ସାହିତ୍ୟର ସୁଧା ସଞ୍ଜୀବନୀ

ଉପେନ୍ଦ୍ର ବିଶ୍ୱାଳ

 

ଅବସରପ୍ରାପ୍ତ ଜଣେ ଓଏଏସ୍‌ ଅଧିକାରୀ, ରୁହନ୍ତି ଭୁବନେଶ୍ୱରସ୍ଥ ରବି ଟକିଜ ଛକ ନିକଟରେ। ବ୍ୟସ୍ତବହୁଳ କର୍ମମୟ ଜୀବନ-ଜଞ୍ଜାଳ ଭିତରେ ନ ଥିଲା ବିଶେଷ ସାମାଜିକ ସମ୍ପର୍କ। ପିଲା ମଧ୍ୟ ରୁହନ୍ତି ବାହାରେ। ଅବସର ନେଲା ପରେ ପରେ ନିଃସଙ୍ଗପଣିଆ ସହିତ ମନକୁ ଘାରିଛି ନାନାଦି ନକାରାତ୍ମକ ଭାବନା, ଦୁଶ୍ଚିନ୍ତା ସବୁ। ଅବସରର କେଇଟାବର୍ଷ ଭିତରେ ମାନସିକ ସ୍ତରରେ ଭାଙ୍ଗିପଡ଼ିଛନ୍ତି ବାବୁଜଣଙ୍କ। ଆହୁରି ଅଧିକ ବିଗାଡ଼ିଦେଲା ଘାତକ କରୋନାଜନିତ ଦୁଃସ୍ଥିତି। ତାଙ୍କୁ ମନେହେଲା, ଯେମିତି କି ଦୁନିଆର ସବୁଠୁ ଦୁଃଖୀ-ମଣିଷ ହେଉଛନ୍ତି ସେ। ଉଦାସଭାବ, ହତାଶବୋଧରେ ଘାଣ୍ଟି ହେଉହେଉ ଜୀବନ ହାରିବାର ଚରମ ନିଷ୍ପତ୍ତି ନେବାର ସୁଯୋଗ ଅପେକ୍ଷାରେ ଥିଲେ ସେ। ହଠାତ୍‌ ଅଗଷ୍ଟ ୨୨, ୨୦୨୦ ସକାଳେ ତାଙ୍କର ଅତି ଘନିଷ୍ଠ ବନ୍ଧୁଙ୍କ ଫୋନ ଆସିଲା, ଯିଏକି ବାବୁଙ୍କ ଏପରି ଅସ୍ବାଭାବିକ ହାବଭାବକୁ ଅତି ନିକଟରୁ ନିରୀକ୍ଷଣ କରୁଥିଲେ। ”ଆରେ, ଆଜିର ଅମୁକ କାଗଜ ଦେଖିଲୁଣି? ତୋ ବିଷୟରେ ବାହାରିଛି। କାଗଜର ସମ୍ପାଦକୀୟ ପୃଷ୍ଠାର ‘ମୁଁ ଆଶାର କିରଣ’ ଲେଖାଟି ଶୀଘ୍ର ଦେଖ“- ଏହା କହି ବନ୍ଧୁ ଜଣଙ୍କ ଫୋନ କାଟିଦେଲେ। ବାବୁ ଜଣଙ୍କ କାଗଜଟିକୁ କିଣି ଆଣି ତରବରରେ ପଢ଼ି ଚାଲିଲେ ଲେଖାଟିକୁ। କେଉଁଠି ବି ପାଇଲେ ନାହିଁ ତାଙ୍କ ନାଁ। ଛାନିଆ ନ ହୋଇ ପୁଣି ଆଉଥରେ ପଢ଼ିବାକୁ ଲାଗିଲେ। ତାଙ୍କୁ ଟିକେଟିକେ ମନେହେଲା, ତାଙ୍କ ସମ୍ବନ୍ଧେ ଲେଖାଯାଇଛି ଯେମିତି। ତା’ପରେ ଖୁବ୍‌ ମନଧ୍ୟାନ ଦେଇ ଆଉଥରେ ପଢ଼ିବାକୁ ଲାଗିଲେ ସେହି ଲେଖାଟିକୁ। ହଠାତ୍‌ ଉଜ୍ଜ୍ୱଳ ହୋଇ ଉଠିଲା ମୁଖମଣ୍ଡଳ ତାଙ୍କର। ସତେଯେମିତି ପାଇଗଲେ ସେ ଅପହୃତ ଆତ୍ମବିଶ୍ୱାସ। ବଞ୍ଚିବା ପାଇଁ ବଳ, ଆଗକୁ ବଢ଼ିବା ପାଇଁ ବାଟ। ସଙ୍ଗେସଙ୍ଗେ ଲେଖକଙ୍କୁ ଫୋନ କରି କହିଲେ – ଆଜ୍ଞା, ମୋ ଜୀବନ ଆପଣ ବଞ୍ଚେଇଦେଲେ। ବଞ୍ଚିବା ପାଇଁଁ ରାହା ମିଳିଗଲା ମୋତେ। ନାଁ, ମୁଁ ଆଉ ହାରିବିନି ଜୀବନ। କେବଳ ଏତିକିରେ ଅଟକି ନ ଯାଇ ସମ୍ପୃକ୍ତ କାଗଜର ସମ୍ପାଦକଙ୍କୁ ବି ଫୋନ କରି କୃତଜ୍ଞତା ଜଣାଇଲେ, କାଗଜଟି ତାଙ୍କର ଜୀବନ ବଞ୍ଚେଇଦେଲା ବୋଲି। କେବେ ବି ଓଡ଼ିଆ କାଗଜ ମଗାଇ ପଢୁ ନ ଥିବା ବାବୁ ଜଣଙ୍କ ତା’ପରଠୁ ଓଡ଼ିଆ କାଗଜ ମଗାଉ ଥିବାର ଜଣାଯାଏ, ବିଶେଷକରି ସ୍ତମ୍ଭ ପଢ଼ିବା ପାଇଁ।
‘ସ୍ତମ୍ଭ’ର ସୁରଭିରେ ଏମିତି କାହା ଜୀବନର ମୋଡ଼ ବଦଳି ଯାଇଛି ତ ଆଉ କାହାର ଗତିପଥ। ସ୍ତମ୍ଭ କେବଳ ସମାଜର ଦିଗବାରେଣି ସାଜେନାହିଁ, ସରକାରଙ୍କ ନୀତି ନିର୍ଦ୍ଧାରଣର ନିୟାମକ ବି ହୋଇଥାଏ, ଅନେକ କ୍ଷେତ୍ରରେ। ପିଲାଙ୍କ ଭିତରେ ବଢୁଥିବା ଆତ୍ମହତ୍ୟା ପ୍ରବଣତାକୁ ଦୃଷ୍ଟିରେ ରଖି, ଶିକ୍ଷକଙ୍କ ମାଧ୍ୟମରେ ଜୀବନର ସଂଜ୍ଞା ଟିକେ ଜଣାଇବା ସହିତ ବଞ୍ଚିବା ଓ ବଢ଼ିବାର କଳା-କୌଶଳ ସମ୍ବନ୍ଧେ ପିଲାଙ୍କୁ ସାମାନ୍ୟ ଜ୍ଞାନ ଦେବାକୁ ‘ଶିକ୍ଷକଙ୍କୁ ଚିଠି’ ଶୀର୍ଷକ ଲେଖାଟିଏ ପ୍ରକାଶ ପାଏ। ଆବେଗଭରା ଲେଖାଟି ଖୋରାକ ଯୋଗାଇଲା ଶିକ୍ଷା ବିଭାଗକୁ, ଏ ସମ୍ବନ୍ଧେ ଚିନ୍ତାକରି କିଛି ପଦକ୍ଷେପ ନେବାକୁ। ଏହିଭଳି ଅନେକ ସ୍ଥଳରେ ସ୍ତମ୍ଭ ହିଁ ସରକାରଙ୍କ ମାର୍ଗଦର୍ଶିକା ସାଜିଥାଏ। ସୁସ୍ଥ-ସୁନ୍ଦର ସମାଜଟିଏ ଗଢ଼ିବାରେ ସହାୟକ ହୋଇଥାଏ। ଯେଉଁଥିପାଇଁ କି ଦୁଇଦଶନ୍ଧି ପୂର୍ବରୁ ଯେଉଁ ଖବରକାଗଜରେ ‘ସ୍ତମ୍ଭ’ ପାଉ ନ ଥିଲା ବିଶେଷ ଗୁରୁତ୍ୱ, ସେଇଠି ତା’ର ଆଜି ବଢିଛି ଆଦର। ସ୍ତମ୍ଭ ସାହିତ୍ୟ ଓ ସ୍ତମ୍ଭକାରଙ୍କ ଉପରେ ଛାତ୍ରୀଛାତ୍ରମାନେ ବି ପିଏଚ୍‌ଡି କରିବାକୁ ଆଗେଇ ଆସିଲେଣି। ଯଦିଓ ‘ସ୍ତମ୍ଭ’ର ପାଠକ ସଂଖ୍ୟା ଆଜି ବିି ପ୍ରାୟ ୧୫ ଭାଗ ହେବ, ତଥାପି ତା’ର ପ୍ରଭାବ ସୁଦୁରପ୍ରସାରି ଏବଂ ଅନସ୍ବୀକାର୍ଯ୍ୟ।
ସ୍ତମ୍ଭର ଲକ୍ଷ୍ୟ ହେଲା- To inform, to persuade, to entertain. ସ୍ତମ୍ଭ ସବୁବେଳେ ତଥ୍ୟଯୁକ୍ତ, ପ୍ରାସଙ୍ଗିକ ଏବଂ ସଦ୍ୟ ଘଟଣାବଳୀ ଉପରେ ପର୍ଯ୍ୟବସିତ ହେବା ଉଚିତ। ସମାଜରେ ଘଟୁଥିବା ସମସ୍ୟା ସମ୍ପର୍କରେ ସଂକ୍ଷିପ୍ତରେ ଆଲୋଚନା କରି, କୌଶଳ ପୂର୍ବକ ବିଶ୍ଳେଷଣ କରି, ଯୁକ୍ତିଯୁକ୍ତ ସମାଧାନର ରାସ୍ତା ଦେଖାଇଥାଏ। ଆହୁରି ଟିକେ ସରଳକରି କହିଲେ, ତିନୋଟି ‘ଆଇ’ (Information, Inspiration, Interest) ହିଁ ବଳିଷ୍ଠ କରିଥାଏ ସ୍ତମ୍ଭକୁ। ଅର୍ଥାତ୍‌ ତଥ୍ୟ ସହିତ ପ୍ରେରଣାଦାୟୀ ବାର୍ତ୍ତା ଏବଂ ପଠନର ରୁଚି ବଢ଼େଇପାରିବା ହେଉଛି ଗୋଟେ ସ୍ତମ୍ଭର ସାର୍ଥକତା। କୌଣସି ଅବାନ୍ତର ବା ଅଯୌକ୍ତିକ କଥା ଉଲ୍ଲେଖ ଥିଲେ କିମ୍ବା ବିଦ୍ୱେଷଭାବ ରଖି ଉଦ୍ଦେଶ୍ୟମୂଳକ ଭାବେ ବଦ ମିଜାଜଭିତ୍ତିକ (humouristic) କିଛି ଲେଖା ହୋଇଥିଲେ ତାହା ସ୍ତମ୍ଭ ପଦବାଚ୍ୟ ନୁହେଁ। ଶାସ୍ତ୍ର (ଶବ୍ଦ)କୁ ଶସ୍ତ୍ର ପରି ଉପଯୋଗ କରିବା ଉଚିତ ନୁହେଁ। କାରଣ ଶବ୍ଦକାର ବି ଜଣେ ଋଷି ପରି ଏବଂ ଲେଖା ହେଉଛି ତା’ର ଯଜ୍ଞ। ସତ୍ୟ, ନ୍ୟାୟ ଓ ଧର୍ମର ରକ୍ଷା ହେଉଛି ଲେଖକର ସ୍ବରୂପ। ଦୋଷଦର୍ଶୀ ନ ହୋଇ ଦୁନିଆର ଦିଶା ଓ ଦଶା ବଦଳାଇବା ହିଁ ବାହାଦୁରିପଣ। ଏଣୁ ସ୍ତମ୍ଭ ସର୍ବଦା ସତ୍ୟଦର୍ଶୀ, ବାର୍ତ୍ତା ଓ ବାସ୍ତବଧର୍ମୀ ତଥା ଚେତନାଧର୍ମୀ ହେବା ତା’ର ମୌଳିକଧର୍ମ ।
ସାହିତ୍ୟ ହେଉଛି ମାନବିକ କଲ୍ୟାଣର ମାପକାଠି। ଲଳିତ ବୋଧର ଅମୃତ ଅଭିବ୍ୟକ୍ତି। ଏଭଳି ସ୍ଥିତିରେ ଆଜି ଯେଉଁଠି କବିତା ପ୍ରତି ପାଠକ ବୀତସ୍ପୃହ, କଳ୍ପନା ପ୍ରସୂତ ସାହିତ୍ୟ (ଗଳ୍ପ, ଉପନ୍ୟାସ ଆଦି) ପ୍ରତି କମିକମି ଆସୁଛି ପାଠକଙ୍କ ରୁଚି, ସେତେବେଳେ ସ୍ତମ୍ଭସାହିତ୍ୟ ହିଁ ସାହାରା, ସାହିତ୍ୟର ଦିଗ ବଳୟକୁ ଉଦ୍ଭାସିତ କରିବାକୁ। ‘ସ୍ତମ୍ଭ’ ବି ପତ୍ରପତ୍ରିକା ପ୍ରତି ପାଠକର ଆଗ୍ରହ ବଢ଼ାଇପାରେ, କମାଇ ବି ପାରେ। ପ୍ରସାରଣ ସଂଖ୍ୟା ବଢ଼ାଇପାରେ, କମାଇ ବି ପାରେ, ଯାହାକି ନିର୍ଭର କରେ ସ୍ତମ୍ଭର ମାନ ଉପରେ। ସ୍ତମ୍ଭ ବି ବଢ଼ାଇଥାଏ ପତ୍ରପତ୍ରିକାର ‘ମାନ’କୁ ଏବଂ ବଢ଼ାଇଥାଏ ସମ୍ପାଦକଙ୍କ ‘ମର୍ଯ୍ୟାଦା’କୁ। ଯେଉଁ କାଗଜର ସ୍ତମ୍ଭ ଯେତିକି ବଳିଷ୍ଠ,ସେହି କାଗଜର ସଚେତନ ଶ୍ରେଣୀୟ ପାଠକ, ଛାତ୍ରୀ-ଛାତ୍ର ଓ ବୁଦ୍ଧିଜୀବୀମାନଙ୍କ ସଂଖ୍ୟା ସେତେ ଅଧିକ। ଭୌତିକ ବିକାଶ ସହିତ ତାଳଦେଇ ବଢ଼ି ବଢ଼ି ଚାଲୁଛି ଅରାଜକତା ଓ ଅସାମାଜିକତା। ସେଥିପାଇଁ ସମସ୍ତେ ଉଦ୍‌ବିଗ୍ନ। ଏଭଳିସ୍ଥଳେ ସୁସ୍ଥ ଓ ସୁନ୍ଦର ଏକ ସମାଜ ପାଇଁ ସାହିତ୍ୟର ଲୋକପ୍ରିୟତା ବଢ଼ିବା ନିହାତି ଜରୁରୀ। ବିଶେଷକରି ସ୍ତମ୍ଭର ଚାହିଦା ବୃଦ୍ଧି, ଖୁବ୍‌ ଗୁରୁତ୍ୱ ରଖେ ଆଜିର ଦିନରେ। ଆଜି ଦିନରେ ଆଗଧାଡ଼ିର ଦୈନିକ ଖବରକାଗଜମାନଙ୍କରେ ଯେଉଁପ୍ରକାର ଉଚ୍ଚମାନର ସ୍ତମ୍ଭ ପ୍ରକାଶ ପାଉଛି, ସେ ସବୁକୁ ଯଦି ଛାତ୍ରୀଛାତ୍ରଙ୍କୁ ପଢ଼ିବାକୁ ବାଧ୍ୟତାମୂଳକ କରାଯା’ନ୍ତା, ସ୍କୁଲ କଲେଜରେ ସ୍ତମ୍ଭ ସାହିତ୍ୟ ଉପରେ ପ୍ରଶ୍ନପତ୍ର ତିଆରି ହୁଅନ୍ତା, ତେବେ ସମାଜରେ ଅନେକ ସୁଧାର ଆସିପାରନ୍ତା। ସ୍ତମ୍ଭ କେବଳ ଚେତନାର ସ୍ତରକୁ ପ୍ରସାରିତ କରି ନ ଥାଏ, ଇତିହାସର ଐତିହ୍ୟରୁ ପୁରାଣର ପେଡ଼ିଯାଏ ଆମ ଜ୍ଞାନଭଣ୍ଡାରକୁ ବୃଦ୍ଧି କରିଥାଏ। ସ୍ତମ୍ଭ କେବେ ପୁଣି ବିଜ୍ଞାନର ବିଭାକୁ ବିତରଣ କରେ ତ ଆଉ କେବେ ବଖାଣେ ଜୀବନ-ଦର୍ଶନ, ସମ୍ବିଧାନ, ମନୋବିଜ୍ଞାନ, ଶରୀର ବିଜ୍ଞାନର କଥା। ମୋଟ ଉପରେ ଛାତ୍ରୀଛାତ୍ରଙ୍କୁ ଚେତନଶୀଳ, ସୃଜନଶୀଳ, ବିଚାରଶୀଳ, ପରିପକ୍ୱ ମଣିଷରୂପେ ଗଢ଼ିବାର ସାମର୍ଥ୍ୟ ରଖେ ସ୍ତମ୍ଭ। ଅର୍ଥାତ୍‌ ସ୍ତମ୍ଭ ଭିତରେ ଲୁଚି ରହିଥାଏ, ପୂରା ପୃଥିବୀ। ତାକୁ କେବଳ ପଢ଼ିବାର ଅଛି, ବୁଝିବାର ଅଛି। ଏଣୁ ଆସନ୍ତୁ ଆହୁରି ଆଗ୍ରହର ସହିତ ସ୍ତମ୍ଭ ପଢ଼ିବା। କାରଣ ସେ ଆମକୁ ଅଧିକ ସୁଧ ସହିତ ମୂଳଧନର ବହୁଗୁଣା ଫେରାଇଥାଏ।
ଫକୀରମୋହନ ନଗର, ଲଛମା କଲୋନୀ, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri