଣଙ୍କ ପଇସାରେ ପାର୍ଟି କ୍ୟାଡରକୁ ଦରମା ଦେବା କଥା କି? ଶାସକ ଦଳ ବଦଳୁଥିଲେ ବି ଥରେ ମନ୍ତ୍ରୀ ନିଯୁକ୍ତ କରିଦେଲେ ପର୍ସନାଲ୍‌ ଷ୍ଟାଫ୍‌ ସରକାରୀ କର୍ମଚାରୀ ହୋଇଯିବେ।ବ୍ୟକ୍ତିଗତ ସେବା କରୁଥିବା କର୍ମଚାରୀ ସାମୟିକ (ଟେମ୍ପରାରି), ସେମାନଙ୍କୁ ସରକାରୀ ବିଭାଗରୁ ନିଆଯିବା କଥା, ଯେମିତି ପ୍ରାଇଭେଟ୍‌ ସେକ୍ରେଟାରି, ଡ୍ରାଇଭର୍‌, ପିଅନ ଆଦି ଡିପାର୍ଟମେଣ୍ଟରୁ ଅଣାଯାଆନ୍ତି।ଆମ ରାଜ୍ୟରେ ଏମ୍‌ଏଲ୍‌ଏ ଓ ଏମ୍‌ପିମାନେ ନିଜ ଦଳର କର୍ମୀଙ୍କୁ ଏଭଳି ଚାକିରି ଦେଇଥା’ନ୍ତି, ସେହି ଆଳରେ କେତେକ ମନ୍ତ୍ରୀ ଓ ସାଂସଦ ନିଜ ପୁଅ, ଝିଅ ଏପରିକି ସ୍ତ୍ରୀ ବା ପରିଚିତ ମହିଳାକୁ ପର୍ସନାଲ୍‌ ଷ୍ଟାଫ୍‌ କରିଥା’ନ୍ତି ବୋଲି ନଜିର ମିଳିଛି, ତା’ ମାନେ ସେତେକ ପଇସା ଉପୁରି ହୋଇଗଲା। ଯେତେଥର ମନ୍ତ୍ରୀ ହେବେ ସେତେ ଥର ୫ ବର୍ଷିଆ ଚାକିରି ଦେଇ ସେ ପଇସା ନିଜ ଅଣ୍ଟାରେ ଗୁଞ୍ଜିହେବ। ନ ହେଲେ ପାର୍ଟି କ୍ୟାଡରର ବହୁତ ଲୋକଙ୍କୁ ଏମିତି ଚାକିରି ଦେଇ ଅନୁଗୃହୀତ କରିହେବ। ବୋଝ ଉପରେ ନଳିତାବିଡ଼ା ପରି ସେମାନଙ୍କୁ ଯଦି କେରଳ ଅନୁକରଣରେ ପର୍ମାନେଣ୍ଟ ଏମ୍ପ୍ଲୟି ଧରିନିଆଯାଏ, ସେମାନେ ପେନ୍‌ସନ ବି ପାଇବେ, ଫଳରେ ୫ କି ୬ ଥର ଶାସନ ଗାଦିରେ ଥିବା ଦଳ ଶହ ଶହ ଦଳକର୍ମୀଙ୍କୁ ସରକାରୀ କର୍ମଚାରୀ କରାଇନେବେ। ରାଜନୈତିକ ଦଳଗୁଡ଼ିକ କେନ୍ଦ୍ରରେ ଆଇନ କରାଇ ନେଇଛନ୍ତି ଯେ କେନ୍ଦ୍ର ମନ୍ତ୍ରୀଟିଏ ତାଙ୍କ ଘରୋଇ ଅଫିସ୍‌ ପାଇଁ ୧୫ ଜଣ ପର୍ସନାଲ୍‌ ଷ୍ଟାଫ୍‌ ରଖିପାରେ। ତହିଁରୁ ଅଧିକାଂଶ ସରକାରୀ ଦପ୍ତରମାନଙ୍କରୁ ଆସିଥା’ନ୍ତି, ବାକିତକ ସାମୟିକ ମନ୍ତ୍ରୀ ପଦରେ ଥିବାଯାଏ। କେରଳରେ ଜଣେ ମନ୍ତ୍ରୀ ଏହାର ଦୁଇଗୁଣ ରଖିପାରେ, ଏଲ୍‌ଡିଏଫ୍‌ ସରକାର ମନ୍ତ୍ରୀଙ୍କ ପର୍ସନାଲ ଷ୍ଟାଫ୍‌ ସଂଖ୍ୟା ୨୫କୁ କମାଇ ଦେଇଛନ୍ତି, କେବଳ ମୁଖ୍ୟମନ୍ତ୍ରୀ ୩୦ ଜଣ ରଖିପାରିବେ। ତା’ଛଡା ସ୍ପିକର୍‌, ଡେପୁଟି ସ୍ପିକର୍‌ ଓ ଚିଫ୍‌ ହୁଇପ୍‌ ୨୫ ଲେଖାଏ ପର୍ସନାଲ ଷ୍ଟାଫ୍‌ ରଖିପାରିବେ। ଏବେ କେରଳରେ ପ୍ରାୟ ୪୦୦ ଜଣ ଡାଇରେକ୍ଟ ନିଯୁକ୍ତ ଅଛନ୍ତି, ପ୍ରାୟ ସମସ୍ତେ ସମ୍ପୃକ୍ତ ଦଳର ସକ୍ରିୟ ସଦସ୍ୟ, ମାସକୁ ପ୍ରାୟ ୨୩,୦୦୦ ରୁ ୧,୬୦,୦୦୦ ଟଙ୍କାଯାଏ ଦରମା ପାଉଛନ୍ତି।ଗତ ୫ ବର୍ଷରେ ଏ ବାବଦରେ କେରଳର ରାଜକୋଷରୁ ପ୍ରାୟ ୧୭୦ କୋଟି ଟଙ୍କା ଯାଇଛି।୧୯୯୪ରେ କଂଗ୍ରେସ୍‌ ନେତୃତ୍ୱରେ ମିଳିତ ସରକାର ଆଇନ କଲେ ଯେ, ଅତିକମ୍‌ରେ ୩ ବର୍ଷ ଚାକିରି କରିଥିଲେ ପର୍ସନାଲ୍‌ ଷ୍ଟାଫ୍‌ ପେନ୍‌ସନ ପାଇବ, ଏ ନିୟମ ପୁଣି ପିଛିଲା ୧୯୮୨ରୁ ଲାଗୁହେଲା।ଏପରି ଆଇନ ଆଣିବାରେ ବିରୋଧୀ ଦଳ ପୂରା ସମର୍ଥନ ଦେଲେ, ନ ଦିଅନ୍ତେ ବା କେମିତି? କାରଣ ଆଜି ସେ ସିନା ଫକିର ଅଛନ୍ତି, କାଲିକୁ ରାଜେନ୍ଦ୍ରାସନକୁ ଆସିପାରନ୍ତି।ୟା’ ଭିତରେ କେରଳ ସରକାର ନିୟମର ସଂଶୋଧନ କରିଛନ୍ତି, ପର୍ସନାଲ୍‌ ଷ୍ଟାଫ ପାରିବାରିକ ପେନ୍‌ସନ ବି ପାଇବ, ଅର୍ଥାତ୍‌ ସେ ମରିଗଲା ପରେ ତା’ ସ୍ତ୍ରୀ, ସ୍ତ୍ରୀ ମୃତ ଥିଲେ ପ୍ରଥମ ସନ୍ତାନ ପେନ୍‌ସନ ପାଇବ। ୨୦୧୩-୧୪ରୁ ୨୦୧୯-୨୦ ରୁ ୨୦୧୯-୨୦ ଭିତରେ ପେନ୍‌ସନ ପରିମାଣ ଶତକଡ଼ା ଶହେ ବଢ଼ିଗଲାଣି ଅର୍ଥାତ୍‌ ଦୁଇଗୁଣ ହୋଇଗଲାଣି।
ଏ ସବୁ କଥାରୁ କ’ଣ ବୁଝୁଛନ୍ତି, କିଛି କାମ କରିପାରୁନଥିବା ଲୋକ ଦାଦାଗିରି କରି ମନ୍ତ୍ରୀଙ୍କ ପାଖଲୋକ ବା ପ୍ରଚାରକ ହୋଇଯାଏ, ବା ମନ୍ତ୍ରୀକୁ ତୋଷାମୋଦ କରିଚାଲେ ତ ଦିନେ ନା ଦିନେ ମନ୍ତ୍ରୀ ତାକୁ ପର୍ସନାଲ ଷ୍ଟାଫ୍‌ କରିନେବେ, ୩ ବର୍ଷ ଏମିତି ରହିଗଲେ ପେନ୍‌ସନ୍‌ ପାଇବ।ଅବଶ୍ୟ ଏ ସବୁ କେରଳରେ ସମ୍ଭବ ହୋଇଛି। ଗଣତନ୍ତ୍ରକୁ ଦଳତନ୍ତ୍ର କରିବା ମୂଳରେ ଭାରତୀୟ ଜାତୀୟ କଂଗ୍ରେସ ଦଳ, ସେହି ଦଳର ଶାସନ ସମୟରେ ୧୯୮୫ରୁ ପାରମ୍ପରିକ ଭାବେ ଓ ୨୦୦୩ରୁ ବିଧାନ କରିନେଇଛି ଯେ ଦଳର ଚିରକୁଟି ନ ପାଇଲେ ଲୋକପ୍ରତିନିଧି ପ୍ରାର୍ଥୀ ହୋଇପାରିବ ନାହିଁ।ଏମିତି ବହୁତ କିଛି ଅଗଣତାନ୍ତ୍ରିକ ପଦକ୍ଷେପ କଂଗ୍ରେସ୍‌ ଦଳ ନେଇଆସିଛି, ଅନ୍ୟ ଦଳଗୁଡ଼ିକ ଆପଣେଇଛନ୍ତି, ଏକା ଲାଉର ମଞ୍ଜି ତ!
ବାଂଲାଦେଶ ମୁକ୍ତି ପରେ ପରେ ଇନ୍ଦିରା ଗାନ୍ଧୀ ମୁଜିବୁର୍‌ ରହମାନଙ୍କୁ ପରାମର୍ଶ ଦେଇଥିଲେ ଯେ, ପାର୍ଟିର କର୍ତ୍ତୃତ୍ୱକୁ ଟାଣ କରିବା ଲାଗି କଲେକ୍ଟରମାନଙ୍କ ଉପରେ ଜିଲାସ୍ତରୀୟ ଦଳୀୟ ନେତାକୁ ଡିଷ୍ଟ୍ରିକ୍ଟ କମିସାର୍‌ ଭାବେ ରଖାଯାଉ। ତାହା ସଫଳ ହୋଇଥିଲେ ସେ ଆମ ଦେଶରେ ଚାଲୁ କରିଥା’ନ୍ତେ।ମଝିରେ ଥରେ ପ୍ରସ୍ତାବ ଆସିଲା ଯେ, ଜିଲା କଂଗ୍ରେସ କମିଟି ଚେୟାରମାନଙ୍କ ସୁପାରିସରେ ଚାକିରି ଦିଆଯାଉ।ତା’ ପରେ ଥରେ ପ୍ରସ୍ତାବ ଆସିଥିଲା ଯେ, ଏମ୍‌ପିଙ୍କୁ ଜିଲାପାଳଙ୍କ ଅଫିସ୍‌ ପାଖ ଏକ ରୁମ୍‌ରେ ଅଫିସ କରିବାକୁ ଦିଆଯାଉ, ଏହାର ମାନେ ଜିଲାପାଳ ଏମ୍‌ପି ପ୍ରଭାବରେ କାମ କରିବେ।ଲୋକେ ସଦଳବଳ ସେଇଠି ସବୁବେଳେ ରୁଣ୍ଡ ହେଉଥିବେ ତ ଜିଲାପାଳ ଏକ ରାଜନୈତିକ ଚାପରେ କାମ କରିବେ।ସେଭଳି ଅଗଣତାନ୍ତ୍ରିକ ପରିକଳ୍ପନା କଂଗ୍ରେସ କରିଥିଲେ ବି ଯଦି କାର୍ଯ୍ୟକାରୀ କରିନେଇଥା’ନ୍ତେ ଅନ୍ୟସବୁ ଦଳ ବିନା ବାଧାରେ ଗ୍ରହଣ କରିଥା’ନ୍ତେ।କାରଣ ଆମେ ତ ‘ଗଣ’ତନ୍ତ୍ରରେ ନାହୁଁ, ‘ଦଳ’ତନ୍ତ୍ରରେ ଅଛୁ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri