ଶ୍ରାଦ୍ଧ ପରମ୍ପରା ଓ ପିତୃପକ୍ଷ

ହରିଶଙ୍କର ମିଶ୍ର

 

ଶ୍ରାଦ୍ଧ ପରମ୍ପରା ଆମ ସଂସ୍କୃତି ସହ ଜଡ଼ିତ। ଏଥିରେ ବେଦୋକ୍ତ ମନ୍ତ୍ରପାଠ କରାଯାଇ ପିତୃପୁରୁଷଙ୍କୁ ପିଣ୍ଡ ଦିଆଯାଏ। ଲୋକାଚାରରେ କୁହାଯାଏ ”ଜୀବେତୁ ବ୍ୟାଯ କରଣମ୍‌ ମୃତାହେ ଭୂରି ଭୋଜନମ୍‌। ଗୟାୟାଂ ପିଣ୍ଡଦାନଂ ଚ ଏଷଃ ସୁପୁତ୍ର ଲକ୍ଷଣମ୍‌।“ ଅର୍ଥାତ୍‌ ପିତାମାତାଙ୍କ ଜୀବିତାବସ୍ଥାରେ ତାଙ୍କର ଆଜ୍ଞାଧୀନ ହେବା, ସେମାନଙ୍କର ମୃତ୍ୟୁ ତିଥିରେ ଲୋକଙ୍କୁ ଭୂରିଭୋଜନରେ ଆପ୍ୟାୟିତ ସହ ଗୟାରେ ଶ୍ରାଦ୍ଧ କରିବା ହିଁ ସୁପୁତ୍ରର ଲକ୍ଷଣ। ଆମ ଧର୍ମୀୟ ବ୍ୟବସ୍ଥା ସ୍ପଷ୍ଟ କରେ ଯେ, ଗୟାଶ୍ରାଦ୍ଧ ବା ବ୍ରହ୍ମ କପାଳରେ ଶ୍ରାଦ୍ଧ କରିଥିବା ସତ୍ତ୍ବେ ସମସ୍ତଙ୍କ ଘରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରଣୀୟ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଶ୍ରୀଜୀଉ, ଶ୍ରୀରାମ ଭାବରେ ଦଶରଥ, କୌଶଲ୍ୟାଙ୍କୁ, ଶ୍ରୀକୃଷ୍ଣ ଭାବରେ ଦେବକୀ ବସୁଦେବଙ୍କୁ ଏବଂ ନିଜପାଇଁ ନିଃବଂଶ ମାଗିଥିବା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରାଦ୍ଧରେ ପିଣ୍ଡଦାନ କରିଥା’ନ୍ତି। ଶ୍ରଦ୍ଧା ପାଇଁ ହେଉ ବା ମାତାପିତାଙ୍କ ତିନି ପୁରୁଷ ସ୍ମରଣର ପରମ୍ପରା ହେଉ, ଶ୍ରାଦ୍ଧ ଆମ ସାମାଜିକ ଚଳଣିର ସଂସ୍କୃତି ସହ ଜଡ଼ିତ ଏଥିରେ ଦ୍ୱିରୁକ୍ତି ନାହିଁ। କେହି ଇହଧାମ ତ୍ୟାଗ ପରେ ଶବଦାହ ପୂର୍ବରୁ ଅର୍ଦ୍ଧ ପଥ ଓ ପଥ ଶ୍ରାଦ୍ଧ କରାଯାଏ। ମୃତକଙ୍କ ଦଶାହ ପର୍ଯ୍ୟନ୍ତ ଯେଉଁ କର୍ମ କରାଯାଏ ତାହାକୁ ଅନ୍ତ୍ୟେଷ୍ଟି ଶ୍ରାଦ୍ଧ କୁହାଯାଏ। ପ୍ରତ୍ୟେକ ଗୃହୀ ପ୍ରତିବର୍ଷ ସ୍ବଗୃହରେ ଦିବଂଗତ ମାତାପିତାଙ୍କ ସାମ୍ବତ୍ସରିକ ଶ୍ରାଦ୍ଧ ସହ ଆଶ୍ବିନ ମାସ କୃଷ୍ଣପକ୍ଷରେ ମହାଳୟା ବା ମଉଳା ଏବଂ କାର୍ତ୍ତିକ ଅମାବାସ୍ୟାରେ ଦୀପଦାନ ବା ବଡ଼ବଡୁଆ ଶ୍ରାଦ୍ଧ କରିଥା’ନ୍ତି।
ଶାସ୍ତ୍ର ମତେ ମହାଳୟା ସମୟରେ ଅର୍ଥାତ୍‌ ଆଶ୍ବିନ କୃଷ୍ଣପକ୍ଷରେ ପିତୃଲୋକରୁ ଆସିଥିବା ପୂର୍ବପୁରୁଷମାନେ କାର୍ତ୍ତିକ ଅମାବାସ୍ୟା ଦିନ ଉଜ୍ଜ୍ବଳ ମାର୍ଗରେ ଫେରିଯିବା ପାଇଁ ଦୀପଦାନ ସହ କାଉଁରିଆ କାଠି ପ୍ରଜ୍ବଳିତ କରାଯାଏ। ଏଇ ଦୁଇ ଶ୍ରାଦ୍ଧ ମାତାପିତାଙ୍କ ତିନି ପୁରୁଷ ସହ ଅଜାଆଈଙ୍କ ତିନି ପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ। ବାର୍ଷିକ ବା ସାମ୍ବତ୍ସରିକ ଶ୍ରାଦ୍ଧ ଦୁଇ ପ୍ରକାରର। ଯାହାର ଜରାଗ୍ରସ୍ତ ହୋଇ ସ୍ବାଭାବିକ ମୃତ୍ୟୁ ହୋଇଥାଏ ତାଙ୍କ ପାଇଁ ପାର୍ବଣ ଓ ଆତ୍ମହତ୍ୟା ବା ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିଲେ ତାଙ୍କ ଉଦ୍ଦେଶ୍ୟରେ ଏକୋଦ୍ଦିଷ୍ଟ ଶ୍ରାଦ୍ଧ କରାଯାଏ। ଏକୋଦ୍ଦିଷ୍ଟ ଶ୍ରାଦ୍ଧରେ କେବଳ ମୃତକଙ୍କ ପାଇଁ ଗୋଟିଏ ପିଣ୍ଡ ଦିଆଯାଏ, ମାତ୍ର ପାର୍ବଣ ଶ୍ରାଦ୍ଧରେ ତିନି ପୁରୁଷଙ୍କୁ ପିଣ୍ଡ ଦିଆଯାଏ। ବାର୍ଷିକ ବା ସାମ୍ବତ୍ସରିକ ଶ୍ରାଦ୍ଧ ମୃତ୍ୟୁର ମାସ ଓ ତିଥି ଅନୁଯାୟୀ କରାଯାଏ। କିନ୍ତୁ ପ୍ରଥମ ବାର୍ଷିକ ଶ୍ରାଦ୍ଧ ପାଇଁ କିଛି ସ୍ବତନ୍ତ୍ର ନିୟମ ରହିଛି। ମୃତକଙ୍କ ଉଦ୍ଦେଶ୍ୟରେ ପ୍ରଥମ ବର୍ଷର ପ୍ରତିମାସରେ ଶ୍ରାଦ୍ଧ କରଣୀୟ। କିନ୍ତୁ ଏହା ପାଳନରେ ବିଘ୍ନିତ ହେବା ସମ୍ଭାବନା ବା ଆଶଙ୍କା ଥିବାରୁ ମୃତକଙ୍କ ଦ୍ବାଦଶାହ ଦିନ ବାର ମାସ ପାଇଁ ବାରୋଟି, ତ୍ରିପକ୍ଷ ପାଇଁ ଗୋଟିଏ ଏବଂ ବାର୍ଷିକ ଶ୍ରାଦ୍ଧ ପୂୂର୍ବରୁ ମଳମାସ ଥିଲେ ସେଥିପାଇଁ ଗୋଟିଏ ପିଣ୍ଡ ଦିଆଯାଏ। କିନ୍ତୁ ସେ ସମୟରେ ପରବର୍ତ୍ତୀ ବର୍ଷପାଇଁ ପଞ୍ଜିକା ପ୍ରକାଶିତ ହୋଇନଥିଲେ ମଳମାସର ସୂଚନା ଜଣାପଡିନଥାଏ। ସେଇ କାରଣରୁ ମଳମାସ ପାଇଁ ପିଣ୍ଡ ଦିଆଯାଇନଥିଲେ ସାବନ ମାସ ଅନୁଯାୟୀ ମୃତ୍ୟୁର ୩୬୦ ଦିନରେ ବାର୍ଷିକ ଶ୍ରାଦ୍ଧ କରାଯିବାକୁ ଧର୍ମଶାସ୍ତ୍ରୀୟ ବ୍ୟବସ୍ଥା ରହିଛି। ପ୍ରକାଶଯୋଗ୍ୟ, ସୌରମାସ ୩୬୫ ଦିନ, ଚାନ୍ଦ୍ରମାସ ୩୫୪ ଦିନ ଓ ସାବନ ମାସ ୩୬୦ ଦିନ ଗଣନା କରାଯାଏ।
ଏତଦ୍‌ବ୍ୟତୀତ ଝିଅଟିଏ ବିବାହ ପରେ ପିତାଙ୍କ ଗୋତ୍ର ତ୍ୟାଗ କରି ଶ୍ବଶୁର ଘରକୁ ଚାଲିଯାଉଥିବାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥାଏ। ତାହା ନାନ୍ଦିମୁଖି ବା ଆଭ୍ୟୁଦାୟିକ ଶ୍ରାଦ୍ଧ କୁହାଯାଏ। ପିତାମହ ଭୀଷ୍ମ ଅବିବାହିତ ଥିବାରୁ ପ୍ରତ୍ୟେକ ବ୍ରାହ୍ମଣ ମାଘ ଶୁକ୍ଳପକ୍ଷ ଅଷ୍ଟମୀ (ଭୀଷ୍ମାଷ୍ଟମୀ)ରେ ତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ମଧ୍ୟ ଦେଇଥା’ନ୍ତି। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧର ବିକଳ୍ପ ଭାବେ ଚାଉଳ ପରିବା ଆଦି ଭୋଜ୍ୟ ବା ସଞ୍ଚାଦାନ ବିଧି ରହିଛି।ମାତାପିତାଙ୍କ ଋଣ କେହି ଜୀବଦ୍ଦଶାରେ ପରିଶୋଧ କରିବା ଅସମ୍ଭବ। କିନ୍ତୁ ପୂର୍ବ ବର୍ଣ୍ଣିତ ସୁପୁତ୍ର ଆଚରଣ ଦ୍ବାରା ସେମାନଙ୍କ ସନ୍ତୋଷ ଆମପାଇଁ ଆଶିଷଦାୟକ ହୋଇଥାଏ। ମାତାପିତାଙ୍କ ଅସନ୍ତୋଷର ଫଳ ଏହି ଜନ୍ମ ସହ ପ୍ରାରବ୍ଧ ଭାବେ ପରଜନ୍ମକୁ ମଧ୍ୟ ପ୍ରଭାବିତ କରିଥାଏ ସେଥିପାଇଁ ପ୍ରତ୍ୟେକ ଘରେ ଶ୍ରାଦ୍ଧ ପାଳନ କଲେ ତାହା ପରପିଢ଼ି ପାଇଁ ଅନୁସରଣୀୟ ହୋଇଥାଏ।
ଧର୍ମଶାସ୍ତ୍ରୀୟ ବ୍ୟବସ୍ଥାନୁଯାୟୀ ଶ୍ରାଦ୍ଧ ଦିବସ ପୂର୍ବରୁ ଯଦି ଜନ୍ମ ବା ମରଣ ଅଶୌଚ ହୁଏ, ତେବେ ଶୌଚ ହେବା ପରଦିନ ଶ୍ରାଦ୍ଧ କରାଯିବ। କିନ୍ତୁ ଯଦି ଶ୍ରାଦ୍ଧ ଦିବସରେ ଅକସ୍ମାତ୍‌ ଶବାଶୌଚ, ଜନନାଶୌଚ ବା ଶ୍ରାଦ୍ଧକର୍ତ୍ତାଙ୍କ ପତ୍ନୀ ରଜସ୍ରାବଜନିତ ଅଶୌଚ ହେଲେ ସେଇ ଶ୍ରାଦ୍ଧ ପରବର୍ତ୍ତୀ କୃଷ୍ଣପକ୍ଷ ଏକାଦଶୀ ବା ଅମାବାସ୍ୟାରେ କରାଯିବ। ଯେଉଁ ମୃତକଙ୍କ ମୃତ୍ୟୁ ତିଥି ଜଣାଥିବ, ମାତ୍ର ମାସ ଜଣାନଥିଲେ ତାଙ୍କର ଶ୍ରାଦ୍ଧ ଆଷାଢ଼ ମାସର ସେହି ତିଥିରେ କରାଯିବ। ଶ୍ରାଦ୍ଧ ସର୍ବଦା ନିଜ ଘରେ କରାଯାଏ। ବିକଳ୍ପ ଭାବେ ତୀର୍ଥ ପୁଷ୍କରିଣୀ, ଗାଁ ପୋଖରୀ ତୁଠ, ନିଜସ୍ବ ଜମି/ ସମୁଦ୍ର ତଟ ବା ପାହାଡ଼ ସମୀପରେ ବି ଶ୍ରାଦ୍ଧ କରାଯିବାର ଶାସ୍ତ୍ରୀୟ ବିଧାନ ରହିଛି। ପୁରାଣରେ ଶ୍ରାଦ୍ଧର ମହତ୍ତ୍ୱ ବିଭିନ୍ନ ଭାବେ ବର୍ଣ୍ଣିତ ହୋଇଛି। କୌଣସି ବିଶେଷ ପରିସ୍ଥିତିରେ ଶ୍ରାଦ୍ଧ କରିନପାରିଲେ କର୍ତ୍ତା ତର୍ପଣ ସହ ଉପବାସରେ ରହିଲେ ତାହା ଶ୍ରାଦ୍ଧର ବିକଳ୍ପ ହୋଇଥାଏ।
ଆଶ୍ୱିନ ମାସ କୃଷ୍ଣପକ୍ଷଟି ଅପରପକ୍ଷ ଭାବେ ପିତୃପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏହି ପକ୍ଷରେ କ୍ଷୌରକର୍ମ ସହ ସ୍ତ୍ରୀ ତୈଳଶଯ୍ୟା ବର୍ଜନ କରାଯାଏ। ବ୍ରାହ୍ମଣମାନେ ପ୍ରତିଦିନ ମଧ୍ୟାହ୍ନରେ ସ୍ନାନ ସାରି ହାତରେ କୁଶବଟୁ ଧାରଣ କରି ପୂର୍ବାଭିମୁଖୀ ହୋଇ ତର୍ପଣ କରିବା ବିଧେୟ। ମାତାପିତାଙ୍କ ତିନି ପୁରୁଷ ସହ ଅଜାଆଇଙ୍କ ତିନିପୁରୁଷ ଏବଂ ପରିବାରର ଦିବଂଗତ ବ୍ୟକ୍ତି, ଗୁରୁ ଗୁରୁପତ୍ନୀଙ୍କ ପାଇଁ ତିଳତର୍ପଣ କରାଯାଏ। ଏଥିସହିତ ସନକାଦି ସପ୍ତଋଷି, ଆଦିତ୍ୟାଦି ନବଗ୍ରହ, ଯମ, ସୋମ, ଅର୍ଯ୍ୟାମା ଆଦିଙ୍କ ପାଇଁ ତର୍ପଣ କରାଯାଏ। ତା’ପରେ ଦେବ, ଅସୁର, ଗନ୍ଧର୍ବ, ପିଶାଚଙ୍କ ସହ ଜଳ ସ୍ଥଳ ବାୟୁ ଅଗ୍ନି ବା ଅନ୍ତରୀକ୍ଷରେ ମୃତ୍ୟୁବରଣ କରିଥିବା ଆତ୍ମାଙ୍କ ଉଦ୍ଦେଶ୍ୟରେ ମଧ୍ୟ ତର୍ପଣ କରାଯାଏ। ଭୀଷ୍ମଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଇ ଶେଷରେ ଅପୁତ୍ରିକ ଭାବେ ମୃତ୍ୟୁବରଣ କରିଥିବା ବନ୍ଧୁ ବାନ୍ଧବଙ୍କ ପାଇଁ ତର୍ପଣ ପରେ କ୍ଷମାପ୍ରାର୍ଥନା କରାଯାଇ ତର୍ପଣ ଶେଷ ହୁଏ। ମାତାପିତା ଆମ ଜୀବନ୍ତ ଈଶ୍ୱର। ସେମାନଙ୍କ ଜୀବଦ୍ଦଶାରେ ଆମେ ଏଇ ଭାବନା ରଖିଲେ ଆମପାଇଁ ଈଶ୍ୱରୀୟ ଆଶୀର୍ବାଦ ରହିବ ଏବଂ ପରପିଢ଼ି ପାଇଁ ଅନୁସରଣୀୟ ହୋଇପାରିବ। ଆମ ସଂସ୍କୃତି ରକ୍ଷା ପାଇଁ କୌଣସି ପରିସ୍ଥିତିରେ ବି ଶ୍ରାଦ୍ଧ ବର୍ଜନୀୟ ନୁହେଁ।
୧୧୩ ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?