କଥା ବିକ୍ରି

ଡ. ସୁବାସ ଚନ୍ଦ୍ର ପାତ୍ର

ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା କରୁନଥିଲେ। ପାଣି ଓ ପବନ (ବୋତଲ ଅମ୍ଳଜାନ) ଦିନେ ବଜାରରେ ବିକ୍ରି ହେବ, ଏକଥା ଲୋକ ଭାବି ନଥିଲେ ା ପାଣି ପବନକୁ ନେଇ ଗଠିତ ରୁଢ଼ି ଯେମିତି ‘ଗାଡ଼ି କ’ଣ ପାଣିରେ ଚାଲୁଛି?’ ‘ତୁ କ’ଣ ପବନ ଖାଇ ବଞ୍ଚତ୍ଛୁ?’ ଦୈନିକ କଥୋପକଥନରେ ସ୍ଥାନ ପାଇନଥା’ନ୍ତା। ସାଧାରଣରେ ଧାରଣା ଥିଲା ପାଣି ମାଗଣା, ପବନ ଈଶ୍ୱରଙ୍କ ଦାନ ା ବୋତଲ ପାଣି ଭାରତରେ ପାଖାପାଖି ୨୫ ବର୍ଷ ଗଣବ୍ୟବହାର ପାଇଁ ଉପଲବ୍ଧ ହୋଇଥିଲାବେଳେ, କେତେବର୍ଷ ହେବ ହଂକଂ ଅନୁସରଣରେ ଭାରତର ପ୍ରମୁଖ ସହରରେ ବୋତଲରେ ଅମ୍ଳଜାନ ବିକ୍ରି ହେଉଛି, ଯାହାର ସେବନ ମଣିଷକୁ କିଛି ସମୟ ପାଇଁ ତାଜା କରି ତୋଳେ।
ପାଣି ଓ ପବନ ସିନା ବସ୍ତୁ, କିନ୍ତୁ କଥା ବିକି ଜଣେ କୋଟିପତି ହୋଇପାରିବ ଏକଥା ମଧ୍ୟ ଭାବନାର ବାହାରେ ଥିଲା ା ଯେଉଁମାନଙ୍କର ବୃତ୍ତିରେ ଏହା ଅନ୍ତର୍ଗତ, ସେମାନେ ମଧ୍ୟ ଏ ବାବଦରେ ସନ୍ତୁଷ୍ଟ ନ ଥିଲେ ା
ମନେପଡ଼େ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ରଫେସର ସ୍ବର୍ଗତ ଡ. ବିମ୍ବାଧର ଦାସଙ୍କ କଥା। ଡ. ଦାସଙ୍କର ଅକାଳ ମୃତ୍ୟୁ ପରେ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତାଙ୍କର ସ୍ମୃତିଅର୍ଘ୍ୟରେ ଗୋଟିଏ କଥା ଲେଖିଥିଲେ, ଯାହା ଡାକ୍ତର ଦାସଙ୍କ ନୈତିକତା, ସାଧୁତା ଓ ସମ୍ବେଦନଶୀଳତା ପ୍ରକାଶ କରେ। ଦିନେ ପ୍ରାତଃ ଭ୍ରମଣରେ ଡାକ୍ତର ଦାସ ତାଙ୍କ ବନ୍ଧୁଙ୍କୁ କହିଥିଲେ, ”କେତେଦିନ ଆଉ କଥା ବିକି, ନିଦ ବିକି ଅର୍ଥ ଉପାର୍ଜନ କରିବି?“ ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ଦାସ ଥିଲେ ମାନସିକ ରୋଗ ବିଶେଷଜ୍ଞ ଏବଂ ଏ ପ୍ରକାର ରୋଗୀର ଚିକିତ୍ସାରେ ‘କଥା’ ଓ ‘ନିଦ’ର ବେଶ ଭୂମିକା ରହିଛି ା କାଉନ୍‌ସିଲିଂ କ୍ରମରେ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ରୋଗୀ ସହିତ କଥା କହିବାକୁ ପଡ଼େ ଏବଂ ତାହା ଭିତରେ ସେ ରୋଗର ମୂଳ ପାଖରେ ପହଞ୍ଚତ୍ୟା’ନ୍ତି, ଯାହା ତାଙ୍କ ଚିକିତ୍ସା ପଦ୍ଧତିକୁ ସୁଗମ କରାଯାଏ ା ଅନ୍ୟାନ୍ୟ ଔଷଧ ମଧ୍ୟରେ ନିଦ ଔଷଧ ମାନସିକ ରୋଗୀ ଚିକିତ୍ସାର ଏକ ପ୍ରମୁଖ ଅସ୍ତ୍ର ା
ନିଦ ଔଷଧ ଲେଖିବା ଓ ରୋଗୀ ସହ ଦୀର୍ଘ ସମୟ କଥାବାର୍ତ୍ତା ତାଙ୍କ ବୃତ୍ତିର ଅବିଚ୍ଛେଦ୍ୟ ଅଂଗ ହୋଇଥିଲେ ହେଁ ନୈତିକତାର ନିକିତିରେ ସେ ନିଜକୁ ଅସହଜ ମଣିଥିଲେ ା ବିଶେଷତଃ ଜଣେ ଆମେରିକୀୟ ଯୁବତୀ ତା’ର ଚିକିତ୍ସା ସମାପ୍ତି ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ତାଙ୍କୁ ଏତେ ଟଙ୍କା ପ୍ରଦାନ କରିଥିଲେ ଯେ, ଯାହା ତାଙ୍କ ବିଷାଦର ହେତୁ ପାଲଟି ଯାଇଥିଲା ା ଜଣେ ନୀତିନିଷ୍ଠ ଓ ସମ୍ବେଦନଶୀଳ ହେଲେ ଜଣେ ମଣିଷ ନିଜର ବୈଧ ରୋଜଗାରକୁ ସନ୍ଦେହ ଚକ୍ଷୁରେ ଦେଖିବ ଏହା ଡାକ୍ତର ଦାସଙ୍କ ଜୀବନାନୁଭୂତିରୁ ଅନୁମାନ କରିହୁଏ।
ସମୟ ସହ ମଣିଷର ନୈତିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିଛି ା ଏବେ କଥା ବିକ୍ରିକୁ ନେଇ ମାନସିକ ଦ୍ୱନ୍ଦ୍ୱ ନାହିଁ, ବରଂ ବିଭିନ୍ନ ବାଟରେ କଥା ବିକ୍ରି କରି ରୋଜଗାର କିପରି କରିହେବ ତାହା ହିଁ ଚିନ୍ତା। ଖାଲି ରୋଜଗାର ନୁହେଁ, ଆଜିର ରାଜନୀତି ହିଁ କଥା ବିକ୍ରି ଉପରେ ପ୍ରତିଷ୍ଠିତ ା ରାଜନୀତି ସହ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ଉପରେ ନଜର ପକାଯାଉ।
ଏବେ କଥା ବିକ୍ରିର ସବୁଠୁ ଉର୍ବର କ୍ଷେତ୍ର ପ୍ରେରଣାଦାୟୀ ବକ୍ତୃତା। ଆଗରୁ ବକ୍ତା ଥିଲେ, ମହାନ୍‌ ବାଗ୍ମୀ ଥିଲେ। ସେମାନେ ମଧ୍ୟ ସାଧାରଣ ସଭା ସମିତି, ସ୍କୁଲ କଲେଜର ବାର୍ଷିକ ଉତ୍ସବ, ବିଷୟ-କୈନ୍ଦ୍ରିକ ଆଲୋଚନାଚକ୍ରରେ ବକ୍ତୃତା ରଖିବା ସହ ବେଶ କିଛି କଥା ରଖୁଥିଲେ, ଯାହା ଶ୍ରୋତାଙ୍କୁ ଅନୁପ୍ରାଣିତ କରୁଥିଲା ଆନନ୍ଦ ଓ ଆଲୋକର ପଥରେ ଯାତ୍ରୀ ହେବା ପାଇଁ ା ସେ ସବୁ ବକ୍ତୃତାରେ ବିଷୟବସ୍ତୁ ଥିଲା, ଭାରତୀୟ ପୁରାଣର ପ୍ରଲେପ ଥିଲା, ସାଂସ୍କୃତିକ ଛାପ ଥିଲା, ଭାରତୀୟତାର ବାସ୍ନା ଥିଲା ା ଏବର ତଥାକଥିତ ପ୍ରେରଣାଦାୟୀ ବକ୍ତୃତା (ମୋଟିଭେଶନାଲ ସ୍ପିଚ୍‌)ରେ କେବଳ ସଫଳତାର ଆହରଣ, ସୁଖ ଆହରଣ, ଅର୍ଥ ଆହରଣର କଥା କୁହାଯାଉଛି ଏବଂ ବକ୍ତବ୍ୟକୁ ଶ୍ରେଣୀକକ୍ଷକୁ ସୁହାଇଲା ଭଳି ସୂଚନା ପ୍ରଯୁକ୍ତି ବିଦ୍ୟାର ପୁଟଦେଇ ବେଶ୍‌ ଆକର୍ଷଣୀୟ କରାଯାଉଛି, ଯାହା ଯୁବପିଢ଼ିକୁ ବେଶ୍‌ ଛୁଉଁଥିଲା ବେଳେ ଅପେକ୍ଷାକୃତ ବୟସ୍କ ଲୋକମାନେ ଏହାର ଚମକରେ ଝଲସି ଯାଉଛନ୍ତି ା ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଚଳନ। କେତେବେଳେ ସୈନ୍ୟ ବାହିନୀକୁ, କେତେବେଳେ ଖେଳାଳିମାନଙ୍କୁ, କେତେବେଳେ ବିଦ୍ୟାର୍ଥୀମାନଙ୍କୁ ତ କେତେବେଳେ ବିଧାୟକମାନଙ୍କୁ ଏହି ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି ସଫଳତାର ରାସ୍ତା ବତେଇ ଦିଆଯାଏ, ଭାଙ୍ଗି ଯାଇଥିବା ମନୋବଳକୁ ପୁଣି ମରାମତି କରିଦିଆଯାଏ ା ହୁଏତ ସାମୟିକ ଭାବରେ ଏହା ଫଳପ୍ରଦ ହୋଇପାରେ, କିନ୍ତୁ ମଣିଷକୁ ଏହା ଯେ ଏକ ବିକଶିତ ଚେତନାର ଅଧିକାରୀ କରେଇବ ଏହା ଦୃଢ଼ତାର ସହ କହି ହେବ ନାହିଁ; ଯେହେତୁ ଏହା ଏକ ଅଭିନବ ବୃତ୍ତି ଏବଂ ଯେଉଁମାନେ ଏହାକୁ ପେସା କରି ବିପୁଳ ଅର୍ଥ ରୋଜଗାର କରୁଛନ୍ତି, ସେମାନେ ସେମାନଙ୍କ ବକ୍ତବ୍ୟ କେତେ ପାଳନ୍ତି ତାହାକୁ ନେଇ ସର୍ବସାଧାରଣରେ ସନ୍ଦେହ ଥାଏ।
ବିଜ୍ଞାପନ ମଧ୍ୟ ସେମିତି ଏକ କ୍ଷେତ୍ର, ଯେଉଁଠି ଭାରି ଚତୁରତାର ସହ ଦୁଇପଦ ମନଲୋଭା କଥା କହି ସାମଗ୍ରୀଟିର ଉପଯୋଗିତା ସାବ୍ୟସ୍ତ କରିବା ସହ ବସ୍ତୁଟିର ଅନୁପସ୍ଥିତିଜନିତ ଏକ ଅଭାବବୋଧ ଗ୍ରାହକଙ୍କ ମନରେ ସୃଷ୍ଟି କରାଯାଏ। ନିର୍ମାତାମାନଙ୍କ ସାମଗ୍ରୀ ବିକ୍ରିହୁଏ ଏବଂ ତାହାରି ମାର୍ଫତ୍‌ରେ ବିକ୍ରି ହୋଇଯାଏ ପ୍ରଚ୍ଛଦପଟର ବିଜ୍ଞାପନ ପ୍ରସ୍ତୁତକାରୀଙ୍କ କିଛି କଥା, କିଛି ଶବ୍ଦ; ଯାହା ଗ୍ରାହକଙ୍କୁ ଏକ ପ୍ରକାର ଦାରିଦ୍ର୍ୟବୋଧରେ ଛଟପଟ କରାଏ ା ଏଠି ନୀତି, ନୈତିକତା ଏକ ଆପେକ୍ଷିକ ବିଚାରର କଥା ା କିନ୍ତୁ ଶିକ୍ଷକତା ଭଳି ଏକ ମହାନ୍‌ ବୃତ୍ତିରେ, ଆନୁଷ୍ଠାନିକ ନିଯୁକ୍ତିରେ ବହାଲ ଥିବା ଶିକ୍ଷକଟିଏ ଯେତେବେଳେ ତାଙ୍କର କଥା, ତାଙ୍କର ଶିକ୍ଷା, ତାଙ୍କର ଜ୍ଞାନର କିିଛି ଅଂଶକୁ ଶ୍ରେଣୀକକ୍ଷରୁ ଘରୋଇ ପରିବେଷଣ ପାଇଁ ଲୁଚେଇ ରଖନ୍ତି, ସେତେବେଳେ ପରିସ୍ଥିତି ବେଦନାଦାୟକ ହୋଇପଡ଼େ ା ଯେଉଁମାନେ ଜ୍ଞାନ ବିକ୍ରି ପାଇଁ ଜ୍ଞାନ ଦୋକାନ ଖୋଲି ପେଟ ପୋଷୁଛନ୍ତି, ସେମାନଙ୍କ କଥା ଅଲଗା। କିନ୍ତୁ ଇଚ୍ଛାକୃତ ଭାବରେ ଅଧା କଥା କହି ବାକି ଅଧିକ ଭିନ୍ନ ପରିବେଶରେ ଅର୍ଥ ବିନିମୟରେ ପରିବେଷଣ କରିବାକୁ ସଂରକ୍ଷିତ ରଖିବା କେବେବି କ୍ଷମଣୀୟ ବା ଗ୍ରହଣୀୟ ନୁହେଁ।
ଭିନ୍ନ ରୂପରେ କଥା ବିକ୍ରି କରି ଯେଉଁମାନେ କ୍ୟାରିୟର ଗଢ଼ିବାକୁ ଚାହାନ୍ତି, ସେମାନେ ରାଜନେତାମାନଙ୍କୁ ଅନୁସରଣ କରିବା ଉଚିତ। ଏମାନେ ଶିକ୍ଷିତ ପେସାଦାର ପ୍ରେରଣାଦାୟୀ ବକ୍ତାଙ୍କୁ ଅବାନ୍ତର କରି ତୋଳନ୍ତି ା ଜନତା, ଭୋଟଦାତା ଖୁସି ହେଲା ଭଳି ଯାବତୀୟ ସକାରାତ୍ମକ କଥା କହି, ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରାଇ ଲୋକଙ୍କ ମନ ଜିଣନ୍ତି, ଏକ ଅପେକ୍ଷମାଣ ରାମରାଜ୍ୟର ସ୍ବପ୍ନ ଦେଖାନ୍ତି ା ଆକ୍ଷରିକ ଅର୍ଥରେ ଅର୍ଥ କାରବାର ହେଉ ବା ନ ହେଉ, ଏଠିବି କିଣାବିକା ଚାଲେ- ଭୋଟ ବିକି ଲୋକେ ମିଛ ପ୍ରତିଶ୍ରୁତି ହିିଁ କିଣନ୍ତି।
ମନରୋଗ ବିଶେଷଜ୍ଞ ହୋଇ ମଧ୍ୟ ଡାକ୍ତର ବିମ୍ବାଧର ଦାସଙ୍କୁ ମାଡ଼ି ପଡ଼ିଥିଲା ସେ ତୁଚ୍ଛା କଥା ବିକି କିପରି ରୋଗୀଠୁ ପଇସା ନେବେ। ଏବେ ସେମିିତି କାହାକୁ କିଛି ମାଡ଼ି ପଡୁନି। ଏବେ ମାଡ଼ି ପଡ଼ିବା ଏକ ପୌରାଣିକ ଗୁଣରେ ପରିଣତ ହେଲାଣି।
ପୂର୍ବତନ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର,
ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?