କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ ଅନେକ ଅନାଲୋଚିତ ଅଧ୍ୟାୟ ସାମ୍ନାକୁ ଆସିଛି। ଏଥିରେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋନିଆ ଓ ରାଜୀବ ଗାନ୍ଧିଙ୍କ ବଡ ପୁଅ ନୁହନ୍ତି ବୋଲି ସ୍ପଷ୍ଟ ହୋଇଛି। ରାହୁଲଙ୍କ ପୂର୍ବରୁ ତାଙ୍କର ଭାଇଟିଏ ଥିଲା, ଯିଏ ଅପରିପକ୍ୱ ଜନ୍ମ ନେଇଥିଲେ। ତେବେ ଜନ୍ମ ହେବାର ଦିନକ ପରେ ମୃତ୍ୟୁ ହୋଇଥିଳା।
ସୋନିଆ ଗାନ୍ଧୀ ଲେଖିଛନ୍ତି ଏହି ଘଟଣା ୧୯୬୯ରେ ଘଟିଥିଲା। ଏହାର କିଛି ମାସ ପୂର୍ବରୁ ଯେତେବେଳେ ସେ ଗର୍ଭବତୀ ବୋଲି ଜାଣିବାକୁ ପାଇଲେ ପୁରା ଗାନ୍ଧୀ ପରିବାର ଖୁସିରେ ଆତ୍ମହରା ହୋଇପଡିଥିଲା। ସାର୍ବଜନିକ ଭାବେ ନିଜ ଭାବନାକୁ ବ୍ୟକ୍ତ କରୁନଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଖବରରେ ବହୁତ ଖୁସି ହୋଇଯାଇଥିଲେ ଓ ବୋହୂକୁ କୋଳାଗ୍ରତ କରିଥିଲେ। ହେଲେ ଏହି ଖୁସି ବେଶି ସମୟ ରହିନଥିଲା। ନିର୍ଦ୍ଧାରିତ ସମୟର ୨ ମାସ ପୂର୍ବରୁ ପ୍ରସବ ପୀଡ଼ା ହୋଇଥିଲା ଓ ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୮ ଜାନୁୟାରୀ ୧୯୬୯ରେ ସୋନିଆ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ପ୍ରିମାଚ୍ୟୋର ହୋଇଥିଲେ ବି ପିଲାଟି ବେଶ୍ ସୁସ୍ଥଶବଳ ଦେଖା ଯାଉଥିଲା। ସୋନିଆ ଲେଖିଛନ୍ତି ଯେତେବେଳେ ପିଲାକୁ ଇନକୁବେଟରରେ ରଖା ଗଲା ମୋତେ ତାର କାନ୍ଦଣା ଶୁଣା ଯାଇଥିଲା। କିଛି ସମୟ ପରେ ରାଜୀବ ମୋତେ ପିଲା ପାଖାକୁ ନେଇଯାଇଥିଲେ। ତାକୁ ଦେଖିବାମାତ୍ରେ ମୁଁ ଭଲପାଇ ବସିଥିଲି ବୋଲି ସୋନିଆ ଉଲ୍ଲେଖ କରିଛନ୍ତି। ହେଲେ କୁନି ପୁଅଟି ମାତ୍ର କିଛି ଘଣ୍ଟା ଜୀବିତ ରହିଥିଲା। ଏ ବାବଦେ ଡାକ୍ତର ପୂର୍ବରୁ ରାଜୀବଙ୍କୁ କହିସାରିଥିଲେ ପିଲାଟିର ବଞ୍ଚିବାର ସମ୍ଭାବନା ଖୁବ କମ୍। ତା ପରଦିନ ସକାଳେ ଯେତେବେଳେ ଶିଶୁଟି ମରିଯାଇଥିବା ଖବର ଆସିଲା ନିଜକୁ ଅଧିକାଂଶ ସମୟ ସଞ୍ଜମ ରଖୁଥିବା ରାଜୀବ ମୋ ସହ କାନ୍ଦିବାକୁ ଲାଗିଥିଲେ।
ଏହି ସମୟରେ ଗସ୍ତରେ ଥିବା ଇନ୍ଦିରା ତାଙ୍କ ଗସ୍ତ ବାତିଲ କରି ଫେରି ଆସିଥିଲେ ଓ ଅଶ୍ରୁଭିଜା ଆଖିରେ ଦୁଇଜଣଙ୍କୁ ପ୍ରବୋଧନା ଦେଇଥିଲେ। ଏହି ଘଟଣା ସୋନିଆଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଗଭୀର ଦୁଃଖ ଓ ଆତ୍ମଗ୍ଲାନିରେ ରଖିଥିଲା। ସେହି ବର୍ଷ ଶେଷରେ ସୋନିଆ ପୁଣି ଥରେ ଗର୍ଭବତୀ ହୋଇଥିଲେ। ତେବେ ପିଛିଲା ଘଟଣାର ଦୁଃଖ ପାସୋରି ନଥିବାରୁ ପରିବାର କୌଣସି ଉତ୍ସବ ପାଳନ କରିବା ବଦଳେ ଲଗାତାର ଚିନ୍ତିତ ରହିବାକୁ ଲାଗିଥିଲା। ଶେଷରେ ୧୯ଜୁନ ୧୯୭୦ରେ ରାହୁଲ ଗାନ୍ଧିଙ୍କ ଜନ୍ମ ହେଲା ଓ ପରିବାରର ଚିନ୍ତା ଦୂର ହେଲା।

