ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବା ପୋଲିସ ପ୍ରଶାସନର ମୂଳ ଧର୍ମ। ମାତ୍ର ଏହି ଶକ୍ତିର ପ୍ରୟୋଗ ସମୟରେ ବ୍ୟକ୍ତିଗତ ସ୍ବାଧୀନତା ଏବଂ ମାନବ ଅଧିକାର ମଧ୍ୟରେ ଏକ ସୂକ୍ଷ୍ମ ସନ୍ତୁଳନ ରହିବା ଆବଶ୍ୟକ। ଭାରତୀୟ ସମ୍ବିଧାନ ଧାରା ୨୧ ଅନୁଯାୟୀ, ଆଇନ ଦ୍ୱାରା ସ୍ଥାପିତ ପ୍ରକ୍ରିୟା ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ତାଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ବାଧୀନତାରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ଗିରଫଦାରି ଜଣେ ବ୍ୟକ୍ତିର ସମ୍ମାନ ଏବଂ ସ୍ବାଧୀନତା ଉପରେ ଏକ ବଡ଼ ଆଘାତ ହୋଇଥିବାରୁ, ଏହାକୁ ନେଇ ଆଇନରେ ରହିଥିବା କଟକଣା ଓ ନାଗରିକଙ୍କ ଅଧିକାର ବିଷୟରେ ସ୍ପଷ୍ଟ ସଚେତନତା ରହିବା ଆଜିର ସମୟରେ ଅପରିହାର୍ଯ୍ୟ ହୋଇପଡ଼ିଛି।
ଭାରତରେ ପୂର୍ବରୁ ପ୍ରଚଳିତ ଫୌଜଦାରି କାର୍ଯ୍ୟବିଧି ସଂହିତା ବଦଳରେ ବର୍ତ୍ତମାନ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ କାର୍ଯ୍ୟକାରୀ ହୋଇଛି। ଏହି ନୂତନ ଆଇନରେ ଗିରଫ ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ ଓ ସୁଦୃଢ଼ କରିବା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ବିଶେଷ କରି ଯଦି ଜଣେ ବ୍ୟକ୍ତି ସାତ ବର୍ଷରୁ କମ୍ କାରାଦଣ୍ଡ ବିଶିଷ୍ଟ ଅପରାଧରେ ସମ୍ପୃକ୍ତ ଥାଏ, ତେବେ ପୋଲିସ ଅଧିକାରୀ କେବଳ ସନ୍ଦେହ ଆଧାରରେ ଗିରଫ କରିବା ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ଅନୁମତି ନେବା କିମ୍ବା ଗିରଫର ଯଥାର୍ଥତା ଦର୍ଶାଇବା ଆବଶ୍ୟକ। ଏହା ଅନାବଶ୍ୟକ ଗିରଫଦାରିକୁ ରୋକିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ। ଜଣେ ବ୍ୟକ୍ତିଙ୍କୁ ଯେତେବେଳେ ପୋଲିସ ଗିରଫ କରେ, ସର୍ବପ୍ରଥମେ ତାଙ୍କୁ ତାଙ୍କ ଅପରାଧ ଏବଂ ଗିରଫର କାରଣ ଜଣାଇବା ପୋଲିସର ସାମ୍ବିଧାନିକ ଦାୟିତ୍ୱ। ଯଦି ଅପରାଧଟି ଜାମିନଯୋଗ୍ୟ ହୋଇଥାଏ, ତେବେ ଗିରଫ ସମୟରେ ହିଁ ବ୍ୟକ୍ତିଙ୍କୁ ତାଙ୍କର ଜାମିନ ପାଇବାର ଅଧିକାର ବିଷୟରେ ଅବଗତ କରାଯାଇଥାଏ।
ଗିରଫ ହେବା ମାତ୍ରେ ଜଣେ ବ୍ୟକ୍ତି ନିଜ ପସନ୍ଦର ଆଇନଜୀବୀଙ୍କ ସହ ପରାମର୍ଶ କରିବାର ପୂର୍ଣ୍ଣ ଅଧିକାର ରଖନ୍ତି। ଏହି ଅଧିକାର ଜେରା ସମୟରେ ମଧ୍ୟ ସୀମିତ ଭାବେ ଉପଲବ୍ଧ ହୋଇଥାଏ। ଗିରଫଦାରିକୁ ସ୍ବଚ୍ଛ ରଖିବା ପାଇଁ ‘ଗିରଫ ମେମୋ’ ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ଏହି ମେମୋରେ ଗିରଫର ସମୟ, ସ୍ଥାନ ଏବଂ ଅତି କମ୍ରେ ଜଣେ ସାକ୍ଷୀଙ୍କ ସ୍ବାକ୍ଷର ରହିବା ଦରକାର, ଯିଏ ଗିରଫ ବ୍ୟକ୍ତିଙ୍କ ପରିବାର ସଦସ୍ୟ କିମ୍ବା ସ୍ଥାନୀୟ ଅଞ୍ଚଳର ଜଣେ ସମ୍ମାନିତ ବ୍ୟକ୍ତି ହୋଇଥିବେ। ଏହା ବ୍ୟତୀତ, ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଜର ଜଣେ ବନ୍ଧୁ କିମ୍ବା ଆତ୍ମୀୟଙ୍କୁ ଏହି ଖବର ଜଣାଇବା ପାଇଁ ସୁଯୋଗ ଦିଆଯିବା ଆବଶ୍ୟକ। ନୂତନ ଆଇନ ଅନୁଯାୟୀ, ପ୍ରତ୍ୟେକ ଜିଲାରେ ଏବଂ ଥାନା ସ୍ତରରେ ଜଣେ ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀ ରହିବେ, ଯିଏ ଗିରଫ ବ୍ୟକ୍ତିଙ୍କ ନାମ ଓ ବିବରଣୀ ସର୍ବସାଧାରଣ ସୂଚନା ବୋର୍ଡରେ ପ୍ରଦର୍ଶିତ କରିବେ, ଯାହାଫଳରେ ଗୁପ୍ତ ହେପାଜତର ଆଶଙ୍କା ରହିବ ନାହିଁ।
ଗିରଫଦାରି ପରବର୍ତ୍ତୀ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ହେଉଛି ୨୪ ଘଣ୍ଟା ମଧ୍ୟରେ ନିକଟସ୍ଥ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହେବା। ଯାତ୍ରା ସମୟକୁ ବାଦ୍ ଦେଇ ଏହି ସମୟ ସୀମା ଉଲ୍ଲଂଘନ କରିବା ବେଆଇନ । ଏହା ଏକ ପ୍ରକାର ନ୍ୟାୟିକ ସମୀକ୍ଷା, ଯେଉଁଠାରେ ବିଚାରପତି ସ୍ଥିର କରନ୍ତି ଯେ ଗିରଫଦାରି ଆଇନସମ୍ମତ କି ନୁହେଁ। ଏହା ସହିତ ଗିରଫ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ ଅନିବାର୍ଯ୍ୟ। ପ୍ରତି ୪୮ ଘଣ୍ଟାରେ ଥରେ ତାଙ୍କର ଶାରୀରିକ ସ୍ଥିତି ଯାଞ୍ଚ କରାଯିବା ଉଚିତ, ଯାହା ଫଳରେ ପୋଲିସ ହେପାଜତରେ ହେଉଥିବା ସମ୍ଭାବ୍ୟ ନିର୍ଯାତନାକୁ ରୋକାଯାଇପାରିବ। ସୁପ୍ରିମକୋର୍ଟଙ୍କ ଐତିହାସିକ ‘ଡି.କେ. ବସୁ ବନାମ ପଶ୍ଚିମବଙ୍ଗ ସରକାର’ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଆଜି ମଧ୍ୟ ଗିରଫ ପ୍ରକ୍ରିୟାରେ ଏକ ବାଇବେଲ ସଦୃଶ। ଏଥିରେ ସ୍ପଷ୍ଟ କୁହାଯାଇଛି ଯେ, ଗିରଫ କରୁଥିବା ଅଧିକାରୀ ନିଜର ପରିଚୟ ପତ୍ର ଓ ନେମ୍ ଟ୍ୟାଗ୍ ଧାରଣ କରିବା ଆବଶ୍ୟକ ଏବଂ ଏହି ସମସ୍ତ ପ୍ରକ୍ରିୟାର ଏକ ଲିଖିତ ଦଲିଲ ରହିବା ଜରୁରୀ।
ମହିଳାଙ୍କ କ୍ଷେତ୍ରରେ ଗିରଫ ଆଇନ ଅଧିକ କୋହଳ ଏବଂ ସମ୍ମାନଜନକ। ଆଇନ ଅନୁଯାୟୀ, ଜଣେ ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଗିରଫ କରାଯାଇପାରିବ ନାହିଁ। ବିଶେଷ ପରିସ୍ଥିତିରେ ଯଦି ଗିରଫ କରିବା ଜରୁରୀ ହୁଏ, ତେବେ ଜଣେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ଆବଶ୍ୟକ ଏବଂ ଏହି ସମୟରେ ମହିଳା ପୋଲିସ ଅଧିକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ। ଶାରୀରିକ ସ୍ପର୍ଶ ବଦଳରେ କେବଳ ମହିଳା ଅଧିକାରୀଙ୍କ ଦ୍ୱାରା ହିଁ ସେମାନଙ୍କୁ ନିୟନ୍ତ୍ରଣ କରାଯାଇପାରିବ। ଏହି ବ୍ୟବସ୍ଥା ସମାଜରେ ମହିଳାଙ୍କ ମର୍ଯ୍ୟାଦା ରକ୍ଷା ପାଇଁ କରାଯାଇଛି। ସେହିଭଳି ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରିବା ସମୟରେ ପୋଲିସ ଅଧିକ ସମ୍ବେଦନଶୀଳ ହେବା ଉଚିତ ଏବଂ ସାଧାରଣତଃ ସେମାନଙ୍କୁ ଥାନାକୁ ଡାକିବା ପରିବର୍ତ୍ତେ ସେମାନଙ୍କ ବାସଭବନରେ ଜେରା କରିବା ପାଇଁ ପ୍ରୋତ୍ସାହିତ କରାଯାଇଛି।
ତେବେ ଆଇନର ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ବାସ୍ତବ ଚିତ୍ର ଅନେକ ସମୟରେ ଭିନ୍ନ ହୋଇଥାଏ। ଅଜ୍ଞତା ଏବଂ ସଚେତନତାର ଅଭାବ ଯୋଗୁ ସାଧାରଣ ଲୋକେ ପୋଲିସର ଦମନମୂଳକ ନୀତିର ଶିକାର ହୁଅନ୍ତି। ପୋଲିସ ଫୋର୍ସର ରାଜନୀତୀକରଣ ଏବଂ ତଦନ୍ତ ପ୍ରକ୍ରିୟାରେ ମନ୍ଥରତା ମଧ୍ୟ ନାଗରିକ ଅଧିକାର ଉଲ୍ଲଂଘନର କାରଣ ହୋଇଥାଏ। ଥାନା ଭିତରେ ହେଉଥିବା ମୃତ୍ୟୁ ଏବଂ ନିର୍ଯାତନା ଗଣତନ୍ତ୍ର ପାଇଁ ଏକ କଳଙ୍କ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଲେ ହିଁ ସାଧାରଣ ନାଗରିକଙ୍କ ମନରେ ଆଇନ ପ୍ରତି ଭୟ ବଦଳରେ ବିଶ୍ୱାସ ଜନ୍ମିବ।
ନାଗରିକମାନଙ୍କୁ ମଧ୍ୟ ନିଜର କର୍ତ୍ତବ୍ୟ ଓ ଅଧିକାର ବିଷୟରେ ଜାଣିବାକୁ ହେବ। ଗିରଫ ହେବା ମାନେ ଜଣେ ବ୍ୟକ୍ତି ଅପରାଧୀ ପ୍ରମାଣିତ ହେବା ନୁହେଁ। ”ନିର୍ଦ୍ଦୋଷ ହେବାର ପୂର୍ବାନୁମାନ“ ହେଉଛି ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଆଧାର। ଜଣେ ବ୍ୟକ୍ତି ଯେପର୍ଯ୍ୟନ୍ତ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି, ସେପର୍ଯ୍ୟନ୍ତ ସେ ଜଣେ ନାଗରିକ ଭାବେ ସମସ୍ତ ମାନବ ଅଧିକାର ପାଇବାକୁ ଯୋଗ୍ୟ। ପୋଲିସ ଅଧିକାରୀମାନେ ନିଜକୁ ‘ଶାସକ’ ନୁହେଁ ବରଂ ‘ଲୋକସେବକ’ ଭାବେ ଗ୍ରହଣ କରିବା ଉଚିତ। ଆଇନର ଶାସନରେ କେହି ବି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି-ନା ପୋଲିସ, ନା ଜନତା।
ଶେଷରେ, ଏକ ସୁସ୍ଥ ସମାଜ ଗଠନ ପାଇଁ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ବୟ ଏକାନ୍ତ ଆବଶ୍ୟକ। ସରକାର ଏବଂ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ମିଳିତ ଭାବେ ଆଇନ ସଚେତନତା ଶିବିର ମାଧ୍ୟମରେ ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ଉଚିତ। ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଅଧିକାର ଜାଣିବେ ଏବଂ ପୋଲିସ ନିଜର କ୍ଷମତାର ସୀମା ବୁଝିବ, ସେତେବେଳେ ହିଁ ଗଣତନ୍ତ୍ରର ପ୍ରକୃତ ସଫଳତା ପରିଲକ୍ଷିତ ହେବ। ଆଧୁନିକ ଭାରତରେ ଆମକୁ ଏଭଳି ଏକ ପୋଲିସ ବ୍ୟବସ୍ଥା ଦରକାର, ଯାହା ଅପରାଧୀଙ୍କ ପାଇଁ ଯେତିକି କଠୋର, ଜଣେ ସାଧାରଣ ନିର୍ଦ୍ଦୋଷ ନାଗରିକ ପାଇଁ ସେତିକି ବନ୍ଧୁତ୍ୱପୂର୍ଣ୍ଣ ଓ ସୁରକ୍ଷିତ ହେବା ଉଚିତ।
ଅଧ୍ୟାପକ, ବିରଜା ଆଇନ ମହାବିଦ୍ୟାଳୟ,
ଯାଜପୁର
ମୋ: ୮୮୯୫୯୫୨୩୧୫

