ଦ୍ୱୀପର ଅଧୀଶ୍ୱର

ବିଶ୍ୱର କୌଣସି ପ୍ରାନ୍ତରେ ଭାରତୀୟ ବଂଶୋଦ୍ଭବ ନିଜ ନାମ ଉଜ୍ଜ୍ୱଳ କଲେ ତାହାର ଅନେକ ଶ୍ରେୟ ଭାରତ ମାଟିକୁ ଆସିଥାଏ। ଏବେ ଦ୍ୱୀପପୁଞ୍ଜର ଦେଶ ସିଚେଲ୍ସର ରାଷ୍ଟ୍ରପତି ହୋଇଛନ୍ତି ଓ୍ବାଭେଲ ରାମକଲଓ୍ବାନ୍‌। ଭାରତ ମହାସାଗର ଭିତରେ ଥିବା ଏହି ଦ୍ୱୀପପୁଞ୍ଜର ଅଧୀଶ୍ୱର ହେବାରେ ସେ ଯେତିକି କୀର୍ତ୍ତିମାନ ସ୍ଥାପନ କରିଛନ୍ତି, ତା’ଠାରୁ ଅଧିକ ରେକର୍ଡ କରିଛନ୍ତି ୧୯୭୭ ମସିହା ପରେ କୌଣସି ବିରୋଧୀ ଦଳ ସେଠାରେ କ୍ଷମତାକୁ ଆସିବାକୁ ନେଇ। ଏହି ରାଷ୍ଟ୍ରର ଇତିହାସ ଦେଖିଲେ ସିଚେଲ୍ସ ୧୯୭୬ ଯାଏ ବ୍ରିଟିଶ ଉପନିବେଶ ଥିଲା। ସ୍ବାଧୀନତା ପାଇବାର ବର୍ଷକ ପରେ ୧୯୭୭ରେ ଏକ ସାମରିକ ବିଦ୍ରୋହ ଜରିଆରେ ମିଷ୍ଟର ଫୌରେ ରାଷ୍ଟ୍ରର ସର୍ବେସର୍ବା ପାଲଟିଯାଇଥିଲେ। ୧୯୯୩ରେ ଗଣତନ୍ତ୍ର ଆସିବା ପର୍ଯ୍ୟନ୍ତ ସେ କ୍ଷମତା ଉପଭୋଗ କରୁଥିଲେ। ତା’ ପରେ ରାମକଲଓ୍ବାନ୍‌ଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେ କ୍ଷମତା ଚୌକିରେ ବସିବାର ସୁଯୋଗ ପାଇଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡାନ୍ନି ଫୌରେଙ୍କୁ ପରାସ୍ତ କରି ସେ ଅକ୍ଟୋବର ୨୫ରେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ପୂଜକ ଆଖ୍ୟା ପାଇଥିବା ରାମକଲଓ୍ବାନ୍‌ ଦେଶର ସର୍ବୋଚ୍ଚ ପଦବୀରେ ଅଭିଷିକ୍ତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ।
ରାମକଲଓ୍ବାନ୍‌ ୧୫ ମାର୍ଚ୍ଚ ୧୯୬୧ରେ ସିଚେଲ୍ସର ପ୍ରମୁଖ ଦ୍ୱୀପ ମାହେରେ ଜନ୍ମଗ୍ରହଣ କରିଥିଲେ। ମାତାପିତାଙ୍କ ସେ ତୃତୀୟ ସନ୍ତାନ ଥିଲେ। ପିତା ଥିଲେ ଜଣେ ଟିଣ କାରିଗର ଓ ମାତା ଥିଲେ ପ୍ରଧାନ ଶିକ୍ଷୟିତ୍ରୀ। ରାମକଲଓ୍ବାନ୍‌ଙ୍କ ଜେଜେ ବିହାର ଗୋପାଳଗଞ୍ଜରୁ ସିଚେଲ୍ସ ଯାଇଥିଲେ। ସିଚେଲ୍ସ କଲେଜରେ ରାମକଲଓ୍ବାନ୍‌ଙ୍କ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶେଷ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହି ଶିକ୍ଷାନୁଷ୍ଠାନରେ ଦେଶର ସମ୍ଭ୍ରାନ୍ତ ପିଲାମାନେ ପଢ଼ିଥାଆନ୍ତି। ମରିସସ୍‌ର ସେଣ୍ଟ୍‌ ପଲ୍ସ ଥିଓଲୋଜିକାଲ କଲେଜରେ ଧାର୍ମିକ ଶିକ୍ଷା ଶେଷ କରିବା ପରେ ୧୯୮୫ରେ ରାମକଲଓ୍ବାନ୍‌ ଜଣେ ପୂଜକ ଭାବେ କାର୍ଯ୍ୟ କରିଥିଲେ। ତେବେ ଧର୍ମଶାସ୍ତ୍ର ଉପରେ ଅଧିକ ପଢ଼ିବା ଲାଗି ସେ ବର୍ମିଂହାମ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରୁ ଫେରିବା ପରେ ରାମକଲଓ୍ବାନ୍‌ ଜଣେ ପୋଖତ ଧର୍ମଯାଜକ ପାଲଟିଯାଇଥିଲେ। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ବେଳେ ସେ ସରକାରଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ନାଗରିକଙ୍କ ଦୁର୍ଦ୍ଦଶା ଦେଖିଥିଲେ। ମାନବ ଅଧିକାର ଉଲ୍ଲଂଘନ ହେଉଥିବା ସେ ଜାଣିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୩ରେ ଦେଶରେ ନୂଆ ସମ୍ବିଧାନ ଆସିଥିଲା। ସେହିବର୍ଷ ସାଧାରଣ ନିର୍ବାଚନ ମଧ୍ୟ ହୋଇଥିଲା। ସେଥିରେ ରାମକଲଓ୍ବାନ୍‌ଙ୍କ ଦଳ ଅନ୍ୟ ପାର୍ଟି ସହ ମିଶି ନିର୍ବାଚନ ଲଢ଼ିଥିଲା। ମିଳିତ ପାର୍ଟି ମାତ୍ର ୯ ପ୍ରତିଶତ ଭୋଟ ପାଇଥିଲା। ତଥାପି ସେତିକି ଲୋକ ସମର୍ଥନରେ ରାମକଲଓ୍ବାନ୍‌ଙ୍କୁ ନ୍ୟାଶନାଲ ଆସେମ୍ବ୍ଲିକୁ ଯିବାରେ ସୁଯୋଗ ମିଳିଥିଲା। ୧୯୯୮ରେ ତାଙ୍କ ପାର୍ଟି ୨୭ ପ୍ରତିଶତ ଭୋଟ ପାଇ ନ୍ୟାଶନାଲ ଆସେମ୍ବ୍ଲିରେ ନିଜର ଆଖିଦୃଶିଆ ସିଟ୍‌ ପାଇପାରିଥିଲା। ହେଲେ ୨୦୦୬ ଓ ୨୦୧୧ରେ ସେ ଜେମ୍ସ ମାଇକେଲଙ୍କଠାରୁ ରାଷ୍ଟ୍ରପତି ନିର୍ବାଚନରେ ହାରି ଯାଇଥିଲେ। ୨୦୧୫ରେ ସିଚେଲ୍ସରେ ପ୍ରଥମ ରନ୍‌ଅଫ୍‌ ଇଲେକ୍‌ଶନ ହୋଇଥିଲା। ସେଥିରେ ମଧ୍ୟ ରାମକଲଓ୍ବାନ୍‌ ପଛରେ ପଡ଼ିଯାଇଥିଲେ। ଦୁଇଥର ବିରୋଧୀ ଦଳ ନେତା ହୋଇଥିଲେ ହେଁ ଶାସନ ଗାଦିରେ ବସିବା ଲାଗି ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ତଥାପି ନିରାଶ ହୋଇ ନ ଥିଲେ। ୨୦୨୦ରେ ସେ ରାଷ୍ଟ୍ରପତି ଥିବା ଡାନ୍ନି ଫୌରେଙ୍କୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛନ୍ତି।
ରାମକଲଓ୍ବାନ୍‌ ଭାରତକୁ ଏକ ବନ୍ଧୁ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଭାରତ ମହାସାଗରରେ ଜଳଦସ୍ୟୁଙ୍କ ଉତ୍ପାତ, ଡ୍ରଗ୍ସ କାରବାର ଓ ଶିକାର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥାଏ। ୨୦୧୮ରେ ସିଚେଲ୍ସର ଆସମ୍ପଶନ ଦ୍ୱୀପର ଏକ ଅଂଶରେ ଭାରତ ସହ ମିଶି ସିଚେଲ୍ସ ମିଳିତ ସମରାଭ୍ୟାସ କରିବା ଲାଗି ରାଜି ହୋଇଥିଲା। ହେଲେ ଭାରତ ଓ ଚାଇନା ମଧ୍ୟରେ ବିବାଦ ଲାଗି ରହିଥିବାରୁ ସିଚେଲ୍ସବାସୀ ଏହାର ପ୍ରତିବାଦ କରିଥିଲେ। ତଥାପି ସିଚେଲ୍ସକୁ ଭାରତ ଡୋର୍ନିୟର ଡିଓ-୨୨୮ ଏୟାରକ୍ରାଫ୍ଟ ଦେବାକୁ ରାଜି ହୋଇଛି। ହୁଏତ ଆଗକୁ ରାମକଲଓ୍ବାନ୍‌ଙ୍କ ନେତୃତ୍ୱରେ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଲିନ୍‌ୟୋନ ଡେମୋକ୍ରାଟିକ୍‌ ସେସେଲ୍‌ଓ୍ବା (ଏଲ୍‌ଡିଏସ୍‌) ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ବାଟ ଦେଖାଇବ ବୋଲି ଭାରତୀୟ ଆଶା ରଖିବେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?