ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ କୃଷକ। ଦେଶବାସୀଙ୍କୁ ସେ ଆହାର ଯୋଗାଉଥିବାରୁ ସେ ଅନ୍ନଦାତା। ଏଥିପାଇଁ ସେ ଗର୍ବ ଅନୁଭବ କରୁଥିଲା, ଛାତି ଫୁଲେଇ କହୁଥିଲା ”ମୁଁ କୃଷକ“। ଆଜି କିନ୍ତୁ ନିଦରେ ବିଳିବିଳେଇଲା ପରି ସେ କହୁଛି ”ମୋତେ କୃଷକ କୁହନା। ମୁଁ କୃଷକ ହେବାକୁ ଚାହେଁନା“। ଏହି କଥା କହିବା ବେଳେ ମନେହୁଏ ସେ ଯେମିତି ଏକ ଅବ୍ୟକ୍ତ ଯନ୍ତ୍ରଣା ଅନୁଭବ କରୁଛି। ଯାହା ହୁଏତ କହିବା କଥା ନୁହେଁ ସେ ବାଧ୍ୟ ହୋଇ କହୁଛି। ଏହା ପଛର କାରଣ ଗୁଡ଼ିକ କ’ଣ? କାହିଁକି ସେ କୃଷକ ହେବାକୁ ଚାହୁଁ ନାହିଁ?
ଆମ ଦେଶ ଏକ କୃଷି ପ୍ରଧାନ ଦେଶ। ମୋଟ୍‌ ଜନସଂଖ୍ୟାର ସତୁରି ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିଲେ। କିନ୍ତୁ ଏବେ ଦେଖାଯାଉଛି ବହୁ ଲୋକ କୃଷି ପ୍ରତି ବିମୁଖ। ଯୁବ ସମାଜର ଏକ ବଡ଼ ଦାଦନ ହେବାକୁ ଶ୍ରେୟ ମଣୁଛନ୍ତି। କିନ୍ତୁ କୃଷକ ନୁହେଁ। ଏହାର ପ୍ରମୁଖ କାରଣ ହେଲା ଅନିଶ୍ଚିତତା। କୃଷି କାର୍ଯ୍ୟ କେବେ ହେବ, ଏ ବର୍ଷ ପାଗ ଅନୁକୂଳ ହେବ ନା ନାହିଁ, ଫଳନ କେତେ ହେବ, ବିକ୍ରିବଟା କେମିତି ହେବ, ଲାଭ କେତେ ହେବ, ସବୁଥିରେ ଅନିଶ୍ଚିତତା। କାହିଁକି ତା’ ମନରେ ଏ ପ୍ରକାର ଅହେତୁକ ଭୟ ? କୃଷି ଏକ ସ୍ବାଧୀନ ବୃତ୍ତି ଏବଂ ଆତ୍ମନିର୍ଭରଶୀଳତାର ଶ୍ରେଷ୍ଠ ମାଧ୍ୟମ ହୋଇଥିବା ବେଳେ ଅଧିକାଂଶ ଲୋକ ବିଶେଷକରି ଯୁବଗୋଷ୍ଠୀ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି କାହିଁକି ? ଆସନ୍ତୁ କିଛି କଥା ଆଲୋଚନା କରିବା।
ଯେକୌଣସି କୃଷି ମୃତ୍ତିକା, ପାଣି, ଜଳବାୟୁ ଉପରେ ନିର୍ଭର କରେ। ଏହାବାଦ୍‌ ବିହନ, ସାର ଓ କୀଟନାଶକ ଔଷଧ, ଆଧୁନିକ ଯନ୍ତ୍ରପାତି ତଥା ବୈଷୟିକ ଜ୍ଞାନ ମଧ୍ୟ ଉନ୍ନତ କୃଷି ପାଇଁ ଆବଶ୍ୟକ। ଫସଲର ବିକ୍ରି ପାଇଁ ବଜାର ଦରକାର। ସଞ୍ଚୟ କରି ରଖିବା ପାଇଁ ଶୀତଳ ଭଣ୍ଡାର ଜରୁରୀ। ମୃତ୍ତିକା କଥା ଛାଡ଼ନ୍ତୁୁ। ଏହା ପ୍ରକୃତିର ଦାନ। ସବୁ ମାଟିରେ ସବୁ ଫସଲ ହୁଏନା। ପୁଣି ଏକ ନିର୍ଦ୍ଦିଷ୍ଟ ମୃତ୍ତିକାରେ ଦୀର୍ଘ ଦିନ ଧରି ଗୋଟିଏ ପ୍ରକାର ଫସଲ କଲେ ଏହାର ଉର୍ବରତା ହ୍ରାସ ପାଇବ, ଫଳ ମଧ୍ୟ କମିବ। କୃଷକଙ୍କ ଭିତରେ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଯେଉଁ ବିଶେଷଜ୍ଞଙ୍କ ଆବଶ୍ୟକତା ରହିଛି, ସେହି ସୁବିଧା ଏଠାରେ ପର୍ଯ୍ୟାପ୍ତ ନଥିବା ହେତୁ କୃଷକମାନେ କୃଷି ପ୍ରତି ଆଗ୍ରହ ପ୍ରଦର୍ଶନ କରୁ ନାହାନ୍ତି। ଫଳନରେ ଅନିଶ୍ଚିତତାର ଏହା ଏକ କାରଣ ହୋଇ ଆମ ଦେଶରେ ଦଣ୍ଡାୟମାନ ହୋଇଛି।
ଦ୍ୱିତୀୟ ଅନିଶ୍ଚିତତା ହେଲା ଜଳ ଓ ଜଳବାୟୁ। ପାଣି ପାଇଁ ମୌସୁମୀକୁ ଚାତକ ପରି ଅପେକ୍ଷା କରିବାକୁ ପଡ଼େ। ଅର୍ଥାତ୍‌ ମୌସୁମୀ ଯେମିତି ଅନିଶ୍ଚିତ ଏଠାରେ କୃଷି କାର୍ଯ୍ୟ ସେମିତି ଅନିଶ୍ଚିତ। ଯେଉଁ ବର୍ଷ ବର୍ଷାର ପରିମାଣ ଚାଷ ପାଇଁ ଉପଯୁକ୍ତ ରହିଲା ସେ ବର୍ଷ ହୁଏତ ଫଳନ ଠିକ୍‌ଠାକ୍‌ ରହିଲା। ନଚେତ୍‌ ଜଳ ବିହୁନେ ମରୁଡ଼ି ହୋଇ ସମୂଳେ ନାଶ। କୃଷକମାନେ ଧାର କରଜ କରି ଯେଉଁ ଚାଷ କରିଥାନ୍ତି ଜଳ ଜନିତ କାରଣରୁ ନଷ୍ଟ ହୋଇଗଲା ପରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି। ଏହି ଅନିଶ୍ଚିତତାରୁ ମୁକ୍ତି ପାଇଁ ଜଳସେଚନ ଉପରେ ଯେମିତି ଗୁରୁତ୍ୱ ଦେବା କଥା ତାହା ହୋଇନାହିଁ। ହିସାବରୁ ଜଣାଯାଏ ଦଶରେ ମୋଟ୍‌ ଚାଷୋପଯୋଗୀ ଜମିର ପରିମାଣ ୧୫୯.୬ ନିୟୁତ ହେକ୍ଟର ହୋଇଥିବା ବେଳେ ୫୮.୩ ନିୟୁତ ହେକ୍ଟର ଜମିକୁ ଜଳ ଯୋଗାଇବାରେ ଆମେ ସକ୍ଷମ ହୋଇପାରିଛୁ। ଅର୍ଥାତ୍‌ ଦୁଇ ତୃତୀୟାଂଶ ଚାଷ ଜମିରେ ଚାଷ ପାଇଁ ବର୍ଷା ହିଁ ଏକମାତ୍ର ଭରସା।
ତୃତୀୟରେ ଆମ ଦେଶର କୃଷକଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ। ସମ୍ପ୍ରତି କୃଷିରେ ଯେତିକି ଅର୍ଥ ବିନିଯୋଗ କରିବାକୁ ପଡ଼େ ସେଥିରେ ସେମାନେ ଅସମର୍ଥ। ଫଳରେ ଋଣ ଉପରେ ଭରସା କରିବାକୁ ପଡ଼ିଥାଏ। କିନ୍ତୁ ଅଶୀ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷକଙ୍କର ନିଜର ଜମି ନଥିବା ହେତୁ ଏମାନେ ଅନ୍ୟର ଜମିରେ ଚାଷ କରନ୍ତି, ଯେଉଁମାନଙ୍କୁ ଭାଗଚାଷୀ କୁହାଯାଏ। ଏମାନଙ୍କ ପାଇଁ କୃଷି ଋଣ କିମ୍ବା ଅନ୍ୟାନ୍ୟ ସରକାରୀ ସହାୟତା ମିଳେ ନାହିଁ। ଫଳରେ ମହାଜନି ଋଣ ଆଣି ଏମାନଙ୍କୁ ଚାଷରେ ବିନିଯୋଗ କରିବାକୁ ପଡ଼େ। ସୁଧର ଚାପରେ କୃଷକମାନେ ଏକ ନିଶ୍ଚିତ ଭବିଷ୍ୟତ ଦେଖିପାରୁନାହାନ୍ତି।
ଚତୁର୍ଥ କଥାଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଉପତ୍ାଦିତ ଫସଲର ବିକ୍ରି ନିମନ୍ତେ ବଜାର ଓ ଏହାର ସହାୟକ ମୂଲ୍ୟ। ଆମ ଦେଶରେ ୧୯୬୫ରେ ଏଫ୍‌.ସି.ଆଇ. ପ୍ରତିଷ୍ଠା ହେବା ପରେ ଫସଲର ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସରକାର ନିଷ୍ପତ୍ତି କଲେ, ତାହା ପୁଣି ମାତ୍ର ୨୩ଟି ଫସଲର। କିନ୍ତୁ ବାସ୍ତବତା ହେଉଛି ସରକାର କେବଳ ଧାନ ଓ ଗହମ ବ୍ୟତୀତ ଅନ୍ୟ କୌଣସି ଶସ୍ୟ କିଣନ୍ତି ନାହିଁ। ଫଳରେ ଅନ୍ୟ ସମସ୍ତ ଫସଲର ସହାୟକ ମୂଲ୍ୟ ନିର୍ଦ୍ଧାରଣ ଧର୍ମକୁ ଆଖିଠାର। ପୁଣି ଏହି ଧାନ ଓ ଗହମର ସହାୟକ ମୂଲ୍ୟ ନିର୍ଦ୍ଧାରଣରେ ସ୍ବାମୀନାଥନ୍‌ଙ୍କ ସୁପାରିସକୁ ଆଖି ବୁଜି ଦିଆଯାଏ। ଫଳରେ ଫସଲର ଉପଯୁକ୍ତ ମୂଲ୍ୟ ପାଇବାରୁ କୃଷକମାନେ ବଞ୍ଚିତ ହୁଅନ୍ତିି। ପୁନଶ୍ଚ ଯାହା ବି ସହାୟକ ମୂଲ୍ୟ ନିର୍ଦ୍ଧାରଣ ହୁଏ ତାହା ମଧ୍ୟ ଅଧିକାଂଶ କୃଷକ ପାଆନ୍ତିି ନାହିଁ। ଏହାର ପ୍ରଥମ କାରଣ ଭାଗଚାଷୀଙ୍କଠାରୁ ଧାନ କିମ୍ବା ଗହମ କିଣିବାର ସରକାରୀ ବ୍ୟବସ୍ଥା ନାହିଁ। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ସମୟ ଅନୁସାରେ ମଣ୍ଡି ଖୋଲେ ନାହିଁ, ଯେତିକି ମଣ୍ଡି ଆବଶ୍ୟକ ତା’ର ଏକ ଚତୁର୍ଥାଂଶରୁ କମ୍‌ ମଣ୍ଡି ସରକାର ଖୋଲନ୍ତି, ଚାଷୀ ପଞ୍ଜୀକରଣରେ ଜଟିଳତା, କୁଇଣ୍ଟାଲ୍‌ ପିଛା ଦଶ ବାର କେଜି କଟ୍‌ନି ଛଟ୍‌ନି ବାବଦକୁ କାଟିବା, ଆକାଉଣ୍ଟକୁ ଅର୍ଥ ପଠାଇବାରେ ବିଳମ୍ବ ହେବା। ଫଳରେ କୃଷକମାନେ କ୍ରମାଗତ କ୍ଷତି ସହୁଛନ୍ତି ଏବଂ ଋଣ ଯନ୍ତାରେ ପଡ଼ି ମାନସିକ ଯନ୍ତ୍ରଣା ପାଉଛନ୍ତି।
