Posted inUncategorized

ଏମାନେ ଅଛନ୍ତି ବୋଲି

ମଣିଷ ଜୀବନ ସୁଖଦୁଃଖ, ଭଲମନ୍ଦ ଓ ହସକାନ୍ଦର ଅସରନ୍ତି କଥାଟିଏ। ସେମିତି ପୁଣି ଆମ ସମାଜ। ସତ୍ୟ ଅସତ୍ୟ, ନୀତି ଅନୀତି ବା ଆଚାର ଅନାଚାରର ଦ୍ୱିବିଧତା ମଧ୍ୟରେ ଏହା ସତେ ପରିପୁଷ୍ଟ। ତେବେ ଜୀବନ ହେଉ କି ସମାଜ, ଏ ଦୁହିଁଙ୍କର କଥା ଯେତେ କୁହାଗଲେ ବି ତଥାପି କିଛି କହିବାକୁ ବାକି ରହିଥାଏ। କଥାଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହୋଇପାରେ। ଏହା ସହ ଅନ୍ୟ କାହାର କିଛି ସମ୍ପର୍କ ନ ଥାଇପାରେ। ତଥାପି ଏହାକୁ ଅଲୋଡ଼ା କହି ଦୂରକୁ ଫିଙ୍ଗିଦେଇ ହୁଏନା। କଥା ତ ନୁହେଁ, ତାହା ଏମିତି ଏକ ଅନୁଭବ, ଯାହା କେତେବେଳେ ଶୀତଳ ଚନ୍ଦନ ହୋଇ ମନ ଓ ଚୈତନ୍ୟକୁ ସୁରଭିତ କରେ ତ ଅନ୍ୟବେଳେ ଦାରୁଣ ବ୍ୟଥାରେ ମନ୍ଥି ପକାଏ ହୃଦୟକୁ। ଏହି ଅନୁଭବ ମଧ୍ୟରେ କେଉଁଠି ପ୍ରତିବିମ୍ବିତ ହୁଏ ଚରମ ସ୍ବାର୍ଥସେବାର ଉତ୍ତାଳ ତରଙ୍ଗର ଚିତ୍ର ତ ଅନ୍ୟ କେଉଁଠି ପ୍ରତିଧ୍ୱନିତ ହୁଏ ପରାର୍ଥପ୍ରାଣତାର ଓଁକାର ଉଚ୍ଚାରଣ। ମାତ୍ର ଫରକ ଏତିକି, ସ୍ବାର୍ଥର ସଡ଼କରେ ବାଟ ଚାଲି ନିଜ ପାଇଁ ସକଳ ସୁଖଦୁଃଖ ସାଉଁଟୁଥିବା ସାଧାରଣମାନେ ସବୁରି ବିସ୍ମୃତିରେ ହଜିଯାଉଥିବା ବେଳେ ଚିରକାଳ ଜନସ୍ମୃତିରେ ସଂଜୀବିତ ରହିଥା’ନ୍ତି ଅନ୍ୟର ଦୁଃଖମୋଚନ ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ଅନନ୍ୟ ଅସାଧାରଣମାନେ।

ଏହି ଅନନ୍ୟ ଅସାଧାରଣମାନେ ହୋଇପାରନ୍ତି ଧନୀ ବା ଗରିବ, ଶିକ୍ଷିତ ଅବା ଅଶିକ୍ଷିତ, ପୋଲିସ, ପ୍ରଫେସର କିମ୍ବା ମାମୁଲି ମାଳୀର ଦରିଦ୍ର ସନ୍ତାନ। ଦୁଃଖୀର ଦୁଃଖ ଲାଘବ କରି ନ ପାରିଲେ ବା ଅସହାୟକୁ ସହାୟ ହୋଇ ନ ପାରିଲେ ଏମାନେ ନିଜକୁ ପରିପୂର୍ଣ୍ଣ ମନେ କରିପାରନ୍ତି ନାହିଁ। ଅନ୍ୟ କାହାର ସ୍ବୀକୃତି ବା ପ୍ରଶସ୍ତିକୁ ଅପେକ୍ଷା ନ କରି ଏମାନେ ନୀରବରେ ଆଗେଇ ଚାଲନ୍ତି ନିଜ ନିଜର ସାଧନା ପଥରେ। ଏମାନଙ୍କ ନାଁ କାନରେ ପଡ଼ିଲେ ଅନ୍ତର ପୂରିଉଠେ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ। ଜୀବନର ଯାବତୀୟ ଜଞ୍ଜାଳ ଓ ଜଟିଳତା ତଥା ଅବକ୍ଷୟୀ ସମାଜର ସକଳ କାଳିମା ସତ୍ତ୍ୱେ ଏ ସଂସାର ତଥାପି ଅପରିବର୍ଜନୀୟ ବୋଲି ମନରେ ବିଶ୍ୱାସ ଜନ୍ମେ।
ମଦୁରାଇର ମନ୍ଦିର ବେଢ଼ାରେ ଭକ୍ତମାନଙ୍କୁ ଫୁଲମାଳ ବିକୁଥାଏ ପନ୍ଦର ବର୍ଷୀୟା ତରୁଣୀଟିଏ। ସ୍କୁଲ ପାଠପଢ଼ା ମଧ୍ୟରେ ବାପାଙ୍କ ବେଉସା ସମ୍ଭାଳିବାର ସାମୟିକ ଦାୟିତ୍ୱ ମୁଣ୍ଡାଉଥାଏ ସେ। ଦିନେ ଫୁଲ ବିକୁଥିବା ବେଳେ ତା’ ନଜରରେ ପଡ଼ିଲା ମୁଣିଟିଏ। ମୁଣିଟିକୁ ଆଣି ଦେଖିଲା କିଛି କାଗଜପତ୍ର ସାଙ୍ଗକୁ ତିନିବିଡ଼ା ନୋଟ୍‌, ଯାହାର ପରିମାଣ ଥିଲା ତିନି ଲକ୍ଷ ଟଙ୍କା। ବର୍ଷକ ପରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ପିଲାଟି ତା’ ଅଭାବୀ ବାପାର ଦାରିଦ୍ର୍ୟକୁ ଭଲ ଭାବେ ବୁଝି ସାରିଥିଲା। ତଥାପି ପରିବାରର ଦାରିଦ୍ର୍ୟ ବା ତାରୁଣ୍ୟର ଚପଳତାରେ ଦୁର୍ବଳ ନ ହୋଇ ସେ ମୁଣିଟିକୁ ମନ୍ଦିର ଅଫିସ୍‌ରେ ଜମା ଦେଇଥିଲା। କେବଳ ସେତିକି ନୁହେଁ, ତା’ ପରଦିନ ମୁଣିର ମାଲିକ ମନ୍ଦିର ଅଫିସ୍‌ରୁ ତାଙ୍କ ହୃତ ସମ୍ପଦ ଫେରାଇ ନେଲାବେଳେ ପିଲାଟିର ଅପୂର୍ବ ସାଧୁତାର ମୂଲ୍ୟ ସ୍ବରୂପ ତା’ ହାତରେ ପାଞ୍ଚ ହଜାର ଟଙ୍କା ଗୁଞ୍ଜି ଦେଲା ବେଳେ ସେ ତା’ ନିଜ ଢଙ୍ଗରେ ପ୍ରତିବାଦ କରିଥିଲା ଓ କହିଥିଲା, ”ଯାହା ମୋର ନୁହେଁ, ତାହା ମୁଁ ଗ୍ରହଣ କରିପାରିବି ନାହିଁ।“ ଆଃ, କଞ୍ଚା ବୟସରେ କି ବିରଳ ସାଧୁତା! କି ଅଭିନବ ଅନାସକ୍ତି!!
ନାହିଁ ନାହିଁର ଜୀବନ ବଞ୍ଚୁଥିବା ଏକ ଗରିବ ବାଳକ ଯେମିତି ଜୀବନକୁ ଚିହ୍ନିଛି, ସେମିତି ଚିହ୍ନିଛନ୍ତି କି ଆମ ଭଳି ବିଜ୍ଞ ବୟସ୍କମାନେ? ନିଜ ନିଜର ଭିତରକୁ ନିରେଖି ଦେଖିବାର ଏହି ପ୍ରଶ୍ନଟିର ଉତ୍ତରରେ ଆଉ ଏକ ଉଜ୍ଜ୍ୱଳ ଉଦାହରଣ। ମାଟ୍ରିକ୍‌ ପରୀକ୍ଷାରେ କ୍ରମାଗତ ଦୁଇଥର ଫେଲ୍‌ ହେଲା ପରେ ନିଜ ଉପରୁ ଆସ୍ଥା ହରାଇ ଘରର ପୁଳାଏ ସୁନା ଗହଣା ସହ ଏକ ଅଜଣା ଲକ୍ଷ୍ୟରେ ପାଦ ବଢ଼ାଇଲେ ଦୁଇ ଗ୍ରାମ୍ୟ ତରୁଣ। ରାଜଧାନୀ ସହରରେ ପହଞ୍ଚତ୍ ଗହଣାତକ ବିକିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଜଣେ ଅସାମାଜିକ ଅପରାଧୀ ହାବୁଡ଼ରେ ପଡ଼ିଗଲେ। ସେମାନଙ୍କ ପାଇଁ ଏକ ସହଜ ଜୀବନର ବ୍ୟବସ୍ଥା କରିଦେବ ବୋଲି ବିଶ୍ୱାସ ଜନ୍ମାଇ ସେ ମୂଲ୍ୟବାନ୍‌ ଅଳଙ୍କାରତକ ହାତେଇବାକୁ ଉଦ୍ୟମ କରୁଥିବାବେଳେ ଅଚାନକ ଦୃଶ୍ୟପଟରେ ଆବିର୍ଭୂତ ହେଲେ ସ୍ଥାନୀୟ ଥାନାର ଜଣେ ପୋଲିସ। ପୋଲିସବାବୁ ଚାହିଁଥିଲେ ପଳାତକ ପିଲାଦୁହିଁଙ୍କୁ ନେଇ ଆଇନର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିପାରିଥାନ୍ତେ କିମ୍ବା ନିଜର ଅନ୍ୟ କିଛି ଅସାଧୁ ସହକର୍ମୀଙ୍କ ପରି ସୁରକ୍ଷାର କବଚ ପିନ୍ଧାଇବା ନଁାରେ ବହୁ ମୂଲ୍ୟ ଅଳଙ୍କାରତକ ହାତେଇ ନେଇପାରିଥାନ୍ତେ। ମାତ୍ର ସେ ଏମିତି କିଛି କଲେନାହିଁ। ସେ ପଥହୁଡ଼ା ପିଲାଦୁହିଁଙ୍କୁ ନିଜ ଘରକୁ ନେଇଗଲେ ଓ ତାଙ୍କ ପରିବାର ପାଖକୁ ଫେରିଯିବାକୁ ବହୁଭାବେ ପ୍ରବର୍ତ୍ତାଇଲେ। କିନ୍ତୁ ପିଲା ଦୁହେଁ ନିଜ ଘର ଠିକଣା ପ୍ରକାଶ କଲେ ନାହିଁ। ସେଇ ପୋଲିସବାବୁ ଦୀର୍ଘ ସାତଦିନ କାଳ ସେ ଦୁହିଁଙ୍କୁ ନିଜ ଘରେ ରଖି ସେ ଓ ତାଙ୍କ ପତ୍ନୀ ଶେଷରେ ପିଲାଦୁହିଁଙ୍କୁ ପ୍ରଭାବିତ କରି ସେଠାରୁ ତିନିଶହ କିମି ଦୂର ତାଙ୍କ ଗଁାରେ ନେଇ ଛାଡ଼ି ଦେଇ ଆସିଲେ। ପିଲାଦୁହିଁଙ୍କ ବିରହରେ ସେଯାଏଁ ଦାରୁଣ ଦୁଃଖ ଭୋଗୁଥିବା ସେମାନଙ୍କ ମା’ବାପା କୃତଜ୍ଞ ଆଖିର କରୁଣତା ଥିଲା ସେଇ ପୋଲିସବାବୁଙ୍କ ମହାର୍ଘ ମଣିଷପଣିଆ ନିକଟରେ ଏକ ନୀରବ ସମର୍ପଣ।
ସବୁଦିନ ଭଳି ସେଦିନ ବି ବସ୍‌ରେ ପୁରୀ ଯାଉଥା’ନ୍ତି ଅଧ୍ୟାପକ ମିଶ୍ର। ଭୁବନେଶ୍ୱରରେ ରହି ପୁରୀ କଲେଜରେ ଅଧ୍ୟାପନା କରୁଥିବା ମିଶ୍ରବାବୁ ବସ୍‌ଟିରେ ଭରପୂର ଯାତ୍ରୀ ଭିଡ଼ ସତ୍ତ୍ୱେ ନିଜ ସିଟ୍‌ରେ ବସି ଆରାମରେ ଯାତ୍ରା କରୁଥିବା ବେଳେ ହଠାତ୍‌ ସେ ଲକ୍ଷ୍ୟ କଲେ ଶିଶୁଟିକୁ କାଖରେ ଜାକି ଛିଡ଼ାହୋଇ ଯାତ୍ରା କରୁଥିବା ମହିଳା ଜଣେ ତନ୍ଦ୍ରାଚ୍ଛନ୍ନ ହୋଇ ବାରମ୍ବାର ଟଳି ପଡୁଛନ୍ତି। ପାଖରେ ଛିଡ଼ା ହୋଇଥିବା ତାଙ୍କ ସ୍ବାମୀଙ୍କୁ ଢୁଳାଉଥିବା ଅବସ୍ଥାରେ କାଖର ପିଲାଟି ଖସି ପଡ଼ିପାରେ ବୋଲି ସେ ସତର୍କ କରାଇଦେବାରୁ ବଡ଼ ବିକଳ ଭାବେ ସେ ଯେଉଁ ସଫେଇ ଦେଲେ ତାହା ଥିଲା ବେଶ୍‌ ମାର୍ମିକ। ସେମାନେ ପୂର୍ବଦିନ ସନ୍ଧ୍ୟାରୁ ସୁନ୍ଦରଗଡ଼ରୁ ବାହାରି ସକାଳେ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି ଓ ଗାଡ଼ି ବଦଳାଇ ଜଗନ୍ନାଥ ଦର୍ଶନ ପାଇଁ ଯାଉଛନ୍ତି। ରାତିଅନିଦ୍ରା ଓ ଦୀର୍ଘ ଯାତ୍ରାର କ୍ଳାନ୍ତି ସାଙ୍ଗକୁ ଭିଡ଼ ବସ୍‌୍‌ରେ ଛିଡ଼ାହୋଇ ଯାତ୍ରା କରିବାର ଯନ୍ତ୍ରଣା। ସିଟ୍‌ଟାଏ ପାଇ ପରମ ଆନନ୍ଦରେ ଯାତ୍ରା କରୁଥିବା ଯାତ୍ରୀମାନେ ଯିଏ ଯାହା ଖୁସିରେ ମଗ୍ନ ଥିଲାବେଳେ ଅଧ୍ୟାପକ ମିଶ୍ର କିନ୍ତୁ ସେଇ ଅବସନ୍ନ ତରୁଣୀ ମାଆଟିର ଦୁଃଖ ଦେଖି ଉଠିପଡ଼ିଲେ ଓ ନିଜ ସିଟ୍‌ରେ ସେଇ ମହିଳାଙ୍କୁ ବସାଇ ଅବଶିଷ୍ଟ ଯାତ୍ରାପଥ ଛିଡ଼ାହୋଇ ଅତିକ୍ରମ କଲେ।
ମଦୁରାଇର ସେଇ ମାଳୀ ପିଲା, ରାଜଧାନୀର ପୋଲିସବାବୁ ଅବା ଅଧ୍ୟାପକ ମିଶ୍ର- ଏମାନେ ଅଛନ୍ତି ବୋଲି ସଂସାରଟା ବୋଧହୁଏ ଏତେ ସୁନ୍ଦର ଲାଗୁଛି। ଜୀବନ ମନେହେଉଛି ଅଧିକ ହୃଦ୍ୟ ଓ ରମଣୀୟ। ଏମାନଙ୍କୁ ଦେଖିଲେ ନିଜ ଅଲକ୍ଷ୍ୟରେ ହାତ ଯୋଡ଼ିକ ଯୋଡ଼ି ହୋଇଯାଆନ୍ତି। ଈଶ୍ୱର ବିସ୍ମୃତିରେ ହଜିଯା’ନ୍ତି କେଇ ମୁହୂର୍ତ୍ତ ପାଇଁ, କାରଣ ସେଇ ଅଦୃଶ୍ୟ ଈଶ୍ୱର ଏଇ ଦୃଶ୍ୟମାନ ପରାର୍ଥପ୍ରାଣଙ୍କଠାରୁ ଅଧିକ ଦିବ୍ୟ, ଅଧିକ ମଙ୍ଗଳମୟ ହୋଇଥିବେ ବୋଲି ମନରେ ବିଶ୍ୱାସ ହୁଏନା।

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
    ଚକେଇସିହାଣି, ଭୁବନେଶ୍ୱର-୧୦
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୯ , ୨୦୨୩ )

     ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନନ୍ଦିନୀ ଶତପଥୀଙ୍କ ୯୨ତମ ଜନ୍ମ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ...

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସନ୍‌ରାଇଜର୍ସ

ଲକ୍ଷ୍ନୌ,୭ା୪(ପି.ଟି.): ଶୁକ୍ରବାର ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍ସ (ଏଲଏସ୍‌ଜି)କୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ହାରିବା ପରେ ଏହି ମ୍ୟାଚ୍‌ରେ ଦୃଢ...

Featured Video Play Icon

ଏଥର ହେବନି ବାଲିଯାତ୍ରା, ଆମେ ଦୁଃଖିତ

ଭାଇଚାରାର ସହର କଟକ । କାର୍ତ୍ତିକ ମାସ ହେଲେ ସିଲଭର ସିଟିରେ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା କଥା ମନେ ପଡେ । କାର୍ତ୍ତିକ ମାସ ଆରମ୍ଭ...

ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ ସିଆଇଏସ୍‌ଏଫ୍‌ କନ୍‌ଷ୍ଟେବଲ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧାରାପଡ଼ିଛନ୍ତି। ବିଶାଖାପାଟଣା...

ପିଲାଙ୍କ ସ୍ବପ୍ନ

ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ କେଉଁ ଅଭିଭାବକଙ୍କ କାମନା ନୁହେଁ । ହେଲେ କେବେ କେବେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭର୍ତ୍ତି କରାଇବାକୁ ନେଇ ସେମାନଙ୍କ...

ଜମିରେ ଧାନ କାଟୁଛନ୍ତି ଡାବୁଗାଁ ବିଧାୟକ

ନବରଙ୍ଗପୁର,୧୪୧୧(ବି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜର ନିଅାରା କାଯର୍ୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଏବେ ନବରଙ୍ଗପୁର ବ୍ଲକ ଅଧୀନ ପୂଜାରୀଗୁଡାସ୍ଥିତ ନିଜ ଚାଷଜମିରେ...

ଯୌନହିଂସା ରୋକିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୨ା୮: ମଣିପୁର ହିଂସା ବେଳେ ମହିଳାମାନଙ୍କ ପ୍ରତି ଯେଭଳି ଅତ୍ୟାଚାର କରାଯାଇଛି, ତାହାକୁ ନେଇ ସୁପ୍ରିମକୋର୍ଟ ବ୍ୟଥିତ ହୋଇଛନ୍ତି। ଅନ୍ୟ ସମ୍ପ୍ରଦାୟକୁ ପଦାନତ କରିବାର ବାର୍ତ୍ତା ଦେବା...

ଅଳପ ଧନ ବିକଳ ମନ

ଧନ ପ୍ରତି କାହା ମନରେ ଲୋଭ କି ଲାଳସା ନାହିଁ କହିଲେ। ଆଜିକାଲି ତ ଧନ ଅର୍ଜନ କରିବାକୁ ଯିଏ ଯେଉଁ ବାଟକୁ ପାରୁଛି ଆପଣେଇ...

Advertisement
Archives

Model This Week