![](https://www.dharitri.com/wp-content/uploads/2024/04/ggg-13.jpg)
ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍’ କ୍ଷେପଣାସ୍ତ୍ର (ଆଇଟିସିଏମ୍)ର ଗୁରୁବାର ସଫଳ ପରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ ସମସ୍ତ ସବ୍ ସିଷ୍ଟମ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଭାରତୀୟ ବାୟୁସେନାର ସୁ-୩୦-ଏମ୍କେ-୧ ବିମାନରୁ ମଧ୍ୟ ଏହି କ୍ଷେପଣାସ୍ତ୍ରର ଉଡ଼ାଣ ଉପରେ ନଜର ରଖାଯାଇଥିଲା। ଏହି କ୍ଷେପଣାସ୍ତ୍ର ୱେ ପଏଣ୍ଟ ନାଭିଗେଶନ୍ ବ୍ୟବହାର କରି ଆବଶ୍ୟକ ପଥ ଅନୁସରଣ କରିଥିଲା ଏବଂ ଅତ୍ୟନ୍ତ ନିମ୍ନ ଉଚ୍ଚତା ବିଶିଷ୍ଟ ସମୁଦ୍ର-ସ୍କିମିଂ ଉଡ଼ାଣ ପ୍ରଦର୍ଶନ କରିଥିଲା। ବେଙ୍ଗାଲୁରୁସ୍ଥିତ ଗ୍ୟାସ୍ ଟର୍ବାଇନ୍ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (ଜିଟିଆର୍ଇ) ଦ୍ୱାରା ବିକଶିତ ଏହି ସ୍ବଦେଶୀ ପ୍ରୋପଲସନ ସିଷ୍ଟମ ସଫଳ ଭାବେ କାର୍ଯ୍ୟ କରିଥିବା ଜଣାପଡ଼ିଛି। ଏହି କ୍ଷେପଣାସ୍ତ୍ରରେ ଉନ୍ନତ ଏବଂ ବିଶ୍ୱସନୀୟ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଆଭିଓନିକ୍ସ ଏବଂ ସଫ୍ଟୱେୟାର ମଧ୍ୟ ରହିଛି। ଏହି କ୍ଷେପଣାସ୍ତ୍ରକୁ ବେଙ୍ଗାଲୁରୁସ୍ଥିତ ଡିଆରଡିଓ ପରୀକ୍ଷାଗାର ଏରୋନୋଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଡିଇ) ବିକଶିତ କରିବା ସହ ଅନ୍ୟାନ୍ୟ ପରୀକ୍ଷାଗାର ଏବଂ ଭାରତୀୟ ଉଦ୍ୟୋଗର ଯୋଗଦାନ ରହିଛି। ଏହି ପରୀକ୍ଷଣକୁ ଡିଆରଡିଓର ବିଭିନ୍ନ ପରୀକ୍ଷାଗାରର ବହୁ ବରିଷ୍ଠ ବୈଜ୍ଞାନିକ ଓ ପ୍ରତିନିଧିମାନେ ଦେଖିଥିଲେ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଟିସିଏମ୍ର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି। ସ୍ବଦେଶୀ ପ୍ରୋପଲସନ ଦ୍ୱାରା ପରିଚାଳିତ ସ୍ବଦେଶୀ ଲମ୍ବା ଦୂରତା ସବ୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ବିକାଶ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କହିଛନ୍ତି। ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମତ ଆଇଟିସିଏମ୍ ଉତ୍କ୍ଷେପଣର ସଫଳ ପରିଚାଳନା ପାଇଁ ଡିଆରଡିଓର ସମଗ୍ର ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି।