ନୂଆଦିଲ୍ଲୀ, ୧୮।୧୧: ଟି-୨୦ ଓ ଦିନିକିଆ ସିରିଜ ଜିତିବା ପରେ ଏବେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍ ଗୁରୁବାର, ୧୯ ନଭେମ୍ବରରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଶୁଭମନ ଗିଲ ଓ କେଏଲ ରାହୁଲ ଖେଳିନଥିଲେ। କିନ୍ତୁ ଏବେ ଉଭୟ ଷ୍ଟାର୍ ଖେଳାଳି ମଇଦାନକୁ ଓହ୍ଲାଇବେ। ସେହିପରି ଟି-୨୦ ଓ ଦିନିକିଆ ସିରିଜ ନଖେଳିଥିବା ଘାତକ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ପ୍ରଥମ ଟେଷ୍ଟରେ ଖେଳୁଥିବା ନଜର ଆସିବେ। ଦିନିକିଆ ମ୍ୟାଚ ସହ ତୁଳନା କଲେ, ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ରେ ମୋଟ ୯ ଜଣ ନୂଆ ଖେଳାଳି ଦେଖିବାକୁ ମିଳିବେ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ନଭେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ୱେଲିଂଟନ୍ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯିବ। ଏହି ଷ୍ଟାଡିୟମରେ ଗତ ୫୮ ବର୍ଷ ଧରି ଟିମ ଇଣ୍ଡିଆ କୌଣସି ଟେଷ୍ଟ ମ୍ୟାଚ ଜିତିପାରିନାହିଁ। ଭାରତୀୟ ଦଳ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ସିରିଜ ଖେଳିଥିବା ବେଳେ କିୱି ଦଳ ଭାରତକୁ କ୍ଲିନ ସୁଇପ କରିଥିଲା। ଏହି ଷ୍ଟାଡିୟମରେ ମଧ୍ୟ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା। ତେବେ ନ୍ୟୁଜିଲାଣ୍ଡ ମାଟିରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ମାତ୍ର ୫ଟି ଟେଷ୍ଟ ମ୍ୟାଚ ଜିତିଛି। ତଥାପି ଏଥର ଭାରତ ପାଇଁ ଏହି ସିରିଜ ଜିତିବା ଅତ୍ୟନ୍ତ ଜରୁରୀ। କାରଣ ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ୍କୁ ଯୋଗ୍ୟତା ହାସଲ କରିବାକୁ ହେଲେ ଭାରତକୁ ଏହି ସିରିଜ ଜିତିବାକୁ ପଡ଼ିବ।
ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକୱାଡ, ଶ୍ରେୟସ ଆୟର, ଇଶାନ କିଶନ, ନମନ ଧୀର, ଅକ୍ଷର ପଟେଲ, ଆକିବ ନବି, ଅର୍ଶଦୀପ ସିଂହ ଓ ୟଶ ଠାକୁର ଖେଳୁଥିବା ଦେଖିବାକୁ ମିଳିବେ ନାହିଁ। ଏହି ସମସ୍ତ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଦିନିକିଆରେ ଖେଳିଥିଲେ। ସେହି ମ୍ୟାଚରେ ଭାରତ ୨୨ ରନରେ ବିଜୟୀ ହୋଇଥିଲା।
ପ୍ରଥମ ଟେଷ୍ଟରେ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନକୁ ନେଇ କହିବାକୁ ଗଲେ, ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ଓପନିଂ କରିବେ। ଏହାପରେ ତିନି ନମ୍ବରରେ ଦେବଦତ୍ତ ପାଡିକଲ ଖେଳୁଥିବା ନଜର ଆସିବେ। ଚାରି ନମ୍ବରରେ ଅଧିନାୟକ ଶୁଭମନ ଗିଲ ଏବଂ ପାଞ୍ଚ ନମ୍ବରରେ ଉଇକେଟ୍କିପର ବ୍ୟାଟର ରିଷଭ ପନ୍ତଙ୍କ ଖେଳିବା ପ୍ରାୟ ନିଶ୍ଚିତ। ଛଅ ନମ୍ବରରେ ନୀତୀଶ କୁମାର ରେଡ୍ଡୀ ଖେଳିପାରନ୍ତି।
ଏହାପରେ ସାତ ଓ ଆଠ ନମ୍ବରରେ ଦୁଇ ଜଣ ସ୍ପିନ ଅଲରାଉଣ୍ଡରଙ୍କୁ ସୁଯୋଗ ମିଳିପାରେ। ଏଥିରେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଖେଳୁଥିବା ଦେଖିବାକୁ ମିଳିପାରେ। ଏହାପରେ ତିନି ଜଣ ଦ୍ରୁତ ବୋଲରଙ୍କ ଖେଳିବା ପ୍ରାୟ ନିଶ୍ଚିତ। ଯଶପ୍ରୀତ ବୁମ୍ରାଙ୍କ ସହ ଆକାଶଦୀପ ଓ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି। ତେବେ ସିରାଜଙ୍କ ସ୍ଥାନରେ ଗୁରନୂର ବରାଡଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ।
Dharitri – Odisha’s No.1 Odia Daily

