ନୂଆଦିଲ୍ଲୀ,୨୬ା୮: ଅନ୍-ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) ବ୍ୟବସ୍ଥା ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀଛାତ୍ରଙ୍କ ଦ୍ୱାଦଶ ଶ୍ରେଣୀ ଉତ୍ତରଖାତାର ପୁନଃ ମୂଲ୍ୟାୟନ ପାଇଁ ସିବିଏସ୍ଇ ପୋର୍ଟାଲ ପୁଣିଥରେ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ସିବିଏସ୍ଇର ଓଏସ୍ଏମ୍ ମୂଲ୍ୟାୟନ ବ୍ୟବସ୍ଥା ଏକ ଡିଜିଟାଲ ଗ୍ରେଡିଂ ପଦ୍ଧତି। ଏଥିରେ ଶିକ୍ଷକମାନେ ଉତ୍ତରଖାତା ଦେଖିବା ପରିବର୍ତ୍ତେ ଏହାର ସ୍କାନ୍ ନକଲକୁ କମ୍ପ୍ୟୁଟରରେ ମୂଲ୍ୟାୟନ କରିଥାନ୍ତି। ଉକ୍ତ ପୋର୍ଟାଲ ସବୁ ଛାତ୍ରୀଛାତ୍ରଙ୍କ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲାଯାଇଥିଲା। ଏହାକୁ ପୁଣିଥରେ ଖୋଲିବା ଦ୍ୱାରା ନୂଆ ଆପତ୍ତି ଅଭିଯୋଗ ଆସିବା ସମ୍ଭାବନା ରହିଛି ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ କହିଛନ୍ତି।
ସିଜେଆଇ କହିଛନ୍ତି, ଆମେ ଉକ୍ତ ଓ୍ବିଣ୍ଡୋକୁ ପୁଣିଥରେ ଖୋଲିବା ପାଇଁ କାହିଁକି ନିର୍ଦ୍ଦେଶ ଦେବୁ। ଆପଣମାନେ ଯଦି ବସ୍ ବ୍ୟବହାର ନ କରିବେ, ତେବେ ଏହାକୁ ହରାଇବେ। ଓ୍ବିଣ୍ଡୋ ସମସ୍ତଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ନିମନ୍ତେ ଖୋଲିଥିଲା। ଆବେଦନକାରୀଙ୍କ ତରଫରୁ ଉପସ୍ଥିତ ଆଇନଜୀବୀ ଗୋଟିଏ ସପ୍ତାହ ପାଇଁ ପୋର୍ଟାଲ ଖୋଲିବାକୁ ନିବେଦନ କରିଥିଲେ। ସେ କହିଥିଲେ, ଓ୍ବେବ୍ସାଇଟ୍ କ୍ରାସ୍ ହେବାରୁ ବହୁ ଛାତ୍ରୀଛାତ୍ର ଅନ୍-ସ୍କ୍ରିନ୍ ଯାଞ୍ଚ ପାଇଁ ଆବେଦନ କରିପାରି ନ ଥିବା ସେ ଦର୍ଶାଇଥିଲେ। ଅନ୍ୟପକ୍ଷରେ ସିବିଏସ୍ଇ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଓ୍ବିଣ୍ଡୋ ଖୋଲିଥିବା ସମୟରେ ୧.୬୮ ଲକ୍ଷ ଛାତ୍ରୀଛାତ୍ର ସଫଳତାର ସହ ଆବେଦନ କରିଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଅନୁରୂପ ଏକ ଚ୍ୟାଲେଞ୍ଜକୁ ଖାରଜ କରିଦେଇଥିବା ମେହେଟ୍ଟା କହିଥିଲେ।
ଉତ୍ତରଖାତା ମୂଲ୍ୟାୟନ ପାଇଁ ସିବିଏସ୍ଇ ଆଣିଥିବା ଓଏସ୍ଏମ୍ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଶୁଣାଣି ସୁପ୍ରିମକୋର୍ଟ କରିଥିଲେ। ଡିଜିଟାଲ ସ୍କାନିଂ ଯୋଗୁ ଉତ୍ତରଖାତାର କେତେକ ପୃଷ୍ଠା ସ୍କାନ୍ ହୋଇ ନ ପାରିବା, ଅନୁପଯୁକ୍ତ ସ୍କାନିଂ ଏବଂ କେତେକ ଉତ୍ତର ବା ପୃଷ୍ଠା ମୂଲ୍ୟାୟନ ହୋଇ ପାରି ନ ଥିବା ଭଳି ଅନିୟମିତତା ଦେଖାଦେଇଥିବା ପିଟିଶନ୍ରେ ଅଭିଯୋଗ କରାଯାଇଥିଲା।

