ନୂଆଦିଲ୍ଲୀ,୧୭ା୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିିଏଲ୍) ୨୦୨୭ ସିଜନରେ ରାଜସ୍ଥାନ ରୟାଲ୍ସରୁ ଖେଳିବେ ଭେଟେରାନ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମି। ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରୁ ଆସିବେ। ଏଥିପାଇଁ ମଙ୍ଗଳବାର ବ୍ୟବସାୟିକ କାରବାର ହୋଇଛି।
ଭାରତୀୟ ପେସ୍ ବୋଲର ନିକଟରେ ଟେଷ୍ଟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଖବର ଅନୁସାରେ ସେ ୮ କୋଟି ଟଙ୍କା ବିନିମୟରେ ରାଜସ୍ଥାନ ରୟାଲ ଦଳରେ ଯୋଗ ଦେବେ। ଶାମି ଗତବର୍ଷ ୧୦କୋଟି ଟଙ୍କା ବିନିମୟରେ ସନରାଇଜର୍ସ ହାଇଦ୍ରାବାଦରୁ ଲକ୍ଷ୍ନୌ ସୁପର ଜାଏଣ୍ଟରେ ଯୋଗ ଦେଇଥିଲେ। ୩୬ ବର୍ଷୀୟ ମହମ୍ମଦ ଶାମି ହେଉଛନ୍ତି ଜଣେ ଅଭିଜ୍ଞ ଡାହଣହାତି ପେସ୍ ବୋଲର।
ତାଙ୍କ ଯୋଗଦାନ ଦ୍ୱାରା ରାଜସ୍ଥାନ ରୟାଲ୍ସ ବୋଲିଂ ଆକ୍ରମଣ ଅଧିକ ଶାରିତ ହେବ ବୋଲି ଆଶା କରାଯାଉଛି। ଏହି ଡାହାଣହାତି ପେସ୍ ବୋଲର ଇତିମଧ୍ୟରେ ଖେଳିଥିବା ୧୩୨ ଆଇପିଏଲ୍ ମ୍ୟାଚରେ ୧୪୫ ଉଇକେଟ ଅକ୍ତିଆର କରିସାରିଛନ୍ତି। ଲକ୍ଷ୍ୟଭେଦୀ ଓ ସୁନିୟନ୍ତ୍ରିତ ବୋଲିଂ କରିପାରୁଥିବା ବାମହାତି ସ୍ପିନର ଏମ୍. ସିଦ୍ଧାର୍ଥ ମଧ୍ୟରେ ୭୫ଲକ୍ଷ ଟଙ୍କା ବିନିମୟରେ ରାଜସ୍ଥାନ ରୟାଲରେ ଯୋଗ ଦେବେ।
ଅନ୍ୟପକ୍ଷରେ ଇଂଲଣ୍ଡ ଅଲ୍ରାଉଣ୍ଡର ସାମ୍ କୁରାନ ୨.୪ କୋଟି ଟଙ୍କା ବିନିମୟରେ ରାଜସ୍ଥାନ ରୟାଲ୍ସରୁ ଆସି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ଯୋଗ ଦେବେ। କୁରାନ ତାଙ୍କ ଆଇପିଏଲ୍ କ୍ୟାରିୟରରେ ୫୯ ଉଇକେଟ ନେବା ସହ ୯୯୭ ରନ ସ୍କୋର କରିଛନ୍ତି। ଆଇପିଏଲ୍ରେ ୨୮ ବର୍ଷୀୟ କୁରାନଙ୍କର ଏଲ୍ଏସ୍ଜି ହେଉଛି ତୃତୀୟ ଫ୍ରାଞ୍ଚାଇଜ୍। ପୂର୍ବରୁ ସେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପକ୍ଷରୁ ଖେଳିିଛନ୍ତି।

