ନୂଆଦିଲ୍ଲୀ,୧୮।୧୧: ମଧ୍ୟପ୍ରଦେଶର ଯୁବବର୍ଗ ଏବଂ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ସରକାରୀ ଚାକିରିରେ ନିଯୁକ୍ତି ଏବଂ (ବିଭାଗୀୟ) ନିଯୁକ୍ତି ପାଇଁ ଲାଗୁ ହୋଇଥିବା ‘ଦୁଇଟି ପିଲାଙ୍କ ସର୍ୱାଧିକ ସୀମା’ ସମ୍ୱନ୍ଧୀୟ ପୁରୁଣା ନିୟମକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବଡ଼ ପରିବର୍ତ୍ତନ ପରେ ଏବେ ତିନୋଟି ସନ୍ତାନ ଥିଲେ ମଧ୍ୟ ଯେକୌଣସି ବ୍ୟକ୍ତି ରାଜ୍ୟର ସରକାରୀ ସେବା ଅର୍ଥାତ୍ ଶାସନୀୟ ଚାକିରି ପାଇଁ ସଂପୂର୍ଣ୍ଣ ଯୋଗ୍ୟ ବିବେଚିତ ହେବେ। ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏହି ନୂତନ ସୁବିଧା ଆଗକୁ ହେବାକୁ ଥିବା ନିଯୁକ୍ତି ଏବଂ ମାମଲାଗୁଡ଼ିକରେ ଲାଗୁ ହେବ। ଯେଉଁ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ପୂର୍ୱରୁ ହିଁ ପୁରୁଣା ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କିମ୍ୱା ଯେଉଁମାନଙ୍କୁ ପୂର୍ୱରୁ ଅଯୋଗ୍ୟ ଘୋଷିତ କରାଯାଇଛି, ସେମାନେ ଏହି ନିଷ୍ପତ୍ତିର ଲାଭ ପାଇବେ ନାହିଁ।
ମଧ୍ୟପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣର ଉଦ୍ଦେଶ୍ୟରେ ୨୬ ଜାନୁଆରୀ 2001 ରେ ସେତେବେଳକାର ସରକାରଙ୍କ ଦ୍ୱାରା ଏହି ନିୟମ ଲାଗୁ କରାଯାଇଥିଲା। ଏହା ଅନ୍ତର୍ଗତ ଦୁଇଟିରୁ ଅଧିକ ସନ୍ତାନ ଥିଲେ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବୋଲି ବିବେଚନା କରାଯାଉଥିଲା। କେବଳ ସେତିକି ନୁହେଁ, ମଧ୍ୟପ୍ରଦେଶ ସିଭିଲ ସେବା ନିୟମ ଅନୁଯାୟୀ କାର୍ଯ୍ୟରତ କର୍ମଚାରୀମାନଙ୍କ ତୃତୀୟ ସନ୍ତାନ ଜନ୍ମ ନେବାକୁ କଦାଚାର ଶ୍ରେଣୀରେ ରଖାଯାଇଥିଲା, ଯାହାଫଳରେ ସେମାନଙ୍କର ପଦୋନ୍ନତି (ପ୍ରମୋସନ) ଏବଂ ବେତନ ବୃଦ୍ଧି ଅଟକି ଯାଉଥିଲା। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ସାଧାରଣ ପ୍ରଶାସନ ବିଭାଗକୁ ଏହି ବ୍ୟବସ୍ଥା ସହିତ ଜଡ଼ିତ ଖସଡ଼ାକୁ ତତକ୍ଷଣାତ୍ ପ୍ରଭାବ ସହିତ ରଦ୍ଦ କରିବାକୁ ଏବଂ ପୋର୍ଟାଲରୁ ହଟାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ଏହି ନିୟମ କାରଣରୁ ହଜାର ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। କେବଳ ଶିକ୍ଷା ବିଭାଗରେ ହିଁ ୩୦ ହଜାରରୁ ଅଧିକ ଶିକ୍ଷକ ଏହି ନିୟମର ପରିସରଭୁକ୍ତ ହେବା କାରଣରୁ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହୋଇ ରହିଯାଇଥିଲେ। ଅନେକ କର୍ମଚାରୀ ନିଜର ଚାକିରି ବଞ୍ଚାଇବା ଭୟରେ ତୃତୀୟ ସନ୍ତାନର ତଥ୍ୟ ମଧ୍ୟ ଲୁଚାଇ ରଖିବାକୁ ବାଧ୍ୟ ହେଉଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବର୍ତ୍ତମାନ ସେହି ସମସ୍ତ ପ୍ରାର୍ଥୀଙ୍କ ପାଇଁ ପଥ ପରିଷ୍କାର ହୋଇଯାଇଛି ଯେଉଁମାନେ ପାରିବାରିକ ପରିସ୍ଥିତି କାରଣରୁ ସରକାରୀ ଚାକିରି ଆବେଦନରୁ ବଞ୍ଚିତ ହୋଇରହୁଥିଲେ।

