Posted inଫୁରସତ

ଶିକ୍ଷକଙ୍କ କୃଷି ସଂଗ୍ରହାଳୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ପାରମ୍ପରିକ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ ସୂତ୍ର ମିଳେ। ଏମିତିରେ ଗାଁଗଣ୍ଡାରୁ ହଜିଯାଉଥିବା ବହୁ ବିରଳ ତଥା ପୁରାତନ ବ୍ୟବହୃତ ସାମଗ୍ରୀକୁ ଗୋଟିଏ ସ୍ଥାନରେ ଦେଖିବାର ଓ ମନେପକାଇବାର ସୁଯୋଗ ସୃଷ୍ଟି କରିଥାଏ। ତେବେ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଏକାଧିକ ସରକାରୀ ଓ ବେସରକାରୀ ନାନାପ୍ରକାରର ସଂଗ୍ରହାଳୟ । ହେଲେ ଇଏ ଏମିତି ଏକ ସଂଗ୍ରହାଳୟ ଯେଉଁଠି କେବଳ ଦେଖିବାକୁ ପାଇବେ ଗ୍ରାମୀଣ ସଂସ୍କୃତି ଓ କୃଷିକ୍ଷେତ୍ରରେ ଦେଶୀୟ ପଦ୍ଧତିରେ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ଓ ବିଭିନ୍ନ ପ୍ରକାରର ବିହନ। ଏହି ସଂଗ୍ରହାଳୟ ସ୍ଥାନୀୟ ଗ୍ରାମବାସୀଙ୍କୁ ଜୈବିକ ପଦ୍ଧତିରେ ଚାଷବାସ ପାଇଁ ପ୍ରେରଣା ଯୋଗାଇପାରୁଛି। କିନ୍ତୁ ଏହାକୁ ପ୍ରତିଷ୍ଠା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ଏଥିରେ ସାମିଲ ହୋଇଛନ୍ତି ଅନ୍ୟ କେତେ ଜଣ ଉଦ୍ୟମୀ ଯୁବକ। ଯେଉଁମାନେ କି ଦେଶୀୟ ପଦ୍ଧତିରେ କୃଷିକ୍ଷେତ୍ରରେ ମନୋନିବେଶ କରିଥାନ୍ତି। ଆଉ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବିଭିନ୍ନ ପୁରାତନ ବିରଳ ସାମଗ୍ରୀକୁ ସାଇତି ରଖିବାର ନିଶା ଏମାନଙ୍କ ପାଇଁ ସୃଷ୍ଟି କରିଛି ଏକ ସ୍ବତନ୍ତ୍ର ପରିଚୟ। ଏପରି ସଂଗ୍ରହାଳୟକୁ ଯିବାକୁ ହେଲେ -ନିଆଳିଠାରୁ ଦକ୍ଷିଣକୁ ପ୍ରାୟ ଦେଢ଼କିମି ଦୂର ପ୍ରାଚୀ ନଦୀ ତଟ ପାରହୋଇ ଆସିପାରିବେ କିମ୍ବା ବନମାଳିପୁର ନିକଟସ୍ଥ ଭଅଁରାଠାରୁ ତଥା କୁଣ୍ଡେଇ କେନାଲ ପୂର୍ବରୁ କିଛିବାଟ ଡାହାଣକୁ ଆସିଲେ ହୁଏତ ନଜର ପଡ଼ିବ ଏକ ଧଳା କୋଠାଘର। ସମ୍ମୁଖରେ ଯାଇଛି କୁଣ୍ଡେଇ କେନାଲ । ନିକଟରେ ରହିଛି ସରକାରୀ ପଞ୍ଚାୟତ ସ୍କୁଲ, ଯାହା ଖୋର୍ଦ୍ଧା ଜିଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ନରିଶୋ ଗ୍ରାମପଞ୍ଚାୟତର ନରିଶୋ ଗାଁରେ ଅବସ୍ଥିତ କୃଷି ସଂଗ୍ରହାଳୟ ଓ ଐତିହ୍ୟ କେନ୍ଦ୍ର। ଏହି ସଂଗ୍ରହାଳୟର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଶିକ୍ଷକ ନଟବର ଷଡ଼ଙ୍ଗୀ କୁହନ୍ତି- ସ୍କୁଲ ବୟସରୁ ବାପାଙ୍କ ସାଥିରେ ଚାଷ ଜମିକୁ ଯାଇ ବିଭିନ୍ନ ଫସଲ ଦେଖି ଖୁସି ହେଉଥିଲି। ସମୟକ୍ରମେ ଚାଷକାମ ବି କରିଲି। ମାତ୍ର ସ୍କୁଲ ପାଠପଢ଼ା ସରିଲା ପରେ ପୁରୀରେ ଆଇ.ଏସ୍‌ସି. ପଢ଼ିଲି ।
ଏହାପରେ ଶିକ୍ଷକ ଚାକିରି କରିଲି। କିନ୍ତୁ ୧୯୯୨ ମସିହାରେ ସରକାରୀ ଶିକ୍ଷକ ଚାକିରିରୁ ଅବସର ନେଇ ଗାଁରେ ରହିଲି। ଏବେ ବୟସ ପ୍ରାୟ ୮୦ଟପିଲାଣି କିନ୍ତୁ ଘରେ ବସିରହିବାକୁ ଭଲ ଲାଗିଲା ନାହିଁି। ଆମ ଗାଁରେ ଥିବା ପ୍ରାୟ ୫ଏକର ଚାଷ ଜମିରେ ୧୯୯୬ରୁ ଜୈବିକପଦ୍ଧତିରେ ବିଭିନ୍ନ ଧାନଚାଷ କରିଥିଲୁ। ଏଥିପାଇଁ ବିଭିନ୍ନ ବିହନ ସଂଗ୍ରହ କରିଲୁ। କିନ୍ତୁ ପୂର୍ବରୁ ଦୀର୍ଘ ୨୦ବର୍ଷ ଧରି ଚାଷ ସହିତ ଅନ୍ୟାନ୍ୟ କୃଷି ସାମଗ୍ରୀ ସମ୍ପର୍କରେ ଅନୁଧ୍ୟାନ କରୁଥିବା ଯୁବରାଜ ସ୍ବାଇଁ ସାମିଲ ହେଲେ ।
ତେବେ ଦେଶୀ ପଦ୍ଧତିରେ ବିଭିନ୍ନ ଫସଲ ଚାଷକରି ଶରୀର ପାଇଁ ସୁସ୍ଥ ଫସଲର ଗୁଣବତ୍ତା ସମ୍ପର୍କରେ ଜାଣିପାରିଲୁ। ଏଥିପ୍ରତି ଲୋକଙ୍କ ଚାହିଦା ବଢ଼ିବାରେ ଲାଗିଲା। ଅନ୍ୟପକ୍ଷେ ଦେଶୀ ଚାଷ କାର୍ଯ୍ୟରେ ବ୍ୟବହୃତ ଓ ବ୍ୟବହାରିକ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବା ଏକ ନିଶା ହୋଇଗଲା। ଏଥିପାଇଁ ଆମ ସହିତ ସାମିଲ ହୋଇଥିବା ପ୍ରାୟ ୭/୯ଜଣ ସଦସ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଘୂରିବୁଲି ନାନା ପ୍ରକାରର ପୁରାତନ ତଥା ବହୁ ବିରଳ ସାମଗ୍ରୀକୁ ଅନେକ ବଦାନ୍ୟବ୍ୟକ୍ତିଙ୍କଠାରୁ ସଂଗ୍ରହ କରିଲୁ। ଏମିତିରେ ୨୦୨୦ ମସିହାରୁ ଏକ ସଂଗ୍ରହାଳୟ ଟିଏ ପ୍ରତିଷ୍ଠା କରିବା ପାଇଁ ମନସ୍ଥ କଲୁ। ଲୋକ ସମବାୟ ପ୍ରତିଷ୍ଠାନ ନାଁରେ ଏକ ଟ୍ରଷ୍ଟ ଗଠନ ହେଲା । ପ୍ରାୟ ୪ଗୁଣ୍ଠ ଜାଗାରେ ଏହି ଅନୁଷ୍ଠାନଟି ସ୍ଥାପିତ ହୋଇଛି। ଅନୁଷ୍ଠାନ ନିକଟରେ ଥିବା ପ୍ରାୟ ୧୦ଏକର ଜମିରେ ବର୍ଷର ବିଭିନ୍ନ ଋତୁରେ କେବଳ ଜୈବିକ ପଦ୍ଧତିରେ ନାନା ପ୍ରକାର ଧାନଚାଷ ସମେତ ଅନ୍ୟାନ୍ୟ ଫସଲ କରାଯାଇପାରୁଛି। ତେବେ ଦିନକୁ ଦିନ ଗାଁ ଗଣ୍ଡାର ଲୋକଙ୍କ ଜୀବନଶୈଳୀ ତଥା ଚଳଣିରେ ବ୍ୟବହୃତ ଓ ବ୍ୟବହାରିକ ସାମଗ୍ରୀ ଲୋପ ପାଇଯାଉଥିବାରୁ ବିଭିନ୍ନ କୌଳିକବୃତ୍ତିର-ବହୁ ପୁରାତନ ପାରମ୍ପରିକ ସାମଗ୍ରୀ ଆଗାମୀ ପିଢ଼ିଙ୍କ ପାଇଁ ମନେରଖିବାରେ ସହାୟକ ହୋଇପାରିବ। ସେଥିପାଇଁ ଅଧିକମାତ୍ରାରେ ପୁରାତନ ସାମଗ୍ରୀ ସଂଗ୍ରହ କରିବା ପ୍ର୍ରୟାସ ଜାରିରଖିଛୁ। ଯଦି କେହି ସହୃଦୟ ବ୍ୟକ୍ତି ଇଚ୍ଛା କରନ୍ତି ତେବେ ସେ ଏହି ଅନୁଷ୍ଠାନକୁ ଗ୍ରାମୀଣ ଜନଜୀବନରେ ବ୍ୟବହୃତ ପୁରାତନ ସାମଗ୍ରୀକୁ ଏଠାକୁ ପ୍ରଦାନ କରିପାରିବେ। ଏବେ ଏହି ଅନୁଷ୍ଠାନରେ ପ୍ରାୟ ୭ଶହ ପ୍ରକାରର ଧାନ ବିହନ ରହିଛି। ସେହିପରି ପାନ ବଟୁଆ, ପାନଦାନୀ, ଗୁଆକାତି, ରୁଖା, ବ୍ୟାସ, ଖଟୁଲି, ପିଢ଼ା, ବିଭିନ୍ନ କଂସାପାତ୍ର, ସେହିପରି ସବାରି, ପାଲିଙ୍କି, ଢିଙ୍ଗି, ଚୁଲି, କଜ୍ଜ୍ୱଳପାତି, ସିନ୍ଦୂରଫରୁଆ, ସିନ୍ଧୁକ, ବେତର ପେଡ଼ି, ପେଟରା, ବାଉଁଶକୁଲା, ଭୋଗେଇ, ଚାଙ୍ଗୁଡ଼ି, ଟୋକେଇ, ପାଛିଆ, ଚିଡ଼େଇ, କାଠଚଟୁ, ଶଢେଇଡଙ୍କି,ଦହିଘୋଳା, ଲୁହାଲଙ୍ଗଳ, ଦା,ଚାଷଲୁହା, କୋଦାଳ, ଗଇନ୍ତି, ଫାଉଡ଼ା, ଈଷ, ଶଗଡ଼ଚକ, ଜୁଆଳି, ପହି, ଅର, ପଖିଆ, ମାଟିଘୁମ, ପଲମ, ଓଳିଆ, ମହି, ମାଛଧରା ଜାଲ , ପୋଳୁହ, ମୁଗୁରା, ଖେପାଜାଲ ସମେତ ବିଭିନ୍ନ ଅଞ୍ଚଳର ମାଟି, ପଥରକୁ ସଂଗ୍ରହକରି ଏଠାରେ ସାଇତା ରଖାଯାଇଛି। ଏହି ସାମଗ୍ରୀର ସୁରକ୍ଷା ଓ ଯତ୍ନ ନେବା ପାଇଁ ଏଠାରେ ୫/୬ଜଣ କାର୍ଯ୍ୟ କରିଥାନ୍ତି । ସାଇତା ହୋଇ ରଖାଯାଇଥିବା ବିଭିନ୍ନ ବିରଳ ସାମଗ୍ରୀର ସୁରକ୍ଷା ନିମନ୍ତେ ପ୍ରତିଦିନ ସଫାସୁତୁରା କରାଯାଇଥାଏ। କାଠ ସାମଗ୍ରୀରେ ଦେଶୀ ପଦ୍ଧତିରେ କରଞ୍ଜତେଲ, ହଳଦୀଗୁଣ୍ଡ, ନିମତେଲ ଆଦି ବ୍ୟବହାର କରିଥାନ୍ତି । ତେବେ ଏହି ସଂଗ୍ରହାଳୟକୁ ବୁଲିବା ପାଇଁ ଆଖପାଖ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରୁ ଅନେକ ଛାତ୍ରୀଛାତ୍ର, ବିଭିନ୍ନବର୍ଗର ବୁଦ୍ଧିଜୀବୀମାନେ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?