ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ସ୍ଥିତ ରାମଜୀ ଡିଗ୍ରୀ କଲେଜର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଓ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ୟୁନିଟ୍ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ବଦାନ୍ୟ ସେବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ସହଦେବ ଟିକରପଡ଼ା ପଞ୍ଚାୟତର ଜନଜାତି ବହୁଳ କନ୍ୟାସାହି ଗ୍ରାମରେ ଗ୍ରାମବାସୀଙ୍କୁ ସହାୟତାର ହାତ ବଢ଼ାଯାଇଛି।ମଙ୍ଗଳବାର ଅନୁଷ୍ଠିତ ଏହି ସେବା ଶିବିରରେ ଛାତ୍ରଛାତ୍ରୀମାନେ ନିଜେ ରୋଷେଇ କରି ସମସ୍ତ ଗ୍ରାମବାସୀଙ୍କୁ ରନ୍ଧନ ଖାଦ୍ୟ ପରିବେଷଣ କରିବା ସହ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ।
ଖାଦ୍ୟ ବଣ୍ଟନ ପୂର୍ବରୁ ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ଗ୍ରାମରେ ଏକ ସମୂହ ସଫେଇ ଅଭିଯାନ ଚଲାଇଥିଲେ। ଏଥିସହିତ ଗ୍ରାମବାସୀଙ୍କୁ ଅନ୍ଧବିଶ୍ୱାସ ଦୂରୀକରଣ, ପରିବେଶ ସୁରକ୍ଷା ଏବଂ ନିଶା ନିବାରଣ ସମ୍ପର୍କରେ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ୟୁନିଟ୍ ପ୍ରଶିକ୍ଷକ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ପ୍ରଶିକ୍ଷିକା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶନୀ ପ୍ରଧାନ, ଏନ୍ଏସ୍ଏସ୍ ୟୁନିଟ୍ ଅଧିକାରୀ ଅଧ୍ୟାପିକା ଇତିପ୍ରଭା, ରଶ୍ମିତା କୁମାରୀ ମେକାପ, ଅଧ୍ୟାପକ ରଞ୍ଜନ ଗୌଡ଼, ଟୁନା ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

