ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ନୂଆ ବୋର୍ଡରେ ମୋଟ ୧୮ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି।
ଏହି ନୂଆ ଟିମ୍ରେ ବଲିଉଡ୍ ତଥା ଆଞ୍ଚଳିକ ସିନେମା ଜଗତର ଅନେକ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି। ସେଥିମଧ୍ୟରେ ଅଭିନେତା ସୁନୀଲ ଶେଟ୍ଟୀ, ପଙ୍କଜ ତ୍ରିପାଠୀ, ମନୋଜ ଯୋଶୀ, ଅଭିନେତ୍ରୀ ପ୍ରୀତି ଜିଣ୍ଟା, ପଲ୍ଲବୀ ଯୋଶୀ, ରୂପାଲୀ ଗାଙ୍ଗୁଲୀ, ବଙ୍ଗାଳୀ ଅଭିନେତା ପ୍ରସେନଜିତ୍ ଚାଟାର୍ଜୀ, ନିର୍ଦ୍ଦେଶକ ପ୍ରିୟଦର୍ଶନ, ସଙ୍ଗୀତଜ୍ଞ ରିକି କେଜ୍ ଓ ଗାୟକ ହଂସରାଜ ହଂସ ପ୍ରମୁଖ ସାମିଲ ଅଛନ୍ତି। ବିଶେଷ କରି ଓଡ଼ିଶାର ସୁନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କୁ ମଧ୍ୟ ଏହି ଟିମ୍ରେ ସଦସ୍ୟ ଭାବେ ସାମିଲ କରାଯାଇଛି।
ସିନେମାଟୋଗ୍ରାଫ୍ ଆକ୍ଟ, ୧୯୫୨ ଏବଂ ସିନେମାଟୋଗ୍ରାଫ୍ (ସର୍ଟିଫିକେସନ୍) ରୁଲ୍ସ, ୨୦୨୪ ଅଧୀନରେ ଗଠିତ ଏହି ବୋର୍ଡର କାର୍ଯ୍ୟକାଳ ତୁରନ୍ତ ପ୍ରଭାବରୁ ୩ ବର୍ଷ ପାଇଁ ରହିବ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରସାର ଭାରତୀର ପୂର୍ବତନ ସିଇଓ ଶଶି ଶେଖର ଭେମ୍ପତିଙ୍କୁ ସେନ୍ସର ବୋର୍ଡର ନୂଆ ଅଧ୍ୟକ୍ଷ (Chairman) ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ପ୍ରସୂନ ଯୋଶୀଙ୍କ ସ୍ଥାନ ନେଇଥିଲେ, ଯିଏ କି ଦୀର୍ଘ ୯ ବର୍ଷ ଧରି CBFC ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ।
CBFCର ନୂଆ ୧୮ ଜଣିଆ ସଦସ୍ୟ ତାଲିକା: ବିନୋଦ ଅନୁପମ, ମନୋଜ ଯୋଶୀ, ଅଭିଷେକ ଜୈନ, ରିକି କେଜ୍, ପ୍ରିୟଦର୍ଶନ, ସୁନୀଲ ଶେଟ୍ଟୀ, ହଂସରାଜ ହଂସ, ସୁପ୍ରିୟା ୟାରଲାଗଡ୍ଡା, ଯତୀନ୍ଦ୍ର ମିଶ୍ର, ରୂପାଲୀ ଗାଙ୍ଗୁଲୀ, ପ୍ରୀତି ଜିଣ୍ଟା, ନୀଳମାଧବ ପଣ୍ଡା, ପଙ୍କଜ ତ୍ରିପାଠୀ, ପ୍ରସେନଜିତ୍ ଚାଟାର୍ଜୀ, ପଲ୍ଲବୀ ଯୋଶୀ, ନିଶିଗନ୍ଧା ୱାଡ୍, ୱାମନ କେନ୍ଦ୍ରେ ଏବଂ ରମେଶ ପତଙ୍ଗେ।

