ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ ଗୁରୁ , ଯିଏକି ନିଜକୁ ସବୁବେଳେ ଶିଷ୍ୟ ବୋଲି ବିବେଚନା କରିଥାନ୍ତି। ଯୋଗ୍ୟତମ ଗୁରୁଙ୍କ ସଂଜ୍ଞା ନିରୂପଣ କରିବାକୁ ଯାଇ ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଛନ୍ତି :
” ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ
ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ। “
ଅର୍ଥାତ୍‌ ଯେଉଁ ବ୍ୟକ୍ତି ନିଜକୁ ସର୍ବଦା ଜଣେ ଶିଖୁଥିବା ବ୍ୟକ୍ତି ବା ଶିଷ୍ୟ ବୋଲି ମନେକରନ୍ତି, ସେ ହିଁ ପ୍ରକୃତରେ ସବୁଠାରୁ ଜ୍ଞାନୀ ଓ ଶ୍ରେଷ୍ଠ ଗୁରୁ ହେବାର ଯୋଗ୍ୟତା ଲାଭ କରନ୍ତି। ଆମ ଜୀବନରେ ଶିଖିବାର ପ୍ରକ୍ରିୟା କେବେ ସରିଯାଏ ନାହିଁ। ଏହି ଶିଖିବାର ଆଗ୍ରହ ହିଁ ବ୍ୟକ୍ତିତ୍ୱକୁ ବିକଶିତ କରିଥାଏ।
ଜଣେ ଆଦର୍ଶ ଶିକ୍ଷକ ହିଁ ଜଣେ ରାଜାଙ୍କର ଆତ୍ମବିଶ୍ୱାସ ନେଇ ଶ୍ରେଣୀଗୃହରେ ପ୍ରବେଶ କରନ୍ତି। ଆଉ ସେ ଯେତେବେଳେ ଶ୍ରେଣୀଗୃହରୁ ବାହାରନ୍ତି ସେତେବେଳେ ଛାତ୍ରୀଛାତ୍ରମାନେ ଜଣେ ଅସାଧାରଣ ସୃଜନୀ ଶକ୍ତିସମ୍ପନ୍ନ ବ୍ୟକ୍ତିଙ୍କ ସହିତ ଭେଟ ହେଲାପରି ଅନୁଭବ କରନ୍ତି। ସେହି ପିଲାମାନେ ଆନନ୍ଦରେ ତାଙ୍କଠାରୁ ପାଠ ପଢ଼ିବା ସହିତ ଶିକ୍ଷା ସରିବାର ବହୁ ବର୍ଷ ପରେ ମଧ୍ୟ ତାଙ୍କୁ ଜଣେ ଭଦ୍ର ତଥା ଜ୍ଞାନୀ ବ୍ୟକ୍ତି ଭାବରେ ସ୍ମରଣ କରନ୍ତି। ବାସ୍ତବରେ ଏହିପରି ଶିକ୍ଷକ ହେଉଛନ୍ତି ଜଣେ ଆଦର୍ଶ ଶିକ୍ଷକ ପଦବାଚ୍ୟ।
ମହାତ୍ମା ଗାନ୍ଧୀଙ୍କ ମତରେ , ‘ଜୀବନ ଏକ ନିରନ୍ତର ଶିକ୍ଷା ପ୍ରକ୍ରିୟା’। ଜଣେ ଯୋଗ୍ୟ ଗୁରୁ ସବୁବେଳେ ନୂତନ କିଛି ଶିଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଜ୍ଞାନ ଓ ନମ୍ରତା ହେଉଛି ତାଙ୍କର ଭୂଷଣ। ଅନୁଭବ, ପରିସ୍ଥିତି ଓ ବ୍ୟକ୍ତିତ୍ୱ ସବୁଠାରୁ ଶିଖିବାର ମନୋଭାବ ରଖେ। ପ୍ରତ୍ୟେକଟି ପରିସ୍ଥିତି ସହିତ ନିଜକୁ ସାମିଲ କରାଇ ତା’ ମଧ୍ୟରୁ ସଫଳତାର ବିଦ୍ୟା ହାସଲ କରିବାର କୌଶଳ ଶିଖିପାରିଲେ ଜୀବନ ସଫଳ ହୁଏ। ଏହାକୁ ହିଁ ସେ ପରବର୍ତ୍ତୀ ସମୟରେ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି ଅନ୍ୟମାନଙ୍କ ପାଇଁ ସାଜିଥାନ୍ତି ପ୍ରେରଣାର ଉତ୍ସଟିଏ।
ସବୁକିଛି ଶିଖିଛି ଓ ସବୁକିଛି ଜାଣିଛି ବୋଲି ଭାବୁଥିବା ବ୍ୟକ୍ତି ଅହଂକାରୀ ହୋଇଯାଏ। ସେ ବିଚାରଶକ୍ତି ହରାଇବସେ। ଚେତନାଠାରୁ ସେ ବହୁତ ଦୂରରେ ଥାଆନ୍ତି। ଏକଥା ସତ ଯେ, ଜ୍ଞାନ ଓ ଅହଂକାର କେବେ ମଧ୍ୟ ଏକାଠି ରହିପାରନ୍ତି ନାହିଁ। ମନରେ ଅହଂକାର ଆସିଲେ ଜ୍ଞାନର ବିଲୋପ ଘଟେ। ଜାଣିବାକୁ ମନରେ ଆଗ୍ରହ ଜନ୍ମି ନ ଥାଏ। କୂପମଣ୍ଡୁକ ସଦୃଶ ନିଜର ସୀମିତ ପୃଥିବୀ ମଧ୍ୟରେ ରହି ଜ୍ଞାନୀ ବୋଲାଇବା ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଥାଏ। ଶେଷରେ ଏମିତି ହୁଏ, ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇ ଉପହାସର ପାତ୍ର ପାଲଟିଯାଆନ୍ତି।
ଆଚରଣ ଓ ଉଚ୍ଚାରଣରେ ସାମ୍ୟତା ଜଣେ ଯୋଗ୍ୟ ଗୁରୁଙ୍କ ପାଇଁ ସଫଳତାର ମାପଦଣ୍ଡ। ସେ ନିରପେକ୍ଷ ଓ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଭାବରେ ପରିଗଣିତ ହୋଇଥାନ୍ତି। ଯୋଗ୍ୟ ଗୁରୁଙ୍କ ପାଖରେ ହିଁ ଅସାମାନ୍ୟ ଦକ୍ଷତା ଭରିରହିଥାଏ। ଯେଉଁଥିପାଇଁ ସେ ସାଧାରଣ ଶିଷ୍ୟକୁ ଅସାଧାରଣ କରି ତିଆରି କରିପାରନ୍ତି। ପିଲାଙ୍କ ଭିତରେ ଥିବା ସୃଜନଶୀଳ ପ୍ରତିଭାର ବିକାଶ ଘଟାଇପାରନ୍ତି। ପଛ ବେଞ୍ଚର ପିଲାଙ୍କୁ ଯୋଗ୍ୟ କରାଇ ଦୁନିଆର ଆଗକୁ ନେଇଆସନ୍ତି। ନୈତିକ ମୂଲ୍ୟବୋଧ ଆଧାରରେ ଶିକ୍ଷାକୁ ସମୃଦ୍ଧ କରିଥାନ୍ତି।
ଦାର୍ଶନିକ ଜନ ଡିୟୁଙ୍କ ମତରେ, ‘ଶିକ୍ଷା ହେଉଛି ଜୀବନର ଏକ ଅଂଶ। ଆଉ ଶିକ୍ଷା ଉପଲବ୍ଧିର ଏକ ପ୍ରମୁଖ ମାଧ୍ୟମ ହେଉଛି – ଅନୁଭବ। ”ସେଇ ଅନୁଭବ ଆଧାରରେ ଅବଧୂତ ତାଙ୍କ ଜୀବନରେ ଜଗତର ବିଭିନ୍ନ ଜଡ଼ ଓ ଚେତନ ବସ୍ତୁଠାରୁ ଜ୍ଞାନ ଗ୍ରହଣ କରି ଚବିଶ ଜଣଙ୍କୁ ଗୁରୁର ମର୍ଯ୍ୟାଦା ପ୍ରଦାନ କରିଥିଲେ। ସେଥିମଧ୍ୟରୁ କୁକୁର ଥିଲା ଅନ୍ୟତମ। କୁକୁର ପାଖରେ ଥିବା ବିଶ୍ୱସନୀୟତା ଗୁଣ କାରଣରୁ ସମ୍ଭବତଃ ସେ ତାକୁ ଗୁରୁ ଭାବରେ ଗ୍ରହଣକରି ନିଜ ମହନୀୟତାର ପରିଚୟ ପ୍ରଦାନ କରିଥିଲେ। ଏହି ଗୁରୁଙ୍କୁ ମାଧ୍ୟମକରି ଅବଧୂତ ବୁଝାଇଥିଲେ ଯେ ପ୍ରକୃତି ଓ ପ୍ରତ୍ୟେକ ଘଟଣା ଆମ ପାଇଁ ଶିକ୍ଷକ ହୋଇପାରେ।
ପୁରାଣ ପୃଷ୍ଠାକୁ ଉନ୍ମୋଚନ କଲେ ଏମିତି କେତେଜଣ ଗୁରୁ ସାମ୍ନାକୁ ଆସନ୍ତି ଯେଉଁମାନେ ନିଜର ଜ୍ଞାନ, ତ୍ୟାଗ, ଧୈର୍ଯ୍ୟ ଓ ନିଷ୍ଠା ବଳରେ ଆଦର୍ଶ ଗୁରୁର ମର୍ଯ୍ୟାଦା ହାସଲ କରିପାରିଛନ୍ତି। ପୁରାଣ ବର୍ଣ୍ଣିତ ଗୁରୁମାନେ କେବଳ ଶିକ୍ଷକ ନ ଥିଲେ, ସେମାନେ ଥିଲେ ଧର୍ମ, ଆତ୍ମଜ୍ଞାନ ଓ ନୀତି – ଆଦର୍ଶ ଜୀବନର ପଥ ପ୍ରଦର୍ଶକ। ସେଇଥିପାଇଁ ତ ବଶିଷ୍ଠ, ବିଶ୍ୱାମିତ୍ର, ଦ୍ରୋଣାଚାର୍ଯ୍ୟ, ସାନ୍ଦିପନୀ ଓ ବ୍ୟାସଦେବଙ୍କ ପରି ମହାନ୍‌ ଗୁରୁମାନେ ସେମାନଙ୍କ ଶିଷ୍ୟମାନଙ୍କୁ ସଂସାରରେ ଅବତୀର୍ଣ୍ଣ କରାଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିପାରିଛନ୍ତି। ସ୍ଥଳ ବିଶେଷରେ ଶିଷ୍ୟଠାରୁ ପରାଜିତ ହୋଇ ନିଜ ଗୁରୁ ନାମକୁ ସାର୍ଥକ କରାଇପାରିଛନ୍ତି।
ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ମତରେ ”ଶିକ୍ଷା ହେଉଛି ମନୁଷ୍ୟର ସମ୍ପୂର୍ଣ୍ଣ ବିକାଶ ତଥା ଶାରୀରିକ, ମାନସିକ ତଥା ଆତ୍ମିକ ଉନ୍ନତି।“ ସୁତରାଂ ଶିଷ୍ୟର ସାମଗ୍ରିକ ଉନ୍ନତି କଳ୍ପେ ଯେ ନିରନ୍ତର ପ୍ରୟାସ ଜାରି ରଖିଥାନ୍ତି , ସେ ଯୋଗ୍ୟତମ ଗୁରୁ ପଦବାଚ୍ୟ। ଗୁରୁଙ୍କ ସମ୍ମାନ ହିଁ ସବୁଠାରୁ ଊର୍ଦ୍ଧ୍ୱରେ। ‘କୁସୁମ ପରଶେ ପଟ ନିସ୍ତରେ’ ପରି ଯୋଗ୍ୟତମ ଗୁରୁଙ୍କ ସଂସ୍ପର୍ଶରେ ଆସିଲେ ଜୀବନର ମୋଡ଼ ବଦଳିଯାଇଥାଏ ଠିକ୍‌ ଦସ୍ୟୁ ରତ୍ନାକରରୁ ବାଲ୍ମୀକ ପାଲଟିଲା ପରି। ସେଦିନ ନରେନ ଯଦି ରାମକୃଷ୍ଣ ପରମହଂସଙ୍କ ପରି ଯୋଗ୍ୟତମ ଗୁରୁଙ୍କ ସାନ୍ନିଧ୍ୟ ପାଇପାରି ନ ଥାନ୍ତେ ତା’ହେଲେ ସେ କେବେ ସ୍ବାମୀ ବିବେକାନନ୍ଦ ହୋଇପାରି ନ ଥାନ୍ତେ। ତେଣୁ ଯୋଗ୍ୟତମ ଗୁରୁ ଚିର ବନ୍ଦନୀୟ, ଚିର ସ୍ମରଣୀୟ।

ସଂଗ୍ରାମ କେଶରୀ ପୃଷ୍ଟି
-ଶିକ୍ଷକ, ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଜ କିଶୋରନଗର, ଅନୁଗୋଳ
ମୋ: ୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?