ପଞ୍ଚମ କଥାଟି ହେଉଛି ବଜାରରେ ଫସଲର ଦାମ୍‌ରେ ଉତ୍ଥାନ ପତନ। ବିଶେଷକରି ପରିବା, ଆଳୁ, ପିଆଜ, ଫଳ ଚାଷୀମାନେ ଏହି ସମସ୍ୟାର ସମ୍ମୁଖୀନ ଅଧିକ ହୁଅନ୍ତି। ଏହାର ମୁଖ୍ୟ କାରଣ ଆମ ଦେଶରେ ଶୀତଳ ଭଣ୍ଡାରର ଅଭାବ। ଯାହା ଜଣାଯାଏ ଦେଶରେ ମୋଟ୍‌ ୮୬୦୦ଟି ଶୀତଳ ଭଣ୍ଡାର ଥିବା ବେଳେ ଓଡ଼ିଶାରେ ମାତ୍ର ୩୫ଟି ରହିଛି। ଏଥିରୁ ଅଧିକାଂଶ ଘରୋଇ ମାଲିକାନାରେ ପରିଚାଳିତ। ଆମ ରାଜ୍ୟରେ ମାତ୍ର ଦୁଇଟି ଶୀତଳ ଭଣ୍ଡାର ସରକାରଙ୍କ ଦ୍ୱାରା ନିର୍ମିତ। ଅର୍ଥାତ୍‌ ଶୀତଳ ଭଣ୍ଡାରର ଅଭାବ ଯୋଗୁ ମୂଲ୍ୟ ଯେତେ ହ୍ରାସ ପାଇଲେ ମଧ୍ୟ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି କୃଷକ। ଏ ସମସ୍ତ ସମସ୍ୟାର ସମାଧାନ ସରକାରଙ୍କ ଇଚ୍ଛାଶକ୍ତି ବିନା ସମ୍ଭବ ନୁହେଁ। ସର୍ବସାଧାରଣରେ କୃଷିପ୍ରତି ଯେଉଁ ଅନାଗ୍ରହ ସୃଷ୍ଟି ହୋଇଛି ତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଜମିକୁ ଜଳ, ଫସଲର ଉଚିତ ସହାୟକ ମୂଲ୍ୟ, ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ସ୍ଥାପନ, ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ଆର୍ଥିକ ପ୍ରୋତ୍ସାହନ, ସାର ଓ କୀଟନାଶକ ଔଷଧ ରିହାତି ମୂଲ୍ୟରେ ଯୋଗାଣ, କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ଜରିଆରେ କୃଷକଙ୍କୁ ଉନ୍ନତ କୃଷି ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବା ଇତ୍ୟାଦି ଦିଗରେ ସରକାର ଆନ୍ତରିକତା ଦେଖାଇବା ଉଚିତ। ଏଥିସହିତ କୃଷିଜାତ ଦ୍ରବ୍ୟକୁ ଭିତ୍ତିକରି ବହୁଳ ଶିଳ୍ପ ପ୍ରତିଷ୍ଠା କରାଯାଇପାରିଲେ ଯେଉଁ ଅନ୍ତର୍ଦାହ ଭିତରେ ‘ମୋତେ କୃଷକ କୁହନା’ ବୋଲି ଲୋକମାନେ କହୁଛନ୍ତି ସେମାନେ ପୁଣି ଆଗ୍ରହର ସହିତ କହିବେ, ”କୃଷି ମୋର ଅସ୍ମିତା, ତାକୁ ନେଇ ହେବି ଜଗତଜିତା“।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri