
ଦାରିଙ୍ଗବାଡି,୨୨/୧(ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଠାରୁ ପର୍ତ୍ତମାହା ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତାକୁ ପାଇପ ବିଛାଇବା ପାଇଁ ଖୋଳି ଦିଆଯାଇଛି। ରାସ୍ତାଖୋଳାକୁ ତେରବାଡି, ଡାବୁଲୁମାହା, କାଡ଼ସପାଟା ଗ୍ରାମବାସୀ ବିରୋଧ କରିଛନ୍ତି।
ଶ୍ରାନିକେତା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାଇପ ଯୋଗେ ସରକାର ଜଳ ଯୋଗାଣ କରିବା ପାଇଁ ଏକ ମେଗା ପ୍ରକଳ୍ପରେ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାଇପ ବିଛାଉଛନ୍ତି । ଡାବୁଲୁମାହା ଠାରୁ ପର୍ତ୍ତମାହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ ପରଠାରୁ ମରାମତି କିମ୍ବା ରକ୍ଷଣବେକ୍ଷଣ କରାଯାଇ ନ ଥିବା ବେଳେ ରାସ୍ତାର ଦୁଇ ପାର୍ଶରୁ ମାଟି ଧୋଇ ଖାଲଖମା ହୋଇଛି । ଏବେ ସେହି ରାସ୍ତା ଖୋଳାଯାଇ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଉଛି। ଫଳରେ ପୂର୍ବ ଅପେକ୍ଷା ରାସ୍ତା ଆହୁରି ଶୋଚନୀୟ ହୋଇପଡିଛି। ଗ୍ରାମବାସୀ ଉକ୍ତ ରାସ୍ତା ଖୋଳାକୁ ପ୍ରତିବାଦ କରିବାରୁ ଠିକା ସଂସ୍ଥାର କର୍ମଚାରୀମାନେ ତାଙ୍କର ବିଭାଗୀୟ ଅନୁମତି ରହିଥିବା କହି ଖୋଳି ପାଇପ ବିଛାଇ ଆଉ ଭଲରେ ପୋତିନାହାନ୍ତି। ଯଦ୍ଦ୍ବାରା ଯାତାୟାତରେ ଗ୍ରାମବାସୀ ବହୁତ ହଇରାଣ ହେଉଛନ୍ତି। ଏ ନେଇ ଗ୍ରାମ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂଙ୍କୁ ପଚାରିବାରୁ ସେ ରାସ୍ତା ଖୋଳି ପାଇପ ବିଛାଇବାକୁ କାହାରିକୁ ଅନୁମତି ଦେଇନାହାନ୍ତି, ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ସୂଚନା ଯୋଗ୍ୟଯେ ୫୯ ନଂ ଜାତୀୟ ରାଜପଥ ର ଡାବୁଲୁମାହା ଠାରୁ ତେରବାଡି, କାଡସପାଟା, ପର୍ତ୍ତମାହା, କୋଟଗଡ଼ ବ୍ଲକ ପକାରୀ, ରାଣିପାଙ୍ଗା ଯାତାୟାତ ପାଇଁ ଏକ ମାତ୍ର ରାସ୍ତା। ଦୈନିକ ଶତାଧିକ ଯାତ୍ରୀ ବିଭିନ୍ନ ଗାଡିରେ ଯାତାୟତ କରୁଛନ୍ତି। ତେଣୁ ରାସ୍ତା ଉପରେ ପାଇପ ନ ନେଇ ବିଲ ଭିତରେ ଓ ରାସ୍ତା ଠାରୁ ବହୁ ଦୂରରେ ପାଇପ ବିଛାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।