ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ ନେଇ ନାହିଁ। କାଳେ ମୂର୍ଖ ହୋଇଯିବ। ଦୃଷ୍ଟ ହୋଇଯିବ। ଛାଡି ନାହିଁ ବୋଲି ଗଛ ଚଢା ଶିଖିନାହିଁ। ନଦୀ ପହଁରା ଜାଣିନାହିଁ। ଗାଁ ସମ୍ପର୍କ ସବୁ ମୁଁ କାଟି ଦେଇଛି। ପିଲା ମୋର, ଦାଦା ଖୁଡୀଙ୍କୁ ଚିହ୍ନି ନାହିଁ। ମଉସା ମାଉସୀଙ୍କୁ ଦେଖି ନାହିଁ। ଜେଜେ ମା’ ଜେଜେ ବାପାଙ୍କୁ ଥରେ ଅଧେ ଦେଖିଛି। ବନ୍ଧୁ ବାନ୍ଧବ, କୁଣିଆ ଚର୍ଚ୍ଚା, ମହତ କ’ଣ କେବେ କରିନାହିଁ। ଗରିବ କ’ଣ ଜାଣିନାହିଁ। ଦୁଃଖ ଦେଖି ନାହିଁ। ମାଣ୍ଡିଆ ପେଯ, ଚାକୁଣ୍ଡା ଶାଗ, ଚାଉଳ ମଣ୍ଡା, ଗଇଁଠା, ଅଟକାଳି, ଆରିସା, ପୋଡପିଠା ଜିଭରେ ଦେଇନାହିଁ। ସହର ସଭ୍ୟତା ଭିତରେ ସହରୀ ବାବୁ ହୋଇଯାଇଛି। ଡାଡି, ମାମି ଛଡା କିଛି ଡାକୁନାହଁି। ଯାହାକୁ ଦେଖେ, ହାଏ ଆଣ୍ଟି, ବାଏ ଅଙ୍କଲ୍‌ ଡାକୁଛି। ଇଂଲିଶ ସ୍କୁଲରେ ହିଁ ପଢ଼ଛି, ବଢିଛି। ଓଡ଼ିଆର ଅ ଅକ୍ଷର ଜାଣିନାହିଁ। ମଶାଣି ଫଶାଣି କେବେ ଯାଇନାହିଁ। କାହାର ବାହାଘରେ କେବେ ଠିଆ ହୋଇନାହିଁ। କ୍ରିୟା କର୍ମ କିଛି ଜାଣି ନାହିଁ। ପ୍ରଥା ପରମ୍ପରା ଟିକେ ବୁଝେଇ ଦେବ। ମାନ ମହତ ସମ୍ମାନ ଟିକେ ଶିଖେଇ ଦେବ। କୁଳ, ଜାତି, ଧର୍ମ, ଗୋତ୍ର କହିଦେବ। ପାପୁଲି ରେଖା, କପାଳ ଲେଖା କି ଭାଗ୍ୟ, ଭଗବାନକୁ ବିଶ୍ୱାସ ତା’ର ନାହିଁ। ଅନ୍ଧବିଶ୍ୱାସ କନ୍ଧବିଶ୍ୱାସ ବୋଲି କହୁଛି। ସଂସ୍କୃତି ଜାଣିନାହିଁ କି ସଂସ୍କୃତ ପଢିନାହିଁ।
ବୁଝିଲ ସମୁଦୀ, ପାଠରେ ଏକ ନମ୍ବର। ଏ ପ୍ଲସ୍‌ ବି’ର ହୋଲ୍‌ ସ୍କୋୟାର ଜାଣିଛି। କଜ୍‌ ଥିଟା, ସାଇନ୍‌ ଥିଟା, ଜ୍ୟାମିତି ପରିମିତି ସବୁ ଜାଣିଛି। ଖଣ୍ଡି ହିନ୍ଦୀ ଖଣ୍ଡିଆ ଇଂଲିଶରେ କଥା ହେଉଛି। ଓଡ଼ିଆରେ, ତୁମେ, ଆଜ୍ଞା, ଆପଣ କିନ୍ତୁ ଜାଣି ନାହିଁ। ତା’ ଗାଉଁଲି ଅଶିକ୍ଷିତ ମା’ ପାଇଁ କିଛି କହୁଛି। ତୁ ଆସନ୍ତୁ। ତୁ ବସନ୍ତୁ। ଆଜ୍ଞା ଭିତରେ ଆରେ। ତୁ ଖାରେ, ଯାଆରେ। କିଛି କିଛି କହିବ। ଦେହକୁ ନବ ନାହିଁ। ଝିଅକୁ ବୁଝେଇ ଦେବ, ରାଗିବ ନାହିଁ। ଚଳେଇ ନେଲେ ସବୁ ଚଳିବ। ଧରିକି ବସିଲେ ହିଁ ଅଡୁଆ। ଆମ ଓଡ଼ିଆ ପୋଥି ପୁରାଣ, ଶାସ୍ତ୍ରରେ ଜ୍ଞାନ କିଛି ନାହିଁ । ରାମାୟଣ ମହାଭାରତ ଶୁଣି ନାହିଁ। ମିଳିଲେ ଆମିଷ ନ ମିଳିଲେ ସନ୍ନ୍ୟାସ। ଉପବାସ, ସଂକ୍ରାନ୍ତି କେବେ ନାହିଁ । ବାର, ଅବାର ସେମିତି କିଛି ନାହିଁ। ବ୍ରହ୍ମରାକ୍ଷସ ଟିଏ। ଚିକେନ କଷା, ପକୋଡାରେ ଭାରି ଲୋଭ। ଥରକେ କିଲେ ସଫା। କିଏ ଖାଉ ନ ଖାଉ, ତା’ର ଯାଏ ଆସେ ନାହିଁ। ଖାଇବାରେ ଲାଜ ସରମ ନାହିଁ।
ସମୁଦୀ କେବେ କେମିତି ସେ ସାଙ୍ଗ ସାଥିରେ ମୁନ୍ଦେ ନିଏ। ପାନ ସିଗାରେଟ୍‌, ଗୁଟୁଖା ତ ଆଜିକାଲି କମନ୍‌। ସେଗୁଡାକୁ ନିଶା ବୋଲି ଧରିବେ ନାହିଁ। କିନ୍ତୁ ମୋବାଇଲ ତା’ ଜୀବନ। ତାକୁ କେବେ ମନା କରିବେ ନାହିଁ। ଦୁଃଖ କରିବ। ରାଗିଯିବ। ଭଦ୍ର ଅଭଦ୍ର ଭାଷା, କୁଭାଷା ସବୁ ଓକାଲିବ। ଦାଣ୍ଡ, ହାଟ, ଲୋକବାକ କିଛି ଦେଖିବ ନାହିଁ। ଲାଟ୍ରିନ ଗଲେ କି ଖାଇ ବସିଲେ ବି ମୋବାଇଲ। ଆଖିରେ ପରା ମୋଟା ଚଷମା ସେଥି ପାଇଁ ଦେଇଛି। ଉଚ୍ଚ ଆଶାରେ ମୁଁ ଅନ୍ଧ ହୋଇ ଯାଇଥିଲି।
ସମୁଦୀ ଭୁଲ୍‌ ବୁଝିବେ ନାହିଁ। ଦୋଷ ମୋର, ମୁଁ ମାନୁଛି। ଜନମରୁ ମୁଁ ବାହାରକୁ ଛାଡ଼ିଲି ନାହିଁ। କାହା ସାଙ୍ଗ ହେବାକୁ ଦେଲିନାହିଁ। ପାଞ୍ଚ ଲୋକ ପାଖରେ ପାଞ୍ଚ କଥା ଶିଖି ଥାଆନ୍ତା, ଚାନ୍ସ ଦେଲି ନାହିଁ। ସ୍କୁଲ ଘର, ଘର ସ୍କୁଲ କରି କରି ରଖିଲି। ଟିଭି, ମୋବାଇଲ ଥୋଇଲି। କାଗଜ କଲମ ଛଡା ତା’ ହାତରେ କୁରାଢ଼ି ଧରାଇ ନାହିଁ। ଲଙ୍ଗଳ ଦେଇ ନାହିଁ। କୋଡ଼ି ଶାବଳ ଛୁଆଁଇ ନାହିଁ। ମାଟି କଟାଇ ନାହିଁ। ସୂତା ଛୁଞ୍ଚି ଦେଇ ନାହିଁ। କୁଟା ଖଣ୍ଡକ ଦି ଖଣ୍ଡ କରିବାକୁ କହି ନାହିଁ। ହାଟରୁ ସଉଦା କରାଇ ନାହିଁ କି ପନିପରିବା କେବେ କିଣାଇ ନାହିଁ। ଗହଳିକୁ ପଠାଇ ନାହିଁ,ସାହାଯ୍ୟ,ସହଯୋଗ ଶିଖାଇ ନାହିଁ କାହାର ବିପଦ ଆପଦରେ ଠିଆ କରାଇ ନାହିଁ। ଦାନ,ଦୟା, ଧର୍ମ କରାଇ ନାହିଁ । ବିଜ୍‌ନେସ ଧରାଇଲି ନାହିଁ। ଚାକିରି ପଛରେ ଦୌଡାଇଲି । କିନ୍ତୁ ପାରିଲା ନାହିଁ। କେଉଁ କୁଳକୁ ହେଲା ନାହିଁ। ଗାଁଗଣ୍ଡା,ସହରୀ ଦୁନିଆ ସହ ସମ୍ପର୍କ ନାହିଁ। ସୁଖ ଦୁଃଖ ପାଇଁ ଏବେ ଦିଟା ସାଙ୍ଗ ମଧ୍ୟ ନାହିଁ । ସୁବିଧା ଅସୁବିଧାରେ କେହି ବି ଠିଆ ହେବେ ନାହିଁ। ପରିବାର,ବନ୍ଧୁବାନ୍ଧବ ପୂର୍ବରୁ କାଟି ଦେଇଛି। କାହାର ଦୁଆର ମାଡ଼ି ନାହିଁ, ମୋ ଦୁଆରକୁ କିଏ ଆସିବ। ମୁଁ ମୋ ପୁଅକୁ ଅସାମାଜିକ କରି ଦେଇଛି। କୂଅ ଭିତରେ ରାଜ ମୁକୁଟ ପିନ୍ଧାଇ ରାଜ୍ୟ ଅଭିଷେକ କରାଇ ଦେଇଛି। ପୁଅର ନୁହଁ ଦୋଷ ମୋର, ସମୁଦୀ। କାରଣ କଞ୍ଚା ମାଟିରେ ସୁନ୍ଦର ହାଣ୍ଡି ଗଢ଼ିବା କାମ କୁମ୍ଭାରର। ଦୋଷ ମାଟିର ନୁହଁ ଦୋଷ ହେଉଛି କୁମ୍ଭାରର।

ଜଗନ୍ନାଥ ବେହେରା
ଗାୟତ୍ରୀ ନଗର, ନବରଙ୍ଗପୁର
ମୋ: ୯୪୩୭୭୮୫୧୫୮

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri