ନୂଆଦିଲ୍ଲୀ, ୧୮।୧୧: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ନଭେମ୍ବର ୧୯ ତାରିଖରେ ପ୍ରାୟ ୪୫ ମିନିଟ୍ ପାଇଁ ବ୍ୟାଙ୍କର UPI ସେବା ଅସ୍ଥାୟୀ ଭାବେ ବନ୍ଦ ରହିବ । ନିର୍ଦ୍ଧାରିତ ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଏହି ସେବା ବନ୍ଦ ରଖାଯିବ ବୋଲି ବ୍ୟାଙ୍କ ପକ୍ଷରୁ ସୋସିଆଲ ମିଡିଆ ଜରିଆରେ ସୂଚନା ଦିଆଯାଇଛି।
ବ୍ୟାଙ୍କର ସୂଚନା ଅନୁସାରେ, ୧୯ ନଭେମ୍ବର ୨୦୨୬ ଦିନ ଅପରାହ୍ନ ୧ଟା ୧୫ରୁ ୨ଟା ପର୍ଯ୍ୟନ୍ତ SBIର UPI ସେବା ଉପଲବ୍ଧ ହେବ ନାହିଁ। ତେବେ ମେଣ୍ଟେନାନ୍ସ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଶେଷ ହୋଇପାରେ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି । ଏହି ସମୟରେ ଗ୍ରାହକମାନେ UPI Lite ସେବା ବ୍ୟବହାର କରିପାରିବେ। ଏହା ଛୋଟ ଛୋଟ ଟଙ୍କାର କାରବାର ପାଇଁ ଉଦ୍ଦିଷ୍ଟ। ଏଥିରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା UPI Lite ୱାଲେଟ୍ରେ ରଖିପାରିବେ ଏବଂ ସେହି ବାଲାନ୍ସରୁ ପ୍ରତିଥର UPI PIN ଦେବା ବିନା ପେମେଣ୍ଟ କରିପାରିବେ।
RBIର ନିୟମ ଅନୁସାରେ, UPI Liteରେ ପ୍ରତି କାରବାରର ସର୍ବାଧିକ ସୀମା ୧,୦୦୦ ଟଙ୍କା ରହିଛି । ସେହିପରି ୱାଲେଟ୍ରେ ସର୍ବାଧିକ ୫,୦୦୦ ଟଙ୍କା ରଖିହେବ। ଡିସେମ୍ବର ୨୦୨୪ରେ RBI ଏହି ସୀମାକୁ ବୃଦ୍ଧି କରିଥିଲା। ତେଣୁ ନଭେମ୍ବର ୧୯ ତାରିଖରେ ଉକ୍ତ ୪୫ ମିନିଟ୍ ସମୟ ମଧ୍ୟରେ UPI ମାଧ୍ୟମରେ ପେମେଣ୍ଟ କରିବାର ଆବଶ୍ୟକତା ଥିଲେ, ଗ୍ରାହକମାନେ ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରି ରଖିବା ଉଚିତ । ମେଣ୍ଟେନାନ୍ସ କାର୍ଯ୍ୟ ଶେଷ ହେବା ପରେ ପୁଣି ସ୍ୱାଭାବିକ ଭାବେ UPI ସେବା ଉପଲବ୍ଧ ହେବ ।

