ରାଉରକେଲା,୧୧।୮(ସଙ୍ଗୀତା ଜେନା): ରାଉରକେଲା ରେଲଓ୍ବେ ଷ୍ଟେଶନର ମୁଖ୍ୟ ପ୍ରବେଶ ଦ୍ୱାରରେ ନିର୍ମାଣାଧୀନ ଶେଡ୍ ସୋମବାର ହୋଇଥିବା ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଫଳରେ ଶେଡ୍ ତଳେ ଥିବା ଏକ କାର୍ ଉପରେ ଲୁହା ଏଙ୍ଗଲ୍ଗୁଡ଼ିକ ପଡ଼ିଯିବା ଯୋଗୁ ଜଣେ ମହିଳା ଆହତ ହୋଇଛନ୍ତି। ସେହିପରି କିଛି ବାଇକ୍ ଓ ଅଟୋ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ରେଲଓ୍ବେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଶେଡ୍ ମରାମତି ଆରମ୍ଭ କରିଛନ୍ତି। ଏହି ଅଘଟଣ ପରେ ରେଲଓ୍ବେ ଷ୍ଟେଶନ ପରିସରରେ ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ସକାଳ ସାଢ଼େ ୮ଟାରେ ରାଉରକେଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଏତେ ଜୋର୍ରେ ହୋଇଥିଲା ଯେ ଏଥିରେ ରାଉରକେଲା ରେଳ ଷ୍ଟେଶନର ମୁଖ୍ୟ ପ୍ରବେଶ ଦ୍ୱାରରେ ନିର୍ମାଣାଧୀନ ଶେଡ୍ ଭାଙ୍ଗିଯାଇଥିଲା। ଏହି ସମୟରେ ଶେଡ୍ ଏକ କାର୍ ଉପରେ ପଡିବାରୁ ଇଣ୍ଟରସିଟି ଟ୍ରେନ୍ରୁ ଓହ୍ଲାଇ ଘରକୁ ଯାଉଥିବା ଷ୍ଟିଲ ଟାଉନଶିପ୍ର ଜଣେ ମହିଳା ପ୍ରାଜ୍ଞଲ ଜୈନ(୪୪) ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉକ୍ତ ମହିଳାଙ୍କ ସ୍ବାମୀ ନିଲଭ ଅଗ୍ରୱାଲ ଓ ତାଙ୍କ ସନ୍ତାନ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରେଲଓ୍ବେ ଅଧିକାରୀ ସିନିଅର ଡିଭିଜନ୍ ଇଞ୍ଜିନିୟର (ପୂର୍ବ) ରବି ଶଙ୍କର, ଆଇଓଡବ୍ଲ୍ୟୁ ତୁହୀନକାନ୍ତ ଶତପଥୀ ଏବଂ ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ଏଚ୍. କେ. ଖାନ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିଥିଲେ।
ପ୍ରଥମେ ଶେଡ୍ ମରାମତି ସାଙ୍ଗକୁ ଉପର ପାଲ କାଟି ବାହାର କରାଯାଇଥିଲା। ରେଲଓ୍ବେ ୱାର୍କସ ବିଭାଗର ଯନ୍ତ୍ରୀ ଓ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିଥିଲେ। ଏ ସମ୍ପର୍କରେ ସିନିଅର ଡିଭିଜନ ଇଞ୍ଜିନିୟର (ପୂର୍ବ) ରବି ଶଙ୍କରଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଶେଡ୍ ଖୁବ୍ କମ୍ ଦିନ ତଳେ ନିର୍ମାଣ ଆରମ୍ଭ ହୋଇଥିଲା। ଜାମସେଦ୍ପୁର ଅଞ୍ଚଳର ସୁଶୀଲ ମିତ୍ତଲ ଠିକାସଂସ୍ଥା ଏହି କାମ ନେଇଥିଲେ। ଉକ୍ତ ଶେଡ୍ ସହ ଆଉ କିଛି ପ୍ରକଳ୍ପରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହୋଇଛି। ପ୍ରାୟ ୨୫ ଦିନ ତଳେ ଶେଡ୍ରେ ପାଣି ଜମିବାରୁ ଉକ୍ତ ଠିକାଦାରଙ୍କୁ ୯୦ ଲକ୍ଷ ଟଙ୍କା ଜରିମାନା ସହ କଳା ତାଲିକାଭୁକ୍ତ କରାଯାଇଥିଲା। ବର୍ତ୍ତମାନ ଏହି ଦୁର୍ଘଟଣାରେ ଉକ୍ତ ଠିକାଦାରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶଙ୍କର କହିଥିଲେ। ସେହିପରି ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଆଇଓଡବ୍ଲ୍ୟୁ ଶତପଥୀ କହିଛନ୍ତି। ସୂଚନାଯୋଗ୍ୟ, ଏହି ନିର୍ମାଣରେ ଅନିୟମିତତା ହୋଇଥିବା କିଛିଦିନ ହେଲା ଅଭିଯୋଗ ହୋଇଆସୁଥିଲା।

