ଦିଗପହଣ୍ଡି, ୨୭।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଳରାମ ନଗରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧ ଓ ତାଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ସଙ୍ଘବଦ୍ଧ ଭାବେ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବୃଦ୍ଧ ସୁରେନ୍ଦ୍ର ସେଠୀ ଗୁରୁତର ହୋଇଥିବା ବେଳେ, ତାଙ୍କ ଦିବ୍ୟାଙ୍ଗ ଝିଅ ଉର୍ମିଳା ସେଠୀ ମଧ୍ୟ ଆହାତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସୁରେନ୍ଦ୍ରଙ୍କ ପୁଅ ଅଶୋକ ସେଠୀ ଘରେ ନ ଥିବା ସୁଯୋଗ ନେଇ ପଡ଼ୋଶୀ ରାଜୁ ବେହେରା ଏବଂ ତାଙ୍କ ପୁଅ ଶଙ୍କର ବେହେରା ଘରେ ପଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ସୁରେନ୍ଦ୍ର ଏହାର ପ୍ରତିବାଦ କରିବାରୁ ଉଭୟ ବାପ-ପୁଅ ଠେଙ୍ଗାରେ ତାଙ୍କ ଛାତି, ହାତ ଓ ଗୋଡ଼କୁ ଆକ୍ରମଣ କରିଥିଲେ। ପାଟିଶୁଣି ଘର ଭିତରେ ଥିବା ସୁରେନ୍ଦ୍ରଙ୍କ ଦିବ୍ୟାଙ୍ଗ ଝିଅ ଉର୍ମିଳା ବାପାଙ୍କୁ ଉଦ୍ଧାର କରିବାକୁ ଆସିବାରୁ, ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଟଣାଓଟରା କରି ତଳେ ପକାଇ ଲାଠି ଓ ଗୋଇଠା ମାରିଥିଲେ।
ଚିତ୍କାର ଶୁଣି ସାହି ପଡ଼ୋଶୀ ଘଟଣାସ୍ଥଳକୁ ଆସିବାରୁ, ଅଭିଯୁକ୍ତ ବାପ-ପୁଅ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଆକ୍ରମଣରେ ସୁରେନ୍ଦ୍ରଙ୍କ ଛାତିରେ ଗୁରୁତର ଆଘାତ ଲାଗି ରକ୍ତସ୍ରାବ ହୋଇଥିବାରୁ ତାଙ୍କୁ ଏବଂ ତାଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏନେଇ ସୁରେନ୍ଦ୍ରଙ୍କ ପୁଅ ଅଶୋକ ସେଠୀ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ, ଆଇଆଇସି (IIC) କିଶୋର କୁମାର ସାମଲ ମାମଲା ନଂ. ୪୫୬/୨୬ ଅନୁଯାୟୀ ଅଭିଯୁକ୍ତ ରାଜୁ ବେହେରା ଓ ଶଙ୍କର ବେହେରାଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

