ସାହିତ୍ୟର ସୁଧା ସଞ୍ଜୀବନୀ

ଉପେନ୍ଦ୍ର ବିଶ୍ୱାଳ

 

ଅବସରପ୍ରାପ୍ତ ଜଣେ ଓଏଏସ୍‌ ଅଧିକାରୀ, ରୁହନ୍ତି ଭୁବନେଶ୍ୱରସ୍ଥ ରବି ଟକିଜ ଛକ ନିକଟରେ। ବ୍ୟସ୍ତବହୁଳ କର୍ମମୟ ଜୀବନ-ଜଞ୍ଜାଳ ଭିତରେ ନ ଥିଲା ବିଶେଷ ସାମାଜିକ ସମ୍ପର୍କ। ପିଲା ମଧ୍ୟ ରୁହନ୍ତି ବାହାରେ। ଅବସର ନେଲା ପରେ ପରେ ନିଃସଙ୍ଗପଣିଆ ସହିତ ମନକୁ ଘାରିଛି ନାନାଦି ନକାରାତ୍ମକ ଭାବନା, ଦୁଶ୍ଚିନ୍ତା ସବୁ। ଅବସରର କେଇଟାବର୍ଷ ଭିତରେ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି ବାବୁଜଣଙ୍କ। ଆହୁରି ଅଧିକ ବିଗାଡ଼ିଦେଲା ଘାତକ କରୋନାଜନିତ ଦୁଃସ୍ଥିତି। ତାଙ୍କୁ ମନେହେଲା, ଯେମିତି କି ଦୁନିଆର ସବୁଠୁ ଦୁଃଖୀ-ମଣିଷ ହେଉଛନ୍ତି ସେ। ଉଦାସଭାବ, ହତାଶବୋଧରେ ଘାଣ୍ଟି ହେଉହେଉ ଜୀବନ ହାରିବାର ଚରମ ନିଷ୍ପତ୍ତି ନେବାର ସୁଯୋଗ ଅପେକ୍ଷାରେ ଥିଲେ ସେ। ହଠାତ୍‌ ଅଗଷ୍ଟ ୨୨, ୨୦୨୦ ସକାଳେ ତାଙ୍କର ଅତି ଘନିଷ୍ଠ ବନ୍ଧୁଙ୍କ ଫୋନ ଆସିଲା, ଯିଏକି ବାବୁଙ୍କ ଏପରି ଅସ୍ବାଭାବିକ ହାବଭାବକୁ ଅତି ନିକଟରୁ ନିରୀକ୍ଷଣ କରୁଥିଲେ। ”ଆରେ, ଆଜିର ଅମୁକ କାଗଜ ଦେଖିଲୁଣି? ତୋ ବିଷୟରେ ବାହାରିଛି। କାଗଜର ସମ୍ପାଦକୀୟ ପୃଷ୍ଠାର ‘ମୁଁ ଆଶାର କିରଣ’ ଲେଖାଟି ଶୀଘ୍ର ଦେଖ“- ଏହା କହି ବନ୍ଧୁ ଜଣଙ୍କ ଫୋନ କାଟିଦେଲେ। ବାବୁ ଜଣଙ୍କ କାଗଜଟିକୁ କିଣି ଆଣି ତରବରରେ ପଢ଼ି ଚାଲିଲେ ଲେଖାଟିକୁ। କେଉଁଠି ବି ପାଇଲେ ନାହିଁ ତାଙ୍କ ନାଁ। ଛାନିଆ ନ ହୋଇ ପୁଣି ଆଉଥରେ ପଢ଼ିବାକୁ ଲାଗିଲେ। ତାଙ୍କୁ ଟିକେଟିକେ ମନେହେଲା, ତାଙ୍କ ସମ୍ବନ୍ଧେ ଲେଖାଯାଇଛି ଯେମିତି। ତା’ପରେ ଖୁବ୍‌ ମନଧ୍ୟାନ ଦେଇ ଆଉଥରେ ପଢ଼ିବାକୁ ଲାଗିଲେ ସେହି ଲେଖାଟିକୁ। ହଠାତ୍‌ ଉଜ୍ଜ୍ୱଳ ହୋଇ ଉଠିଲା ମୁଖମଣ୍ଡଳ ତାଙ୍କର। ସତେଯେମିତି ପାଇଗଲେ ସେ ଅପହୃତ ଆତ୍ମବିଶ୍ୱାସ। ବଞ୍ଚିବା ପାଇଁ ବଳ, ଆଗକୁ ବଢ଼ିବା ପାଇଁ ବାଟ। ସଙ୍ଗେସଙ୍ଗେ ଲେଖକଙ୍କୁ ଫୋନ କରି କହିଲେ – ଆଜ୍ଞା, ମୋ ଜୀବନ ଆପଣ ବଞ୍ଚେଇଦେଲେ। ବଞ୍ଚିବା ପାଇଁଁ ରାହା ମିଳିଗଲା ମୋତେ। ନାଁ, ମୁଁ ଆଉ ହାରିବିନି ଜୀବନ। କେବଳ ଏତିକିରେ ଅଟକି ନ ଯାଇ ସମ୍ପୃକ୍ତ କାଗଜର ସମ୍ପାଦକଙ୍କୁ ବି ଫୋନ କରି କୃତଜ୍ଞତା ଜଣାଇଲେ, କାଗଜଟି ତାଙ୍କର ଜୀବନ ବଞ୍ଚେଇଦେଲା ବୋଲି। କେବେ ବି ଓଡ଼ିଆ କାଗଜ ମଗାଇ ପଢୁ ନ ଥିବା ବାବୁ ଜଣଙ୍କ ତା’ପରଠୁ ଓଡ଼ିଆ କାଗଜ ମଗାଉ ଥିବାର ଜଣାଯାଏ, ବିଶେଷକରି ସ୍ତମ୍ଭ ପଢ଼ିବା ପାଇଁ।
‘ସ୍ତମ୍ଭ’ର ସୁରଭିରେ ଏମିତି କାହା ଜୀବନର ମୋଡ଼ ବଦଳି ଯାଇଛି ତ ଆଉ କାହାର ଗତିପଥ। ସ୍ତମ୍ଭ କେବଳ ସମାଜର ଦିଗବାରେଣି ସାଜେନାହିଁ, ସରକାରଙ୍କ ନୀତି ନିର୍ଦ୍ଧାରଣର ନିୟାମକ ବି ହୋଇଥାଏ, ଅନେକ କ୍ଷେତ୍ରରେ। ପିଲାଙ୍କ ଭିତରେ ବଢୁଥିବା ଆତ୍ମହତ୍ୟା ପ୍ରବଣତାକୁ ଦୃଷ୍ଟିରେ ରଖି, ଶିକ୍ଷକଙ୍କ ମାଧ୍ୟମରେ ଜୀବନର ସଂଜ୍ଞା ଟିକେ ଜଣାଇବା ସହିତ ବଞ୍ଚିବା ଓ ବଢ଼ିବାର କଳା-କୌଶଳ ସମ୍ବନ୍ଧେ ପିଲାଙ୍କୁ ସାମାନ୍ୟ ଜ୍ଞାନ ଦେବାକୁ ‘ଶିକ୍ଷକଙ୍କୁ ଚିଠି’ ଶୀର୍ଷକ ଲେଖାଟିଏ ପ୍ରକାଶ ପାଏ। ଆବେଗଭରା ଲେଖାଟି ଖୋରାକ ଯୋଗାଇଲା ଶିକ୍ଷା ବିଭାଗକୁ, ଏ ସମ୍ବନ୍ଧେ ଚିନ୍ତାକରି କିଛି ପଦକ୍ଷେପ ନେବାକୁ। ଏହିଭଳି ଅନେକ ସ୍ଥଳରେ ସ୍ତମ୍ଭ ହିଁ ସରକାରଙ୍କ ମାର୍ଗଦର୍ଶିକା ସାଜିଥାଏ। ସୁସ୍ଥ-ସୁନ୍ଦର ସମାଜଟିଏ ଗଢ଼ିବାରେ ସହାୟକ ହୋଇଥାଏ। ଯେଉଁଥିପାଇଁ କି ଦୁଇଦଶନ୍ଧି ପୂର୍ବରୁ ଯେଉଁ ଖବରକାଗଜରେ ‘ସ୍ତମ୍ଭ’ ପାଉ ନ ଥିଲା ବିଶେଷ ଗୁରୁତ୍ୱ, ସେଇଠି ତା’ର ଆଜି ବଢିଛି ଆଦର। ସ୍ତମ୍ଭ ସାହିତ୍ୟ ଓ ସ୍ତମ୍ଭକାରଙ୍କ ଉପରେ ଛାତ୍ରୀଛାତ୍ରମାନେ ବି ପିଏଚ୍‌ଡି କରିବାକୁ ଆଗେଇ ଆସିଲେଣି। ଯଦିଓ ‘ସ୍ତମ୍ଭ’ର ପାଠକ ସଂଖ୍ୟା ଆଜି ବିି ପ୍ରାୟ ୧୫ ଭାଗ ହେବ, ତଥାପି ତା’ର ପ୍ରଭାବ ସୁଦୁରପ୍ରସାରି ଏବଂ ଅନସ୍ବୀକାର୍ଯ୍ୟ।
ସ୍ତମ୍ଭର ଲକ୍ଷ୍ୟ ହେଲା- To inform, to persuade, to entertain. ସ୍ତମ୍ଭ ସବୁବେଳେ ତଥ୍ୟଯୁକ୍ତ, ପ୍ରାସଙ୍ଗିକ ଏବଂ ସଦ୍ୟ ଘଟଣାବଳୀ ଉପରେ ପର୍ଯ୍ୟବସିତ ହେବା ଉଚିତ। ସମାଜରେ ଘଟୁଥିବା ସମସ୍ୟା ସମ୍ପର୍କରେ ସଂକ୍ଷିପ୍ତରେ ଆଲୋଚନା କରି, କୌଶଳ ପୂର୍ବକ ବିଶ୍ଳେଷଣ କରି, ଯୁକ୍ତିଯୁକ୍ତ ସମାଧାନର ରାସ୍ତା ଦେଖାଇଥାଏ। ଆହୁରି ଟିକେ ସରଳକରି କହିଲେ, ତିନୋଟି ‘ଆଇ’ (Information, Inspiration, Interest) ହିଁ ବଳିଷ୍ଠ କରିଥାଏ ସ୍ତମ୍ଭକୁ। ଅର୍ଥାତ୍‌ ତଥ୍ୟ ସହିତ ପ୍ରେରଣାଦାୟୀ ବାର୍ତ୍ତା ଏବଂ ପଠନର ରୁଚି ବଢ଼େଇପାରିବା ହେଉଛି ଗୋଟେ ସ୍ତମ୍ଭର ସାର୍ଥକତା। କୌଣସି ଅବାନ୍ତର ବା ଅଯୌକ୍ତିକ କଥା ଉଲ୍ଲେଖ ଥିଲେ କିମ୍ବା ବିଦ୍ୱେଷଭାବ ରଖି ଉଦ୍ଦେଶ୍ୟମୂଳକ ଭାବେ ବଦ ମିଜାଜଭିତ୍ତିକ (humouristic) କିଛି ଲେଖା ହୋଇଥିଲେ ତାହା ସ୍ତମ୍ଭ ପଦବାଚ୍ୟ ନୁହେଁ। ଶାସ୍ତ୍ର (ଶବ୍ଦ)କୁ ଶସ୍ତ୍ର ପରି ଉପଯୋଗ କରିବା ଉଚିତ ନୁହେଁ। କାରଣ ଶବ୍ଦକାର ବି ଜଣେ ଋଷି ପରି ଏବଂ ଲେଖା ହେଉଛି ତା’ର ଯଜ୍ଞ। ସତ୍ୟ, ନ୍ୟାୟ ଓ ଧର୍ମର ରକ୍ଷା ହେଉଛି ଲେଖକର ସ୍ବରୂପ। ଦୋଷଦର୍ଶୀ ନ ହୋଇ ଦୁନିଆର ଦିଶା ଓ ଦଶା ବଦଳାଇବା ହିଁ ବାହାଦୁରିପଣ। ଏଣୁ ସ୍ତମ୍ଭ ସର୍ବଦା ସତ୍ୟଦର୍ଶୀ, ବାର୍ତ୍ତା ଓ ବାସ୍ତବଧର୍ମୀ ତଥା ଚେତନାଧର୍ମୀ ହେବା ତା’ର ମୌଳିକଧର୍ମ ।
ସାହିତ୍ୟ ହେଉଛି ମାନବିକ କଲ୍ୟାଣର ମାପକାଠି। ଲଳିତ ବୋଧର ଅମୃତ ଅଭିବ୍ୟକ୍ତି। ଏଭଳି ସ୍ଥିତିରେ ଆଜି ଯେଉଁଠି କବିତା ପ୍ରତି ପାଠକ ବୀତସ୍ପୃହ, କଳ୍ପନା ପ୍ରସୂତ ସାହିତ୍ୟ (ଗଳ୍ପ, ଉପନ୍ୟାସ ଆଦି) ପ୍ରତି କମିକମି ଆସୁଛି ପାଠକଙ୍କ ରୁଚି, ସେତେବେଳେ ସ୍ତମ୍ଭସାହିତ୍ୟ ହିଁ ସାହାରା, ସାହିତ୍ୟର ଦିଗ ବଳୟକୁ ଉଦ୍ଭାସିତ କରିବାକୁ। ‘ସ୍ତମ୍ଭ’ ବି ପତ୍ରପତ୍ରିକା ପ୍ରତି ପାଠକର ଆଗ୍ରହ ବଢ଼ାଇପାରେ, କମାଇ ବି ପାରେ। ପ୍ରସାରଣ ସଂଖ୍ୟା ବଢ଼ାଇପାରେ, କମାଇ ବି ପାରେ, ଯାହାକି ନିର୍ଭର କରେ ସ୍ତମ୍ଭର ମାନ ଉପରେ। ସ୍ତମ୍ଭ ବି ବଢ଼ାଇଥାଏ ପତ୍ରପତ୍ରିକାର ‘ମାନ’କୁ ଏବଂ ବଢ଼ାଇଥାଏ ସମ୍ପାଦକଙ୍କ ‘ମର୍ଯ୍ୟାଦା’କୁ। ଯେଉଁ କାଗଜର ସ୍ତମ୍ଭ ଯେତିକି ବଳିଷ୍ଠ,ସେହି କାଗଜର ସଚେତନ ଶ୍ରେଣୀୟ ପାଠକ, ଛାତ୍ରୀ-ଛାତ୍ର ଓ ବୁଦ୍ଧିଜୀବୀମାନଙ୍କ ସଂଖ୍ୟା ସେତେ ଅଧିକ। ଭୌତିକ ବିକାଶ ସହିତ ତାଳଦେଇ ବଢ଼ି ବଢ଼ି ଚାଲୁଛି ଅରାଜକତା ଓ ଅସାମାଜିକତା। ସେଥିପାଇଁ ସମସ୍ତେ ଉଦ୍‌ବିଗ୍ନ। ଏଭଳିସ୍ଥଳେ ସୁସ୍ଥ ଓ ସୁନ୍ଦର ଏକ ସମାଜ ପାଇଁ ସାହିତ୍ୟର ଲୋକପ୍ରିୟତା ବଢ଼ିବା ନିହାତି ଜରୁରୀ। ବିଶେଷକରି ସ୍ତମ୍ଭର ଚାହିଦା ବୃଦ୍ଧି, ଖୁବ୍‌ ଗୁରୁତ୍ୱ ରଖେ ଆଜିର ଦିନରେ। ଆଜି ଦିନରେ ଆଗଧାଡ଼ିର ଦୈନିକ ଖବରକାଗଜମାନଙ୍କରେ ଯେଉଁପ୍ରକାର ଉଚ୍ଚମାନର ସ୍ତମ୍ଭ ପ୍ରକାଶ ପାଉଛି, ସେ ସବୁକୁ ଯଦି ଛାତ୍ରୀଛାତ୍ରଙ୍କୁ ପଢ଼ିବାକୁ ବାଧ୍ୟତାମୂଳକ କରାଯା’ନ୍ତା, ସ୍କୁଲ କଲେଜରେ ସ୍ତମ୍ଭ ସାହିତ୍ୟ ଉପରେ ପ୍ରଶ୍ନପତ୍ର ତିଆରି ହୁଅନ୍ତା, ତେବେ ସମାଜରେ ଅନେକ ସୁଧାର ଆସିପାରନ୍ତା। ସ୍ତମ୍ଭ କେବଳ ଚେତନାର ସ୍ତରକୁ ପ୍ରସାରିତ କରି ନ ଥାଏ, ଇତିହାସର ଐତିହ୍ୟରୁ ପୁରାଣର ପେଡ଼ିଯାଏ ଆମ ଜ୍ଞାନଭଣ୍ଡାରକୁ ବୃଦ୍ଧି କରିଥାଏ। ସ୍ତମ୍ଭ କେବେ ପୁଣି ବିଜ୍ଞାନର ବିଭାକୁ ବିତରଣ କରେ ତ ଆଉ କେବେ ବଖାଣେ ଜୀବନ-ଦର୍ଶନ, ସମ୍ବିଧାନ, ମନୋବିଜ୍ଞାନ, ଶରୀର ବିଜ୍ଞାନର କଥା। ମୋଟ ଉପରେ ଛାତ୍ରୀଛାତ୍ରଙ୍କୁ ଚେତନଶୀଳ, ସୃଜନଶୀଳ, ବିଚାରଶୀଳ, ପରିପକ୍ୱ ମଣିଷରୂପେ ଗଢ଼ିବାର ସାମର୍ଥ୍ୟ ରଖେ ସ୍ତମ୍ଭ। ଅର୍ଥାତ୍‌ ସ୍ତମ୍ଭ ଭିତରେ ଲୁଚି ରହିଥାଏ, ପୂରା ପୃଥିବୀ। ତାକୁ କେବଳ ପଢ଼ିବାର ଅଛି, ବୁଝିବାର ଅଛି। ଏଣୁ ଆସନ୍ତୁ ଆହୁରି ଆଗ୍ରହର ସହିତ ସ୍ତମ୍ଭ ପଢ଼ିବା। କାରଣ ସେ ଆମକୁ ଅଧିକ ସୁଧ ସହିତ ମୂଳଧନର ବହୁଗୁଣା ଫେରାଇଥାଏ।
ଫକୀରମୋହନ ନଗର, ଲଛମା କଲୋନୀ, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri