Posted inUncategorized

ଏମାନେ ଅଛନ୍ତି ବୋଲି

ମଣିଷ ଜୀବନ ସୁଖଦୁଃଖ, ଭଲମନ୍ଦ ଓ ହସକାନ୍ଦର ଅସରନ୍ତି କଥାଟିଏ। ସେମିତି ପୁଣି ଆମ ସମାଜ। ସତ୍ୟ ଅସତ୍ୟ, ନୀତି ଅନୀତି ବା ଆଚାର ଅନାଚାରର ଦ୍ୱିବିଧତା ମଧ୍ୟରେ ଏହା ସତେ ପରିପୁଷ୍ଟ। ତେବେ ଜୀବନ ହେଉ କି ସମାଜ, ଏ ଦୁହିଁଙ୍କର କଥା ଯେତେ କୁହାଗଲେ ବି ତଥାପି କିଛି କହିବାକୁ ବାକି ରହିଥାଏ। କଥାଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇପାରେ। ଏହା ସହ ଅନ୍ୟ କାହାର କିଛି ସମ୍ପର୍କ ନ ଥାଇପାରେ। ତଥାପି ଏହାକୁ ଅଲୋଡ଼ା କହି ଦୂରକୁ ଫିଙ୍ଗିଦେଇ ହୁଏନା। କଥା ତ ନୁହେଁ, ତାହା ଏମିତି ଏକ ଅନୁଭବ, ଯାହା କେତେବେଳେ ଶୀତଳ ଚନ୍ଦନ ହୋଇ ମନ ଓ ଚୈତନ୍ୟକୁ ସୁରଭିତ କରେ ତ ଅନ୍ୟବେଳେ ଦାରୁଣ ବ୍ୟଥାରେ ମନ୍ଥି ପକାଏ ହୃଦୟକୁ। ଏହି ଅନୁଭବ ମଧ୍ୟରେ କେଉଁଠି ପ୍ରତିବିମ୍ବିତ ହୁଏ ଚରମ ସ୍ବାର୍ଥସେବାର ଉତ୍ତାଳ ତରଙ୍ଗର ଚିତ୍ର ତ ଅନ୍ୟ କେଉଁଠି ପ୍ରତିଧ୍ୱନିତ ହୁଏ ପରାର୍ଥପ୍ରାଣତାର ଓଁକାର ଉଚ୍ଚାରଣ। ମାତ୍ର ଫରକ ଏତିକି, ସ୍ବାର୍ଥର ସଡ଼କରେ ବାଟ ଚାଲି ନିଜ ପାଇଁ ସକଳ ସୁଖଦୁଃଖ ସାଉଁଟୁଥିବା ସାଧାରଣମାନେ ସବୁରି ବିସ୍ମୃତିରେ ହଜିଯାଉଥିବା ବେଳେ ଚିରକାଳ ଜନସ୍ମୃତିରେ ସଂଜୀବିତ ରହିଥା’ନ୍ତି ଅନ୍ୟର ଦୁଃଖମୋଚନ ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ଅନନ୍ୟ ଅସାଧାରଣମାନେ।

ଏହି ଅନନ୍ୟ ଅସାଧାରଣମାନେ ହୋଇପାରନ୍ତି ଧନୀ ବା ଗରିବ, ଶିକ୍ଷିତ ଅବା ଅଶିକ୍ଷିତ, ପୋଲିସ, ପ୍ରଫେସର କିମ୍ବା ମାମୁଲି ମାଳୀର ଦରିଦ୍ର ସନ୍ତାନ। ଦୁଃଖୀର ଦୁଃଖ ଲାଘବ କରି ନ ପାରିଲେ ବା ଅସହାୟକୁ ସହାୟ ହୋଇ ନ ପାରିଲେ ଏମାନେ ନିଜକୁ ପରିପୂର୍ଣ୍ଣ ମନେ କରିପାରନ୍ତି ନାହିଁ। ଅନ୍ୟ କାହାର ସ୍ବୀକୃତି ବା ପ୍ରଶସ୍ତିକୁ ଅପେକ୍ଷା ନ କରି ଏମାନେ ନୀରବରେ ଆଗେଇ ଚାଲନ୍ତି ନିଜ ନିଜର ସାଧନା ପଥରେ। ଏମାନଙ୍କ ନାଁ କାନରେ ପଡ଼ିଲେ ଅନ୍ତର ପୂରିଉଠେ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ। ଜୀବନର ଯାବତୀୟ ଜଞ୍ଜାଳ ଓ ଜଟିଳତା ତଥା ଅବକ୍ଷୟୀ ସମାଜର ସକଳ କାଳିମା ସତ୍ତ୍ୱେ ଏ ସଂସାର ତଥାପି ଅପରିବର୍ଜନୀୟ ବୋଲି ମନରେ ବିଶ୍ୱାସ ଜନ୍ମେ।
ମଦୁରାଇର ମନ୍ଦିର ବେଢ଼ାରେ ଭକ୍ତମାନଙ୍କୁ ଫୁଲମାଳ ବିକୁଥାଏ ପନ୍ଦର ବର୍ଷୀୟା ତରୁଣୀଟିଏ। ସ୍କୁଲ ପାଠପଢ଼ା ମଧ୍ୟରେ ବାପାଙ୍କ ବେଉସା ସମ୍ଭାଳିବାର ସାମୟିକ ଦାୟିତ୍ୱ ମୁଣ୍ଡାଉଥାଏ ସେ। ଦିନେ ଫୁଲ ବିକୁଥିବା ବେଳେ ତା’ ନଜରରେ ପଡ଼ିଲା ମୁଣିଟିଏ। ମୁଣିଟିକୁ ଆଣି ଦେଖିଲା କିଛି କାଗଜପତ୍ର ସାଙ୍ଗକୁ ତିନିବିଡ଼ା ନୋଟ୍‌, ଯାହାର ପରିମାଣ ଥିଲା ତିନି ଲକ୍ଷ ଟଙ୍କା। ବର୍ଷକ ପରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ପିଲାଟି ତା’ ଅଭାବୀ ବାପାର ଦାରିଦ୍ର୍ୟକୁ ଭଲ ଭାବେ ବୁଝି ସାରିଥିଲା। ତଥାପି ପରିବାରର ଦାରିଦ୍ର୍ୟ ବା ତାରୁଣ୍ୟର ଚପଳତାରେ ଦୁର୍ବଳ ନ ହୋଇ ସେ ମୁଣିଟିକୁ ମନ୍ଦିର ଅଫିସ୍‌ରେ ଜମା ଦେଇଥିଲା। କେବଳ ସେତିକି ନୁହେଁ, ତା’ ପରଦିନ ମୁଣିର ମାଲିକ ମନ୍ଦିର ଅଫିସ୍‌ରୁ ତାଙ୍କ ହୃତ ସମ୍ପଦ ଫେରାଇ ନେଲାବେଳେ ପିଲାଟିର ଅପୂର୍ବ ସାଧୁତାର ମୂଲ୍ୟ ସ୍ବରୂପ ତା’ ହାତରେ ପାଞ୍ଚ ହଜାର ଟଙ୍କା ଗୁଞ୍ଜି ଦେଲା ବେଳେ ସେ ତା’ ନିଜ ଢଙ୍ଗରେ ପ୍ରତିବାଦ କରିଥିଲା ଓ କହିଥିଲା, ”ଯାହା ମୋର ନୁହେଁ, ତାହା ମୁଁ ଗ୍ରହଣ କରିପାରିବି ନାହିଁ।“ ଆଃ, କଞ୍ଚା ବୟସରେ କି ବିରଳ ସାଧୁତା! କି ଅଭିନବ ଅନାସକ୍ତି!!
ନାହିଁ ନାହିଁର ଜୀବନ ବଞ୍ଚୁଥିବା ଏକ ଗରିବ ବାଳକ ଯେମିତି ଜୀବନକୁ ଚିହ୍ନିଛି, ସେମିତି ଚିହ୍ନିଛନ୍ତି କି ଆମ ଭଳି ବିଜ୍ଞ ବୟସ୍କମାନେ? ନିଜ ନିଜର ଭିତରକୁ ନିରେଖି ଦେଖିବାର ଏହି ପ୍ରଶ୍ନଟିର ଉତ୍ତରରେ ଆଉ ଏକ ଉଜ୍ଜ୍ୱଳ ଉଦାହରଣ। ମାଟ୍ରିକ୍‌ ପରୀକ୍ଷାରେ କ୍ରମାଗତ ଦୁଇଥର ଫେଲ୍‌ ହେଲା ପରେ ନିଜ ଉପରୁ ଆସ୍ଥା ହରାଇ ଘରର ପୁଳାଏ ସୁନା ଗହଣା ସହ ଏକ ଅଜଣା ଲକ୍ଷ୍ୟରେ ପାଦ ବଢ଼ାଇଲେ ଦୁଇ ଗ୍ରାମ୍ୟ ତରୁଣ। ରାଜଧାନୀ ସହରରେ ପହଞ୍ଚତ୍ ଗହଣାତକ ବିକିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଜଣେ ଅସାମାଜିକ ଅପରାଧୀ ହାବୁଡ଼ରେ ପଡ଼ିଗଲେ। ସେମାନଙ୍କ ପାଇଁ ଏକ ସହଜ ଜୀବନର ବ୍ୟବସ୍ଥା କରିଦେବ ବୋଲି ବିଶ୍ୱାସ ଜନ୍ମାଇ ସେ ମୂଲ୍ୟବାନ୍‌ ଅଳଙ୍କାରତକ ହାତେଇବାକୁ ଉଦ୍ୟମ କରୁଥିବାବେଳେ ଅଚାନକ ଦୃଶ୍ୟପଟରେ ଆବିର୍ଭୂତ ହେଲେ ସ୍ଥାନୀୟ ଥାନାର ଜଣେ ପୋଲିସ। ପୋଲିସବାବୁ ଚାହିଁଥିଲେ ପଳାତକ ପିଲାଦୁହିଁଙ୍କୁ ନେଇ ଆଇନର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିପାରିଥାନ୍ତେ କିମ୍ବା ନିଜର ଅନ୍ୟ କିଛି ଅସାଧୁ ସହକର୍ମୀଙ୍କ ପରି ସୁରକ୍ଷାର କବଚ ପିନ୍ଧାଇବା ନଁାରେ ବହୁ ମୂଲ୍ୟ ଅଳଙ୍କାରତକ ହାତେଇ ନେଇପାରିଥାନ୍ତେ। ମାତ୍ର ସେ ଏମିତି କିଛି କଲେନାହିଁ। ସେ ପଥହୁଡ଼ା ପିଲାଦୁହିଁଙ୍କୁ ନିଜ ଘରକୁ ନେଇଗଲେ ଓ ତାଙ୍କ ପରିବାର ପାଖକୁ ଫେରିଯିବାକୁ ବହୁଭାବେ ପ୍ରବର୍ତ୍ତାଇଲେ। କିନ୍ତୁ ପିଲା ଦୁହେଁ ନିଜ ଘର ଠିକଣା ପ୍ରକାଶ କଲେ ନାହିଁ। ସେଇ ପୋଲିସବାବୁ ଦୀର୍ଘ ସାତଦିନ କାଳ ସେ ଦୁହିଁଙ୍କୁ ନିଜ ଘରେ ରଖି ସେ ଓ ତାଙ୍କ ପତ୍ନୀ ଶେଷରେ ପିଲାଦୁହିଁଙ୍କୁ ପ୍ରଭାବିତ କରି ସେଠାରୁ ତିନିଶହ କିମି ଦୂର ତାଙ୍କ ଗଁାରେ ନେଇ ଛାଡ଼ି ଦେଇ ଆସିଲେ। ପିଲାଦୁହିଁଙ୍କ ବିରହରେ ସେଯାଏଁ ଦାରୁଣ ଦୁଃଖ ଭୋଗୁଥିବା ସେମାନଙ୍କ ମା’ବାପା କୃତଜ୍ଞ ଆଖିର କରୁଣତା ଥିଲା ସେଇ ପୋଲିସବାବୁଙ୍କ ମହାର୍ଘ ମଣିଷପଣିଆ ନିକଟରେ ଏକ ନୀରବ ସମର୍ପଣ।
ସବୁଦିନ ଭଳି ସେଦିନ ବି ବସ୍‌ରେ ପୁରୀ ଯାଉଥା’ନ୍ତି ଅଧ୍ୟାପକ ମିଶ୍ର। ଭୁବନେଶ୍ୱରରେ ରହି ପୁରୀ କଲେଜରେ ଅଧ୍ୟାପନା କରୁଥିବା ମିଶ୍ରବାବୁ ବସ୍‌ଟିରେ ଭରପୂର ଯାତ୍ରୀ ଭିଡ଼ ସତ୍ତ୍ୱେ ନିଜ ସିଟ୍‌ରେ ବସି ଆରାମରେ ଯାତ୍ରା କରୁଥିବା ବେଳେ ହଠାତ୍‌ ସେ ଲକ୍ଷ୍ୟ କଲେ ଶିଶୁଟିକୁ କାଖରେ ଜାକି ଛିଡ଼ାହୋଇ ଯାତ୍ରା କରୁଥିବା ମହିଳା ଜଣେ ତନ୍ଦ୍ରାଚ୍ଛନ୍ନ ହୋଇ ବାରମ୍ବାର ଟଳି ପଡୁଛନ୍ତି। ପାଖରେ ଛିଡ଼ା ହୋଇଥିବା ତାଙ୍କ ସ୍ବାମୀଙ୍କୁ ଢୁଳାଉଥିବା ଅବସ୍ଥାରେ କାଖର ପିଲାଟି ଖସି ପଡ଼ିପାରେ ବୋଲି ସେ ସତର୍କ କରାଇଦେବାରୁ ବଡ଼ ବିକଳ ଭାବେ ସେ ଯେଉଁ ସଫେଇ ଦେଲେ ତାହା ଥିଲା ବେଶ୍‌ ମାର୍ମିକ। ସେମାନେ ପୂର୍ବଦିନ ସନ୍ଧ୍ୟାରୁ ସୁନ୍ଦରଗଡ଼ରୁ ବାହାରି ସକାଳେ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି ଓ ଗାଡ଼ି ବଦଳାଇ ଜଗନ୍ନାଥ ଦର୍ଶନ ପାଇଁ ଯାଉଛନ୍ତି। ରାତିଅନିଦ୍ରା ଓ ଦୀର୍ଘ ଯାତ୍ରାର କ୍ଳାନ୍ତି ସାଙ୍ଗକୁ ଭିଡ଼ ବସ୍‌୍‌ରେ ଛିଡ଼ାହୋଇ ଯାତ୍ରା କରିବାର ଯନ୍ତ୍ରଣା। ସିଟ୍‌ଟାଏ ପାଇ ପରମ ଆନନ୍ଦରେ ଯାତ୍ରା କରୁଥିବା ଯାତ୍ରୀମାନେ ଯିଏ ଯାହା ଖୁସିରେ ମଗ୍ନ ଥିଲାବେଳେ ଅଧ୍ୟାପକ ମିଶ୍ର କିନ୍ତୁ ସେଇ ଅବସନ୍ନ ତରୁଣୀ ମାଆଟିର ଦୁଃଖ ଦେଖି ଉଠିପଡ଼ିଲେ ଓ ନିଜ ସିଟ୍‌ରେ ସେଇ ମହିଳାଙ୍କୁ ବସାଇ ଅବଶିଷ୍ଟ ଯାତ୍ରାପଥ ଛିଡ଼ାହୋଇ ଅତିକ୍ରମ କଲେ।
ମଦୁରାଇର ସେଇ ମାଳୀ ପିଲା, ରାଜଧାନୀର ପୋଲିସବାବୁ ଅବା ଅଧ୍ୟାପକ ମିଶ୍ର- ଏମାନେ ଅଛନ୍ତି ବୋଲି ସଂସାରଟା ବୋଧହୁଏ ଏତେ ସୁନ୍ଦର ଲାଗୁଛି। ଜୀବନ ମନେହେଉଛି ଅଧିକ ହୃଦ୍ୟ ଓ ରମଣୀୟ। ଏମାନଙ୍କୁ ଦେଖିଲେ ନିଜ ଅଲକ୍ଷ୍ୟରେ ହାତ ଯୋଡ଼ିକ ଯୋଡ଼ି ହୋଇଯାଆନ୍ତି। ଈଶ୍ୱର ବିସ୍ମୃତିରେ ହଜିଯା’ନ୍ତି କେଇ ମୁହୂର୍ତ୍ତ ପାଇଁ, କାରଣ ସେଇ ଅଦୃଶ୍ୟ ଈଶ୍ୱର ଏଇ ଦୃଶ୍ୟମାନ ପରାର୍ଥପ୍ରାଣଙ୍କଠାରୁ ଅଧିକ ଦିବ୍ୟ, ଅଧିକ ମଙ୍ଗଳମୟ ହୋଇଥିବେ ବୋଲି ମନରେ ବିଶ୍ୱାସ ହୁଏନା।

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
    ଚକେଇସିହାଣି, ଭୁବନେଶ୍ୱର-୧୦
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri