ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ ସନ୍ତୁଳନ ଓ ସମନ୍ବୟ ରହିବା ଆବଶ୍ୟକ। ଭାରତୀୟ ଦର୍ଶନରେ ଏହାକୁ ‘ଆଚରଣ’ (ପଦକ୍ଷେପ ବା ବ୍ୟବହାର) ଏବଂ ‘ଉଚ୍ଚାରଣ’ (ବାଣୀ ବା କଥା) କୁହାଯାଏ। ଯେତେବେଳେ ଆମେ କାହାକୁ ଆଦରରେ ଏବଂ ସ୍ନେହରେ କଥା କହିଥାଉ, ସେମାନଙ୍କ ମନରେ ଖୁସି ଆସିଥାଏ ଏବଂ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି। ଏହାଦ୍ୱାରା ବଡ଼ ଶତ୍ରୁ ମିତ୍ର ପାଲଟିଯାଆନ୍ତି। ଏଣୁ କଥାବାର୍ତ୍ତା ସମୟରେ ସବୁବେଳେ ସକାରାତ୍ମକ ଏବଂ ଅନ୍ୟକୁ ସମ୍ମାନ ଦେଉଥିବା ଶବ୍ଦ ବ୍ୟବହାର କରିବା ଉଚିତ।
ଯେତେବେଳେ ଜଣେ ବ୍ୟକ୍ତି ବା ଗୋଷ୍ଠୀର ଉଚ୍ଚାରଣ ଏବଂ ଆଚରଣ ମଧ୍ୟରେ ପ୍ରଭେଦ ଦେଖାଯାଏ, ସେତେବେଳେ ସାମାଜିକ ସନ୍ତୁଳନ ବିଗିଡ଼ିଯାଏ। ସମ୍ପ୍ରତି ଏହି ପାର୍ଥକ୍ୟ କେବଳ ବ୍ୟକ୍ତିଗତ ସ୍ତରରେ ସୀମିତ ନାହିଁ, ବରଂ ଏହା ଭାରତୀୟ ରାଜନୀତିର ଏକ ପ୍ରମୁଖ ଅସ୍ତ୍ର ପାଲଟିଛି। ବିଶେଷ କରି ନିର୍ବାଚନ ଜିତିବା ଏବଂ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ‘ଘୃଣା ଭାଷଣ’ ଏହି ସମସ୍ୟାକୁ ଭୟଙ୍କର ରୂପ ଦେଇଛି। ଜନସାଧାରଣଙ୍କ ସାମ୍ନାରେ ନିଜକୁ ମହାନ୍‌ ପ୍ରମାଣିତ କରିବା ପାଇଁ ଲୋକେ ବଡ଼ ବଡ଼ ସଂସ୍କାରମୂଳକ ଓ ସହନଶୀଳତାର ଉଚ୍ଚାରଣ କରିଥାନ୍ତି। କିନ୍ତୁ ବାସ୍ତବ ଜୀବନରେ ବ୍ୟକ୍ତିର କାର୍ଯ୍ୟକଳାପ ଓ ପ୍ରକୃତ ବ୍ୟବହାର ସୁସଂଯତ ଆଚରଣ ବିରୋଧୀ ।
ଏବେ ସମାଜରେ ସମସ୍ୟା ଯେ, ଭାଷଣ ସମୟରେ ମଞ୍ଚ ଉପରେ ‘ବସୁଧୈବ କୁଟୁମ୍ବକମ୍‌’ (ସମଗ୍ର ବିଶ୍ୱ ଆମର ପରିବାର) ଉଚ୍ଚାରିତ ହେଉଥିବା ସ୍ଥଳେ ବାସ୍ତବ ଆଚରଣରେ ସେମାନେ ସମାଜକୁ ଧର୍ମ, ଜାତି ଓ ସମ୍ପ୍ରଦାୟ ଆଧାରରେ ବିଭାଜନ କରିବାକୁ ପଛାଉ ନାହାନ୍ତି। ଏହି କଥା ଓ କାର୍ଯ୍ୟର ଅମେଳ ସାମାଜିକ ସଂହତିକୁ ନଷ୍ଟ କରୁଛି। ଭାରତରେ, ବିଶେଷ କରି ଶାସକ ଦଳ ହେଉ କିମ୍ବା ବିରୋଧୀ ଦଳ, ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ‘ଘୃଣା ଭାଷଣ’କୁ ଏକ ସହଜ ଉପାୟ ଓ ଶାଣିତ ଅସ୍ତ୍ର ଭାବେ ଗ୍ରହଣ କରିବା ନୈତିକ ମାନଦଣ୍ଡର ଘୃଣିତ ସ୍ବରୂପ । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ମଧ୍ୟ ଅନେକ ସମୟରେ ଲକ୍ଷ୍ମଣରେଖା ଲଂଘି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି, ଯାହା ଦେଶର ଅନ୍ୟ ସମ୍ପ୍ରଦାୟ ବା ନିର୍ଦ୍ଦିଷ୍ଟ ଜାତି ବିରୋଧରେ ହିଂସା ଉସୁକାଇଥାଏ। ଉଚ୍ଚାରଣ ଏବଂ ଆଚରଣର ଦ୍ୱନ୍ଦ୍ୱ ସମାଜ ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ସାମାଜିକ ଅବିଶ୍ୱାସର ବୃଦ୍ଧିରେ ଇନ୍ଧନ ସଂଯୋଗ କରି ସୁସ୍ଥ ସମାଜକୁ ରୋଗଗ୍ରସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି l ଯେତେବେଳେ ଦେଶର ନେତାମାନେ ଦ୍ୱେଷପୂର୍ଣ୍ଣ ଭାଷଣ ଦିଅନ୍ତି, ସେତେବେଳେ ସାଧାରଣ ନାଗରିକଙ୍କ ମଧ୍ୟରେ ପରସ୍ପର ପ୍ରତି ଥିବା ଭାଇଚାରା ଓ ବିଶ୍ୱାସ ତୁଟିଯାଏ। ବର୍ଷ ବର୍ଷ ଧରି ଏକାଠି ରହିଆସୁଥିବା ପଡ଼ୋଶୀ ମଧ୍ୟ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି। ଘୃଣା ଭାଷଣର ପ୍ରତ୍ୟକ୍ଷ ଫଳ ଗଣ-ହିଂସାରେ ଦେଖାଯାଏ। ଗୁଜବ ଓ ଧାର୍ମିକ ଭାବନାକୁ ଉସୁକାଇ ସାଧାରଣ ଲୋକଙ୍କୁ ଆଇନ ହାତକୁ ନେବା ପାଇଁ ବାଧ୍ୟ କରାଯାଏ। ସାମାଜିକ ଗଣମାଧ୍ୟମ ଯୁଗରେ ଏହି ଘୃଣାଭାବ ବଣ ନିଆଁ ପରି ବ୍ୟାପିଯାଏ। ଫଳରେ ଯୁବପିଢ଼ି ମନ୍ଦ ଆଚରଣକୁ ଅନୁକରଣ କରି ଅସହିଷ୍ଣୁ ହୋଇପଡ଼ୁଛନ୍ତି, ଯାହା ସେମାନଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରୁଛି।
ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନତା, ସ୍ବାଧୀନତା ଏବଂ ଧର୍ମନିରପେକ୍ଷତାର ଅଧିକାର ଦେଇଛି। ମାତ୍ର ବ୍ୟକ୍ତିଗତ ଲାଭ ପାଇଁ କରାଯାଉଥିବା ଦ୍ୱନ୍ଦ୍ୱାତ୍ମକ ଆଚରଣ ସମ୍ବିଧାନର ଆତ୍ମାକୁ ଆହତ କରୁଛି। ଏହା ସାମ୍ବିଧାନିକ ମୂଲ୍ୟବୋଧର ଅବକ୍ଷୟ l ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଅନେକ ସମୟରେ ଘୃଣା ଭାଷଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଘୃଣା ଭାଷଣ ହେଉଛି ଦେଶର ଧର୍ମନିରପେକ୍ଷତାକୁ ନଷ୍ଟ କରୁଥିବା ଏକ ବିଷ। କୋର୍ଟ ପ୍ରଶାସନକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଅଭିଯୋଗ ନ ଥାଇ ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ଏଭଳି ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ଏଠାରେ ମଧ୍ୟ ଆଚରଣ ଓ ଉଚ୍ଚାରଣର ପ୍ରଭେଦ ଦେଖିବାକୁ ମିଳେ। ପ୍ରଶାସନ ଓ ପୋଲିସ କାଗଜପତ୍ରରେ ନିରପେକ୍ଷତାର ଉଚ୍ଚାରଣ କରୁଥିଲେ ମଧ୍ୟ ବାସ୍ତବ ଆଚରଣରେ ଶାସକ ଦଳର ପ୍ରଭାବରେ ଆସି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେଉଛନ୍ତି। ଏହି ସାମାଜିକ ବ୍ୟାଧିରୁ ମୁକ୍ତି ପାଇବା ପାଇଁ କେବଳ ଆଇନ ଯଥେଷ୍ଟ ନୁହେଁ ବରଂ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି:
ସମାଜର ମୁଖ୍ୟମାନେ ଯାହା ଉଚ୍ଚାରଣ କରୁଛନ୍ତି, ତାହାକୁ ନିଜ ଆଚରଣରେ ପ୍ରତିଫଳିତ କରିବା ଉଚିତ। ଯଦି ଆମେ ସଂସ୍କୃତିର ଗୌରବ ଗାନ କରୁଛୁ, ତେବେ ଆମ ଆଚରଣରେ ମଧ୍ୟ ସେହି ଉଦାରତା ରହିବା ଦରକାର। ଘୃଣା ଭାଷଣ ଦେଉଥିବା ବ୍ୟକ୍ତି ସେ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ତାଙ୍କ ବିରୋଧରେ ବିନା କୌଣସି ପାତରଅନ୍ତରରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ କରାଯିବା ଉଚିତ। ଗଣମାଧ୍ୟମ ଘୃଣା ସୃଷ୍ଟି କରୁଥିବା ବୟାନକୁ ଅଧିକ ପ୍ରାଧାନ୍ୟ ନ ଦେଇ ସମାଜରେ ଶାନ୍ତି ଓ ପ୍ରଗତି ଆଣୁଥିବା ବିଷୟ ଉପରେ ଚର୍ଚ୍ଚା କରିବା ଉଚିତ। ମୁଖ୍ୟ ସ୍ରୋତର ତଥା ସାମାଜିକ ଗଣ ମାଧ୍ୟମ (ସୋସିଆଲ ମିଡିଆ) ନିଜ ନିଜର ଦାୟିତ୍ୱବୋଧତାକୁ ସୁସ୍ଥ ମସ୍ତିଷ୍କରେ ସମୀକ୍ଷା କରିବା ବାଞ୍ଛନୀୟ। ସାଧାରଣ ଜନତାଙ୍କୁ ଏଭଳି ରାଜନୈତିକ ଚାଲ୍‌ ବୁଝିବାକୁ ହେବ। ଭୋଟ ଦେବା ସମୟରେ ନେତାଙ୍କ ‘ଉଚ୍ଚାରଣ’ (ପ୍ରତିଶ୍ରୁତି)କୁ ନ ଦେଖି, ତାଙ୍କର ଅତୀତର ‘ଆଚରଣ’ (କାର୍ଯ୍ୟ)କୁ ଦେଖି ନିଷ୍ପତ୍ତି ନେବା ଆବଶ୍ୟକ। ଆଚରଣ ଏବଂ ଉଚ୍ଚାରଣ ମଧ୍ୟରେ ସମନ୍ବୟର ଅଭାବ ହିଁ ସମାଜକୁ ପତନ ଆଡ଼କୁ ନେଇଯାଏ। ମହାତ୍ମା ଗାନ୍ଧୀ କହିଥିଲେ, ”ତୁମର କାର୍ଯ୍ୟ ହିଁ ତୁମର ପରିଚୟ, ତୁମର କଥା ନୁହେଁ।“ ସାମ୍ପ୍ରତିକ ଭାରତୀୟ ରାଜନୀତିରେ ଯେଉଁ ଘୃଣାର ବାତାବରଣ ସୃଷ୍ଟି କରାଯାଉଛି, ତାହାକୁ କେବଳ ଉଚ୍ଚକୋଟୀର ନୈତିକ ଆଚରଣ ଦ୍ୱାରା ହିଁ ପ୍ରତିହତ କରାଯାଇପାରିବ। ସମାଜର ମଙ୍ଗଳ ପାଇଁ ଆଚରଣ ଓ ଉଚ୍ଚାରଣର ଏହି ମାରାତ୍ମକ ପ୍ରଭେଦକୁ ଦୂର କରିବା ଆଜିର ସମୟର ସବୁଠାରୁ ବଡ଼ ଆହ୍ବାନ।

କମଳାକାନ୍ତ ବାରିକ
ଜଗନ୍ନାଥ ନଗର, ଭୁବନେଶ୍ୱର
ମୋ: ୯୪୩୮୨୩୨୫୧୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri