ମନେପଡ଼େ ବୋଉ

ଛନ୍ଦା ମିଶ୍ର

 

ମୋ ବୋଉର ସ୍ୱରଟି ଭାରି ମିଠା, ଖୁବ୍‌ ସୁନ୍ଦର ଗୀତ ସେ ଗାଏ ହାରମୋନିୟମ ବଜେଇ। ଆଉ ସେ ଯେତେବେଳେ ଆମକୁ ଶୋଇ ପକାଇ ଧୋରେ ବାଇଆ ଧୋଠାରୁ ନେଇ ମନବୋଧ ଚଉତିଶା ପର୍ଯ୍ୟନ୍ତ ଗାଏ, ମତେ ଲାଗେ ସେ ଏମିତି ଗାଉ ଥାଉ.. । ଗାଇ ଗାଇ ତା’ ଆଖି ମୁଜି ହୋଇଯାଏ, ହେଲେ ମୋ ମନ ପୂରେନା। ମୁଁ କହେ, ବୋଉ ଆଉ ଗାଉନୁ… । ବୋଉ ରାଗେ… ଜଲଦି ଶୁଅ, ଏତେ ଗୀତ ବୋଲିଲିଣି, ତଥାପି ଶୋଉନୁ…। ସବୁଥର ଭଳି ଏଥର ବି ବୋଉ ଆଗେ ଶୋଇପଡ଼େ। ତାରି ପାଖରେ ଶୋଇ ତାରି କାନି ଧରି ଖେଳୁ ଖେଳୁ କେତେବେଳେ ମତେ ନିଦ ହୋଇଯାଏ, ଜାଣେନା । ହେଲେ ସକାଳେ ଉଠିଲା ବେଳକୁ ବୋଉ ନ ଥାଏ ପାଖରେ। ଭୋରୁ ଉଠି ଦୁଆରେ ଗୋବର ପାଣି ପକେଇ, ଠାକୁରଙ୍କ ପାଇଁ ଫୁଲ ତୋଳି, ଜେଜେମା ପାଇଁ ଢାଳରେ ପାଣି ଓ ଦାନ୍ତକାଠି ସଜାଡି ରଖି, ଗାଧୋଇ ସାରି, ହାଣ୍ଡିଶାଳେ ଚୁଲିରେ ଚା’ ବସେଇ ଥାଏ। ମୁଁ ଯାଇ ତା’ ପାଖରେ ଖୁନ୍ଦିହୋଇ ବସେ । ବୋଉ ମତେ ଆଉଁଶି ଦିଏ, ଦାନ୍ତ ଘଷିବୁ ଯା.. କହିଲେ ଯାଇ ମୋ ନିଦ ଭାଙ୍ଗେ।
ସ୍କୁଲ ଗଲା ବେଳକୁ ସେମିତି ଜିଦି କରେ, ମତେ ଖୁଆଇ ଦେ…। ଭାତ ଡାଲି ଆଳୁଚକଟାକୁ ଗୋଳେଇ ସେ ଯେତେବେଳେ ଖୁଆଇ ଦିଏ ତା’ ହାତର ତିନୋଟି ଗୁଣ୍ଡାରେ ମୋ ପେଟ ପୂରିଯାଏ। ମୁହଁ ଧୋଇ ତା’ କାନିରେ ଓଦା ମୁହଁ ପୋଛି ଦେଲେ ମନ ପୂରି ଉଠେ। ପୁଣି ଦେହ ଖରାପ ଥାଉ କି ମନ ଉଦାସ ଥାଉ, ତା’ କୋଳରେ ଟିକେ ମୁଣ୍ଡ ଗୁଞ୍ଜି ଦେଲେ, ଅଶାନ୍ତ ମନ ମୋର ପ୍ରଶାନ୍ତିରେ ଭରି ଉଠେ, ଲାଗେ ସବୁ ଠିକ୍‌ ଅଛି।
ହେଲେ ଯେବେ ମୁଁ ଜାଣିଲି ମୋ ବୋଉ ଭାରି ମିଛେଇ ବୋଲି ସେଦିନ ମୋ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସାତ ଭାଇ ଭଉଣୀର ଘର। ତା’ ସାଙ୍ଗରେ ନିଇତି ଘରେ କୁଣିଆ। ସେଦିନ ହଠାତ୍‌ ମାମୁ ତାଙ୍କ ଦୁଇ ସାଙ୍ଗଙ୍କ ସହ ଆସି ପହଞ୍ଚି ଥାନ୍ତି। ଶନିବାର ଯୋଗୁ ଅଧାଦିନ ସ୍କୁଲ ଛୁଟି। ମୁଁ କହି ଯାଇଥାଏ, ବୋଉଲୋ ମୁଁ ଫେରିଲେ ତୋ ସାଙ୍ଗରେ ଖାଇବି..। ସ୍କୁଲରୁ ଫେରିଲା ବେଳକୁ ସେ ମୋ ପାଇଁ ପଖାଳ ବାଢ଼ି ଆଳୁ ସିଝାଟିଏ ଚକଟୁ ଥାଏ। କହିଲି କେତେ କଥା ରାନ୍ଧିବୁ କହୁଥିଲୁ, ଆଉ.. ବୋଉ ମୋ ପାଟିରେ ହାତ ଦେଇ କହିଲା, କାଇଁ ଏଡ଼େ ପାଟିଟା କରୁଛୁ, କୁଣିଆ ଆସିଲେ ପରା… । ମୁଁ ଖାଇବାକୁ ବସି କହିଲି, ତୋର ବାଢୁନୁ.. ଉତ୍ତର ଦେଲା, ମୁଁ ଖାଇ ସାରିଛି । ଚକିତ ହେଲି… ମତେ ଛାଡ଼ି ତ ବୋଉ କେବେ ଖାଏନି, ବୋଧେ ବେଶି ଭୋକ କରିଥିବ! ଖାଇସାରି, ଜହ୍ନମାମୁଟିଏ ଧରି ଗଡୁ ଗଡୁ ରୋଷେଇ ଘରେ ଖଡ଼ଖାଡ଼ ଶୁଣି ଉଠି ଦେଖିଲି, ସେ ନିଜ ପାଇଁ ଚୁଡ଼ା ଚିନି ଗୋଳୋଉଛି। ଧୀରେ ଧୀରେ ଏମିତି ତା’ର ଅନେକ ମିଛ ମୁଁ ଜାଣିପାରିଲି। ବାପା ଜାଣିଲେ ରାଗିବେ କହି ସେ କେତେ କଥା ମନେଇ ନିଏ। ହେଲେ ସବୁ ମିଛ ପଛରେ ଥାଏ ଆମ ପାଇଁ ମଙ୍ଗଳ କାମନା।
ବୋଉଠାରୁ ଅଧିକ ଦାନୀ ମୁଁ କାହାକୁ ଦେଖିନି। କେଉଁ ଉପାଦାନରେ ସେ ଗଢ଼ା କେଜାଣି, ଭୋକରେ ରହି ନିଜ ଖାଦ୍ୟରେ ଅନ୍ୟର ପେଟ ପୂରିଲେ ସେ ଭାରି ଖୁସି ହୁଏ। ସେଥିପାଇଁ ସକାଳୁ ସଞ୍ଜ ଯାଏ ଘର ଆଗରେ ଗାଈ ଗୋରୁଙ୍କଠାରୁ ନେଇ ସନ୍ନ୍ୟାସୀ, ଗରିବ ବ୍ରାହ୍ମଣ ଓ ଭିକାରିଙ୍କ ଭିଡ଼ ହୁଏ। ଲାଗୁଥିଲା ସତେ ଯେମିତି ସେ କେବଳ ଆମର ବୋଉ ନ ଥିଲା, ଥିଲା ଏ ସମସ୍ତଙ୍କର ବୋଉ। ଭିକାରି ଓ ସନ୍ନ୍ୟାସୀମାନେ ତାକୁ ମା’ ବୋଲି ସମ୍ବୋଧନ କରୁଥିଲେ, କିନ୍ତୁ ସେ ସକାଳୁ ଉଠି ଦାଣ୍ଡ କବାଟ ଖୋଲିବା କ୍ଷଣି କାଉଠାରୁ ନେଇ ଗୁଣ୍ଡୁଚି ଯାକେ, ତାଙ୍କ ଅବୋଧ୍ୟ ଭାଷାରେ ଏମିତି କିଚିରି ମିଚିରି ହେଉଥିଲେ ଯେ ଲାଗୁଥିଲା ଯେମିତି ସେମାନେ କହୁଛନ୍ତି, ହେଇ ବୋଉ ଆସିଲାଣି…
କଥା କଥାକେ ଭାଗବତରୁ ଉଦ୍ଧୃତି ଦେଉଥିବା ମୋ ବୋଉ ଖୁବ୍‌ ଭଗବତ୍‌ ବିଶ୍ୱାସୀ ଥିଲା। ଜୀବନରେ ଆସିଥିବା ସମସ୍ତ ଜଞ୍ଜାଳକୁ ସେଇ ଈଶ୍ୱରଙ୍କ ଇଚ୍ଛା କହି ହସି ହସି ସହିଗଲା। ସେଇ ଭାଗବତଙ୍କୁ ପୁଞ୍ଜି କରି ବେଶ୍‌ ନିୟମ ନିଷ୍ଠାରେ ଜୀବନ କାଟିଥିଲା ସେ। ସେଇ ଭାଗବତ କହନ୍ତି, ‘ପ୍ରାଣୀଙ୍କ ଭଲ ମନ୍ଦ ବାଣୀ, ମରଣ କାଳେ ତାହା ଜାଣି’। କାହା ଉପରେ ବୋଝ ନ ହେଇ, କାହାକୁ କଷ୍ଟ ନ ଦେଇ, ହଠାତ୍‌ ଚାଲିଗଲା ବଡ଼ ଏକାଦଶୀରେ । ଏମିତି ଶୋଇଥିଲା ଯେ ଦେଖିଲେ ଲାଗୁଥିଲା, ଏଇ ଉଠି ବସିବ… ପଚାରିବ, ମାଆ ଖାଇଚୁ.. ଛୁଆ କେମିତି ଅଛନ୍ତି.. ଇତ୍ୟାଦି ଇତ୍ୟାଦି। ବିଶ୍ବାସ କରି ହେଉ ନ ଥିଲା ଯେ ସେ ଚାଲିଯାଇଛି…
ଦୁଇ ବର୍ଷ ପରେ ବି ଲାଗେ ବୋଉ ଯେମିତି ଅଛି.. ଏଇଠି କୋଉଠି, ଏଇ ମତେ ଡାକିବ..। ଆଖିରୁ ଝରି ଯାଉଥିବା ଲୁହକୁ ତା’ ପଣତ କାନିରେ ପୋଛିଦେଇ କହିବ, ସଂସାର ଭିତରେ ଥିଲେ ସମସ୍ୟା ତ ଆସିବ, ତାକୁ ଡରିଲେ କ’ଣ ଚଳିବ ଝିଅ । ଭରସା ରଖିବୁ, ଯୋଉ ଠାକୁର ସମସ୍ୟା ଦେଇଛନ୍ତି ସେଇ ପୁଣି ସମାଧାନ ବତେଇ ଦେବେ, ଧୈର୍ଯ୍ୟ କେବେ ହରାଇବୁ ନାହିଁ।
ତୋ କଥା ଭାରି ମନେପଡୁଛି ଲୋ ବୋଉ… ଆଜି ଆଉ କେହି ନାହିଁ ଯେ ପଚାରିବ… ଝିଅ ତୁ ଖାଇଲୁଣି! ଏଠି ସବୁ ସମ୍ପର୍କ, ସ୍ବାର୍ଥରୁ ଆରମ୍ଭ ହୋଇ ସ୍ବାର୍ଥରେ ସରେ । ତୋ ପରି ନିଃସ୍ବାର୍ଥପର, ତୋ ପରି ମମତାମୟୀ, ତୋ ପରି ଉଦାର… ଆଉ କିଏ ହେବ! ତୋ ବିନା ଜୀବନକୁ ଜୀବନ ବୋଲି କହିବାକୁ ବି ସଙ୍କୋଚ ଲାଗୁଚି। ତୋ’ ପଣତକାନିର ସେଇ ନିଆରା ମହକକୁ ଆଜି ବି ମନ ଝୁରୁଛି। ବୋଉ ଲୋ…ଏ ଅବୁଝା ଝିଅର ଅନେକ ଅଳି ଅଝଟ ତୁ ସହିଚୁ, ଏଇ ଶେଷ ଅଳିଟି ପୂରଣ କରିଦେ ଲୋ ବୋଉ… ଆର ଜନ୍ମକୁ ପୁଣି ତୋ’ କୋଳରେ ମତେ ଆଶ୍ରୟ ନେବାର ସୌଭାଗ୍ୟ ଦେ… ।
ମୋ-୯୪୩୭୪୫୩୬୧୦

 

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri