ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଲୋରି ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନିଅନ୍ତି, ତେବେ ତାଙ୍କୁ ପ୍ରାୟ ୬୦ ବିଲିୟନ ଡଲାର୍ (ଭାରତୀୟ ମୁଦ୍ରାରେ ପ୍ରାୟ ୫.୩ ଲକ୍ଷ କୋଟି ଟଙ୍କା) ବା ଏହାଠାରୁ ଅଧିକ ସମ୍ପତ୍ତି ମିଳିପାରେ। ଯଦି ଏପରି ହୁଏ, ତେବେ ଏହା ବିଶ୍ୱର ସବୁଠାରୁ ବଡ଼ ଛାଡ଼ପତ୍ର ସେଟ୍ଲମେଣ୍ଟ୍ ମଧ୍ୟରୁ ଅନ୍ୟତମ ହେବ ଏବଂ ଏହା ବିଲ୍ ଗେଟ୍ସଙ୍କ ଛାଡ଼ପତ୍ର ରେକର୍ଡକୁ ମଧ୍ୟ ପଛରେ ପକାଇପାରେ। ତେବେ ଲୋରି ଏପର୍ଯ୍ୟନ୍ତ ଛାଡ଼ପତ୍ର ସମ୍ପର୍କରେ କୌଣସି ଆନୁଷ୍ଠାନିକ ବୟାନ ଦେଇନାହାନ୍ତି।
ଫୋର୍ବସ୍ର ତଥ୍ୟ ଅନୁଯାୟୀ, ନଭେମ୍ବର ୯ ସୁଦ୍ଧା ଜେନ୍ସନ୍ ହୁଆଙ୍ଗଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୫୫.୨ ବିଲିୟନ ଡଲାର୍ ଥିଲା। ତାଙ୍କ ସମ୍ପତ୍ତିର ଏକ ବଡ଼ ଅଂଶ ଏନ୍ଭିଡିଆର ସେୟାର ସହିତ ଜଡ଼ିତ। ସାମ୍ପ୍ରତିକ ସମୟରେ କମ୍ପାନୀର ସେୟାର ମୂଲ୍ୟରେ ବଡ଼ଧରଣର ହ୍ରାସ ଘଟିଛି। ମାର୍କେଟ୍ୱାଚ୍ ଅନୁଯାୟୀ, ଅକ୍ଟୋବର ୬ରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଏନ୍ଭିଡିଆର ସେୟାର ପ୍ରାୟ ୨୭ ପ୍ରତିଶତ ହ୍ରାସ ପାଇଛି, ଯାହାଫଳରେ କମ୍ପାନୀର ବଜାର ପୁଞ୍ଜିରେ ପ୍ରାୟ ୧.୬ ଲକ୍ଷ କୋଟି ଡଲାର୍ର ହ୍ରାସ ଘଟିଛି।
‘ନ୍ୟୁୟର୍କ ପୋଷ୍ଟ୍’ର ଏକ ରିପୋର୍ଟ ଅନୁଯାୟୀ, ଜେନ୍ସନ୍ଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଏବଂ ଦମ୍ପତିଙ୍କ ଲିଭିଂ ଟ୍ରଷ୍ଟ୍ ତଥା ୬ଟି କମ୍ପାନୀ ପାଖରେ ଏନ୍ଭିଡିଆର ପ୍ରାୟ ୬୭ କୋଟି ସେୟାର ରହିଛି। ଯଦି ଏହି ସେୟାରଗୁଡ଼ିକର ଅଧା ଅଂଶ ଲୋରିଙ୍କୁ ମିଳେ, ତେବେ ତାଙ୍କ ଭାଗରେ ପ୍ରାୟ ୩୩.୫ କୋଟି ସେୟାର ଆସିପାରେ। ରିପୋର୍ଟରେ ବ୍ୟବହୃତ ପ୍ରତି ସେୟାର ପିଛା ୧୭୯ ଡଲାର୍ ମୂଲ୍ୟ ଆଧାରରେ ଏହାର ମୂଲ୍ୟ ପ୍ରାୟ ୬୦ ବିଲିୟନ ଡଲାର୍ ହେବ ବୋଲି ଆକଳନ କରାଯାଇଛି।
ଜେନ୍ସନ୍ ଏବଂ ଲୋରିଙ୍କ ପ୍ରାୟ ୧୯୮୦ ଦଶକର ମଧ୍ୟଭାଗରେ ବିବାହ ହୋଇଥିଲା। ବିଶେଷ କଥା ହେଉଛି, ଜେନ୍ସନ୍ ୧୯୯୩ ମସିହାରେ ଏନ୍ଭିଡିଆ ପ୍ରତିଷ୍ଠା କରିଥିଲେ, ଅର୍ଥାତ୍ କମ୍ପାନୀର ଆରମ୍ଭ ପୂର୍ବରୁ ହିଁ ଉଭୟଙ୍କର ବିବାହ ହୋଇସାରିଥିଲା। କାଲିଫର୍ନିଆର ଆଇନ ଅନୁଯାୟୀ, ବିବାହ ସମୟରେ ଅର୍ଜିତ ସମ୍ପତ୍ତିକୁ ସାଧାରଣତଃ ସ୍ୱାମୀ-ସ୍ତ୍ରୀଙ୍କ ଯୁଗ୍ମ ସମ୍ପତ୍ତି ଭାବରେ ବିଚାର କରାଯାଏ ଏବଂ ଛାଡ଼ପତ୍ର ହେଲେ ଏହାକୁ ସମାନ ଭାବରେ ବଣ୍ଟନ କରିବାର ବ୍ୟବସ୍ଥା ରହିଛି। ତେବେ ଏହାର ଅର୍ଥ ଏହା ନୁହେଁ ଯେ ଲୋରିଙ୍କୁ ଜେନ୍ସନ୍ଙ୍କ ସମସ୍ତ ୧୫୫.୨ ବିଲିୟନ ଡଲାର୍ ସମ୍ପତ୍ତିର ଅଧା ଅଂଶ ମିଳିଯିବ, କାରଣ ବିବାହ ପୂର୍ବରୁ ଅର୍ଜିତ ସମ୍ପତ୍ତି, ପୈତୃକ ସମ୍ପତ୍ତି କିମ୍ବା ବ୍ୟକ୍ତିଗତ ଉପହାର ଏହି ବଣ୍ଟନର ବାହାରେ ରହିଥାଏ।
୨୦୨୧ ମସିହାରେ ବିଲ୍ ଗେଟ୍ସ ଏବଂ ମେଲିଣ୍ଡା ଗେଟ୍ସଙ୍କ ଛାଡ଼ପତ୍ର ସମୟରେ ପ୍ରାୟ ୭୬ ବିଲିୟନ ଡଲାର୍ ସମ୍ପତ୍ତି ବଣ୍ଟନ ନେଇ ଚର୍ଚ୍ଚା ହୋଇଥିଲା। ଯଦି ଲୋରିଙ୍କୁ ସମ୍ପତ୍ତିରୁ ସିଧାସଳଖ ଏତେ ବଡ଼ ଅଂଶ ମିଳେ, ତେବେ ଏହା ବିଲ୍ ଗେଟ୍ସଙ୍କ ରେକର୍ଡକୁ ମଧ୍ୟ ଅତିକ୍ରମ କରିପାରେ। ସେହିପରି ୨୦19 ମସିହାରେ ଆମାଜନ୍ ପ୍ରତିଷ୍ଠାକାରୀ ଜେଫ୍ ବେଜୋସ୍ ଏବଂ ମ୍ୟାକେଞ୍ଜି ସ୍କଟ୍ଙ୍କ ଛାଡ଼ପତ୍ର ସମୟରେ ସ୍କଟ୍ଙ୍କୁ ପ୍ରାୟ ୩୮.୩ ବିଲିୟନ ଡଲାର୍ର ସେୟାର ମିଳିଥିଲା। ତେଣୁ ଜେନ୍ସନ୍-ଲୋରିଙ୍କ ସମ୍ଭାବ୍ୟ ସେଟ୍ଲମେଣ୍ଟ୍ ଏହାଠାରୁ ବହୁ ପରିମାଣରେ ଅଧିକ ହୋଇପାରେ ବୋଲି ଆଶା କରାଯାଉଛି।

