Posted inଫୁରସତ

ଏଇଠି ଚାଲେ ଏମାନଙ୍କ ରାଜୁତି

ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରହିଛି ଅଭୟାରଣ୍ୟ ଆଉ ସେମାନଙ୍କୁ ଶିକାର ନ କରିବାକୁ ଜାରି କରାଯାଇଛି ଅନେକ ନିୟମକାନୁନ। ହେଲେ ଏମିତି ବି କିଛି ସ୍ଥାନ ଅଛି ଯେଉଁଠି ନା ଅଛି ଅଭୟାରଣ୍ୟ ନା ପ୍ରାଣୀ ଶିକାରକୁ ନେଇ ସେଠାରେ ରହିଛି କିଛି ନିୟମ। ବରଂ ଏଠାରେ ଏମାନଙ୍କର ହିଁ ରାଜୁତି ଚାଲିଛି…

ପଶୁପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରହିଛି ଅଭୟାରଣ୍ୟ ଆଉ ସେମାନଙ୍କୁ ଶିକାର ନ କରିବାକୁ ଜାରି କରାଯାଇଛି ଅନେକ ନିୟମକାନୁନ। ହେଲେ ଏମିତି ବି କିଛି ସ୍ଥାନ ଅଛି ଯେଉଁଠି ନା ଅଛି ଅଭୟାରଣ୍ୟ ନା ପ୍ରାଣୀ ଶିକାରକୁ ନେଇ ରହିଛି କିଛି ନିୟମ। ତଥାପି ସେଠାରେ ବେଶ୍‌ ସ୍ବାଚ୍ଛନ୍ଦ୍ୟରେ ରହୁଛନ୍ତି ପଶୁପକ୍ଷୀ। କାହାରିକୁ ତାଙ୍କର ଡର ନାହିଁ କି ଖାଦ୍ୟ ପାଇଁ ସେମାନଙ୍କୁ କରିବାକୁ ପଡୁନାହିଁ ସଂଘର୍ଷ। କାରଣ ସେମାନଙ୍କୁ ଆରାମରେ ଖାଦ୍ୟ ମିଳିଯାଉଛି, ଏପରିକି କିଛି ଜାଗାରେ ସ୍ଥାନୀୟ ଲୋକେ ସେମାନଙ୍କର ସବୁଭଲ ମନ୍ଦ ବୁଝୁଛନ୍ତି। ଆଉ ସ୍ନେହ ଭଲପାଇବା ଦେଇ ସେମାନଙ୍କର ବଂଶ ବୃଦ୍ଧି କରାଇବାକୁ କରୁଛନ୍ତି ପ୍ରୟାସ। ତେଣୁ ସେମାନେ ଡର ଭୟ ଛାଡ଼ି ସେଠାରେ ଯେମିତି କରିଚାଲିଛନ୍ତି ରାଜୁତି।

କ୍ରିସ୍‌ମସ୍‌ ଆଇଲାଣ୍ଡ: ଅଷ୍ଟ୍ରେଲିଆର ସୀମାରେ ରହିଛି ଏହି ଦ୍ୱୀପ। ଉକ୍ତ ଦ୍ୱୀପର ବିଶେଷତ୍ୱ ହେଉଛି, ପ୍ରତିବର୍ଷ ଅକ୍ଟୋବର ନଭେମ୍ବର ମାସରେ ଏଠାରେ ଦେଖିବାକୁ ମିଳନ୍ତି ଲକ୍ଷ ଲକ୍ଷ ସଂଖ୍ୟାର ଏକ ସ୍ବତନ୍ତ୍ର ଲାଲ୍‌ ରଙ୍ଗର କଙ୍କଡ଼ା। ଏହି ସମୟ ସେମାନଙ୍କର ପ୍ରଜନନ ସମୟ ହୋଇଥାଏ। ସେଥିପାଇଁ ସେମାନେ ଦଳବଦ୍ଧ ହୋଇ ଏହି ଦ୍ୱୀପର ଗୋଟିଏ ପାର୍ଶ୍ୱରେ ଥିବା ଜଙ୍ଗଲରୁ ବାହାରି ଅନ୍ୟ ପାର୍ଶ୍ୱରେ ଥିବା ଭାରତ ମହାସାଗରକୁ ଯାଇଥାନ୍ତି ଆଉ ପ୍ରଜନନ ପରେ ସେମାନେ ପୁନର୍ବାର ଜଙ୍ଗଲକୁ ଫେରି ଆସନ୍ତି। କାରଣ ସେମାନେ ପାଣି ଅପେକ୍ଷା ଶୁଖିଲା ସ୍ଥାନରେ ଜଙ୍ଗଲ ପରିବେଶରେ ରହିବାକୁ ଅଧିକ ପସନ୍ଦ କରିଥାନ୍ତି। ଅନ୍ୟପକ୍ଷେ ସେମାନଙ୍କ ଛୁଆମାନେ ଅଣ୍ଡାରୁ ଫୁଟି ସ୍ଥଳଭାଗରେ ରହିବା ଉପଯୋଗୀ ହୋଇଗଲେ ସେମାନେ ମଧ୍ୟ କିଛିଦିନ ପରେ ଜଙ୍ଗଲକୁ ଚାଲିଆସନ୍ତି; ଯଦ୍ଦ୍ବାରା ସେହି ସମୟରେ ଏହି ଦ୍ୱୀପର ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ଏହି ଲାଲ୍‌ ରଙ୍ଗର କଙ୍କଡ଼ା ହିଁ ଦେଖାଯାଇଥାନ୍ତି; ସତେ ଯେମିତି ଏଠାରେ କଙ୍କଡ଼ାର ଚାଦର ବିଛେଇ ହୋଇଛି! ରାସ୍ତାଘାଟରୁ ଆରମ୍ଭ କରି ଜଙ୍ଗଲ, ଘର, ରେଷ୍ଟୁରାଣ୍ଟ, ବାର୍‌, ବସ୍‌ଷ୍ଟପ୍‌ ସବୁଠି ଯେପରି ଏମାନଙ୍କର ରାଜୁତି ଚାଲିଛି। ତେବେ ସେମାନଙ୍କର ଯେମିତି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ସେମାନଙ୍କ ପ୍ରଜନନ ସମୟ ପାଖେଇ ଆସିଲେ ଏହି ଦ୍ୱୀପର ସ୍ଥାନେ ସ୍ଥାନେ ସ୍ଥାନୀୟ ସରକାରଙ୍କ ତରଫରୁ ଗାଡ଼ି ଧୀରେ ଚଳାଇବା ପାଇଁ ନୋଟିସ୍‌ ବୋର୍ଡ ଲଗାଇ ଦିଆଯାଇଥାଏ। ଏପରି କି ଦରକାର ପଡ଼ିଲେ ରାସ୍ତାରେ ଗାଡ଼ିମୋଟର ଯିବାକୁ ମଧ୍ୟ ବନ୍ଦ କରିଦିଆଯାଏ। ସ୍ଥାନୀୟ ଲୋକେ ବି ଉକ୍ତ କଙ୍କଡ଼ାଙ୍କୁ ନେଇ ବେଶ୍‌ ସଚେତନ ରହିଥାନ୍ତି। ଆବଶ୍ୟକ ହେଲେ କେହି କେହି କଙ୍କଡ଼ାଙ୍କୁ ରାସ୍ତା ପାର୍‌ ହେବାରେ ବି ସାହାଯ୍ୟ କରିଦିଅନ୍ତି। ତେବେ ପ୍ରାୟ ୧୩୫ ବର୍ଗ କି.ମି କ୍ଷେତ୍ରଫଳ ପରିବ୍ୟାପ୍ତ ଏହି ଦ୍ୱୀପରେ ମାତ୍ର ଦୁଇ ହଜାର ଲୋକ ରହୁଥିଲେ ହେଁ କଙ୍କଡ଼ାଙ୍କର ଏଭଳି ଅଜବ କାରନାମାକୁ ଦେଖିବା ପାଇଁ ପ୍ରତିବର୍ଷ ଅକ୍ଟୋବରରୁ ଡିସେମ୍ବର ଭିତରେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମୁଥିବା ଦେଖିବାକୁ ମିଳିଥାଏ।

କ୍ୟାଟ୍‌ ଆଇଲାଣ୍ଡ: କ୍ୟାଟ୍‌ ବା ବିଲେଇଙ୍କୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଖୁସି ଖବର। କାରଣ ଜାପାନରେ ସେମାନଙ୍କ ପାଇଁ ରହିଛି ଏମିତି ତିନୋଟି ଆଇଲାଣ୍ଡ ବା ଦ୍ୱୀପ; ଯେଉଁଠାରେ ସେମାନେ ଗୋଟିଏ କି ଦୁଇଟି ନୁହଁ, ଶହ ଶହ ସଂଖ୍ୟାରେ ବିଲେଇଙ୍କୁ ଦେଖିବାର ସୁଯୋଗ ପାଇପାରିବେ। ସେଇଥିପାଇଁ ତ ଉକ୍ତ ଦ୍ୱୀପଗୁଡ଼ିକ କ୍ୟାଟ୍‌ ଆଇଲାଣ୍ଡ ଭାବେ ବି ପରିଚିତ। ତେବେ ସେହି ତିନୋଟି ଦ୍ୱୀପର ନାଁ ହେଉଛି ଆଓଶିମା, ତାଶିରୋଜିମା ଏବଂ ମାନାବେଶିମା। ଏହି ତିନୋଟି ଦ୍ୱୀପରେ ମୁଖ୍ୟତଃ ମତ୍ସଜୀବୀମାନେ ବସବାସ କରିଥାନ୍ତି। ଆଉ ସେମାନଙ୍କର ବିଶ୍ୱାସ ରହିଛି ଯେ, ବିଲେଇଙ୍କୁ ଖାଇବା ଦେଇ ସେମାନଙ୍କର ଭଲରେ ଯତ୍ନନେଲେ ବ୍ୟବସାୟରେ ଉନ୍ନତି ହେବା ସହ ପରିବାରରେ ସୁଖଶାନ୍ତି ବଜାୟ ରହିଥାଏ। ସେଥିପାଇଁ ସେମାନେ ବିଲେଇଙ୍କୁ ଏଠାରେ ଖୁବ୍‌ ସ୍ନେହରେ ଖାଇବା ପିଇବାକୁ ଦେଇ ପାଳିଥାନ୍ତି; ଯଦ୍ଦ୍ବାରା ଏଠାରେ ଜନସଂଖ୍ୟା ତୁଳନାରେ ବିଲେଇଙ୍କ ସଂଖ୍ୟା ଅଧିକ ରହିଥିବାର ଦେଖିବାକୁ ମିଳିଥାଏ। ସେହିପରି ଆଉ କେହି କେହି କୁହନ୍ତି, ଏକଦା ଏହି ଦ୍ୱୀପରେ କୁଆଡ଼େ ବହୁତ ମୂଷା ରହୁଥିଲେ। ସେହି ମୂଷାମାନଙ୍କୁ ମାରିବା ପାଇଁ ଏଠାରେ କିଛି ବିଲେଇଙ୍କୁ ଛଡ଼ା ଯାଇଥିଲା। ମୂଷା ସିନା ମରିଗଲେ ହେଲେ କ୍ରମେ ବିଲେଇଙ୍କର ବଂଶବୃଦ୍ଧି ହେଲା ଆଉ ସେମାନେ ଏହି ଦ୍ୱୀପରେ ଖାଇପିଇ ଆରାମରେ ବାଦ୍‌ଶାହା ଭଳି ରହିବାକୁ ଲାଗିଲେ। ତେବେ ସେ ଯାହା ବି ହେଉ ଏକଦା ପର୍ଯ୍ୟଟକଶୂନ୍ୟ ଥିବା ଏହି ଆଇଲାଣ୍ଡଗୁଡ଼ିକ ଖାସ୍‌ ଏହି ବିଲେଇଙ୍କ ପାଇଁ ଭିନ୍ନ ପରିଚିତି ପାଇଛି, ଏଥିରେ ସନ୍ଦେହ ନାହିଁ।

ମିୟାଜିମା ଆଇଲାଣ୍ଡ: ଜାପାନରେ ରହିଛି ଏହି ଦ୍ୱୀପଟି। ଏହା ଇତ୍‌ସୁକୁଶିମା ନାମରେ ମଧ୍ୟ ପରିଚିତ। ଶାନ୍ତ ପରିବେଶରେ ଭରା ଏହି ଦ୍ୱୀପଟିରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ତନ୍ମଧ୍ୟରୁ ପର୍ଯ୍ୟଟକଙ୍କୁ ସବୁଠୁ ବେଶି ଯାହା ଆକୃଷ୍ଟ କରିଥାଏ ତାହା ହେଉଛି ଏହି ଦ୍ୱୀପରେ ଆରାମରେ ବିଚରଣ କରୁଥିବା ଶହ ଶହ ସଂଖ୍ୟାରେ ହରିଣମାନେ। ଖୁବ୍‌ ଶାନ୍ତ ସ୍ବଭାବର ଏହି ହରିଣମାନଙ୍କୁ ସ୍ନେହ କରିବା କିମ୍ବା ସେମାନଙ୍କ ସହ ଫଟୋ ଉଠାଇବାରେ କିଛି ଅସୁବିଧା ହୁଏ ନାହିଁ ଏଠାରେ। ହେଲେ ପର୍ଯ୍ୟଟକମାନେ ହରିଣଙ୍କୁ ଖାଇବାକୁ ନ ଦେବାକୁ କଡ଼ା ନିୟମ ରହିଛି ଏଠାରେ। କାରଣ ଉକ୍ତ ହରିଣଙ୍କୁ ସ୍ଥାନୀୟ ଅଞ୍ଚଳର କଅଁଳ ଘାସ ହେଉ ଅବା ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ଖାଦ୍ୟ ହିଁ କେବଳ ଖାଇବାକୁ ଦିଆଯାଇଥାଏ। ବାହାର ଖାଦ୍ୟ ସହ ସେମାନେ ଆଦୌ ପରିଚିତ ନୁହନ୍ତି। ଏହାକୁ ଖାଇଲେ କାଳେ ସେମାନଙ୍କର ସ୍ବାସ୍ଥ୍ୟ ଖରାପ ହେବ ସେଥିପାଇଁ ଖାଦ୍ୟ ନ ଦେବାକୁ ଏଠାରେ ନିୟମ ରହିଛି।

ସାଣ୍ଟିଆଗୋ ଦ୍ୱୀପ: ଆମେରିକାର ସୀମାକୁ ଲାଗି ରହିଥିବା ପ୍ୟୁର୍ତ୍ତୋ ରିକୋରେ ରହିଛି ଏହି ଦ୍ୱୀପଟି। ଏହା କାୟୋ ସାଣ୍ଟିଆଗୋ ନାମରେ ବି ପରିଚିତ। ଏହି ଦ୍ୱୀପର ମୁଖ୍ୟ ଆକର୍ଷଣ ହେଉଛି ମାଙ୍କଡ଼। ସେଥିପାଇଁ ଅନେକେ ଏହାକୁ ମାଙ୍କଡ଼ଙ୍କର ଦ୍ୱୀପ ବୋଲି ବି କହିଥାନ୍ତି। ସୂଚନାନୁଯାୟୀ, ପ୍ରାୟ ୩୭.୫ ଏକର ବିଶିଷ୍ଟ ଏହି ଦ୍ୱୀପରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ରିସସ୍‌ ମକାକ୍‌ ପ୍ରଜାତିର ମାଙ୍କଡ଼ ବସବାସ କରୁଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ଏହି ଦ୍ୱୀପ ମଧ୍ୟକୁ ଯିବାପାଇଁ କୌଣସି ପଯର୍ର୍‌ୟଟକଙ୍କୁ ଅନୁମତି ଦିଆଯାଏ ନାହିଁ। କେବଳ ଗବେଷଣା କରିବାକୁ ଅଳ୍ପ କିଛି ସମୟ ପାଇଁ ଗବେଷକମାନଙ୍କୁ ଏଠାକୁ ଯିବାକୁ ଅନୁମତି ରହିଛି। ତା’ଛଡ଼ା ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଉକ୍ତ ମାଙ୍କଡ଼ଙ୍କୁ ଖାଇବାକୁ ଯୋଗାଇ ଦେବାକୁ ସ୍ବତନ୍ତ୍ର ବୋଟ୍‌ ଯୋଗେ ଖାଦ୍ୟ ପଠାଯିବାର ବ୍ୟବସ୍ଥା ମଧ୍ୟ ଏଠାରେ କରାଯାଇଛି।
ରାବିଟ୍‌ ଆଇଲାଣ୍ଡ: ରାବିଟ୍‌ ବା ଠେକୁଆ। ଜାପାନରେ ଓକୁନୋଶିମା ନାମରେ ଏମିତି ଏକ ଦ୍ୱୀପ ରହିଛି, ଯେଉଁଠାରେ ଶହ ଶହ ସଂଖ୍ୟାରେ ଠେକୁଆ ବେଶ୍‌ ଆରାମରେ ଏଣେତେଣେ ବିଚରଣ କରୁଥିବାର ଦେଖିବାକୁ ମିଳିଥାନ୍ତି। ଲୋକଙ୍କୁ ଦେଖିଲେ ପାଖକୁ ଧାଇଁ ଆସି ଗେହ୍ଲେଇ ହେବା, ସେମାନଙ୍କ ହାତରୁ ଖାଦ୍ୟ ଖାଇବାରେ ସେମାନେ ମହା ଆନନ୍ଦ ପାଇଥାନ୍ତି। ପର୍ଯ୍ୟଟକ ବି ସେମାନଙ୍କ ମେଳରେ ରହି ଫଟୋ ଉଠାଇବାରେ ପାଇଥାନ୍ତି ଖୁବ୍‌ ଆନନ୍ଦ। ମୁଖ୍ୟତଃ ଠେକୁଆଙ୍କର ରାଜୁତି ଏହି ଦ୍ୱୀପରେ ଚାଲୁଥିବାରୁ ଏହା ଠେକୁଆଙ୍କ ଦ୍ୱୀପ ଭାବେ ବି ଲୋକମୁଖରେ ପରିଚିତ। ତେବେ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏଠାରେ ଦେଖିବାକୁ ମିଳୁଥିବା ଠେକୁଆମାନେ ପ୍ରକୃତରେ ଏଠାକାର ନୁହନ୍ତି। ଆଜକୁ ବହୁ ବର୍ଷ ତଳେ, ବାହାରୁ କିଛି ଠେକୁଆଙ୍କୁ ଆଣି ସେମାନଙ୍କ ଉପରେ କେମିକାଲ୍‌ ଟେଷ୍ଟ କରିବାକୁ ଏଠାରେ ରଖାଯାଇଥିଲା। ସେଥିରୁ ୬/୭ଟି ଠେକୁଆ କୁଆଡ଼େ ବଞ୍ଚତ୍ ଯାଇଥିଲେ। ଆଉ ସେହିମାନେ ହିଁ କ୍ରମେ ଏଠାରେ ବଂଶବିସ୍ତାର କରି ଏତେ ବଡ଼ ଠେକୁଆ ସାମ୍ରାଜ୍ୟ ସୃଷ୍ଟି କରିଛନ୍ତି ବୋଲି ଲୋକମୁଖରେ ଶୁଣିବାକୁ ମିଳୁଛି।

ସ୍ନେକ୍‌ ଆଇଲାଣ୍ଡ: ବ୍ରାଜିଲ୍‌ରେ ରହିଛି ଏହି ଅଦ୍ଭୁତ ଦ୍ୱୀପଟି। ଅଦ୍ଭୁତ ଏଇଥିପାଇଁ ଯେ, କାରଣ ଏହି ଦ୍ୱୀପର ଯୁଆଡ଼େ ଚାହିଁବେ ସିଆଡ଼େ ବିଭିନ୍ନ ପ୍ରଜାତିର ସାପଙ୍କୁ ହିଁ କେବଳ ଦେଖିବେ। ତେଣୁ ଏହି ଦ୍ୱୀପଟିର ପ୍ରକୃତ ନାମ ଇଲାହା ଦା କ୍ୟୁୟିମାଦା ଗ୍ରାଣ୍ଡେ ହୋଇଥିଲେ ହେଁ ଲୋକମୁଖରେ ଏହା ସ୍ନେକ୍‌ ଆଇଲାଣ୍ଡ ବା ସାପଙ୍କର ଦ୍ୱୀପ ଭାବେ ବେଶ୍‌ ପରିଚିତ। ଦୁନିଆର ସବୁଠାରୁ ବିଷଧର ସାପଠାରୁ ଆରମ୍ଭ କରି ଉଡିବାର କ୍ଷମତା ଥିବା ସାପଙ୍କୁ ବି ଏହି ଦ୍ୱୀପରେ ଦେଖିବାକୁ ମିଳିଥାଏ। ସେଥିପାଇଁ ଏହି ଦ୍ୱୀପ ନିକଟକୁ ଯିବାପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥାଏ।

ବ୍ରାଉନ୍‌ସି ଆଇଲାଣ୍ଡ: ଇଂଲଣ୍ଡର ଡୋରସେଟଠାରେ ରହିଛି ଏହି ଦ୍ୱୀପଟି। ତେବେ ଏହି ଦ୍ୱୀପର ମୁଖ୍ୟ ବିଶେଷତ୍ୱ ହେଉଛି ଏଠାରେ ଦେଖିବାକୁ ମିଳୁଥିବା ସାମାନ୍ୟ ନାଲି ରଙ୍ଗର ଗୁଣ୍ଡୁଚିମୂଷା। ଏହି ସ୍ବତନ୍ତ୍ର ପ୍ରଜାତିର ଗୁଣ୍ଡୁଚିମୂଷାଙ୍କୁ ସୁରକ୍ଷା ଦେବା ପାଇଁ ଏଠାରେ କରାଯାଇଛି ଅନେକ ବ୍ୟବସ୍ଥା। ଶହ ଶହ ସଂଖ୍ୟାର ଏହି ଗୁଣ୍ଡୁଚିମୂଷା ଉକ୍ତ ଦ୍ୱୀପ ମଧ୍ୟରେ ବେଶ୍‌ ଆରାମରେ ବୁଲିବାର ଦୃଶ୍ୟକୁ ଯିଏ ଦେଖିବେ ସିଏ କ୍ଷଣିକ ପାଇଁ ମନ୍ତ୍ରମୁଗ୍ଧ ହୋଇପଡ଼ିବେ। ସେଥିପାଇଁ ଏଠାରେ ପ୍ରାୟ ସମୟ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

ଶିଲ୍‌ ଆଇଲାଣ୍ଡ: ଦକ୍ଷିଣ ଆଫ୍ରିକାରେ ରହିଛି ଏହି ଲୋକପ୍ରିୟ ଶିଲ୍‌ ଆଇଲାଣ୍ଡ। ଏହାର ଏପରି ନାମକରଣ ହୋଇଛି ଏଇଥିପାଇଁ କାରଣ ଏଠାରେ ହଜାର ହଜାର ସଂଖ୍ୟାର ଶିଲ୍‌ଙ୍କୁ ଏକତ୍ର ଦେଖିବାକୁ ମିଳିଥାଏ। ପ୍ରାୟ ୫ ଏକର ପରିସୀମା ପରିବ୍ୟାପ୍ତ ଏହି ଦ୍ୱୀପରେ କେବଳ ଶିଲ୍‌ ଦେଖାଯାଇଥାନ୍ତି ତା’ନୁହେଁ, ଅନେକ ସି ବାର୍ଡଙ୍କୁ ଏଠାରେ ଦେଖିବାକୁ ମିଳିଥାଏ।

ରୁଣ୍ଡେ ବାର୍ଡ ଆଇଲାଣ୍ଡ: ନରେଓ୍ବେରେ ରହିଛି ଏହି ଦ୍ୱୀପଟି। ମୁଖ୍ୟତଃ ବିଭିନ୍ନ ପ୍ରଜାତିର ସି-ବାର୍ଡଙ୍କ ପାଇଁ ଏହି ଆଇଲ୍ୟାଣ୍ଡଟି ପ୍ରସିଦ୍ଧ। ସୂଚନାନୁଯାୟୀ, ଏହି ଦ୍ୱୀପରେ ଅତି ବେଶୀ ଶହେ ପାଖାପାଖି ଲୋକ ବସବାସ କରୁଥିବାବେଳେ ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ସି-ବାର୍ଡଙ୍କୁ ଏଠାରେ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଆଟ୍‌ଲାଣ୍ଟିକ୍‌ ପଫିନ୍‌ ପକ୍ଷୀ ଅଧିକ ପରିମାଣରେ ଦେଖାଯାଇଥାନ୍ତି। କହିବାକୁ ଗଲେ ଏହି ପକ୍ଷୀଙ୍କର ଏଠାରେ ଯେମିତି ରାଜୁତି ଚାଲିଥାଏ। ଖାସ୍‌ ସେଥିପାଇଁ ପକ୍ଷୀପ୍ରେମୀଙ୍କର ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

ବିଲୁଆଙ୍କ ଗାଁ: ଜାପାନରେ ରହିଛି ମିୟାଗି ଜାଓ ଫକ୍ସ ଭିଲେଜ୍‌ ନାମରେ ଏକ ଗାଁ, ଯେଉଁଠାରେ ଶହ ଶହ ସଂଖ୍ୟାର ବିଲୁଆ ମୁକ୍ତଭାବେ ଏଣେ ତେଣେ ବୁଲୁଥିବାର ଦେଖିବାକୁ ମିଳିଥାଏ। ସ୍ଥାନୀୟ ଲୋକେ ସେମାନଙ୍କୁ ଖୁବ୍‌ ସ୍ନେହରେ ପାଳିଥାନ୍ତି। ସେମାନଙ୍କ ସହ ଖେଳିବା, ସେମାନଙ୍କର ଯତ୍ନ ନେବା ସହିତ ତାଙ୍କୁ ଖାଇବାକୁ ଦେବାରେ ସେମାନେ ପାଇଥାନ୍ତି ଅପାର ଆନନ୍ଦ। ସତେ ଯେମିତି ଏହି ବିଲୁଆମାନେ ତାଙ୍କର ନିଜର କେହି। ଏହି ଦୃଶ୍ୟକୁ ଯିଏ ଦେଖିବେ ସିଏ ଭାବିବେ ଏହା ଏକ ବିଲୁଆ ଅଭୟାରଣ୍ୟ ବୋଲି। କିନ୍ତୁ ପ୍ରକୃତରେ ତାହା କୌଣସି ଅଭୟାରଣ୍ୟ ନୁହେଁ ବରଂ ଲୋକ ବସବାସ କରୁଥିବା ଏକ ଗାଁ; ଯେଉଁଠାରେ ସ୍ନେହମମତା ଭରି ରହିଛି। ଆଉ ସେହି ସ୍ନେହ ପ୍ରେମରେ ବାନ୍ଧି ହୋଇ ବିଲୁଆମାନେ ବି ସତେ ଯେମିତି ସେଠାକାର ବାସିନ୍ଦା ପାଲଟି ଯାଇଛନ୍ତି। ତେବେ କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ଏବେ ପର୍ଯ୍ୟଟକମାନେ ବି ଉକ୍ତ ଗାଁକୁ ଯାଇ ବିଲୁଆଙ୍କ ସହ ଫଟୋ ଉଠାଇବା ସହିତ ଖାଇବାକୁ ଦେଉଥିବାର ନଜିର ବି ଦେଖିବାକୁ ମିଳୁଛି। କିନ୍ତୁ କାଳେ କିଛି ଅଘଟଣ ଘଟିଯିବ କିମ୍ବା ବିଲୁଆମାନେ ଅଚିହ୍ନା ଲୋକଙ୍କୁ ଦେଖି ଡରିକି ହୁଏତ କାମୁଡ଼ିଦେବେ ସେଥିପାଇଁ ସେମାନଙ୍କର ଖୁବ୍‌ ନିକଟକୁ ନ ଯିବା ପାଇଁ ଏଠାରେ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।
ଶେଷରେ କେବଳ ଏତିକି କୁହାଯାଇପାରେ ଯେ, ସ୍ନେହପ୍ରେମରେ ଏ ଦୁନିଆ ବନ୍ଧା। ଏଥିରୁ ପଶୁପକ୍ଷୀ ବା ବାଦ୍‌ ଯିବେ କେମିତି। ସେଥିପାଇଁ ତ ଗଢି ଉଠିଛି ଏମିତି କିଛି ସ୍ଥାନ ଯେଉଁଠାରେ ଗୋଟିଏ ଗୋଟିଏ ପ୍ରଜାତିର ପଶୁପକ୍ଷୀଙ୍କର ରାଜୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri