ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ ମାଜିଷ୍ଟ୍ରେଟ ପଦବୀକୁ ବଦଳି କରିଛନ୍ତି। ସେମାନଙ୍କୁ ପ୍ରଥମ ଥର ପାଇଁ ବଡ଼ କ୍ଷେତ୍ରଗତ ଦାୟିତ୍ୱ ଦିଆଯାଇଛି। ୟୁପିରେ ଗତ କିଛି ମାସ ହେବ ଆଇଏଏସ୍‌ ଏବଂ ପିସିଏସ୍‌ ଅଧିକାରୀଙ୍କର କ୍ରମାଗତ ଅଦଳବଦଳ କରାଯାଇ ପ୍ରଶାସନିକ ବ୍ୟବସ୍ଥାର ପୁନର୍ବିନ୍ୟାସ କରୁଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମୟର ବଦଳି ଅନେକ କିଛି ସୂଚାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କୌଣସି ବିଷୟକୁ ଏବେ ଅଣଦେଖା କରିବାକୁ ଚାହଁୁ ନାହାନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଏକଦା ଅଭେଦ୍ୟ ରାଜନୈତିକ ଦୁର୍ଗ ପରି ମନେ ହେଉଥିବା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା। ସେବେଠାରୁ ବିରୋଧୀ ଦଳଗୁଡ଼ିକ ଅଧିକ ଜନସମର୍ଥନ ହାସଲ କରୁଛନ୍ତି। ତେଣୁ ଆସନ୍ତା ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ସହଜ ହୋଇ ନ ପାରେ। ଏହାର ପ୍ରତିକ୍ରିୟା ରାଜନୈତିକ ବକ୍ତବ୍ୟ ସହ ପ୍ରଶାସନିକ ପ୍ରସ୍ତୁତିରେ ସ୍ପଷ୍ଟ ହେଉଛି। ସରକାର ଯୁବ ଅଧିକାରୀଙ୍କୁ କ୍ଷେତ୍ରକୁ ପଠାଉଛନ୍ତି, କାର୍ଯ୍ୟରତ ଅଧିକାରୀଙ୍କୁ ବଦଳାଉଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଯୋଜନାଗୁଡ଼ିକର ସଫଳ ରୂପାୟନ, ଅଭିଯୋଗର ସମାଧାନ ଏବଂ ନିର୍ବାଚନ ବର୍ଷର ଅପରିହାର୍ଯ୍ୟ ଚାପକୁ ସମ୍ଭାଳିବା ପାଇଁ ସରକାରୀ ବ୍ୟବସ୍ଥାକୁ ସକ୍ରିୟ କରୁଛନ୍ତି। ତେବେ ପ୍ରତ୍ୟେକ ବଦଳି ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଇପାରିବ ନାହିଁ। ଅମଲାତନ୍ତ୍ରରେ ସମୟ ସମୟରେ ପରିବର୍ତ୍ତନ ଆବଶ୍ୟକ ପଡ଼େ। ତେବେ ୟୁପିରେ ବାବୁ ଅଦଳବଦଳ ଶେଷ ହେବାର ସମ୍ଭାବନା ନାହିଁ। ୨୦୨୭ ପାଖେଇ ଆସୁଥିବାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ ପଦବୀରେ ଥିବା ଅଧିକାରୀମାନଙ୍କ ମଧ୍ୟରେ ଅଧିକ ବଦଳି କରାଯିବ ବୋଲି ଆଶା କରାଯାଉଛି। ସାମ୍ପ୍ରତିକ ସ୍ଥିତିରେ ଯୋଗୀ ସରକାର କୌଣସି ଅଧିକାରୀଙ୍କୁୁ ଭୁଲ୍‌ ସ୍ଥାନରେ ଅବସ୍ଥାପିତ କରିବାକୁ କେବେ ବି ଚାହଁିବେ ନାହିଁ।
ସମୟୋଚିତ ବିଦାୟ
ପୂର୍ବତନ ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚାଙ୍କୁ ଜୁଲାଇରେ ଅଚାନକ ହଟାଇ ଅନୁରାଗ କୁମାରଙ୍କୁ ନୂଆ କମିଶନର କରାଯାଇଥିଲା। ଗୋଲଚାଙ୍କୁ ଏବେ ହୋମଗାର୍ଡ ନିର୍ଦ୍ଦେଶାଳୟରେ ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି ଏବଂ ଆସନ୍ତା ଅକ୍ଟୋବର ୧ରେ ସେ ମହାନିର୍ଦ୍ଦେଶକ (ଡିଜି) ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସଂକେତ ମିଳୁଛି। ଏହି ସମୟକୁ ନେଇ ପ୍ରଶ୍ନ ଉଠୁଛି। ଯନ୍ତରମନ୍ତରରେ ଜେନ୍‌-ଜି ଆନ୍ଦୋଳନର ନିୟନ୍ତ୍ରଣକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଗୋଲଚାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ନେତୃତ୍ୱ ପରିବର୍ତ୍ତନ ପରେ ତୁରନ୍ତ ସୋନମ ୱାଙ୍ଗଚୁକଙ୍କୁ ଯନ୍ତରମନ୍ତରରୁ ହଟାଇ ଦିଆଯିବା ସହ ବିକ୍ଷୋଭକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆନ୍ଦୋଳନ ସମ୍ଭାଳିବାକୁ ନେଇ ଏହି ନେତୃତ୍ୱ ପରିବର୍ତ୍ତନ ହୋଇଥିବା କୁହାଯାଉଥିଲେ ବି ସରକାରୀ ସ୍ତରରେ ଏହାର କୌଣସି କାରଣ ସାର୍ବଜନୀନ କରାଯାଇନାହିଁ। ବିଡ଼ମ୍ବନାର ବିଷୟ ହେଉଛି, ଗୋଲଚା ସମ୍ଭବତଃ ଏହି ଘଟଣାର ସବୁଠୁ ଜଟିଳ ଅଧ୍ୟାୟରୁ ବର୍ତ୍ତି ଯାଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଅନୁରାଗ କୁମାର ତୁରନ୍ତ ଗମ୍ଭୀର ସ୍ଥିତିର ସାମ୍ନା କରିଥିଲେ ଏବଂ ଜୁଲାଇ ୨୦ର କାର୍ଯ୍ୟାନୁଷ୍ଠାନ ଏବେ ଏକ ବଡ଼ ବିବାଦର ରୂପ ନେଇଛି। ଏଥିରେ ଅତ୍ୟଧିକ ବଳ ପ୍ରୟୋଗର ଅଭିଯୋଗ ଏବଂ କେତେକ ଆନ୍ଦୋଳନକାରୀ ପେଲେଟ ମାଡ଼ରେ ଗୁରୁତର ଆହତ ହେବା ଭଳି ଘଟଣା ରହିଛି। ଯନ୍ତରମନ୍ତର ଆନ୍ଦୋଳନ ଯୋଗୁ ଗୋଲଚାଙ୍କୁ ବଦଳି କରାଗଲା ନା ପରିସ୍ଥିତି ଅଧିକ ଜଟିଳ ହେବା ପୂର୍ବରୁ ସେ ସେଠାରୁ ବଦଳି ହୋଇଗଲେ, ତାହା ସରକାରଙ୍କ ସ୍ପଷ୍ଟୀକରଣ ଉପରେ ନିର୍ଭର କରେ, ଯଦିଓ ସରକାର ଏଥିପାଇଁ କୌଣସି ବ୍ୟଗ୍ରତା ଦେଖାଉନାହାନ୍ତି। କିନ୍ତୁ ପୂର୍ବତନ ପୋଲିସ କମିଶନର ସ୍ଥିତି ଅଧିକ ଗମ୍ଭୀର ହେବା ପୂର୍ବରୁ ପଦବୀରୁ ସଫଳତାର ସହ ଦୂରେଇ ଯାଇଥିବା ପରି ମନେହେଉଛି।
ଲିଖିତ ନିର୍ଦ୍ଦେଶ ଶକ୍ତିଶାଳୀ
ସମୟ ଥିଲା ଗୁଜରାଟ ସରକାରରେ ଜଣେ ମନ୍ତ୍ରୀଙ୍କ ଫୋନ କଲ ଏକ ଆଦେଶ ସଦୃଶ ଥିଲା। ବର୍ତ୍ତମାନ ଅନ୍ତତଃ ପକ୍ଷେ ଗୁଜରାଟ ସଚିବାଳୟର କେତେକ ବିଭାଗରେ ପୂର୍ବଧାରା ବଦଳିଯାଇଥିବା ଜଣାପଡୁଛି। ଏବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଲିଖିତ ଭାବେ ଦିଅନ୍ତୁ ବୋଲି କୁହାଯାଇଛି। ସୂଚନା ମିଳିଛି ଯେ, ନିକଟରେ ଅଧିକାରୀମାନେ ସେମାନଙ୍କର ରାଜନୈତିକ ନେତୃବୃନ୍ଦଙ୍କ କଥା ଶୁଣି ଠିକ୍‌ ଉତ୍ତର ଦେଲେ ମଧ୍ୟ ପରେ କିଛି ବି ହେଉନାହିଁ। ସମ୍ଭବତଃ, କେତେଜଣ ବାବୁ ନିଶ୍ଚିତ ହୋଇଛନ୍ତି ଯେ ମୌଖିକ ନିର୍ଦ୍ଦେଶର ସମୟସୀମା ଖୁବ୍‌ କମ୍‌। ନିୟମ ଅଧିକାରୀଙ୍କ ସପକ୍ଷରେ ଅଛି। ସର୍ବଭାରତୀୟ ସେବା ଆଚରଣବିଧି ଅନୁଯାୟୀ ଅଧିକାରୀମାନଙ୍କୁ ମୌଖିକ ନିର୍ଦ୍ଦେଶର ଲିଖିତ ପ୍ରମାଣପତ୍ର ହାସଲ କରିବା ଆବଶ୍ୟକ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶଗୁଡ଼ିକୁ ରେକର୍ଡ କରିବା ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି। ରାଜନୈତିକ ନେତୃତ୍ୱଙ୍କ ପାଖରେ କ୍ଷମତା ଥାଇପାରେ, କିନ୍ତୁ ବାବୁମାନେ ଫାଇଲ ନିୟନ୍ତ୍ରଣ କରନ୍ତି। ଫାଇଲ, ଫୋନ କଲ୍‌ ପରି ନୁହେଁ, ଏକ ପ୍ରମାଣ ରଖିଯାଏ। ତେଣୁ ରାଜ୍ୟ ସଚିବାଳୟରେ ଏକ ନୂଆ ଅନୌପଚାରିକ ନିୟମ ସାମ୍ନାକୁ ଆସୁଥାଇପାରେ। ତାହା ହେଉଛି, ମନ୍ତ୍ରୀଙ୍କ କଥାକୁ ସମ୍ମାନର ସହ ଶୁଣନ୍ତୁ, ଉତ୍ସାହର ସହ ନିର୍ଦ୍ଦେଶକୁ ସ୍ବୀକାର କରନ୍ତୁ ଏବଂ ତା’ପରେ କୌଣସି ବିପଦପୂର୍ଣ୍ଣ କାମ କରିବା ପୂର୍ବରୁ ହ୍ବାଟ୍ସଆପ୍‌ ମେସେଜ, ଚିଠି କିମ୍ବା ଫାଇଲ ନୋଟିଂ ପାଇଁ ଅପେକ୍ଷା କରନ୍ତୁ। ମନ୍ତ୍ରୀଙ୍କ ପାଖରେ ହୁଏତ ଶେଷ କଥା ରହିପାରେ, କିନ୍ତୁ ସତର୍କ ବାବୁ ଚାହାନ୍ତି ସେସବୁ ଲିଖିତ ଭାବେ ରହୁ।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?