ଜୟପୁର,୩ା୫: ରାଜସ୍ଥାନର ଏକ ବିଶ୍ୱବିଦ୍ୟାଳୟକୁ ଗୋଟିଏ ଗୁଣ୍ଡୁଚିମୂଷା ଆତଙ୍କିତ କରି ରଖିଛି। ଉକ୍ତ ଗୁଣ୍ଡୁଚିମୂଷା ଇତିମଧ୍ୟରେ ୨୦ ଜଣଙ୍କୁ କାମୁଡ଼ିଲାଣି। ଏହାକୁ ଧରିବା ପାଇଁ ପ୍ରାଣୀ ସହାୟତା ଉଦ୍ଧାରକାରୀ ଟିମ୍କୁ ୨ ଥର ଡକାଗଲାଣି।
ରାଜସ୍ଥାନ ଉଦୟପୁର ଡିଭିଜନରେ ସର୍ବବୃହତ୍ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ମେହାନଲାଲ୍ ସୁଖାଡିଆ ୟୁନିଭର୍ସିଟି (ଏମ୍ଏଲ୍ଏସ୍ୟୁ)କୁ ଭିନ୍ନ ପ୍ରକାର ଆତଙ୍କ କବଳିତ କରି ରଖିଛି। ବିଶ୍ୱବିଦ୍ୟାଳୟର ଆଟର୍ସ କଲେଜ କ୍ୟାମ୍ପ୍ସରେ ଏକ ହିଂସ୍ର ଗୁଣ୍ଡୁଚିମୂଷା ଏଭଳି ଆତଙ୍କର ବାତାବରଣ ସୃଷ୍ଟି କରିଛି। ଗତ ୬ ସପ୍ତାହ ମଧ୍ୟରେ ଗୁଣ୍ଡୁଚିମୂଷା ୨୦ ଜଣ ଛାତ୍ରୀଛାତ୍ର ଓ କଲେଜ କର୍ମଚାରୀଙ୍କୁ କାମୁଡ଼ିଲାଣି। ଏପରିକି ଡିନ୍ଙ୍କୁ ମଧ୍ୟ ଗୁଣ୍ଡୁଚିମୂଷା ଛାଡ଼ିନାହିଁ। ସ୍ଥିତି ଏଭଳି ହୋଇଛି ଯେ, ଛାତ୍ରୀଛାତ୍ର ଓ ଅଧ୍ୟାପକ ମନସ୍ତତ୍ତ୍ୱ ବିଭାଗ ଯିବାକୁ ଥିବା ରାସ୍ତାକୁ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି।
ଗୁଣ୍ଡୁଚିମୂଷାର ହିଂସ୍ର ଆଚରଣ ତା’ର ନିଜ ସୀମାକୁ ସୁରକ୍ଷା ଦେବାରେ ଭୁଲ୍ ପ୍ରଦର୍ଶନ। କୌଣସି ବିପଦ ନ ଥାଇ ମଧ୍ୟ ଏହା ହଠାତ୍ ଆକ୍ରମଣ କରୁଛି। ସାଇକୋଲୋଜି ଡିପାର୍ଟମେଣ୍ଟ ନିକଟରେ ଗୁଣ୍ଡୁଚିମୂଷାଟି ବସା କରିଥିବାବେଳେ ସେହି ବାଟ ଦେଇ ଯାଉଥିବା ଲୋକଙ୍କୁ ଆକ୍ରମଣକାରୀ ସନ୍ଦେହ କରି ନିଜ ସୀମାକୁ ସୁରକ୍ଷା ଦେଉଛି। କ୍ୟାମ୍ପସ୍ରେ ଯାହା ଏକ କୌତୂହଳର ବିଷୟ ଥିଲା, ତାହା ଏବେ ସୁରକ୍ଷା ଚିନ୍ତାର କାରଣ ହୋଇଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି।

