ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): ସାରା ରାଜ୍ୟରେ ‘ଖଣି ଉତ୍ତୋଳନ ପ୍ରତିବାଦ ଦିବସ’ ପାଳନ ହେଉଥିବା ଅବସରରେ, କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ର ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।
ଏନେଇ ସଂଘର ସଭାପତି ରବି ଖରାଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଆଦିବାସୀ ଅଞ୍ଚଳର ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି ବହୁ ଆଶା ରହିଥିଲା। ମାତ୍ର ବର୍ତ୍ତମାନ ବିଭିନ୍ନ ଦେଶୀ ଓ ବିଦେଶୀ କମ୍ପାନୀଙ୍କୁ ପ୍ରାକୃତିକ ସମ୍ପଦ ଲୁଟ୍ ପାଇଁ ଅବାଧ ସୁଯୋଗ ଦିଆଯାଉଛି। ବେଦାନ୍ତ, ଆଦାନୀ, ଜିନ୍ଦଲ, ଟାଟା ଠାରୁ ଆରମ୍ଭ କରି ନାଲକୋ ଓ ଓଡ଼ିଶା ଖଣି ନିଗମ ଭଳି ସଂସ୍ଥାକୁ ବିକାଶ ନାମରେ ବିନାଶର ଠିକା ଦିଆଯାଉଥିବା ଯୋଗୁଁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକେ ଭିଟାମାଟି ହରାଇ ବାସହରା ହେଉଛନ୍ତି। ବିରୋଧ କଲେ ନିରୀହ ଲୋକଙ୍କୁ ମିଥ୍ୟା ମକଦ୍ଦମାରେ ଛନ୍ଦି ଦିଆଯାଉଥିବା ନେଇ ତୀବ୍ର କ୍ଷୋଭ ପ୍ରକାଶ ପାଇଥିଲା।
ପଟ୍ଟାଙ୍ଗିର ସେରୁବନ୍ଧ ପର୍ବତରେ ବକ୍ସାଇଟ୍ ଖଣି ଖନନକୁ ଅଞ୍ଚଳବାସୀ ଦୀର୍ଘ ଦିନରୁ ବିରୋଧ କରିଆସୁଛନ୍ତି। ପଲ୍ଲୀସଭା ଓ ଗ୍ରାମସଭାର ଅନୁମତି ବିନା ଚାଲିଥିବା ଏହି ଉତ୍ତଳନକୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ଏବଂ “ମରିବୁ ପଛେ ମୁଠାଏ ମାଟି ଦେବୁ ନାହିଁ” ବୋଲି ସମିତି ଚେତାବନୀ ଦେଇଛି। ଏଥିସହ ନାଲକୋ ପାଇଁ ଖଣି ଉତ୍ତଳନ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଡିବିଏଲ୍ (DBL) କମ୍ପାନୀକୁ ପ୍ରଶ୍ରୟ ଦେଉଥିବା ନେତା ଓ ଅଧିକାରୀମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି କୁହାଯାଇଛି।
ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ପେସା ଆଇନ ଏବଂ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ଗ୍ରାମସଭାର ବିନା ଅନୁମତିରେ କୌଣସି ପ୍ରକଳ୍ପକୁ ଅନୁମୋଦନ ଦିଆ ନଯାଉ ବୋଲି ଦାବି କରାଯାଇଛି। ଯେଉଁସ୍ଥାନରେ ବେଆଇନ ଭାବେ ପ୍ରକଳ୍ପ ଅନୁମୋଦନ ହୋଇଛି, ତାହାକୁ ତୁରନ୍ତ ବାତିଲ କରାଯିବା ସହ ଜଙ୍ଗଲ ଅଧିକାର ଆଇନ, ୨୦୦୬ କୁ ଅବିକଳ ତଥା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।
ଦାବିପତ୍ର ପ୍ରଦାନ ସମୟରେ ସଂଘର ସମ୍ପାଦକ ଭଗବାନ ଗୋଲୋରୀ, ସରପଞ୍ଚ ଆଲମେ ଫୁଲ, ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା, ବାସୁଦେବ ପାଙ୍ଗିଙ୍କ ସମେତ ବହୁ ଗ୍ରାମବାସୀ ଓ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

