ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ପୀଠର ଅଧ୍ୟକ୍ଷ ଅଭିମନ୍ୟୁ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାହିତ୍ୟ ଆସରରେ କବି ଓ ସାହିତ୍ୟପ୍ରେମୀଙ୍କ ସମାଗମ ହୋଇଥିବା ବେଳେ ସ୍ୱରଚିତ କବିତା ପାଠରେ ପରିବେଶ ସାହିତ୍ୟମୟ ହୋଇଉଠିଥିଲା।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା, ଶରତ ଚନ୍ଦ୍ର ଦାସ, ଶିଶିର କାନ୍ତ ନାୟକ, ଶିକ୍ଷକ ଶିଶିର କୁମାର ସ୍ୱାଇଁ ଓ ସାହିତ୍ୟିକ ଗୋପାଳ ଚନ୍ଦ୍ର ଲେଙ୍କା ଅତିଥି ଭାବେ ଯୋଗଦେଇଥିଲେ। ଯୁବ ସମାଜସେବୀ ସ୍ୱସ୍ତି ସୁନ୍ଦର ସିଅ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଚିନ୍ମୟ ପ୍ରସାଦ ପରିଡ଼ା ପ୍ରାରମ୍ଭିକ ଓ ଅନ୍ତିମ ସଙ୍ଗୀତ ପରିବେଷଣ କରିଥିଲେ। ଚନ୍ଦ୍ରମଣି ଲେଙ୍କା ଓ ଶିଶିର କୁମାର ସ୍ୱାଇଁ କବିତା ପାଠ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ସାହିତ୍ୟ ଆସରର ଅନ୍ୟତମ ଆକର୍ଷଣ ଥିଲା ପୁସ୍ତକ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ। ଏହି ଅବସରରେ ପୀଠର ଅଧ୍ୟକ୍ଷ ଅଭିମନ୍ୟୁ ଦଳାଇଙ୍କ ରଚିତ ପୁସ୍ତକ ‘ଅମର ନୀତି ଅମୃତ ବାଣୀ’ ଏବଂ ଶିଶିର କାନ୍ତ ନାୟକଙ୍କ ପତ୍ରିକା ‘ପ୍ରଭୁଙ୍କ ନିକଟକୁ ପତ୍ର’ ଉନ୍ମୋଚିତ ହୋଇଥିଲା। କବିତା ପାଠ ପର୍ଯ୍ୟାୟରେ ଚନ୍ଦ୍ରମଣି ଲେଙ୍କା, ହୃଷୀକେଶ ଲେଙ୍କା, ଅଶୋକ କୁମାର ଗୌଡ଼, ସ୍ୱସ୍ତି ସୁନ୍ଦର ସିଅ, ରାଜ ବଲ୍ଲଭ ମହାନ୍ତି, ପିତାମ୍ବର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଗୌଡ଼, ଶରତ ଚନ୍ଦ୍ର ଦାସ ଓ ଶିଶିର କାନ୍ତ ନାୟକଙ୍କ ସମେତ କବୟିତ୍ରୀ ମାଣିକ ବଳ, ଖୁସି ନାୟକ, ମିନାକ୍ଷୀ ସ୍ୱାଇଁ, ଯମୁନା ଭୂୟାଁ ଓ ପ୍ରମଦା ସାହୁ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ବିଭିନ୍ନ ଭାବଧାରା ଓ ଅନୁଭୂତିକୁ ନେଇ ରଚିତ କବିତାଗୁଡ଼ିକ ଆସରକୁ ଜୀବନ୍ତ କରିଥିଲା।
ଅନ୍ୟମାନଙ୍କ ମଧ୍ୟରେ ବିଭୁପାଦ ଜେନା, ରାମକୃଷ୍ଣ ପାତ୍ର, କବିରାଜ ପରିଡ଼ା ଓ ଝାପଲ୍ ମାର୍ଣ୍ଡି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭାଗ୍ୟଶାଳୀ ବିଜେତା ଭାବେ ବର୍ଷା ନାୟକ ମନୋନୀତ ହୋଇଥିଲେ। ଆସରର ସଫଳ ଆୟୋଜନରେ ସ୍ୱସ୍ତି ସୁନ୍ଦର ସିଅଙ୍କ ପରିବାର ସଦସ୍ୟଙ୍କ ସହ ମାମାଲି, ବର୍ଷା, ଚିନ୍ମୟ ଓ ପଣ୍ଡା ସହଯୋଗ କରିଥିଲେ ।

