ସାହିତ୍ୟ ବେପାରୀଙ୍କ କଥା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ପ୍ରଥମରୁ କହି ରଖିବା ଉଚିତ ହେବ ଯେ, ଏ କଥା ସାହିତ୍ୟକୁ ପୁଞ୍ଜି କରି ବେପାର କରୁଥିବା ପୁସ୍ତକ ପ୍ରକାଶକଙ୍କ କଥା ନୁହେଁ। ପାଣ୍ଡୁଲିପି ବୋଲି କୁହାଯାଉଥିବା ସ୍ରଷ୍ଟାଙ୍କ ସାରସ୍ବତ ସୃଷ୍ଟିକୁ ପୁସ୍ତକରେ ରୂପାନ୍ତରିତ କରି ପାଠକଙ୍କ ପାଖରେ ପହଞ୍ଚାଇ ଦେଉଥିବା ବହି ବିକ୍ରେତାଙ୍କ କଥା ନୁହେଁ ୟେ। ଏହା ହେଉଛି ସେଇମାନଙ୍କ କଥା, ଯେଉଁମାନେ ନିଜେ କିଛି ସୃଷ୍ଟି କରିବା ସହ ସୃଜନ କର୍ମରେ ରୁଚି ରଖୁଥିବା ସତୀର୍ଥ ସମଧର୍ମା ସ୍ରଷ୍ଟାମାନଙ୍କ ପ୍ରତି ଶ୍ରଦ୍ଧାଶୀଳ ହୋଇ ସେମାନଙ୍କ ସାରସ୍ବତ ସାଧନାକୁ ସମ୍ମାନ ଜଣାଇବା ପାଇଁ ବିଭିନ୍ନ ସାହିତ୍ୟ ସଙ୍ଗଠନ ଗଢି ତହିଁର କର୍ମକର୍ତ୍ତା ବୋଲାନ୍ତି। ସାହିତ୍ୟ ସଡ଼କର ବନ୍ଧୁର ରାସ୍ତାରେ ନିଜେ ଚାଲିବା ସହିତ ଅନ୍ୟ ସହଯାତ୍ରୀମାନଙ୍କୁ ସୈଖ୍ୟ ଯୋଗାଇ ଦେବା ଓ ସେମାନଙ୍କ ସଫଳ ସାଧନାର ଯାତ୍ରା ପଥରେ ତୋରଣ ସଜାଇ ସେମାନଙ୍କୁ ସ୍ବାଗତ କରିବା ଭଳି ମହାନ୍‌ କାର୍ଯ୍ୟରେ ବ୍ୟାପୃତ ଥିବା ଲୋକମାନଙ୍କୁ ବେପାରୀ କହି ତାଙ୍କ ମହାନତାକୁ କ୍ଷୁଣ୍ଣ କରିବାର ପ୍ରୟାସ ଏକ ମହାନ୍‌ କାର୍ଯ୍ୟ ନୁହେଁ।
ତଥାପି ସେମାନଙ୍କ ମଧ୍ୟରୁ କେତେକଙ୍କୁ ବେପାରୀ କହିବାରେ ଯେମିତି କିଛି କୁଣ୍ଠାନାହିଁ। ସେମିତି ନ କହିବାର କିଛି କାରଣ ମଧ୍ୟ ନାହିଁ। ଏମାନେ ସଚ୍ଚା ସାହିତ୍ୟର ସୁରଭିରେ ସୁରଭିତ ବୋଲି ଏକ ମିଥ୍ୟା ପ୍ରତ୍ୟୟ ସୃଷ୍ଟି କରି ଯାବତୀୟ ମିଥ୍ୟାଚାରର ଆଶ୍ରୟ ନିଅନ୍ତି, ସାହିତ୍ୟକୁ ପୁଞ୍ଜିକରି ବେଶ୍‌ କିଛି ଅର୍ଥ ଉପାର୍ଜନ କରନ୍ତି ଓ ଏଥିପାଇଁ ଅତ୍ୟନ୍ତ ନିଷ୍ଠୁର ଭାବେ ଅନ୍ୟମାନଙ୍କ ଭାବ ଓ ଆବେଗର ତଣ୍ଟି ଚିପି ହତ୍ୟା କରନ୍ତି। ଅତିରିକ୍ତ ମୁନାଫା ପାଇଁ ଅପମିଶ୍ରଣ ଆଦି ଯାବତୀୟ ଅନାଚାରରେ ଲିପ୍ତ ରହୁଥିବା ଅସାଧୁ ବେପାରୀଙ୍କ ପରି ଏମାନେ ସାହିତ୍ୟର ଶୁଦ୍ଧ ଅମୃତଭାଣ୍ଡରେ ମିଶାଇ ଦିଅନ୍ତି ଯେତେ ସବୁ ଅଶୁଦ୍ଧ ଅବିଶ୍ୱସ୍ତତାର ବୁନ୍ଦା ବୁନ୍ଦା ବିଷ, କେବଳ କିଛି ଅର୍ଥ ଉପାର୍ଜନ କରିବା ଲାଳସାରେ। ଅଥଚ ଲୋକଚକ୍ଷୁରେ ଏମାନଙ୍କ ପରିଚୟ ହେଉଛି ସାହିତି୍ୟକ, ସାରସ୍ବତ ସାଧକ ଓ ସାହିତ୍ୟ ସଙ୍ଗଠକ!!
ଏମିତି ଜଣେ ସାହିତ୍ୟ ସଙ୍ଗଠକଙ୍କ ବେପାରୀ ବୁଦ୍ଧିରେ ପ୍ରତାରିତ ହୋଇ ନିଜ କବିପଣକୁ ଅଭିଶାପ ଦେଇଥିବା ଜଣେ ଗାଉଁଲି କବିଙ୍କ କଥା। କବିଙ୍କ କଥା ତ ନୁହେଁ, କବିଙ୍କ କଷଣ! କବି ଜଣକ ରହୁଥିଲେ ଗାଁରେ। ଗାଁ ପୋଷ୍ଟ ଅଫିସରେ କାମ କରୁଥିଲେ।
ଲଙ୍କା, ପିଆଜ ଓ ବଡି ପୋଡା ଦେଇ ପଖାଳ ଖାଉଥିଲେ ଓ ଆଖପାଖ କେଇ ଖଣ୍ଡ ଗାଁର ଡାକ ଯୋଗାଯୋଗ ବ୍ୟବସ୍ଥା ସମ୍ପାଦନ କରିବା ଓ ନିଜ ଛୋଟ ପରିବାରଟିର ଦାୟିତ୍ୱ ନିର୍ବାହ କରିବା ମଧ୍ୟରେ ଏକ ଯୋଜନାବିହୀନ ଜୀବନଟିଏ ଜିଇ ଚାଲୁଥିଲେ।
ତଥାପି ସେ କବିତା ଲେଖୁଥିଲେ। ମେଘମୁକ୍ତ ଆକାଶର ନୀଳିମା ଓ ଗାଁ କ୍ଷେତର ସବୁଜିମାକୁ ନିଜ ସୀମିତ ସ୍ବର ଓ ଶବ୍ଦରେ ବାନ୍ଧି ରଖୁଥିଲେ। କେହି ପଢୁ କି ନ ପଢୁ, ନିଜେ ଲେଖି ନିଜକୁ ଶୁଣାଉଥିଲେ। କସ୍ତୁରୀ ମୃଗ ପରି ନିଜ ସୁରଭିରେ ନିଜେ ବିମୋହିତ ହେଉଥିଲେ ଓ ସୁଯୋଗ ପାଇଲେ ନିଜ ଗାଁଠାରୁ ଦଶ ମାଇଲ ଦୂର ସହରରେ ହେଉଥିବା ବିଭିନ୍ନ କବିତା ଆସରରେ ସୁର ମେଲାଇ ନିଜ କବିତା ବୋଲୁଥିଲେ।
ସେମିତି ଏକ କବିତା ଆସରରେ ଥରେ ଆୟୋଜକଙ୍କ ଏକ ଅଭିନବ ଘୋଷଣା ତାଙ୍କ କବିସତ୍ତାକୁ ଏକ ବିଚିତ୍ର କୁତୁକୁତୁ ଭାବେ ବାନ୍ଧି ପକାଇଲା, ଯେଉଁ ଦିନ ସେ ଶୁଣିଲେ ଆୟୋଜକଙ୍କ ସେହି ସାହିତ୍ୟ ସଙ୍ଗଠନ ସେଯାଏ ଅସ୍ବୀକୃତ, ଅବହେଳିତ ଥିବା କବିମାନଙ୍କ ସୃଷ୍ଟିକୁ ନେଇ ଏକ କବିତା ସଙ୍କଳନ ପ୍ରକାଶ କରିବ। ବନ୍ଧ୍ୟା ନାରୀର ପ୍ରଥମ ମାତୃତ୍ୱ ଭଳି ମୁଗ୍ଧ ଅନୁଭବ ନେଇ ସେ ସେଇ ସହରର ବିଶିଷ୍ଟ କବି ବୋଲାଉଥିବା ସେହି ଆୟୋଜକଙ୍କୁ ସାକ୍ଷାତ କଲେ ଓ ତାଙ୍କ ବରାଦ ମୁତାବକ ନିଜର ଏକ ଫଟୋ ଓ ତିନିଶହ ଟଙ୍କା ସହ ସ୍ବନିର୍ବାଚିତ ତିନୋଟି କବିତା ପଇଠ କଲେ।
ଆପଣା ଜୀବନ ଜଞ୍ଜାଳକୁ ନେଇ ବଞ୍ଚୁଥିବା ଗାଁ ଭୂଇଁର ନିରୋଳା କବିଟିଏ। ଅପମିଶ୍ରଣ ବିହୀନ ନିଜ ଭାବ ଓ ଭାଷାକୁ ମୁଦ୍ରିତ କଳେବରରେ ଦେଖିବାର ଆକାଂକ୍ଷା ତା’ ପାଇଁ କେତେ ତୀବ୍ର ହୋଇପାରେ, ଏହା ତା’ ଛଡା ଆଉ କେହି ବୁଝିପାରନ୍ତେ ନାହିଁ। ସ୍ବଚକ୍ଷୁରେ ଈଶ୍ୱରଙ୍କୁ ପ୍ରତ୍ୟକ୍ଷ କରିବାର ଅଲୌକିକ ଅନୁଭବ ବୋଧହୁଏ ଏ ପ୍ରକାର ଆକୁଳତା ଠାରୁ କିଛି ଭିନ୍ନ ହୁଅନ୍ତା ନାହିଁ। ଯାଉ ପଛେ କଷ୍ଟଲବ୍ଧ ତିନିଶହ ଟଙ୍କା, ନିଜ ସୃଷ୍ଟିର ପ୍ରଥମ ପ୍ରକାଶକୁ ପ୍ରତ୍ୟକ୍ଷ କରିବାର ସ୍ବର୍ଗୀୟ ଅନୁଭବ ତୁଳନାରେ ପାର୍ଥିବ ଅର୍ଥର ମୂଲ୍ୟ କେଉଁ ବଡ କଥା ଯେ!
ଅନ୍ତରରେ ସଞ୍ଚତ୍ତ ସମସ୍ତ ଆବେଗକୁ ନେଇ ଆମର ଏ ପଲ୍ଲୀ କବି ଅପେକ୍ଷା କରି ଚାଲିଲେ ଦିନ ଓ ମାସ ମାସ ଧରି। ପାଖାପାଖି ବର୍ଷଟିଏ ବିତିଗଲା ସିନା, ତାଙ୍କ ଅପେକ୍ଷାର ଅବସାନ ହେଲା ନାହିଁ। ଶେଷରେ ସେଇ ସୁଦିନଟି ଆସିଲା, ଯେଉଁଦିନ କବି ଖବର ପାଇଲେ ପତ୍ରିକାଟି ପ୍ରକାଶ ପାଇଛି ଓ କଥିତ ପତ୍ରିକାଟିର ଉନ୍ମୋଚନ ସହିତ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହେଉଛି ା କବି ଆଶା କରୁଥିଲେ ବର୍ଷାଧିକ କାଳ ଅପେକ୍ଷା କରିଥିବା ଏମିତି ଏକ ଅବସର ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିବ। ମାତ୍ର ଏ ସମ୍ପର୍କିତ କୌଣସି ସୂଚନା ନ ମିଳିବାରୁ ଅନିମନ୍ତ୍ରିତ ଭାବେ ସେ ପହଞ୍ଚତ୍ ଯାଇଥିଲେ ଉତ୍ସବସ୍ଥଳରେ।
ତଥାକଥିତ ପ୍ରତିଷ୍ଠିତ ସାହିତି୍ୟକମାନଙ୍କ ଯୋଗଦାନରେ ସମ୍ଭ୍ରାନ୍ତ ଜଣାପଡୁଥିବା ସାହିତ୍ୟ ଆସରରେ ଯୋଗଦେଇ ପଲ୍ଲୀ ମାଟିର କବି ନିଜ କବିପଣକୁ ସାର୍ଥକ ମନେକଲେ। ଓଜସ୍ବିନୀ ଭାଷଣ ପର୍ବ ମଧ୍ୟରେ ବହୁ ଅଭିଳଷିତ ପତ୍ରିକାଟିର ଉନ୍ମୋଚନ ସରିଲା ଓ ସଭା ଶେଷରେ ସେହି ସଙ୍ଗଠକଙ୍କୁ ସାକ୍ଷାତ କରି ପତ୍ରିକାଟିଏ ମାଗିବା ପାଇଁ ପ୍ରାୟ ଘଣ୍ଟାଏ ଅପେକ୍ଷା କରିବା ପରେ ବଡ କୁଣ୍ଠିତ ଚିତ୍ତରେ ସଙ୍ଗଠକ ମହୋଦୟ ପତ୍ରିକାଟିଏ ଧରାଇ ଦେଲେ ସିନା, ମାତ୍ର ଖୋଲିବାକୁ ବାରଣ କରି କହିଲେ, ଉପସ୍ଥିତ ସମସ୍ତଙ୍କୁ ଦେବା ପାଇଁ ଆମ ପାଖରେ ଏତେ ପତ୍ରିକା ନାହିଁ। ଆପଣ ଚୁପଚାପ ନେଇଯାନ୍ତୁ। ଘରେ ଯାଇ ପଢିବେ।
ସେଇ ମୁହୂର୍ତ୍ତରେ ନିଜର ଓ ନିଜ କବିତାର ମୁଦ୍ରିତ ପ୍ରତିରୂପ ଦେଖିବାକୁ ମନର ବ୍ୟାକୁଳତା ନିଜ ଭିତରେ ଚାପି ରଖି ଗ୍ରାମ୍ୟ କବି ଗ୍ରାମକୁ ବାହୁଡି ଆସିଲେ। ଘରେ ପହଞ୍ଚତ୍ ପତ୍ରିକାଟିର ମୂଳରୁ ଶେଷ ଯାଏ ଏକାଧିକ ବାର ତନ୍ନ ତନ୍ନ କରି ଖୋଜିଲେ ମଧ୍ୟ କେଉଁଠି ନିଜକୁ ଅବା ନିଜ କବିତାଟିକୁ ପାଇଲେ ନାହିଁ। ନିଷ୍କପଟ ଭାବେ କେଇ ମାସ ତଳେ ନିଜର ଏ ଦୟନୀୟ ଅନୁଭୂତି ଏ ଲେଖକ ପାଖରେ ବଖାଣି ଦୀର୍ଘଶ୍ୱାସ ଛାଡି ସେ କହୁଥିଲେ, ‘ପତ୍ରିକାଟିରେ କେହି ଜଣେ ବି ନବୀନ ନ ଥିଲେ। ସବୁବେଳେ ସବୁ ପତ୍ରିକାରେ ବାହାରୁଥିବା ସେଇ କେଇଜଣ ତଥାକଥିତ ପ୍ରବୀଣ କବିଙ୍କ କବିତାରେ ପୂରି ଉଠିଥିଲା ପତ୍ରିକାଟିର ପ୍ରତ୍ୟେକ ପୃଷ୍ଠା। ଅତ୍ୟନ୍ତ ଦୁଃଖରେ କହୁଥିଲେ ସେ, ମୋ ଭଳି ଏମିତି କେତେଜଣ ତିନିଶହ ଲେଖାଏ ଦେଇଥିବେ କେଜାଣି?
ସାହିତ୍ୟର ଏହି କୁତ୍ସିତ ବେପାରର ଇତିହାସରେ ଏହା ପ୍ରଥମ ଘଟଣା ନୁହେଁ କି ଶେଷ ଘଟଣା ବି ନୁହେଁ ା କେବଳ ଯାହା ସ୍ଥାନ କାଳ ପାତ୍ର ବିଶେଷରେ ଘଟଣାଗୁଡିକ ଭିନ୍ନ ଭିନ୍ନ ରୂପରେ ପ୍ରକଟିତ ହୋଇଥାଏ ା
ଛୋଟଠୁ ବଡ ପର୍ଯ୍ୟନ୍ତ, ପୁଣି ଅଖ୍ୟାତଠାରୁ ସୁଖ୍ୟାତ ଯାଏ ବହୁ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଉପଲବ୍ଧ ହେଉଥିବା ସମ୍ମାନ, ପୁରସ୍କାର ବା ସମ୍ବର୍ଦ୍ଧନା ମୂଳରେ କେତେବେଳେ ଗୋପନରେ ତ ଅନ୍ୟ ବେଳେ ପ୍ରକାଶ୍ୟରେ ଲାଳିତ ହୋଇ ଚାଲି ଆସୁଛି ଏହି ସବୁ ସମ୍ମାନ ସମ୍ବର୍ଦ୍ଧନା କିଣାବିକାର ବଜାର। ପ୍ରାୟ ବର୍ଷକ ତଳେ ଏ ଲେଖକର ଜଣେ ବନ୍ଧୁଙ୍କ ନିକଟକୁ ଫୋନ ଆସିଲା ରାଜଧାନୀର ଏକ ସାହିତ୍ୟ ଅନୁଷ୍ଠାନର ସମ୍ପାଦକଙ୍କଠାରୁ। ଫୋନର ବାର୍ତ୍ତାଟି ଥିଲା ଏହିପରି – ”ଆପଣଙ୍କ ସାହିତ୍ୟ କୃତି ଆମ ରାଜ୍ୟର ବାଣୀ ଭଣ୍ଡାରରେ ସାଇତି ରଖିଲାଭଳି ଅମୂଲ୍ୟ ସମ୍ପଦ।
ଆପଣଙ୍କ ଭଳି ପ୍ରଭାବଶାଳୀ ଲେଖକମାନଙ୍କ ପରିଚୟ ପ୍ରକାଶ କରିବାର ମହତ୍‌ ଲକ୍ଷ୍ୟ ନେଇ ଆମେ ଏକ ଲେଖକ ପରିଚୟ ଗ୍ରନ୍ଥ ପ୍ରକାଶ କରିବାକୁ ସିଦ୍ଧାନ୍ତ ନେଇଛୁ। ଦୟାକରି ଆପଣଙ୍କ କୃତି ସମ୍ପର୍କରେ ସମ୍ୟକ୍‌ ସୂଚନା ଦେଇ ଫଟୋ ସହିତ ପାଞ୍ଚଶହ ଟଙ୍କା ସହଯୋଗ କରିବାକୁ ଅନୁରୋଧ।“ ବନ୍ଧୁ ଜଣକ ଏମିତି ପରିଚୟ ସଙ୍କଟରେ ଆକ୍ରାନ୍ତ ଥିଲେ ଯେ, ଆଗପଛ ନ ବିଚାରି ସ୍ମାର୍ଟଫୋନର ହ୍ବାଟସ୍‌ଆପରେ ନିଜ ସାହିତ୍ୟ କୃତିର ବିଶଦ୍‌ ବିବରଣୀ ସହ ନିଜର ଏକ ସୁଦୃଶ୍ୟ ଫଟୋ ପଠାଇ ଦେଲେ। ପରେ ପରେ ପାଞ୍ଚଶତ ମୁଦ୍ରା ବି ଅନ୍‌ଲାଇନ ଟ୍ରାନ୍ସଫରରେ ପଟ ପରିବର୍ତ୍ତନ କରିଦେଲେ। ବାସ୍‌, ସେଦିନରୁ ଆଜି ଯାଏ ବର୍ଷଟିଏରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ସେ ସେହି ପରିଚୟ ଗ୍ରନ୍ଥଟିର ମୁଖ ଦର୍ଶନ କରି ନାହାନ୍ତି।
ଫୋନ କଲେ ବି ଧରିବାକୁ କେହି ନାହାନ୍ତି।
ସାରସ୍ବତ ଜଗତରେ ସାଧୁତାର କି ଦାରୁଣ ବିପର୍ଯ୍ୟୟ !
ମୂଲ୍ୟବୋଧର କି ମର୍ମନ୍ତୁଦ ଅବକ୍ଷୟ!!
ବଡ ବିଷମ ସାହିତ୍ୟର ଏହି ବେପାର ବୃତ୍ତି।
ଏଠାରେ ଅକବିଟିଏ ରାତାରାତି କବି ପାଲଟିଯାଏ, ଅଯୋଗ୍ୟ ଜଣେ ଯୋଗ୍ୟ ସ୍ରଷ୍ଟାର ସନନ୍ଦପତ୍ରରେ ସମ୍ମାନିତ ହୁଏ, ପରସ୍ପର ମଧ୍ୟରେ ପୁରସ୍କାର ଆଦାନପ୍ରଦାନ ହୁଏ ଓ ସର୍ବୋପରି ଦରବାରୀ ଭାଟର ସ୍ତବପାଠ ପରି ସାହିତ୍ୟ ପାଲଟିଯାଏ ଏକ ସ୍ବରହୀନ, ସନ୍ଦେଶବିହୀନ ଅସାହିତ୍ୟ।
ସାହିତ୍ୟ ସମାଜର ଦର୍ପଣ। ଏକ ଶୁଦ୍ଧ ଜୀବନର ଆଦର୍ଶ ସମ୍ବିଧାନ। ସାହିତ୍ୟ ସ୍ରଷ୍ଟାମାନେ ଆବେଗରେ ବଞ୍ଚନ୍ତି, ଆବେଗରେ ମରନ୍ତି। ଗୋଟିଏ ଜୀବନକାଳ ମଧ୍ୟରେ ବାରମ୍ବାର ଜନ୍ମ ନିଅନ୍ତି, ବହୁବାର ମରନ୍ତି। ଜୀବନ ଏମାନଙ୍କୁ ବାନ୍ଧି ରଖି ପାରେନା କି ମରଣ ଏମାନଙ୍କୁ ମୁକ୍ତ କରିପାରେନା। ଆବେଗ ଓ ଉଦାରତାରେ ଭରପୂର ଏକ ନିଆରା ଜୀବନ ବଞ୍ଚୁଥିବା ଏଇ ଲୋକମାନେ ଅନ୍ୟମାନଙ୍କ ଆବେଗକୁ ଏମିତି ନିର୍ମମ ଭାବେ ହତ୍ୟା କରିପାରନ୍ତି କିପରି ? ନିଜ ସୃଷ୍ଟିରେ ଜୀବନର ଜୟଗାନ କରୁଥିବା ବେଳେ ଅର୍ଥ ପାଇଁ ଜୀବନର ଅପମାନ କରନ୍ତି କାହିଁକି ? ଅର୍ଥ ଉପାର୍ଜନ ପାଇଁ ତ ଖୋଲା ପଡିଛି ବେପାର ବଣିଜର ପ୍ରଶସ୍ତ ଇଲାକା।
ତେବେ ସେଥିପାଇଁ ସାହିତ୍ୟ ଭଳି ଏକ ଦିବ୍ୟ ଦ୍ରବ୍ୟକୁ ଚୋରା ବଜାରରେ କିଣାବିକା କରିବା ଯେ ସବୁଠୁ ନିକୃଷ୍ଟତମ ମାଧ୍ୟମ, ଏକଥା କଥିତ ସାହିତ୍ୟ ବେପାରୀମାନେ କେବେ ବୁଝିବେ କେଜାଣି ??
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର
ମୋ-୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?